ଢ଼େଙ୍କାନାଳରେ ପ୍ରସ୍ତାବିତ ମେଡିକାଲ କଲେଜ

ସହାୟତା ଯୋଗାଇବା ନେଇ ସାଂସଦଙ୍କ ପ୍ରସ୍ତାବ

ଭୁବନେଶ୍ୱର (ଆଇଏନ୍ଏସ୍): ଢ଼େଙ୍କାନାଳରେ ପ୍ରସ୍ତାବିତ ମେଡିକାଲ କଲେଜ  ନିର୍ମାଣ ପାଇଁ କେନ୍ଦ୍ର ସରକାର ଆବଶ୍ୟକ ସହାୟତା ଯୋଗାଇ ଦେବାକୁ  ସାଂସଦ ମହେଶ ସାହୁ ଲୋକସଭାରେ  ଦାବି କରିଛନ୍ତି।

ଶ୍ରୀ ସାହୁ ସଂସଦରେ  ଏହି ପ୍ରସଙ୍ଗ ଉଠାଇବା ସହ ଅନୁଗୋଳ ନାଲକୋ ନଗରରେ ନିର୍ମାଣାଧୀନ ୧୦୦  ଶଯ୍ୟା ବିଶିଷ୍ଟ ଇଏସଆଇ ହସ୍ପିଟାଲ କାମ ତୁରନ୍ତ ଶେଷ କରିବା ନେଇ କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିଛନ୍ତି। ଏହି ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଓ ନିଯୁକ୍ତି ପ୍ରକ୍ରିୟା  ଶେଷ କରି ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନେବାକୁ ସେ କହିଛନ୍ତି। ସେହିପରି ତାଳଚେର ଉପଖଣ୍ଡ ଘଣ୍ଟପଡ଼ାରେ ଏମସିଏଲ ମେଡିକାଲ କଲେଜ କୋଠା ଜନୈକ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ  କରାଯାଇନଥିବାରୁ ସେ ଉଦବେଗ ପ୍ରକାଶ କରିଥିଲେ। ଏହାକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ ଦାବି କରିଛନ୍ତି।

ଏହାବ୍ୟତୀତ ଶ୍ରୀ ସାହୁ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ  ସ୍ବତନ୍ତ୍ର ଆଇନ ଆଣିବାକୁ ସଂସଦରେ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସଙ୍ଗ ଉତଥାପନ କରି ସେ କହିଛନ୍ତି, ବିଭିନ୍ନ ସମୟରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଛି। ସେମାନଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଆଇନ ପ୍ରଣୟନର ଆବଶ୍ୟକତା  ରହିଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ  ଏହା ଉପରେ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। (ଆର. ପି. ଦାଶଙ୍କ ରିପୋର୍ଟ)

 

 

 

Leave a Reply

Your email address will not be published.