ପୋକ ଖାଇଗଲେ ଧାନ: ଚାଷି କୂଳ ହତାସ!
ମହାକାଳପଡା, (ଓଏନ୍ଏସ୍): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଜାତୀୟ ରାଜପଥ କଡରେ ଥିବା ବିଲ ଗୁଡିକରେ ମେଂଚା ମେଂଚା ପୋକ ପାଚିଲା ଧାନକୁ ଖାଇଯାଉଛନ୍ତି । ଯାହାଫଳରେ ଚାଷି ମୁଣ୍ଡରେ ହାତ ଦେଇ ବସିଲାଣି । ବର୍ଷା ଦାଉରୁ ରକ୍ଷା ପାଇଥିବା କିଛି ବିଲରେ ଧାନ ପାଚିବାକୁ ବସିଲାଣି । ହେଲେ ଧାନ ଘରକୁ ଆସିବା ସତେ ଯେପରି ସାତ ସପନ ଲାଗିଛି ଚାଷି କୂଳକୁ । ଧାନ କେଣ୍ଡାକୁ ଟେକିଦେଲେ ଝଡି ପଡୁଛି । ଧାର କରଜ କରି ସାର ବିହନ ପକାଇ ଭଲ ଅମଳ ହେବ ବୋଲି ଭରସା କରିଥିଲା ଚାଷି । ହେଲେ ବେଢି ଉପରେ କୋରଡା ମାଡ ସଦୃଶ ପୋକ ଘେରିଛନ୍ତି ଫାଚିଲା ଧାନକୁ । ଗୋଟିଏ ଫସଲ ଉପରେ ବାର୍ଷିକ ନିର୍ଭର କରିଥିବା ଜୟଚନ୍ଦ୍ରପୁର, ତିଖିରୀ, ଖୁରୁସିଆ, ସାନଗାଁ, ଟିକରପଙ୍ଗା ଭଳି ସମୁଦ୍ର ନିକଟ ରାଜପଥକଡ ପନ୍ଚାୟତର ବିଲ ଗହିରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବିଶେଷ କରି କଳାଗଡ ଗ୍ରାମ ନିକଟରେ ଥିବା କ୍ଷେତ ଗୁଡିକ ବେଶି ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ତେଣୁ ଚାଷି କୂଳକୁ ରକ୍ଷା କରିବାକୁ ତୁରନ୍ତ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ସ୍ଥନୀୟ ଚାଷିମାନେ ଦାବି କରିଛନ୍ତି ।