ସରକାରୀ ପ୍ରୋତ୍ସାହନ ନାହିଁ
ଦୁର୍ଦଶାରେ ବାହୁକୁସ୍ତି ପଦକ ବିଜେତା
ଭୁବନେଶ୍ୱର, (ଆଇଏନ୍ଏସ୍): ଏବେ ନୁହେଁ ପ୍ରାଚୀନ କାଳରୁୁ ବାହୁକୁସ୍ତି ପ୍ରତି ଲୋକଙ୍କର ଆଦର ରହିଛି । ବିଭିନ୍ନ କ୍ରୀଡ଼ାର ଆଦର ଭିତରେ ବି ଗାଁ ଗହଳି ରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ବାହୁକୁସ୍ତି ପ୍ରତିଯୋଗିତା ପ୍ରତି ରହିଛି ସ୍ୱତନ୍ତ୍ର ଆକର୍ଷଣ । ନିୟମିତ ଭାବେ ଅନୁଷ୍ଠିତ ହେଉଛି ଏହି ପ୍ରତିଯୋଗିତା । ରାଜ୍ୟସ୍ତର ଠାରୁ ଆରମ୍ଭ କରି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅନୁଷ୍ଠିତ ବାହୁକୁସ୍ତି ପ୍ରତିଯୋଗିତାରେ ଓଡ଼ିଶାର ବହୁ ଯୁବକ ଯୁବତୀ ଭାଗ ନେଉଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ପଦକ ହାସଲ କରୁଛନ୍ତି । ରାଜ୍ୟ ପାଇଁ ଗୌରବ ଆଣି ଦେଉଛନ୍ତି । ତେବେ ସରକାରୀ ପ୍ରୋତ୍ସାହନ ଅଭାବରୁ ରାଜ୍ୟସ୍ତର ଠାରୁ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ପଦକ ହାସଲ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଅନେକ ଦୁର୍ଦଶାରେ ଦିନ କାଟୁଛନ୍ତି । ଏହି କ୍ରୀଡ଼ାକୁ ସରକାର ମାନ୍ୟତା ପ୍ରଦାନ କରିବା ଏବଂ ପଦକ ହାସଲ କରୁଥିବା ଯୁବକ ଯୁବତୀଙ୍କ ପାଇଁ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ନେଇ ସଂରକ୍ଷଣ ବ୍ୟବସ୍ଥା ରଖିବା ଆବଶ୍ୟକ ବୋଲି ରାଜ୍ୟ ବାହୁକୁସ୍ତି ସଂଘ ସଭାପତି ବିଶ୍ୱଜିତ ମହାନ୍ତି କହିଛନ୍ତି ।
ବାହୁକୁ୍ସ୍ତି ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଥିବା ଓଡ଼ିଶାର ବିଶ୍ୱ ମୋହନ ପଟ୍ଟନାୟକ କିଭଳି ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି ତାହା ଏକ ଦୃଷ୍ଟାନ୍ତ କହିଲେ ଅତୁ୍ୟକ୍ତି ହେବ ନାହିଁ । ଅନୁଷ୍ଠାନଟିଏ ଖୋଲି ପିଲାଙ୍କୁ ପ୍ରଶିକ୍ଷଣ ଦେବା ସାମର୍ଥ୍ୟ ନାହିଁ । ଇଚ୍ଛା ଥିଲେ ବି ଅର୍ଥ ବାଧକ ସାଜିଛି । ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ନଥିବାରୁ ଏ କ୍ଷେତ୍ରରେ ଆଗେଇ ପାରୁନାହାନ୍ତି ବିଶ୍ୱମୋହନ । ସିକୁ୍ୟରିଟି ଏଜେନ୍ସି ଖୋଲି ଶିକ୍ଷିତ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଓ କର୍ମନିଯୁକ୍ତି ସୁଯୋଗ ପ୍ରଦାନ ପାଇଁ ଆଗ୍ରହ ଥିଲେ ମଧ୍ୟ ସରକାରଙ୍କ ସହଯୋଗ ମିଳୁନଥିବାରୁ ଯୋଜନା ଫଳପ୍ରଦ ହୋଇପାରୁନି ।
ବି.କମ ପାସ କରିଛନ୍ତି ବିଶ୍ୱମୋହନ(ରାଜା) । +୩ ପଢ଼ୁଥିବା ବେଳେ ବାହୁକୁସ୍ତି ପ୍ରତିଯୋଗିତାରେ ଭାଗ ନେଇ ପଦକ ହାସଲ କରିଥିଲେ । ୨୦୦୪/୦୭/୦୯ ଓ ୨୦୧୪ରେ ଜାତୀୟସ୍ତରର ପ୍ରତିଯୋଗିତାରେ ତାଙ୍କୁ ପଦକ ମିଳିଛି । ସ୍ୱଳ୍ପ ବେତନରେ ଗୁଜୁରାଣ ମେଂଟାଉଥିବା ଏହି ଯୁବକ କହିଛନ୍ତି, ସରକାର ଏହି ଖେଳକୁ ପ୍ରୋତ୍ସାହିତ କରୁନାହାନ୍ତି । ପଞ୍ଜାବ, ଆସାମ ଏବଂ ହରିଆନା ପରି ରାଜ୍ୟରେ ବାହୁକୁସ୍ତି କ୍ରୀଡ଼ାବିତଙ୍କ ପାଇଁ ସରକାରୀ ଓ ସରକାରୀ ଉଦ୍ୟୋଗରେ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ରହିଛି । ଫଳରେ ଦକ୍ଷ ପ୍ରତିଯୋଗୀଙ୍କ କ୍ଷେତ୍ରରେ ରୋଜଗାର ସୁଯୋଗ ସେମାନଙ୍କ ପରିବାର ପ୍ରତିପୋଷଣରେ ସହାୟକ ହେଉଛି । ଓଡ଼ିଶା ସରକାର ଏ ନେଇ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏସିଆ ମେଡାଲ ପାଇଥିବା ଓଡ଼ିଶାର ଜନୈକ ପ୍ରତିଯୋଗୀ ଅଟୋ ରିକ୍ସା ଚଳାଇ ଗୁଜୁରାଣ ମେଂଟାଉଛନ୍ତି । ରାଜ୍ୟରେ ୫୦ରୁ ଅଧିକ ବାହୁକୁସ୍ତି ମେଡାଲ ବିଜେତା ବେକାର ହୋଇ ବସିଛନ୍ତି । ବହୁ ସମସ୍ୟା ଘେରରେ ରହିଛନ୍ତି ସେମାନେ । ଜୀବିକା ନିର୍ବାହ ପାଇଁ ଅଟୋ ଚଳାଇବା, ଛୋଟ ଛୋଟ ଦୋକନ କରି ବସିବା ଏବଂ ଠିକା କର୍ମଚାରୀ ଭାବେ କାମ କରୁଛନ୍ତି ପଦକ ବିଜେତା । ରାଜ୍ୟ ସରକାର ହକି ପରି ଅନେକ କ୍ରୀଡ଼ାକୁ ଫ୍ରୋସôାହିତ କରୁଥିବା ବେଳେ ବାହୁକୁସ୍ତି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
(ଫଟୋ: ପିତାଙ୍କ ସହ ରାଜା)
(ରବିପ୍ରିୟ ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ)
)