ଗଭୀର ଦେଶପ୍ରେମୀ ଥିଲେ ବିଜୁ ପଟ୍ଟନାୟକ

ଗଭୀର ଦେଶପ୍ରେମୀ ଥିଲେ ବିଜୁ ପଟ୍ଟନାୟକ

ପ୍ରିୟଦର୍ଶୀ ମିଶ୍ର
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ବାଲ୍ୟକାଳରୁ ହିଁ ତାଙ୍କ ସୁଗୁଣର ପରିଚୟ ପ୍ରଦାନ କରିଥିଲେ । ସମୟ କ୍ରମେ କେବଳ ନିଜ ରାଜ୍ୟ ବା ଦେଶ ନୁହେଁ, ଆନ୍ତର୍ଜାତିକ ସ୍ତରରେ ମଧ୍ୟ ନିଜକୁ ଜଣେ ଦକ୍ଷ ପାଇଲଟ୍ ଓ ସାହସୀ ବ୍ୟକ୍ତି ଭାବେ ପ୍ରତିଷ୍ଠିତ କରି ପାରିଥିଲେ । ଏହା ଓଡ଼ିଆ ମାନଙ୍କ ପାଇଁ କମ୍ ଗର୍ବ ଓ ଗୌରବର କଥା ନୁହେଁ । ଏପର୍ଯ୍ୟନ୍ତ କୌଣସି ଓଡ଼ିଆ ବିଜୁ ପଟ୍ଟନାୟକଙ୍କ ଭଳି ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜ୍ଜନ କରି ପାରି ନାହାନ୍ତି ବା ନିକଟ ଭବିଷ୍ୟତରେ ମଧ୍ୟ କେହି ସେଭଳି ସ୍ତରକୁ ଯିବାର ଆଶା ନାହିଁ । ଯୁଗ ଯୁଗ ଧରି ସେ ଦେଶ ବିଦେଶରେ ଓଡ଼ିଆ ଜାତିର ପରିଚୟ ହୋଇ ରହିଯିବେ ।
ଆଶ୍ଚର୍ଯ୍ୟର ବିଷୟ ଯେ, ସେ କେବଳ ଜଣେ ବିଶାଳ ଚେହେରାର ଅଧିକାରୀ ନଥିଲେ, ବରଂ ଏକ ବିଶାଳ ହୃଦୟ, ଦୃଢ ସାହସିକତା ଓ ଅତ୍ୟନ୍ତ ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତିତ୍ୱ ଥିଲେ । ସେ ଯେ ଦିନେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବ୍ୟକ୍ତିତ୍ୱରେ ପରିଣତ ହେବେ, ତାହାର ଆଭାସ ମିଳିଥିଲା, ରେଭେନ୍ସା କଲେଜରେ ଆଇ.ଏସ୍.ସି. ପଢୁଥିବା ବେଳେ । ସାଙ୍ଗମାନଙ୍କ ସହିତ କଟକରୁ ପେଶୱାର ପର୍ଯ୍ୟନ୍ତ ସାଇକେଲ୍ ଯୋଗେ ଦୁଃସାହସିକ ଯାତ୍ରା, କଟକ କିଲ୍ଲା ପଡ଼ିଆରେ ଓହ୍ଲେଇଥିବା ବିମାନଟିକୁ ଛୁଇଁବାକୁ ଯାଇ ବି୍ରଟିସ୍ ପୋଲିସ୍ ହାତରୁ ମାଡ଼ ଖାଇବା ଓ ଭବିଷ୍ୟତ ଜୀବନରେ ପାଇଲଟ୍ ହେବା ପାଇଁ ପ୍ରତିଜ୍ଞା କରିବା ତଥା ପରବର୍ତୀ ଅବସ୍ଥାରେ ପାଇଲଟ୍ ଟ୍ରେନିଂରେ ଯୋଗ ଦେଇ ଜଣେ ସଫଳ ପାଇଲଟର ମାନ୍ୟତା ପାଇବା କେବଳ ତାଙ୍କ ଭଳି ଜଣେ ପବାଦ ପୁରୁଷଙ୍କ ପାଇଁ ସମ୍ଭବ ହୋଇ ପାରିଥିଲା ।
୧୯୪୮ ମସିହାରେ ନେହରୁଙ୍କର ପରାମର୍ଶ କ୍ରମେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ସେଠାକାର ପ୍ରଧାନମନ୍ତ୍ରୀ ସାହାରିୟର୍ ଓ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ଡ଼ଚ୍ ମାନଙ୍କ କବଳରୁ ଏକ ଡ଼ାକୋଟା ପ୍ଲେନ୍ରେ ଉଠାଇ ଆଣି ଦିଲ୍ଲୀରେ ପହଂଚାଇଥିଲେ । ତତ୍ ପରବର୍ତୀ ସମୟରେ ଇଣ୍ଡୋନେସିଆ ସରକାରଙ୍କ ଦ୍ୱାରା ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏଥିପାଇଁ ଇଣ୍ଡୋନେସିଆ ସରକାର ତାଙ୍କୁ ୧୯୭୩ ରେ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲେ, ଯାହା ତାଙ୍କୁ ଆନ୍ତର୍ଜାତିକ ଖ୍ୟାତି ପ୍ରଦାନ କରିଥିଲା । ସେହିପରି ଓଡ଼ିଶାର ପୁରାତନ ନାମ କଳିଙ୍ଗକୁ ଅତ୍ୟନ୍ତ ଶ୍ରଦ୍ଧା କରୁଥିବା ବିଜୁ ପଟ୍ଟନାୟକ ୧୯୫୧ ମସିହାରେ ବିଜ୍ଞାନକୁ ଲୋକପି୍ରୟ କରିବା ଲକ୍ଷ୍ୟରେ ୟୁନେସ୍କୋ ଜରିଆରେ କଳିଙ୍ଗ ପୁରସ୍କାର ପ୍ରଚଳନର ଶୁଭାରମ୍ଭ କେବଳ ତାଙ୍କୁ ନୁହେଁ, ଓଡ଼ିଶାକୁ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇ ପାରିଥିଲା ।
୧୯୬୨ ଭାରତ-ଚୀନ୍ ଯୁଦ୍ଧ ବେଳେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଯୁଦ୍ଧ ପରାମର୍ଶଦାତା ନିଯୁକ୍ତ ଏବଂ ସୈନ୍ୟବାହିନୀକୁ ଖାଦ୍ୟ ପୁଡ଼ିଆ ଯୋଗାଣ କଳିଙ୍ଗ ଏୟାରଲାଇନ୍ସ ଉପରେ ନ୍ୟସ୍ତ କରାଯାଇଥିଲା । ୧୯୬୫ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ସପ୍ତମ ନୌସେନା ଦ୍ୱାରା ଆକ୍ରମଣକୁ ଏଡ଼ାଇବା ପାଇଁ ଶାସ୍ତ୍ରୀଙ୍କ ଅନୁରୋଧ କ୍ରମେ ବିଜୁ ପଟ୍ଟନାୟକଙ୍କ ଇଣ୍ଡୋନେସିଆ ଯାତ୍ରା ତାଙ୍କ ଆନ୍ତର୍ଜାତିକ କୂଟନୀତି ଓ ପରାକାଷ୍ଟାର ପରିଚୟ ପ୍ରଦାନ କରେ ।
୧୯୪୭ ମସିହାରେ ବଙ୍ଗଳାଦେଶ ପ୍ରେସିଡେଂଟ ଶେଖ୍ ମୁଜିବୁର୍ ରହମନ୍ ଙ୍କୁ ହତ୍ୟା ଷଡ଼ଯନ୍ତ୍ରର ଦୁଃସମ୍ବାଦ ପାଇ ତାଙ୍କୁ ଉଦ୍ଧାର କରିବାକୁ ବିଜୁ ପଟ୍ଟନାୟକ ଏକ ଉଡ଼ାଜାହାଜ ଧରି ଢାକାରେ ପହଂଚିବା ଓ ଦୁର୍ଭାଗ୍ୟ କ୍ରମେ ସେତେବେଳକୁ ଆତତାୟୀ ମାନେ ତାଙ୍କୁ ହତ୍ୟା କରି ସାରିଥିବା ଭଳି ଘଟଣା ବଳୀ ତାଙ୍କୁ ଯଥାର୍ଥରେ ଏକ ଆନ୍ତର୍ଜାତିକ ପରିଚୟ ପ୍ରଦାନ କରେ ।
ବି୍ରଟିସ୍ ବିମାନ ବାହିନୀର ପାଇଲଟ୍ ଭାବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମସ୍କୋ, ଚୁନ୍କିଂ ଓ ଅନ୍ୟାନ୍ୟ ପ୍ରମୁଖ ଯୁଦ୍ଧକ୍ଷେତ୍ର ଗୁଡ଼ିକୁ ଏକାଧିକ ବାର ଦୁଃସାହସିକ ଅଭିଯାନରେ ବିଜୁ ପଟ୍ଟନାୟକ ଯାତ୍ରା କରିଥିଲେ ଓ ଋଷିୟ ମାନଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ଚୀନ୍ ଦ୍ୱାରା ମଧ୍ୟ ସମ୍ମାନୀତ ହୋଇଥିଲେ । ଜୟ ପ୍ରକାଶଙ୍କ ସ୍ୱତନ୍ତ୍ର ବାର୍ତାବହ ଭାବେ ସୁଭାଷ ବୋଷଙ୍କ ସହିତ ସଂପର୍କ ପ୍ରତିଷ୍ଠା ପାଇଁ ବର୍ମା ଅଭିମୁଖେ ଉଡ଼ିଯିବା ପୂର୍ବରୁ ସେ ଗିରଫ ହୋଇଥିଲେ ।
ତକ୍ରାଳୀନ କେନ୍ଦ୍ରମନ୍ତ୍ରୀ କିଦୱାଇଙ୍କ ଜରୂରୀ ଫୋନ୍ ବାର୍ତା ପାଇ ଉଡ଼ାଜାହାଜ ମାନଙ୍କରେ ରାଇଫଲ୍ ଭର୍ତି କରି ତୁରନ୍ତ ନେପାଳ ନେଇ ସେଗୁଡ଼ିକୁ ବି.ପି. କୋଇରାଲାଙ୍କୁ ପ୍ରଦାନ କରି ସେଠାରେ ରାଣା ସୈନ୍ୟଙ୍କ ସହିତ ଯୁଦ୍ଧ କରି ଗୃହଯୁଦ୍ଧର ଅବସାନ ପରେ ରାଇଫଲ୍ ଗୁଡ଼ିକୁ ଫେରାଇ ଆଣିବା ଘଟଣା ଆନ୍ତର୍ଜାତିକ କଟକଣା ଯୋଗୁ ଲୋକଲୋଚନକୁ ଆସି ପାରିନଥିଲେ ମଧ୍ୟ ଏହା ବିଜୁ ପଟ୍ଟନାୟକ ଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥିଲା ।
କାଶ୍ମୀରରେ ପାକିସ୍ତାନୀ ଅନୁପ୍ରବେଶ ବେଳେ ଯେତେବେଳେ କାଶ୍ମୀରର ପ୍ରଧାନମନ୍ତ୍ରୀ ସେକ୍ ଅବଦୁଲ୍ଲା ଭାରତର ସାହାଯ୍ୟ ଲୋଡ଼ିଲେ, ସେତେବେଳେ ଭାରତ ଯେଉଁ କେତୋଟି ବିମାନ କାଶ୍ମୀରକୁ ତୁରନ୍ତ ପଠାଇଥିଲେ, ସେଥି ଭିତରୁ ବିଜୁ ପଟ୍ଟନାୟକ ହେଉଛନ୍ତି ପ୍ରଥମ, ଯିଏ କି କାଶ୍ମୀର ମାଟିରେ ଅବତରଣ କରିଥିଲେ ।
