ଗଣମାଧ୍ୟମର ଲକ୍ଷ୍ମଣ ରେଖା!
ସଂପ୍ରତି ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆମ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ହେଁ ଏହାର ସ୍ଥାୟୀତ୍ୱ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହେଉଛି । ପୂର୍ବରୁ ସମ୍ବାଦପତ୍ର ଗୁଡ଼ିକ ଆଦର୍ଶଯୁକ୍ତ ଥିଲେ ଏବଂ ମିଥ୍ୟାର ଆଶ୍ର୍ରୟ ନେଉନଥିଲେ । ଏବେ କିନ୍ତୁ ପ୍ରସାରଣ ଓ ଆୟ ବୃଦ୍ଧିପାଇଁ ସମ୍ବାଦପତ୍ର ଅତିକ୍ରମ କରୁଛି ନିଜର ସୀମା-ସରହଦ । ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବାକୁ କେତେକ ଖବରକାଗଜ ସଂସ୍ଥା ନିଜ ଲକ୍ଷ୍ମଣରେଖା ଡ଼େଇଁ ଚାଲିଛନ୍ତି! ସରକାରୀ ବିଜ୍ଞାପନ ପାଇବାକୁ ନିଜର ପ୍ରସାରଣ ସଂଖ୍ୟା ବହୁ ଅଧିକ ଦର୍ଶାଯାଉଛି । ଜନସ୍ୱାର୍ଥ ଅପହରଣ, ସରକାରୀ ବିଜ୍ଞାପନ ହଡ଼ପ, ଅସାମାଜିକ କାର୍ଯ୍ୟକରି ଦଣ୍ଡବିଧାନରୁ ମୁକ୍ତି କିମ୍ବା ଶସ୍ତା ରାଜନୀତି ପାଇଁ ନୂଆନୂଆ ଖବର କାଗଜ ପ୍ରକାଶନ ଓ ବୈଦୁ୍ୟତିକ ଗଣମାଧ୍ୟମ ପ୍ରସାରଣ ଏହାର ପ୍ରମୁଖ କାରଣ ହୋଇଥିବା ଲକ୍ଷ୍ୟ କରାଯାଉଛି । ସତୁରି ଦଶକରେ ବିଭିନ୍ନ ଭାଷାଭାଷୀ ସମ୍ବାଦପତ୍ର ବିଭିନ୍ନ ରାଜ୍ୟରେ ନିଜର ସ୍ଥିତି ସୁଦୃଢ଼ କରିଥିଲେ ଏବଂ ଅଶୀ ଦଶକରେ ଅତ୍ୟାଧୁନିକ ମୁଦ୍ରଣ ସୁବିଧା ଯୋଗୁଁ ସେମାନଙ୍କ ସ୍ଥିତି ଆଉରି ମଜଭୁତ ହୋଇଗଲା । ସଂ·ର କ୍ଷେତ୍ରରେ ଲଗାତାର ବିସ୍ତାର ଓ ଆନେ୍ଦାଳନ ସମ୍ବାଦପତ୍ରର ପ୍ରଭାବ ଯଥେଷ୍ଟ ବଢ଼େଇ ଦେଲା । ଆଜି ଭାରତୀୟ ସମ୍ବାଦପତ୍ର ବିଶ୍ୱର କୌଣସି ଦେଶର ସମ୍ବାଦପତ୍ର ତୁଳନାରେ ନୁ୍ୟନ ହୋଇ ରହି ନାହିଁ । ମାତ୍ର ଗୁଣାତ୍ମକ କ୍ଷେତ୍ରରେ ଆମ ଦେଶର