ଡିଷ୍ଟ୍ରିକ୍ଟ ସେଂଟର ରାସ୍ତାର ପୁନଃଉଦ୍ଧାର ପାଇଁ ଶୁଭଦେଲେ ବିଧାୟକ
ଭୁବନେଶ୍ୱର,(ଆଇଏନ୍ଏସ୍): ଚନ୍ଦ୍ରଶେଖରପୁରର ପ୍ରମୁଖ ବାଣିଜ୍ୟକେନ୍ଦ୍ର ଡିଷ୍ଟ୍ରିକ୍ଟ ସେଂଟର ରାସ୍ତାର ପୁନଃଉଦ୍ଧାର ପାଇଁ ଶୁଭଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ତଥା ସମାଜସେବୀ ମନୋଜ ସାହୁଙ୍କ ନେତୃତ୍ୱରେ ଆଜି ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଂଟର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ଯୋଗଦେଇ ନଡିଆ ବାଡେଇ ଏହାକୁ ଉଦଘାଟନ କରିଥିଲେ । ଏଥିସହିତ କରୋନା ମହାମାରୀର ମୁକାବିଲା କରିବା ପାଇଁ ସମସ୍ତେ ସରକାରୀ ନିୟମ ମାନିବା ସହିତ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ୪୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ରାସ୍ତା ପେଟ୍ରୋଲ ପମ୍ପ ଛକଠାରୁ ମିସ୍କି ପର୍ଯ୍ୟନ୍ତ ଏବଂ ନ୍ଦ୍ରଶେଖରପୁର ପଟରୁ ପାଣିଟାଙ୍କି ପର୍ଯ୍ୟନ୍ତ ୨୦୦ ଫୁଟିଆ ରାସ୍ତା ହେବା ସହିତ ମଝିରେ ଡିଭାଇଡର ରହିବ । ଏହା ପେବରବ୍ଲକ୍ରେ ନିର୍ମିତ ହୋଇ ଏକମାସ ମଧ୍ୟରେ ଶେଷ ହେବ ବୋଲି ବିଏମସି ଏସଡିଓ ହୃଷୀକେଶ ସାହୁ କହିଛନ୍ତି । କିନ୍ତୁ ବିଧାୟକ ଏହାକୁ ୧୫ ଦିନ ଭିତରେ ସାରିବାକୁ ନିର୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୮ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ମୋନାଲିସା ସାହୁ, ବିଜେଡି ଯୁବ ଉପସଭାପତି ମିହିର ରାଉତ, ଡିଷ୍ଟ୍ରିକ୍ଟ ସେଂଟର ଓନରସ ଆସୋସିଏସନ୍ ର ସଂପାଦକ ସତ୍ୟନାରାୟଣ ମହାନ୍ତି, ଉପସଭାପତି ରଜତ କର ଓ ବିଏମସି ଯନ୍ତ୍ରୀ ଚିତରଂଜନ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ଏହି ରାସ୍ତା ଦୀର୍ଘଦିନ ହେବ ନଷ୍ଟ ହୋଇ ଯାଇଥିଲା । ବାରମ୍ବାର ଅଭିଯୋଗ ପରେ ଏହା ପୁନଃଉଦ୍ଧାର ହୋଇଥିବାରୁ ବିଧାୟକ ଓ ପୂର୍ବତନ କର୍ପୋରେଟରଙ୍କୁ ସ୍ଥାନୀୟ ବାସିନ୍ଦା ସାଧୁବାଦ ଜଣାଇଛନ୍ତି ।