ଭାରତର ଗୌରବ ଓ ସ୍ୱାଭିମାନକୁ ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠା ପାଇଁ ସେ ପ୍ରୟାସ କରିଥିଲେ । ଦିନେ ବି୍ରଟିସ୍ ବି୍ରଗେଡ଼ିୟରଙ୍କୁ କ୍ୱେଟା(ବର୍ତମାନ ଆଫଗାନିସ୍ତାନରେ) କୁ ପ୍ଲେନ୍ରେ ଉଡ଼ାଇ ନେବା ବେଳେ ସେ ବ୍ଲଡ଼ି ଇଣ୍ଡିଆନ୍ ପାଇଲଟ୍ କହିଥିବାରୁ ତାଙ୍କୁ ପ୍ଲେନ୍ରେ ଠିଆ କରାଇ ବିଜୁ ପଟ୍ଟନାୟକ ଶାସ୍ତି ବିଧାନ କରାଇଥିଲେ । ଯଦିଓ ସେଠାରୁ ଫେରି ସେ ଦିଲ୍ଲିରେ ଗିରଫ୍ ହୋଇଥିଲେ, ମାତ୍ର ଏଥିରୁ ଆନ୍ତର୍ଜାତିକ ସ୍ତରରେ ଭାରତର ମର୍ଯ୍ୟାଦା ପାଇଁ ତାଙ୍କର ଗଭୀର ଦେଶପ୍ରେମର ସୂଚନା ମିଳେ ।
ସେହି ବିଶ୍ୱ ବିସ୍ମୃତ ବ୍ୟକ୍ତିର ମହାପ୍ରୟାଣରେ ତାଙ୍କ ମର ଶରୀର ଉପରେ ଥିବା ଋଷିଆ, ଇଣ୍ଡୋନେସିଆ ଓ ଭାରତର ଜାତୀୟ ପତାକା କେବଳ ଜଣେ ଓଡ଼ିଆ କାହିଁକି, କୌଣସି ଭାରତୀୟଙ୍କ ଭାଗ୍ୟରେ ମଧ୍ୟ ଜୁଟିନାହିଁ । ବିଜୁ ପଟ୍ଟନାୟକ ଓଡ଼ିଶାକୁ, ଉକ୍ରଳକୁ, କଳିଙ୍ଗକୁ ଖାଲି ଭଲ ପାଉନଥିଲେ, ସେ ଭାରତ ଓ ସମଗ୍ର ବିଶ୍ୱକୁ ଭଲ ପାଉଥିଲେ ।
ଲୋକପି୍ରୟ ଜନ ନାୟକ ବିଜୁ ବାବୁ ମଧ୍ୟ ଜଣେ ସଫଳ ପ୍ରଶାସକ ଥବଲେ । ୧୯୯୦ ରୁ ୧୯୯୫ ମଧ୍ୟରେ ଓଡ଼ିଶାରେ ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ଅନେକ ଉନ୍ନୟନ ମୂଳକ ଯୋଜନା ସମେତ ବହୁ ଲୋକହିତକର ଆଇନ କାର୍ଯ୍ୟକାରୀ କରିଥିଲେ । ବିକେନ୍ଦ୍ରୀକରଣ ଉପରେ ଆଧାରିତ ଶାସନ ବ୍ୟବସ୍ଥା ହିଁ ଗଣତନ୍ତ୍ର । ନିମ୍ନ ସ୍ତରରେ ଯଦିଓ ଗଣତାନ୍ତ୍ରିକ ମୂଲ୍ୟ ଓ ମାନ୍ୟତା ମଜଭୁତ୍ ନହୁଏ, ତେବେ ଉପର ସ୍ତରରେ ଗଣତନ୍ତ୍ର କଦାପି ସଫଳ ହୋଇ ପାରିବ ନାହିଁ । ଲୋକଙ୍କ ସମସ୍ୟା ସମାଧାନରେ ଲୋକଙ୍କ ପ୍ରତ୍ୟକ୍ଷ ଅଂଶ ଗ୍ରହଣ ହିଁ ଗଣତନ୍ତ୍ରର ସଂଜ୍ଞା । ଭାରତରେ ଜନତା ଓ ଜନପ୍ରତିନିଧି, ଶାସକ ଓ ଶାସିତମାନଙ୍କ ମଧ୍ୟରେ ସୁସଂପର୍କ ରହିବା