ନବରଙ୍ଗପୁର ଲୋକସଭା ଆସନରେ ବିଜେପି-ବିଜେଡ଼ି ମୁହାଁମୁହିଁ ହେବେ!
ଭୁବନେଶ୍ୱର, (ଶରତ କୁମାର ରାଉତ): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ଲୋକସଭା ଆସନ ନବରଙ୍ଗପୁରରେ ତି୍ରମୁଖୀ ଲଢେଇ ହେବା ସ୍ପଷ୍ଟ ହେଲାଣି । ଏଠାରେ ମନ୍ତ୍ରୀ ରମୋଶ ମାଝୀ ବିଜେଡ଼ି ପକ୍ଷରୁ ଲଢୁଥିବାବେଳେ କଂଗ୍ରେସ ପକ୍ଷରୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଜେପି ପକ୍ଷରୁ ସାଂସଦ ବଳଭଦ୍ର ମାଝୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ୩ ପ୍ରାର୍ଥୀଙ୍କର ବେଶ ରାଜନୀତିକ ଅଭିଜ୍ଞତା ରହିଛି । ଏହି ଦୃଷ୍ଟିରୁ ପ୍ରତିଦ୍ୱନ୍ଦିତା ତୀବ୍ର ହେବାର ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ, ବିଜେପିର ପର୍ଶୁରାମ ମାଝୀ ୧୯୯୯ ଓ ୨୦୦୪ ନିର୍ବାଚନରେ ଏଠାରୁ ବିଜୟୀ ହୋଇଥିଲେ । ଆଉ ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀ ଏଠାରେ ପ୍ରତିଦ୍ୱନ୍ଦିତା କରି ସଂସଦକୁ ଯାଇଥିଲେ । ସେହିପରି ୨୦୧୪ ନିର୍ବାଚନରେ ବିଜେଡ଼ି ପ୍ରାର୍ଥ ବଳଭଦ୍ର ମାଝୀ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କୁ ପରାସ୍ତ କରି ଲୋକସଭାକୁ ଯାଇଥିଲେ ।
ତେବେ ସାଂସଦ ବଳଭଦ୍ର ମାଝୀ ଏଥର ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ବେଳେ ମନ୍ତ୍ରୀ ରମେଶ ମାଝୀଙ୍କୁ ବିଜେଡ଼ି ଏଠାରେ ଲୋକସଭା ପ୍ରାର୍ଥୀ କରିଛି । ଯଦି ଏହା ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରର ରାଜନୀତିକ ସ୍ଥିତି ସଂପର୍କରେ ସମୀକ୍ଷା କରାଯାଏ, ତେବେ ଅଧିକାଂଶ ଅଂଚଳରେ ବିଜେପିର ଶକ୍ତି ବୃଦ୍ଧି ହେଉଥିବା ଦେଖା ଯାଇପାରେ । ଗୁରୁତ୍ୱପୂର୍ଣ୍ଣ ଝରିଗାଁ ଆସନରେ ବିଜେଡ଼ି ପ୍ରାର୍ଥୀ ପ୍ରକାଶ ମାଝୀ ଓ କଂଗ୍ରେସ ପ୍ରାର୍ଥୀ ଉଲଧର ମାଝୀଙ୍କ ମଧ୍ୟରେ କଡ୍ଡା ମୁକାବିଲା ହେବ ବୋଲି ସ୍ଥାନୀୟ ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି । ଏଠାରେ ବିଜେପି ପ୍ରାର୍ଥୀ ପର୍ଶୁରାମ ମାଝୀ ତଥା କର୍ମୀ ଓ ନେତା ମାନେ ଏପର୍ଯ୍ୟନ୍ତ ଲୋକଙ୍କ ପାଖରେ ପହଂଚି ପାରି ନାହାନ୍ତି । ଉମରକୋଟ ଆସନରେ ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ଓ ବିଜେଡ଼ି ପ୍ରାର୍ଥୀ ସୁବାଷ ଗଣ୍ଡଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବ । ଏଠାରେ କଂଗ୍ରେସ ଏକପ୍ରକାର ପ୍ରଭାବ ଶୂନ୍ୟ ରହିଛି । ସୂଚନାଯୋଗ୍ୟ ଯେ, ଏହି ଆସନ ଅନ୍ତର୍ଗତ ରାଇଘର ଅଂଚଳରୁ ଗତ ପଂଚାୟତ ନିର୍ବାଚନରେ ବିଜେପି ୩ଟି ଜିଲ୍ଲା ପରିଷଦ, ୧୮ ଟି ସରପଂଚ, ୧୯ଟି ସମିତି ସଭ୍ୟ ତଥା ଉମରକୋଟ ଅଂଚଳରୁ ଗୋଟିଏ ଜିଲ୍ଲା ପରିଷଦ ଓ ୫ଟି ସରପଂଚ ପଦବୀ ଅକ୍ତିଆର କରିଥିଲା । ଅନ୍ୟପକ୍ଷରେ ସମଗ୍ର ଅଂଚଳରେ ଆବଶ୍ୟକୀୟ ଉନ୍ନୟନ କାର୍ଯ୍ୟ ହୋଇ ନଥିବାରୁ ସାଧାରଣ ଭୋଟର ବିଧାୟକ ଶ୍ରୀ ଗଣ୍ଡଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି । ଡ଼ାବୁଗାଁ ରେ କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝୀ ଓ ବିଜେଡ଼ି ପ୍ରାର୍ଥୀ ମନୋହର ରନ୍ଧାରୀ ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ଏଠାରେ ବିଜେପି ଅବସ୍ଥା ଭଲ ନାହିଁ । ନବରଙ୍ଗପୁରରେ ବିଜେଡ଼ି ପ୍ରାର୍ଥୀ ସଦାଶିବ ପ୍ରଧାନୀ ଓ ବିଜେପିର ଗୌରୀ ମାଝୀଙ୍କ ମଧ୍ୟରେ ଲଢେଇ ହେବ ବୋଲି ଆକଳନରୁ ଜଣା ପଡ଼ିଛି । ତେବେ ଗୌରୀ ମାଝୀ ସରକାରୀ ପୋଲିସ୍ ଚାକିରି ଛାଡ଼ି ରାଜନୀତିରେ ରହି ନିଜକୁ ଜନସେବାରେ ଉତ୍ସର୍ଗ କରିବେ ବୋଲି କୁହାଯାଉଛି । ଏଠାରେ କଂଗ୍ରେସର ପ୍ରଭାବ ଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ସଦନ ନାୟକ ଏଥିରୁ କେତେ ଫାଇଦା ପାଇ ପାରିବେ, ତାହା ୨-୩ ଦିନ ଭିତରେ ସ୍ପଷ୍ଟ ହୋଇଯିବ । ସେହିପରି ମାଲକାନାଗିରିରେ ବିଜେପି ପ୍ରାର୍ଥ ଆଦିତ୍ୟ ମାଢୀ ଓ କଂଗ୍ରେସ ପ୍ରାର୍ଥୀ ମାଲା ମାଢୀଙ୍କ ମଧ୍ୟରେ ଲଢେଇ ହେବା ପ୍ରାୟ ନିଶ୍ଚିତ ହୋଇ ଯାଇଛି । ଚିତ୍ରକୋଣ୍ଡାରେ କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକ ଓ ବିଜେଡ଼ି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବାର ଆଶଙ୍କା କରାଯାଉଛି । କୋଟପାଡ଼ରେ କଂଗ୍ରେସ ପ୍ରାର୍ଥୀ ଓ ବିଜେଡ଼ି ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ ।
ତେବେ ନବରଙ୍ଗପୁର ଲୋକସଭା ବିଜେଡ଼ି ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ ଜଣେ ସରଳ, ଭଦ୍ର, ଅଭିଜ୍ଞ ଓ ନିଷ୍ଠାପର ବ୍ୟକ୍ତିତ୍ୱ । ରାଜନୀତିକ ପରିବାରରୁ ଆସିଥିବା ଶ୍ରୀ ମାଝୀ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିବା ସହିତ ଓଡ଼ିଶା ରାଜନୀତି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ତଥା ସାଂସଦ ବଳଭଦ୍ର ମାଝୀ ଗତ ୫ବର୍ଷ ମଧ୍ୟରେ ନିଜ ଅଂଚଳରେ ଅନେକ ଉନ୍ନୟନ କାର୍ଯ୍ୟ କରି ସାଧାରଣ ଲୋକଙ୍କ ନିକଟତର ହୋଇ ପାରିଛନ୍ତି । ତାଙ୍କର ନିଷ୍ଠାପର ଉଦ୍ୟମରେ ନବରଙ୍ଗପୁରକୁ ରେଳ ଲାଇନ୍ ର ବ୍ୟବସ୍ଥା, ନବରଙ୍ଗପୁର ଅଂଚଳର ସମସ୍ତ ବ୍ଲକ୍ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନର ବ୍ୟବସ୍ଥା, ଦୁର୍ଗମ ଅଂଚଳ ଗୁଡ଼ିକରେ ମୋବାଇଲ୍ ଟାୱାର ସ୍ଥାପନର ବ୍ୟବସ୍ଥା, ପ୍ରତି ଗ୍ରାମ ପଂଚାୟତକୁ ଯାଇ ସରକାରୀ ଉନ୍ନୟନ କାର୍ଯ୍ୟର ବ୍ୟାପକ ସମୀକ୍ଷା ଆଦି ଉଲ୍ଲେଖନୀୟ ।
ମାତ୍ର ନବରଙ୍ଗପୁର ଲୋକସଭା ଅଂଚଳରେ କିନ୍ତୁ ଅଜବ ପରିସ୍ଥିତି ଦେଖିବାକୁ ମିଳୁଛି । ଏଠାରେ ସର୍ବତ୍ର ବିଜେପି ହାୱା ବହୁଛି । ବିଜେପି ପ୍ରାର୍ଥୀ ତଥା ଦଳୀୟ ନେତାମାନେ ସାଧାରଣ ଭୋଟରଙ୍କ ନିକଟତର ହେବାରେ ଲାଗିଛନ୍ତି । କେତେକ ବିଜେପି ଶୂନ୍ୟ ଅଂଚଳରେ ଏବେ ବିଜେପିର ସଂଗଠନ ବଢି ବଢି ଚାଲିଛି । ଏହି ଦୃଷ୍ଟିରୁ ବିଜେପି ଏଠାରେ ଆଗରେ ଚାଲିଛି ବୋଲି କୁହାଯାଉଛି । ଏଠାରେ ଯଦିଓ ତି୍ରମୁଖୀ ଲଢେଇ ହେବାର ଆଶଙ୍କା କରାଯାଉଛି, ମାତ୍ର ବାସ୍ତବରେ ବିଜେପି ଓ ବିଜେଡ଼ି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ତଥା ସଂଜୀବ ସୁବୁଦ୍ଧିଙ୍କ ଭଳି କେତେକ ରାଜନୀତିକ ସମୀକ୍ଷକ ମତ ଦେଉଛନ୍ତି । ଓଏନ୍ଏସ୍ ।