ପାଇକା ନଦୀରେ ଟିପିରି ଘାଟ ସେତୁ ପାଇଁ ବୈଠକ
ଜଗତ୍ସିଂହପୁର, (ଆଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ଏବଂ କେନ୍ଦ୍ରାପଡା ଜିଲ୍ଲାର ଗମନା ଗମନ ସୁବିଧା ପାଇଁ ପାରାଦୀପ ନିର୍ବାଚନ ମଣ୍ଡଳୀର ଟିପିରି ଠାରେ ୧୮କୋଟି ଟଙ୍କା ବିନିଯୋଗରେ ଏକ ପୋଲ ହେବା ପାଇଁ ଅତୀତରେ ଶୁଭ ଦିଆଯାଇଥିଲା । ହେଲେ ଦୀର୍ଘ ୪ ବର୍ଷ ବିତି ଯାଇଥିଲେ ବି ସେତୁ କାର୍ଯ୍ୟ ଆରମ୍ଭ ହୋଇ ପାରିଲା ନାହିଁ । ଏହାର କାରଣ ନିରାକାରଣ ଖୋଜିବା ବେଳକୁ ଯେଉଁ ଠିକାଦାର ଏହି କାର୍ଯ୍ୟାଦେଶ ପାଇଥିଲେ ତାଙ୍କୁ ବିରୋଧ କରି ପ୍ରଶାସନ ନିକଟରେ ସ୍ଥାନୀୟ ଅଂଚଳରୁ ଦରଖାସ୍ତ ଦିଆ ଯାଇଥିବାରୁ କାର୍ଯ୍ୟ ଆଗେଇ ପାରୁ ନଥିବା କୁହାଯାଉଛି । ତେବେ ଏହି ମାମଲା ମାନ୍ୟବର ଅଦାଲତଙ୍କ ନିକଟରେ ପହଁଚିଛି । ଅପର ପକ୍ଷରେ ପୋଲଟି ନିର୍ମାଣ ହେବା ପାଇଁ ଆଶା ବାନ୍ଧିଥିବା ଦୁଇ ଜିଲ୍ଲାର ସ୍ଥାନୀୟ ୪୦ ପଂଚାୟତ ବାସୀଙ୍କ ମନରେ ହତାସା ପରିଲକ୍ଷିତ ହୋଇଛି । ବର୍ଷା ଦିନେ ବଢିଲା ନଦୀରେ ବିପଦ ସଙ୍କୁଳ ଭାବେ କଲେଜ ଛାତ୍ର ଛାତ୍ରୀଙ୍କ ଠାରୁ ସ୍ଥାନୀୟ ଜନସାଧାରଣ ନୌକା ଯାତ୍ରା କରୁଛନ୍ତି । ଖରାଦିନେ ଏହି ସ୍ଥାନରେ ଫେୟାର ଓଏଦର ରୋଡ କରାଯାଏ । ହେଲେ ଗତ ଦୁଇ ବର୍ଷହେବ ତାହା ହୋଇ ପାରୁ ନାହିଁ । ସ୍ଥାନୀୟ ଜିଲ୍ଲା ପ୍ରଶାସନ ଏବଂ ରାଜନୈତିକ ନେତୃବୃନ୍ଦଙ୍କ ବୈମାତୃକ ମନୋଭାବ ପାଇଁ ହଜାର ହଜାର ଜନସାଧାରଣ ନାହିଁ ନଥିବା ହଇରାଣ ହେଉଥିବା ଦେଖାଯାଉଛି । ମୋ ସରକାର ଗଠନ କରି ରାଜ୍ୟ ତଥା ଦେଶରେ ସୁନାମ ଅର୍ଜ୍ଜନ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇବା ସହିତ ତୁରନ୍ତ ସମସ୍ୟାର ସମାଧାନ ପାଇଁ କେତେକ ଯୁବ ଗୋଷ୍ଠି ଦରଖାସ୍ତ ସଂଗ୍ରହ କରୁଥିବା ଖବର ମିଳିଛି । ଅପରପକ୍ଷରେ ସ୍ଥାନୀୟ ବେଲବଣ ମଠ ପରିସରରେ ସମାଜସେବୀ ଗଙ୍ଗାଧର ପରିଡାଙ୍କ ନେତୃତ୍ୱରେ ସାମନ୍ତରାପୁର, ବଟିରା, ଅନ୍ତେଇ, ବେଡାରୀ, ପଦ୍ମପୁର ଭଳି ୨୫ ପଂଚାୟତର ଜନନେତା ଏବଂ ବୁଦ୍ଧିଜୀବୀ ମିଳିତ ହୋଇ ବୈଠକ କରିଛନ୍ତି । ଆଗାମୀ ସପ୍ତାହରେ ପାରାଦୀପ ଏବଂ ମହାକାଳପଡା ବିଧାୟକ ଦ୍ୱୟଙ୍କୁ ଭୂବନେଶ୍ୱରରେ ଭେଟି କିଭଳି ସମସ୍ୟାର ସମାଧାନ କରାଯିବ ସେଥିପାଇଁ ରଣନୀତି ପ୍ରସ୍ତୁତ କରିଥିବା ଜଣାପାଡିଛି । ଘଟଣାର ତୁରନ୍ତ ସମାଧାନ କରାଯାଇ ପୋଲ କାର୍ଯ୍ୟ ଆରମ୍ଭ ନ ହେଲେ ଆନେ୍ଦାଳନକୁ ତିବ୍ରତର କରିବା ସହ ମାନ୍ୟବର ଉଚ୍ଚ ଅଦାଲତଙ୍କ ନିକଟରେ ଦରକାର ପଡିଲେ ଜନସ୍ୱାର୍ଥ ମାମଲା ଦାୟର କରିବେ ବୋଲି ପ୍ରାଥମିକ ଯୋଜନାରୁ ଜଣା ପଡିଛି । ତେବେ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଉଚ୍ଚ କର୍ତୂପକ୍ଷ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।