ଉଚିତ । ଗଣତନ୍ତ୍ରର ସର୍ବଶ୍ରେଷ୍ଠ ପାଠଶାଳା ଓ ତାର ସଫଳତାର ସବୁଠୁ ଅଧିକ ଗ୍ୟାରେଂଟି ସ୍ଥାନୀୟ ସ୍ୱ-ଶାସନର ପରି·ଳନା । ସାମୁହିକ ବିକାଶ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ୧୯୫୭ରେ ବଳବନ୍ତ ରାୟ ମେହେଟ୍ଟା ସମିତି ଗଠନ କରାଯାଇଥିଲା ଓ ଏହି ସମିତିର ରିପୋର୍ଟ ଅନୁଯାୟୀ ୧୯୫୯ ଅକ୍ଟୋବର ୨ରେ ଭାରତରେ ପଂଚାୟତିରାଜ ବ୍ୟବସ୍ଥାର ଆରମ୍ଭ ହୋଇଥିଲା । କିନ୍ତୁ ବାସ୍ତବରେ ଏହା ନବେ ଦଶକ ଠାରୁ ସାରା ଦେଶରେ କାର୍ଯ୍ୟକାରୀ ହୋଇ ଆସୁଛି । ଆଉ ଓଡ଼ିଶାରେ ବିଜୁବାବୁ ହିଁ ୧୯୯୦ ରେ ପଂଚାୟତିରାଜ ବ୍ୟବସ୍ଥା ସଫଳ ଭାବେ କାର୍ଯ୍ୟକାରୀ କରିଥିଲେ । ପଂଚାୟତିରାଜ ଅଧିନିୟମର କେତେକ ନିୟମ ଅଧିକଂଶ ରାଜ୍ୟରେ ସଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ । ମାତ୍ର ଓଡ଼ିଶା ସରକାର ଅଧିନିୟମର ନିୟମଗୁଡ଼ିକ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ଯେଉଁଥିପାଇଁ ପଂଚାୟତ ଗୁଡ଼ିକର ଦୂ୍ରତ ବିକାଶ ହୋଇ ଚାଲିଛି ଓ ଗ୍ରାମାଂଚଳ ଲୋକେ ନିଜର ଅଧିକାର ଉପଭୋଗ କରିପାରୁଥିବା ଅନୁଭବ କରୁଛନ୍ତି ।
ମୃତୁ୍ୟ ଚିରନ୍ତନ ସତ୍ୟ । ଏହା ଯେତେ ନିଷ୍ଠୂର ଓ କଠୋର ଲାଗିଲେ ବି ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ । ଭଗବାନ ଯାହାକୁ ବେଶୀ ଭଲ ପାଆନ୍ତି, ତାକୁ ନିଜ ପାଖକୁ ଶୀଘ୍ର ନେଇ ଯାଆନ୍ତି ବୋଲି ଧାରଣା ରହିଛି । ତାଙ୍କ କ୍ଷେତ୍ରରେ ସେଇଆ ଘଟିଲା ବୋଲି ଆମେ ଭାବୁଛୁ । ୨୨ବର୍ଷ ତଳୁ ଇହଧାମ ତ୍ୟାଗ କରିଥିଲେ ମଧ୍ୟ ଆଜି ବି ସେ ଆମ ପାଖରେ ଅମର ହୋଇ ରହିଛନ୍ତି । ଆଜି ତାଙ୍କର ପବିତ୍ର ଜନ୍ମ ତିଥିରେ ତାଙ୍କର ଅମ୍ଲାନ କିର୍ତୀ ସମସ୍ତଙ୍କ ସାମ୍ନାରେ ଭାସି ଉଠୁଛି ।
ବିଧାୟକ, ଉତର ଭୁବନେଶ୍ୱର

Leave a Reply

Your email address will not be published.