ପଲିଥିନ୍ ଓ ଗୁଟୁକା ବ୍ୟାନ୍: ସରକାରଙ୍କର ଧର୍ମକୁ ଆଖିଠାର!
ବାଲେଶ୍ୱର, (ଆଇଏନ୍ଏସ୍) : ପରିବେଶ ପ୍ରଦୁଷଣରେ ପଲିଥିନ୍ର ମୁଖ୍ୟ ଭୂମିକା ରହିିଛି । ତେଣୁ ସରକାର ଗତବର୍ଷ ଅକ୍ଟୋବର ୨ତାରିିଖ ଗାନ୍ଧୀ ଜୟନ୍ତୀ ଠାରୁ ପଲିଥିନ୍ ବ୍ୟବହାର ଉପରେ ନିଷେଧାଦେଶ ଜାରୀ କରିଥିଲେ । ଏହା ମଧ୍ୟରେ ଗୋଟିଏ ବର୍ଷ ଅତିକ୍ରମ କରିବାକୁ ବସିଲାଣି । ହେଲେ ଏହି ନିଷେଧାଦେଶ କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଥିବା ବେଳେ ହଠାତ୍ ଚଳଚଂଚଳ ହୋଇ ଉଠିଛି ପ୍ରଶାସନ ।
ବିଭିନ୍ନ ସହରରେ ପଲିଥିନ୍ ବନ୍ଦ ପାଇଁ ଚଢ଼ାଓ ଆରମ୍ଭ କରିଛି ପ୍ରଶାସନ । ତାହା ମଧ୍ୟରେ ରହିଛି ବାଲେଶ୍ୱର ସହର । ୧୮ତାରିଖରେ ବାଲେଶ୍ୱର ପୋ÷ରପାଳିକା ପକ୍ଷରୁ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଓ କରାଯାଇଛି । ବାଲେଶ୍ୱରର ବଣିଆପଟି ସମେତ ବିଭିିନ୍ନ ତେଜରାତି ଦୋକାନ, ପରିବା, ମାଛ ଓ ମାଂସ ଦୋକାନ ଗୁଡ଼ିକ ଉପରେ ଚଢ଼ାଓ କରାଯାଇ ପଲିଥିନ୍ ଜବତ କରାଯାଇଛି । ବର୍ଷବର୍ଷ ଧରି ପଲିଥିନ୍ର ବହୁଳ ବ୍ୟବହାର ଚାଲିଥିବା ବେଳେ ଏବେ ନିଦ ଭାଙ୍ଗିଛି ବାଲେଶ୍ୱର ପୌରପାଳିକାର । ବର୍ଷେ ହେଲା ପଲିଥିନପ୍ ବନ୍ଦ ପାଇଁ ସରକାର ନିଷ୍ପତି ନେଇଥିଲେ (ଯଦିଓ ଏହା ପୁରୀ ଭୁବନେଶ୍ୱର ସହରପାଇଁ ଥିଲା) । ସେବେଠାରୁ କେବଳ ବାଲେଶ୍ୱର ପୋ÷ରପାଳିକା ନୁହେଁ ସମଗ୍ର ରାଜ୍ୟରେ ପଲିଥିନ୍ ବ୍ୟବହାର ବନ୍ଦ କରିବା ପାଇଁ କୋ÷ଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନଥିବା ବେଳେ ହଠାତ୍ ପ୍ରଶାସନିକ ସ୍ତରରେ ପଲିଥିନ୍ ବ୍ୟବହାର ନିଷେଧ ପାଇଁ ଚଳଚଂଚଳ ହୋଇଉଠିବା ମୂଳରେ କି ରହସ୍ୟ କି ରହସ୍ୟ ରହିଛି ତାହା ବୁଝିହେଉନାହିଁ । କେବଳ ପଲିଥିନ୍ ବ୍ୟାଗ୍ ନୁହେଁ, ପଲିଥିନ୍ରେ ପ୍ୟାକ୍ ହୋଇ ବିଭିନ୍ନ ଜିନିଷ, ଯଥା – କୁରକୁରୀ, ବିସ୍କୁଟ୍ ଭଳି ବିଭିନ୍ନ ଶୁଖିଲା ଖାଦ୍ୟ ସହିତ ଅଟା, ଡାଲି, ସୁଜି, ତେଲ ବିଭିନ୍ନ ଖାଦ୍ୟ ସାମଗ୍ରୀ । ଏହିସବୁ ସାମଗ୍ରୀ ବ୍ୟବହାର କରିବା ପରେ ପଲିଥିନ୍ ଗୁଡ଼ିକୁ ଫିଙ୍ଗି ଦିଆଯାଉଥିବାରୁ ତାହା ମଧ୍ୟ ପରିବେଶକୁ ନଷ୍ଟ କରୁଛି । ତାହା ଉପରେ ମଧ୍ୟ ଅଙ୍କୁଶ ଲାଗିବାର ଆବଶ୍ୟକତା ଥିବା ବେଳେ ଏପର୍ଯ୍ୟନ୍ତ ସେଥିପ୍ରତି କୋ÷ଣସି ପଦକ୍ଷେପ ନିଆଯାଇନାହିଁ । ବର୍ତମାନ ସହରାଞ୍ଚଳରେ ପ୍ରତିଦିନ ବାହାରୁଥିବା ଅଳିଆ/ବର୍ଜ୍ୟବସ୍ତୁ ମଧ୍ୟରେ ।ତକଡ଼ା ୯୦ପ୍ରତିଶତରୁ ଅଧିକ ହେଉଛି ପଲିଥିନ । କେବଳ ପଲିଥିନ୍ କେରିବ୍ୟାଗ୍କୁ ବନ୍ଦ କରିଦେଲେ ପଲିଥିନ୍ ମୁକ୍ତ ହେବନାହିଁ । ତେଣୁ ଖାଦ୍ୟ ସାମଗ୍ରୀ ପ୍ୟାକିଂ ଲୁଗା ପ୍ୟାକିଂ ଭଳି ସମସ୍ତ ସାମଗ୍ରୀର ପ୍ୟାକିଂ ଯେପରି ପଲିଥିନ୍ରେ ନହୁଏ ତାହା ଉପରେ ମଧ୍ୟ କଟକଣା ରହିବା ଜରୁରୀ । ଏଥି ସହିତ ଆଇନ୍କୁ ବେଖାତିର କରି ପଲିଥିନ୍ ବ୍ରବହାର କରୁଥିବା ଦୋକାନୀ ଓ ଜନତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ମଧ୍ୟ ରହିଛି ।
ଅପରପକ୍ଷରେ କେବଳ ପଲିଥିନ୍ ନୁହେଁ, ଗୁଟୁକାକୁ ମଧ୍ୟ ବ୍ୟାନ୍ କରାଯାଇଥିଲା । ତମାଖୁ କ୍ୟାନସରର କାରଣ ହୋଇଥିବାରୁ ଏହାର ବ୍ୟବହାର ଉପରେ ରୋକ୍ ଲଗାଇଥିଲେ ସରକାର । ତାହା ମଧ୍ୟ ପଲିଥିନ୍ ଭଳି କେବଳ କାଗଜ କଲମରେ ସୀମିତ ରହିଯାଇଛି । ଗୁଟୁକା ପୂର୍ବଭଳି ବିକ୍ରୀ ଚାଲିଛି । କେତେକ ସ୍ଥାନରେ ବିକ୍ରି କରିବାର ତରିକା ବଦଳି ଯାଇଛି । ପୂର୍ବରୁ ଦୋକାନୀ ମାଳମାଳ ଗୁଟୁକା ଦୋକାନରେ ଝୁଲାଉଥିବା ବେଳେ ଏବେ ବହୁ ଦୋକାନୀ ଗୁଟୁକାକୁ ନଝୁଲାଇ ପ୍ଲାଷ୍ଟିକ୍ ଡବା ଭିତରେ ରଖୁଥିବା ଦେଖିବାକୁ ମିଳୁଛି । ଆଉ କେତେକ ଦୋକାନୀ ଅନ୍ୟ ସାମଗ୍ରୀ ସହିତ ଝୁଲାଇ ରଖୁଛନ୍ତି, ଯେପରି ହଠାତ୍ ତାହା ଉପରେ କାହାର ନଜର ନପଡ଼ିବ । କିନ୍ତୁ ଯେପରି ହେଉନା କାହିଁକି ଗୁଟୁକା ବିକ୍ରୀ ବନ୍ଦ ହେବା ପରିବର୍ତେ ପୂର୍ବଭଳି ଚାଲିଛି ।
ଆମ ସରକାର କେବଳ ଆଇନ୍ କରିଦେଇ ଆତ୍ମସନ୍ତୋଷ ଲାଭ କରି ବସିଯାଇଛନ୍ତି, କଣ’ ନା ଆମ ସରକାର ପଲିଥିନ୍ ଓ ଗୁୁଟୁକା ଭଳି କ୍ଷତିକାରକ ପଦାର୍ଥକୁ ବନ୍ଦ କରିଦେଇଛନ୍ତି । ଏହାଦ୍ୱାରା ପଲିଥିନ୍ ଓ ଗୁଟୁକା ବନ୍ଦ ହେଉ କି ନହେଉ ସରକାର ଧର୍ମକୁ ଆଖିଠାର ମାରିଲା ଭଳି, କେବଳ ଆଇନ କରିଦେଇ ଚୁପ୍ ହୋଇ ବସିଛନ୍ତି ଏବଂ ମଝିରେ ମଝିରେ ଦିନେ ଅଧେ ଚଢ଼ାଓ କରି ଜରାଇ ଲୋକଙ୍କୁ ଜଣାଇ ଦେବାକୁ ଚାହୁଁଛନ୍ତିଯେ ସରକାରୀ ସ୍ତରରେ ଆଇନକୁ କାର୍ଯକାରୀ କରିବା ପାଇଁ ତତ୍ପରତା ରହିଛି ।