ସମ୍ବାଦପତ୍ର ବହୁ ତଳେ ରହିଛି । ଜନସ୍ୱାର୍ଥ ନାଁରେ ଖବରକାଗଜ ବିକି୍ର ଓ ବିଜ୍ଞାପନ ଆଦିକୁ ଗୁରୁତ୍ୱ ଦିଆଯାଉଛି । ଯଦ୍ଦ୍ୱାରା ଲବ୍ଧ ପ୍ରତିଷ୍ଠିତ ସାହିତି୍ୟକ, ଯଶସ୍ୱୀ ସାମ୍ବାଦିକ ଓ ପ୍ରଖ୍ୟାତ ସ୍ତମ୍ଭକାର ମାନେ ଅକାଳରେ ଝଡ଼ିପଡ଼ୁଛନ୍ତି । କ୍ରମେ ଏହି ଅବସ୍ଥା ଗମ୍ଭୀର ହୋଇ ଚାଲିଛି । ଆଜି ମୁଖରିତ ଶୀର୍ଷକ ଓ ଗମ୍ଭୀର ସମ୍ବାଦର ସ୍ଥାନ ଦଖଲ କରି ନେଉଛି ଭ୍ରଷ୍ଟା·ର, ରାଜନୀତି ଓ ଅପରାଧ ମୂଳକ ଖବର । ଅତୀତରେ ୪ର୍ଥ ସ୍ତମ୍ଭର ଭୂମିକା ସଫଳତାର ସହ ସଂପନ୍ନ କରାଇବା ସମସ୍ତଙ୍କର ଲକ୍ଷ୍ୟଥିଲା । ଦକ୍ଷତାକୁ ଅଗ୍ରାଧିକାର ଦିଆଯାଉଥିଲା । ସାହିତି୍ୟକ,ସାମ୍ବାଦିକ ଓ ସ୍ତମ୍ଭକାରଙ୍କୁ ଢେର ସମ୍ମାନ ଦିଆଯାଉଥିଲା । ଯଦ୍ଦ୍ୱାରା ଦେଶରେ ବିଭିନ୍ନ ଭାଷାଭାଷୀ ସମ୍ବାଦପତ୍ରର ଗୁରୁତ୍ୱ ବୃଦ୍ଧି ପାଇଥିଲା । ହେଲେ ଆଜି ଏ କ୍ଷେତ୍ରରେ ବିରାଟ ପରିବର୍ତନ ଦେଖାଦେଇଛି । ସାମ୍ବାଦିକଙ୍କୁ ସେଲ୍ସମ୍ୟାନ ହେବାକୁ ବାଧ୍ୟ କରାଯାଉଛି । ନିର୍ଦ୍ଧିଷ୍ଟ ଅବଧି ମଧ୍ୟରେ ନିର୍ଦ୍ଧିଷ୍ଟ ପରିମାଣର ବିଜ୍ଞାପନ ସଂଗ୍ରହ କରିବାକୁ ଚୁକ୍ତି କରାଯାଉଛି । ଫଳରେ ଏଥିରେ ଧୂରନ୍ଧର ଥିବା ବ୍ୟକ୍ତିମାନେ ସମ୍ବାଦପତ୍ର କ୍ଷେତ୍ରକୁ ପଶି ଆସୁଛନ୍ତି । ଏବେ ସାମ୍ବାଦିକ ହେବା ପାଇଁ ଆଉ ଦକ୍ଷତା ଦରକାର ପଡ଼ୁନି । ଏପଟେ ସାମ୍ବାଦିକତା ପାଠପଢ଼ି ଆସୁଥିବା କ୍ୟାରିୟର ହୋଲ୍ଡର୍ ମାନେ ସାମ୍ବାଦିକତା ପାଇଁ ଆବଶ୍ୟକ ଜ୍ଞାନ, ବୁଦ୍ଧି, ଲେଖା, ପଢ଼ା ଓ କହି ବୋଲିବାକୁ ଅସମର୍ଥ ହେଉଥିବାବେଳେ ସଂଖ୍ୟାଧିକ ଅନ୍ପ୍ରଫେସ୍ନାଲ ପଶିଆସୁଛନ୍ତି ଏହି ମାହୋଲ୍ ଭିତରକୁ । ‘.. ହେଁସ ମୁତୁରୀ’…ପରି ସମ୍ବାଦପତ୍ର ମାଲିକମାନଙ୍କ ସହ ଏମାନଙ୍କର ବି ରାଜ ଯୋଟକ ପଡ଼ୁଛି । ଦକ୍ଷତା ନଥିବା ଏହିଭଳି ବ୍ୟକ୍ତିମାନେ ଏବେ ସହଜରେ ସାମ୍ବାଦିକ ବନି ଯାଉଛନ୍ତି । ଅନ୍ୟପକ୍ଷରେ କେତେକ ଦୁର୍ନୀତିଗ୍ରସ୍ତ ରାଜନୈତିକ ବ୍ୟକ୍ତି ଓ ଅପରାଧୀ ପରୋକ୍ଷରେ ଗଣମାଧ୍ୟମ ସହ ସଂପୃକ୍ତ ହୋଇଛନ୍ତି ଓ ହେବାରେ ଲାଗିଛନ୍ତି । ଏହା ମଧ୍ୟ ଗଣମାଧ୍ୟମର ସଂକଟାପନ୍ନ ଅବସ୍ଥାର ପ୍ରମୁଖ କାରଣ । ବଡ଼ବଡ଼ ଶିଳ୍ପପତି, ପୁଞ୍ଜିପତି ଓ ରାଜନେତା ମାନେ କେବଳ ସମ୍ବାଦପତ୍ର ବ୍ୟବସାୟରେ ପ୍ରବେଶ କରିନାହାଁନ୍ତି ବରଂ ଏମାନଙ୍କ ଅକ୍ତିଆରରେ ଗଣମାଧ୍ୟମ ରହିଥିବା ସ୍ୱଷ୍ଟ ହୋଇଗଲାଣି । ସେମାନେ ସାମ୍ବାଦିକତାର ଗରିମା ନଷ୍ଟ କରିବା ରାସ୍ତାରେ ଅଛନ୍ତି । ପ୍ରେସ୍ ଗଣତନ୍ତ୍ରର ପ୍ରହରି ନହୋଇ ଖାଉଟି ବସ୍ତୁ ପାଲଟିଗଲାଣି!
ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ସ୍ଥାନ ବହୁ ଉଚ୍ଚରେ । କିନ୍ତୁ ସାମ୍ବାଦିକ ମାନେ ସବୁବେଳେ ଅବହେଳିତ ଅବସ୍ଥାରେ ରହୁଛନ୍ତି । ସେମାନଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ । ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚି ଯାଉଛି । ପ୍ରକୃତ ଘଟଣା ଲୋକଲୋଚନକୁ ଆସି ପାରୁନାହିଁ । ଦେଖାଯାଇଛି, ଅଧିକାଂଶ ସମ୍ବେଦନଶୀଳ ଘଟଣା ଘଟିବା ବେଳେ ଗଣମାଧ୍ୟମ ପ୍ରତିନିଧି ପ୍ରାୟ ଉପସ୍ଥିତ ନଥାନ୍ତି । କାରଣ ଭୟ । ଯଦିଓ କେହି ଉପସ୍ଥିତ ଥାଆନ୍ତି, ତାହେଲେ ତାଙ୍କ ଉପରେ ଆକ୍ରମଣ ହୋଇଥିବାର ନଜିର ରହିଛି । ଆଜି ପର୍ଯ୍ୟନ୍ତ ଖଣି, ପାଣି, ଜମି, ଡ଼ାଲି, ମନରେଗା, ସ୍ୱାସ୍ଥ୍ୟ ପ୍ରକଳ୍ପ, ଚିଟ୍ଫଣ୍ଡ, ନକଲି ବାବା ମାନଙ୍କ କାରନାମା ଆଦି ଯେତେ ଦୁର୍ନୀତି, ଅନିୟମିତତା