ଜୀବନ୍ତ ମାନବିକତା
ଭୁବନେଶ୍ୱର, (ଆଇଏନ୍ଏସ୍): ସମାଜରୁ ମାନବିକତାର ମୂଲ୍ୟବୋଧ ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି । ଅଭାବ, ଅସୁବିଧାରେ ରହି ଦୁଃଖ ଯନ୍ତ୍ରଣାରେ ସଢ଼ୁଥିବା ଲୋକଙ୍କ କଷ୍ଟ ଲାଘବ କରିବାକୁ ସେଭଳି ଉଦ୍ୟମ ହେଉନାହିଁ । ସରକାରଙ୍କ ଉପରେ ଦାୟିତ୍ୱ ଛାଡ଼ି ସମସ୍ତେ ନିରବ ରହୁଛନ୍ତି । ଏଭଳି ଏକ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ଶିକ୍ଷିତ ବ୍ୟକ୍ତି ଏକାଠି ହେଇ ନିରାଶ୍ରୟ, ଅଭାବୀ ଲୋକଙ୍କୁ ସହଯୋଗର ହାତ ବଢ଼ାଇ ଚାଲିଛନ୍ତି । ଜୀବନ୍ତ ମାନବିକତା(ଲିଭିଂ ହୁ୍ୟମାନିଟି) ସଂଗଠନ ମାଧ୍ୟମରେ ସେମାନେ ବିଦ୍ୟାଳୟ ନଥିବା ଅଂଚଳରେ ପିଲାଙ୍କୁ ଶିକ୍ଷାଦାନ ଦାୟିତ୍ୱ ହାତକୁ ନେଇଛନ୍ତି । ରୋଗାଗ୍ରସ୍ତ ଅଭାବୀ ମଣିଷ ଚିକିସôା ନପାଇ ଦୁର୍ଦଶାରେ ଦିନ କାଟୁଥିବା ବେଳେ ମାନବିକତାକୁ ଗୁରୁତ୍ୱ ଦେଇ ସେବା ପହଂଚାଉଛନ୍ତି । ପୁରୁଣା ପୋଷାକ ସଂଗ୍ରହ, ଅର୍ଥନୈତିକ ଦୁର୍ବଳ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ସହରରେ ରଖି ଶିକ୍ଷାଦାନ ସୁଯୋଗ ପ୍ରଦାନ କରିବା କ୍ଷେତ୍ରରେ ଏମାନେ କାର୍ଯ୍ୟ କରିଚାଲିଛନ୍ତି । ନିକଟରେ ସୃଷ୍ଟି ହୋଇଥିବା ବାତ୍ୟା ସମୟରେ ଏହି ସଂଗଠନର ସଦସ୍ୟମାନେ ପ୍ରଥମେ ପ୍ରଭାବିତ ଅଂଚଳରେ ପହଂଚି ପାରିଥିଲେ । ଲୋକଙ୍କ ନିକଟରେ ଛିଡ଼ାହୋଇ ସେମାନଙ୍କୁ ସହଯୋଗର ହାତ ବଢ଼ାଇଥିଲେ । ଏଭଳି ପ୍ରଶଂସନୀୟ କାର୍ଯ୍ୟ ପାଇଁ ଜାତୀୟ ଗଣମାଧ୍ୟମରେ ଲିଭିଂ ହୁ୍ୟମାନିଟିକୁ ସୁନାମ ମିଳିଛି । ତେବେ ଏପର୍ଯ୍ୟନ୍ତ ଏହି ସଂଗଠନର କାର୍ଯ୍ୟ ଓଡ଼ିଶା ସରକାରଙ୍କ ନଜରକୁ ଆସିପାରିନାହିଁ । ଏହାକୁ ଏକ ସ୍ୱେଚ୍ଛାସେବୀ ସଂଗଠନ ଭାବି ଅନେକ ଏହାର ଆଭିମୁଖ୍ୟ ଜାଣିବାକୁ ଉଦ୍ୟମ କରୁନାହାନ୍ତି । ବାସ୍ତବରେ ଏହା କେତେକ ଶିକ୍ଷିତ ବ୍ୟକ୍ତି ବିଶେଷ ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଯୁବକଙ୍କ ସହଯୋଗରେ ଗଢ଼ି ଉଠିଛି । ସ୍ୱେଚ୍ଛାସେବୀ ସଂଗଠନର ଆଭିମୁଖ୍ୟ ଠାରୁ ଏହାର ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭିନ୍ନ । ଗତ ବାତ୍ୟା ସମୟରେ ଉଦ୍ଧାର ଓ ରିଲିଫ ବଂଟନ କ୍ଷେତ୍ରରେ ଏହି ସଂଗଠନର ସଦସ୍ୟଙ୍କ ପଦକ୍ଷେପକୁ ପ୍ରଭାବିତ ପୁରୀ ଜିଲାର ବିଭିନ୍ନ ସ୍ଥାନରେ ଭୂୟସୀ ପ୍ରଶଂସା ମିଳିଛି ।
ବାତ୍ୟା ଆସୁଥିବା ଖବର ପ୍ରଚାରିତ ହେବା ପରେ ମେ ୨ ତାରିଖ ରାତିରେ ସଂଗଠନର ତିନିଜଣ ଯୁବକ ରାକେଶ ରାଉଳ, ସଂଜୀବ ସାହୁ ଓ ପରେଶ ପାଢ଼ୀ ଗୋଟିଏ ଦୁଇ ଚକିଆ ଯାନରେ କିଛି ବିସ୍କୁଟ, ପାଣି, ମହମବତୀ ଓ ଦିଆସିଲି ଧରି ସାହସର ସହ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ବଳିଆପଣ୍ଡାରେ ଥିବା ଏକ ହୋଟେଲରେ ଆଶ୍ରୟ ନେଇଥିଲେ । ରାତି ଗୋଟାଏ ବେଳେ ବର୍ଷା ପବନ ଆରମ୍ଭ ହୋଇଥିଲା । ସକାଳ ୭ଟାରେ ଅଧିକ ବର୍ଷା ପବନ ହେଲା । ଧୀରେଧୀରେ ପରିସ୍ଥିତି ଭୟାନକ ହେଉଥିବାରୁ ହୋଟେଲର ୭ ମହଲା ଉପରେ ଥିବା ଏହି ଯୁବକମାନେ ଭାବି ନେଲେ ବଂଚିବା ସମ୍ଭବ ନୁହେଁ । ହୋଟେଲ ଦୋହଲିବା ଆରମ୍ଭ କରିଥିଲା । ତଳକୁ ଆସିବା ସମ୍ଭବପର ନଥିଲା । ଦିନ ଦୁଇଟା ସୁଦ୍ଧା ସବୁ ଛାରଖାର ହୋଇ ଯାଇଥିଲା । ଚାଲି ଚାଲି ଯିବାକୁ ରାସ୍ତା ନଥିଲା । କିଛି ଜାଣି ହେଉନଥିଲା । ସମୁଦ୍ରକୂଳ ରାସ୍ତା ଉପରେ ବାଳିଚର ମାଡ଼ି ଯାଇଥିଲା । ଭୟଙ୍କର ଥିଲା ପରିବେଶ । ମୋବାଇଲ କାମ କରୁନଥିଲା । ସବୁ ନିସ୍ତବ୍ଧତା ଭିତରେ ସେମାନେ ତଳକୁ ଓହ୍ଲେଇଥିଲେ । ସମୟ ଅପରାହ୍ଣ ୫.୩୦ । ପୁରୀ ସହରର ଅବସ୍ଥା ସମ୍ପର୍କରେ ଖବର ଦେବାକୁ ଚାଲିଚାଲି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଓ ପରେ ବାଟମଙ୍ଗଳା ଯାଏଁ ଗଲେ । କେଉଁଠି ଫୋନ ଲାଗିଲାନି । ବଳିଆପଣ୍ଡାରୁ ବାଟମଙ୍ଗଳା ପର୍ଯ୍ୟନ୍ତ ଯିବାକୁ ସେମାନଙ୍କୁ ତିନିଘଂଟା ଲାଗିଥିଲା । ଅନ୍ଧାରରେ ଫେରିଥିଲେ । ପ୍ରଭାବିତ ପୁରୀ ସହରରେ ସେମାନଙ୍କର ରାତି କଟିଥିଲା ।
ସକାଳୁ ବଳିଆପଣ୍ଡା ଓ ପେଣ୍ଠକଟା ଅଂଚଳକୁ ଯାଇ ଲୋକଙ୍କୁ ନେଇଥିବା ବିସ୍କୁଟ ଓ ପାଣି ଦେଇଥିଲେ । ପୁରୀରେ ଏମାନେ ଥିଲେ ପ୍ରଥମ ସାହାଯ୍ୟକାରୀ ଦଳ । ୪ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ରହି ପ୍ରଭାବିତ ଅଂଚଳର ଲୋକଙ୍କୁ ସହାୟତା ଯୋଗାଇଲେ । ରାସ୍ତା ଉପରେ ଗଛ, ବିଦ୍ୟୁତ ଖୁଂଟ ପଡ଼ିଥିବାରୁ ଫେରିପାରିନଥିଲେ । ସେମାନଙ୍କ ନିକଟରୁ କୌଣସି ଖବର ମିଳୁନଥିବାରୁ ସଂଗଠନର ସଦସ୍ୟମାନେ ବିବ୍ରତ ହୋଇପଡ଼ିଥିଲେ । ୪ ତାରିଖ ଅପରାହ୍ଣ ୪ଟାରେ ପୁରୀ ଛାଡ଼ିଲେ ଏହି ତିନି ଯୁବକ । ଭୁବନେଶ୍ୱରରେ ପହଂଚିଲେ । ସେଠାକାର ପରିସ୍ଥିତି ସମ୍ପର୍କରେ ସୂଚନା ଦେବା ପରେ ରିଲିଫ ସାମଗ୍ରୀ ଧରି ସଂଗଠନର ଏକାଧିକ ସଦସ୍ୟ ଛୁଟି ଯାଇଥିଲେ ପ୍ରଭାବିତ ପୁରୀ ଜିଲାର ଦୁର୍ଦିନରେ ଥିବା ଲୋକଙ୍କ ପାଖକୁ । (ରବିପ୍ରିୟ ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ)