ନବରଙ୍ଗପୁର ଲୋକସଭା ଆସନରେ ରମେଶ ମାଝୀଙ୍କ ପ୍ରତି ସମର୍ଥନ ବଢୁଛି!

ନବରଙ୍ଗପୁର ଲୋକସଭା ଆସନରେ ରମେଶ ମାଝୀଙ୍କ ପ୍ରତି ସମର୍ଥନ ବଢୁଛି!

ଭୁବନେଶ୍ୱର, (ଓଏନ୍ଏସ୍): ଚଳିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ଲୋକସଭା ଆସନ ନବରଙ୍ଗପୁରରେ ତି୍ରମୁଖୀ ଲଢେଇ ହେବା ସ୍ପଷ୍ଟ ହୋଇଛି । ଏଠାରେ ମନ୍ତ୍ରୀ ରମୋଶ ମାଝୀ ବିଜେଡ଼ି ପକ୍ଷରୁ ଲଢୁଥିବାବେଳେ କଂଗ୍ରେସ ପକ୍ଷରୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଜେପି ପକ୍ଷରୁ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ୩ ପ୍ରାର୍ଥୀଙ୍କର ବେଶ ରାଜନୀତିକ ଅଭିଜ୍ଞତା ରହିଛି । ଏହି ଦୃଷ୍ଟିରୁ ପ୍ରତିଦ୍ୱନ୍ଦିତା ତୀବ୍ର ହେବାର ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ, ୧୯୬୨ ଠାରୁ ୧୯୯୮ ଭିତରେ ନବରଙ୍ଗପୁର ଲୋକସଭା ଆସନ ପାଇଁ ହୋଇଥିବା ୧୦ ଥର ନିର୍ବାଚନରେ କଂଗ୍ରେସ ଦଳ ବିଜୟୀ ହୋଇଛି । ସ୍ୱର୍ଗତ ଖଗପତି ପ୍ରଧାନୀ ଏହି ଆସନରୁ ୧୯୬୭ ମସିହାରୁ କ୍ରମାଗତ ଭାବେ ୯ଥର ଲୋକସଭାକୁ ନିର୍ବାଚିତ ହୋଇ ରେକର୍ଡ଼ ସୃଷ୍ଟି କରି ଥିଲାବେଳେ ୧୯୯୯ ସାଧାରଣ ନିର୍ବାଚନରେ କଂଗ୍ରେସର ଅଭେଦ୍ୟ ଦୁର୍ଗ ଥିବା ନବରଙ୍ଗପୁର ଆସନକୁ ବିଜେପି ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା । ବିଜେପିର ପର୍ଶୁରାମ ମାଝୀ ୧୯୯୯ ଓ ୨୦୦୪ ନିର୍ବାଚନରେ ଏଠାରୁ ବିଜୟୀ ହୋଇଥିଲେ । ଆଉ ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀ ଏଠାରେ ପ୍ରତିଦ୍ୱନ୍ଦିତା କରି ସଂସଦକୁ ଯାଇଥିଲେ । ସେହିପରି ୨୦୧୪ ନିର୍ବାଚନରେ ବିଜେଡ଼ି ପ୍ରାର୍ଥ ବଳଭଦ୍ର ମାଝୀ ମାତ୍ର ୨୦୦୦ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କୁ ପରାସ୍ତ କରି ଲୋକସଭାକୁ ଯାଇଥିଲେ । ବିଜେଡ଼ି ସାଂସଦ ବଳଭଦ୍ର ମାଝୀ ହୁଏତ ଏଥର ବିଜେଡ଼ି ଟିକଟ ନପାଇବାରୁ ବିଜେପି ରେ ଯୋଗ ଦେଇଥିଲେ ଓ ସଙ୍ଗେସଙ୍ଗେ ଏହି ଆସନ ପାଇଁ ବିଜେପି ଟିକେଟ ପାଇଥିଲେ । ତେବେ ଚଳିତ ନିର୍ବାଚନରେ ବିଜେଡ଼ି ମନ୍ତ୍ରୀ ରମେଶ ମାଝୀଙ୍କୁ ଏଠାରେ ଲୋକସଭା ପ୍ରାର୍ଥୀ କରିଛି । ରମେଶ ମାଝୀ ଡ଼ାବୁଗାଁ ବିଧାନସଭା ଆସନରୁ ୨୦୦୪, ଝରିଗାଁ ଆସନରୁ ୨୦୦୯ ଓ ୨୦୧୪ରେ କ୍ରମାଗତ ଭାବେ ବିଜୟୀ ହୋଇଥିଲେ । ୨୦୦୯ରୁ ସେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇ ଅତି ସଫଳତାର ସହ ନିଜ ଦାୟିତ୍ୱ ତୁଲାଇ ଆସିଛନ୍ତି । ରାଜନୀତିରେ ରମେଶ ମାଝୀ ଜଣେ ପ୍ରଚଣ୍ଡ ପ୍ରତିଭା ବୋଲି କୁଯାଇପାରେ । ୧୯୯୭ ମସିହାରେ ମାତ୍ର ୧୯ବର୍ଷ ବୟସରେ ବିଜୁ ପଟ୍ଟନାୟକ ଓ ନିଜର ପିତା ସ୍ୱର୍ଗତ ଯାଦବ ମାଝୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଶ୍ରୀ ମାଝୀ ସକି୍ରୟ ରାଜନୀତିରେ ପାଦ ଦେଇଥିଲେ ଓ ଚନ୍ଦାହାଣ୍ଡି ବ୍ଲକ୍ର ଧୋଡ଼ିପାଣି ଗ୍ରାମପଂଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ପରେ ବ୍ଲକ୍ ଅଧ୍ୟକ୍ଷ ପଦରେ ଅଧିଷ୍ଠିତ ହୋଇଥିଲେ । ୨୦୦୪ ନିର୍ବାଚନରେ ସେ ପ୍ରଥମ ଥର ପାଇଁ ଡ଼ାବୁଗାଁ ସଂରକ୍ଷିତ ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଧାନସଭାର ବିଭିନ୍ନ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ସଫଳତାର ସହ ତୁଲାଇଥିଲେ । ସେତେବେଳେ ସେ ଥିଲେ ବିଧାନସଭାର ସର୍ବ କନିଷ୍ଠ ବିଧାୟକ । ୨୦୦୯ରେ ନୂତନ ଭାବେ ସୃଷ୍ଟି ହୋଇଥିବା ଝରିଗାଁ ସଂରକ୍ଷିତ ବିଧାନସଭା ଆସନରୁ ନିର୍ବାଚିତ ହୋଇ ପ୍ରଥମେ ସୂଚନା ଓ ପ୍ରଯୁକ୍ତି, ବିଜ୍ଞାନ ଓ କାରଗରୀ, ମତ୍ସ୍ୟ ଓ ପଶୁ ସଂପଦ ଉନ୍ନୟନ ବିଭାଗର ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ) ଓ ପରେ ପେନ୍ସନ୍ ଓ ସାଧାରଣ ଅଭିଯୋଗ, କ୍ରୀଡ଼ା ଓ ଯୁବ ବ୍ୟାପାର, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଜାତି ଓ ଜନଜାତି ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଭାବେ ସଫଳତାର ସହ ଦାୟୀତ୍ୱ ସଂପନ୍ନ କରିଥିଲେ । ୨୦୧୪ ରେ ୩ୟ ଥର ପାଇଁ ଝରିଗାଁ ସଂରକ୍ଷିତ ବିଧାନସଭା ଆସନରୁ ନିର୍ବାଚିତ ହୋଇ ବାଣିଜ୍ୟ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୧୭ ମଇ ୭ ତାରିଖରେ ତାଙ୍କୁ ଅନୂସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିଲା । ପୁଣି ୨୦୧୯ ଜାନୁୟାରୀ ୬ ତାରିଖରେ ତାଙ୍କୁ ଅତିରିକ୍ତ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ମାତ୍ର ଅଳ୍ପଦିନ ମଧ୍ୟରେ ତାଙ୍କର ନୂଆ ତଥା ଅତିରିକ୍ତ ବିଭାଗରେ ସେ ବ୍ୟାପକ ସଂସ୍କାର ଆଣି ପାରିବରେ ସମର୍ଥ ହୋଇଛନ୍ତି । ତେବେ ରାଜ୍ୟରେ ଅନୂସୂଚିତ ଜାତି ଓ ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ମାନଙ୍କର ଉନ୍ନତି ପାଇଁ ଶ୍ରୀ ମାଝୀଙ୍କର ନିଷ୍ଠାପର କାର୍ଯ୍ୟ ଉଲ୍ଲେଖଯୋଗ୍ୟ । ସରକାରୀ ନୀତି କାର୍ଯ୍ୟକାରୀ ଉପରେ ମନ୍ତ୍ରୀ ରମେଶ ବାବୁ ବେଶ୍ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଓ ତାହାର କାର୍ଯ୍ୟକାରୀ ପ୍ରଣାଳୀର ନିୟମିତ ସମୀକ୍ଷା କରିଛନ୍ତି । ବିଭାଗୀୟ ସଚିବାଳୟ, ସମନ୍ନିତ ଆଦିବାସୀ ବିକାଶ ସଂସ୍ଥା ଆଦି କାର୍ଯ୍ୟାଳୟରେ ଅଭିନବ ସଂସ୍କାର ଆଣିବାରେ ସେ ରେକର୍ଡ଼ ସୃଷ୍ଟି କରିଛନ୍ତି । ବାସ୍ତବରେ ଉତ୍ସର୍ଗୀକୃତ ଜନସେବା ଓ ପରୋପକାରୀ ମନୋଭାବ ଆଦି ମାନବୀୟ ଗୁଣ ପାଇଁ ଶ୍ରୀ ମାଝୀ ସମସ୍ତଙ୍କର ପି୍ରୟପାତ୍ର । ତେବେ ନବରଙ୍ଗପୁର ଲୋକସଭା କ୍ଷେତ୍ରରେ କ୍ରମେ ରମେଶ ମାଝୀଙ୍କ ପ୍ରତି ସମର୍ଥନ ବଢି ଚାଲିଥିବାରୁ ସେ ଲୋକସଭାକୁ ଯିବା ନିଶ୍ଚିତ ବୋଲି ସାଧାରଣରେ ଆଶା କରାଯାଉଛି ।

Leave a Reply

Your email address will not be published.