ବା ଠକେଇ ହୋଇଛି, ସେସବୁକୁ ଲୋକଲୋଚନକୁ ଆଣିଛି ଗଣମାଧ୍ୟମ । ରାଜ୍ୟ ପ୍ରଶାସନର କାର୍ଯ୍ୟକଳାପ ଦେଖିଲେ, ମନେ ହେଉଛି ରାଜ୍ୟ ସରକାରଙ୍କ କର୍ତବ୍ୟ ଗଣମାଧ୍ୟମ ଓ ଅଦାଲତ କରୁଛନ୍ତି । ସରକାରୀ ଶାସନ ପଦ୍ଧତି ଏତେ ତୃଟିପୂର୍ଣ୍ଣ ତଥା ନିଷ୍କି୍ରୟ ଯେ ଲୋକେ ବାଧ୍ୟ ହୋଇ ଗଣମାଧ୍ୟମ ଏବଂ ଅଦାଲତର ଆଶ୍ରୟ ନେଉଛନ୍ତି । ହୁଏତ ଏଥିଯୋଗୁ ସରକାରୀ ଅଧିକାରୀ ମାନେ ଅଧିକାଂଶ ସମୟ ଅଦାଲତରେ ବିତାଉଛନ୍ତି ଓ ରାଜକୋଷରୁ ପ୍ରଚୁର ଅର୍ଥ ବର୍ବାଦ ହେଉଛି । ଅନ୍ୟପକ୍ଷରେ ଆଜି ଓଡ଼ିଆ ଗଣମାଧ୍ୟମ ଓ ଏହାର ପ୍ରତିନିଧିଙ୍କୁ ନେଇ ସାରା ରାଜ୍ୟରେ ଭିନ୍ନଭିନ୍ନ ଚର୍ଚ୍ଚା ଚାଲିଆସୁଛି । ସରକାରଙ୍କ ପ୍ରତିନିଧି ହୁଅନ୍ତୁ କି ମନ୍ତ୍ରୀ, ନେତା କି ଦୁର୍ନୀତିଗ୍ରସ୍ତ ବ୍ୟକ୍ତି/ଅପରାଧୀ ନିଜ ପ୍ରକୋଷ୍ଟରେ ବସି ଦଳେ ସାମ୍ବାଦିକଙ୍କୁ ଡକାଇ ନିଜ ସ୍ୱାର୍ଥଜଡ଼ିତ ସମ୍ବାଦ ପରିବେଷଣ ପାଇଁ ଖାଲି ପ୍ୟାକେଟ ବାଂଟିଦେଲେ କାମଶେଷ । ପରଦିନ କାଚରୁ କାଗଜ ସବୁଠି ଚାଲିଥିବ ଖାଲି ତାଙ୍କରି ନାଁରେ ଚର୍ଚ୍ଚା ଓ ପ୍ରଶଂସା । ଏତେ ସହଜରେ ଯଦି ସାମ୍ବାଦିକ ଓ ସମ୍ବାଦପତ୍ର ଗୁଡିକୁ କିଣି ହେଉଛି ଆଉ ଠକି ହେଉଛି, ତେବେ ଗଣମାଧ୍ୟମର ଭାଗ୍ୟ-ଭବିଷ୍ୟତକୁ ନେଇ ତାଙ୍କ ମୁଣ୍ଡ କାହିଁକି ବଥେଇବ? କେତୋଟି ସଂବାଦପତ୍ରର ସଂପାଦନା ପଦ୍ଧତି ଏତେ ଦୁର୍ବଳ ଯେ, ପ୍ରକାଶିତ ସଂବାଦ ବୁଦ୍ଧିଜୀବୀ ମାନଙ୍କ ପାଇଁ ଚିନ୍ତାର କାରଣ ହେଉଛି! ହୁଏତ ଆଜି ପର୍ଯ୍ୟନ୍ତ ସେମାନେ ଜନସାଧାରଣଙ୍କ ସ୍ୱାର୍ଥଜଡ଼ିତ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରି ନାହାଁନ୍ତି କିମ୍ବା ସେମାନଙ୍କର ଏଭଳି ରିପୋର୍ଟ ସଂଗ୍ରହ କରିବାକୁ ଓ ଲେଖିବାକୁ ଦକ୍ଷତା ନାହିଁ! ସାମ୍ବାଦିକ ମାନଙ୍କୁ ଅଧିସ୍ୱୀକୃତି ପ୍ରଦାନ ପାଇଁ ଯେଉଁ ନୀତି ନୀୟମ ରହିଛି ଓ ସଚିବାଳୟ ତଥା ବିଧାନସଭା ପ୍ରବେଶ ପାଇଁ ଅନୁମତି ପତ୍ର ନିମନ୍ତେ ଯେଉଁ ନିୟମ ରହିଛି, ତାହା ବ୍ୟାପକ ସମୀକ୍ଷା ହୋଇ ଉପଯୁକ୍ତ ନୀତି ପ୍ରଣୟନ ହେବା ଦରକାର । ଗଣମାଧ୍ୟମ ସଂସ୍ଥା କୌଣସି ବ୍ୟକ୍ତିଙ୍କ ନାଁ ରେ ପ୍ରମାଣ ପତ୍ରଟିଏ ଦାଖଲ କରିଦେଲେ, ସେହିବ୍ୟକ୍ତିଙ୍କୁ ସରକାରଙ୍କ ଦ୍ୱାରା ଅଧିସ୍ୱୀକୃତ ସାମ୍ବାଦିକ ଭାବେ ମାନ୍ୟତା ଦିଆ ଯାଉଛି । ସେହି ବ୍ୟକ୍ତି ଜଣକ ସାମ୍ବାଦିକତାରେ କେତେ ଦକ୍ଷ(?) ସେ ସବୁ ଜାଣିବା କ’ଣ ସରକାରଙ୍କ କର୍ତବ୍ୟ ନୁହେଁ? ସେହିପରି ମୁକ୍ତବୃତ ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ପ୍ରଦାନ ପ୍ରକିୟାରେ ବ୍ୟାପକ ତୃଟି ରହିଛି । କେହିଜଣେ ବ୍ୟକ୍ତି ଲେଖିଜାଣନ୍ତୁ କି ନାହିଁ ଅଳ୍ପ କେତୋଟି ଗଣମାଧ୍ୟମ ସଂସ୍ଥାରୁ ନିର୍ଦ୍ଧାରିତ ପ୍ରମାଣପତ୍ର ଆଣି ଦାଖଲ କରିଦେଲେ ତାଙ୍କୁ ସରକାରୀ ଅଧିସ୍ୱୀକୃତି ମିଳିଯାଉଛି । ଏହି ନିୟମାନୁଯାୟୀ ଗଣମାଧ୍ୟମ ସଂସ୍ଥାର ମାଲିକ ଓ ସଂପାଦକ ନିଜର ବନ୍ଧୁ-ସଂପର୍କୀୟ ମାନଙ୍କୁ ଅତି ସହଜରେ ସରକାରୀ ଅଧିସ୍ୱୀକୃତି ପ୍ରଦାନ କରାଇବାରେ ସକ୍ଷମ ହେଉଛନ୍ତି । ମାତ୍ର ସୁଦକ୍ଷ ମୁକ୍ତବୃତ ସାମ୍ବାଦିକମାନେ ମାଲିକ ଓ ସମ୍ପାଦକ ମାନଙ୍କୁ ପ୍ରଭାବିତ କରିପାରୁ ନଥିବାରୁ ଏହି ସୁବିଧାରୁ ବଂଚିତ ହେଉଛନ୍ତି । ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଶରତ କୁମାର ରାଉତ, ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮
ଗଣମାଧ୍ୟମର ଭବିଷ୍ୟତ ନେଇ ପ୍ରଶ୍ନବାଚୀ!