ପ୍ରଦୂଷଣ ରୋକିବାରେ ରାଜ୍ୟ ନିୟନ୍ତ୍ରଣ ବୋର୍ଡ ବାଧକ

 ପ୍ରଦୂଷଣ ରୋକିବାରେ  ରାଜ୍ୟ ନିୟନ୍ତ୍ରଣ ବୋର୍ଡ ବାଧକ

ଳ କାରଖାନାରୁ ନିର୍ଗତ ଧୂଆଁ ଓ ବର୍ଜ୍ୟ ଜଳ ଓ ଅନ୍ୟ ବିଷାକ୍ତ ଗ୍ୟାସ ଯୋଗୁଁ ପରିବେଶ ପ୍ରଦୂଷଣ ଦିନକୁ ଦିନ ବଢିବାରେ ଲାଗିଛି । କମିବାର ନାମ ଧରୁନାହିଁ। ଗୋଟିଏ ପକ୍ଷରେ ଦେଶର ନିଜସ୍ଵ ଜ୍ଞାନ କୌଶଳରେ ନିର୍ମିତ ଯନ୍ତ୍ର ଏହାକୁ ନିୟନ୍ତ୍ରଣ କରିବାକୁ ଯଥେଷ୍ଟ  ନଥିବା ବେଳେ, ଅପରପକ୍ଷରେ ବିଦେଶୀ ଜ୍ଞାନ କୌଶଳ ଯୋଗଉଥିବା ପ୍ରତିଷ୍ଠାନ  ଓ ସମ୍ପୃକ୍ତ ଶିଳ୍ପସଂସ୍ଥା ଗୁଡିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହଯୋଗ ନ ମିଳିବାରୁ , ପ୍ରଦୂଷଣ ପରିସ୍ଥିତି ଅଧିକ ଜଟିଳ ହେବାକୁ ବସିଛି ବୋଲି ପରିବେଶବିତ ମାନେ ମତ ରଖିଛନ୍ତି ।  

   ପରିବେଶବିତ ମାନଙ୍କ ମତରେ, ରାଜ୍ୟରେ ଗଢି ଉଠିଥିବା ବିଭିନ୍ନ ଶିଳ୍ପ ସଂସ୍ଥା ଗୁଡିକ ପରିବେଶ ପ୍ରଦୂଷଣ ପାଇଁ ଅନେକାଂଶରେ ଦାୟୀ । ଆଧୁନିକ ଏବଂ ସଠିକ ବାୟୁ ଓ ଜଳ ଆନାଲାଇଜର ଶିଳ୍ପ ସଂସ୍ଥା ଗୁଡିକ ବ୍ୟବହାର କରୁନଥିବାରୁ, ପ୍ରଦୂଷଣ ଦିନକୁ ଦିନ ବଢିବାରେ ଲାଗିଛି । କେତେକ ଶିଳ୍ପ ସଂସ୍ଥା ଏପରି ଆନାଲାଇଜର ବ୍ୟବହାର କରୁଥିବା ବେଳେ , ଅନେକ ଏହାକୁ ଆଜି ପର୍ଯ୍ୟନ୍ତ  ବ୍ୟବହାର କରିନାହାନ୍ତି । ପ୍ରଦୂଷଣ ଜନିତ ଯକ୍ଷ୍ମା , ଛାତି ରୋଗ ,ଶ୍ଵାସ ପ୍ରଭୃତି ରୋଗରେ ଲୋକ ଆକ୍ରାନ୍ତ ହେଉଥିବା ବେଳେ, ଗଛ-ଲତା , ଜଳଉତ୍ସ ସବୁ ପ୍ରଭାବିତ ହେଉଛି । 

  ପରିବେଶବିତ ମାନଙ୍କ କହିବା ଅନୁଯାୟୀ ସରକାରଙ୍କ ସ୍ପଷ୍ଟ ମାର୍ଗଦର୍ଶିକା ଅଛି । ଏହି ଅନୁସାରେ ପ୍ରତ୍ୟେକ ଶିଳ୍ପସଂସ୍ଥା ଆଧୁନିକ ଜଳ ଓ ବାୟୁ ଆନାଲାଇଜର ବ୍ୟବହାର କରିବେ ଏବଂ ନିୟମିତ ଭାବେ ବାୟୁ ଓ ଜଳର ମାନ ସମ୍ପର୍କିତ ତଥ୍ୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପ୍ରଦାନ କରିବେ । କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତତ୍ପରତା ଉପରେ ସେମାନେ ପ୍ରଶ୍ନ ଉଠାଇଛନ୍ତି । ହସ୍ତଗତ ତଥ୍ୟ ଅନୁଯାୟୀ , ପ୍ରଦୂଷଣ ରୋକିବା କ୍ଷେତ୍ରରେ ବିଦେଶୀ ଜ୍ଞାନକୌଶଳ ପ୍ରୟୋଗ ପାଇଁ ସରକାରଙ୍କ ଅନୁମୋଦନ ଅଛି । ସେହି ଅନୁସାରେ ବିଦେଶ ନିର୍ମିତ ଓ ଆଧୁନିକ ଜଳ ଓ ବାୟୁ ଆନାଲାଇଜର ଓଡିଶାକୁ ଯୋଗାଇଦେବା ପାଇଁ କେତେକ ସଂସ୍ଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ । ବୋର୍ଡ ଉଭୟ ମାନ ଓ ଦାମକୁ ଗୁରୁତ୍ଵ ନ ଦେଇ , ପ୍ରିୟାପ୍ରୀତି ଆଧାରରେ ଟେଣ୍ଡର ଫଇସଲା କରିଥିବା କୁହାଯାଉଛି । କେବଳ ସେତିକି ନୁହେଁ , କାରଖାନାରେ ଲଗାଯାଇଥିବା ଆନାଲାଇଜରକୁ ଚାଲୁ କରିବା ପାଇଁ  ଆବଶ୍ୟକ ଅନୁମତି ଦେବାରେ ବୋର୍ଡ ଆହେତୁକ ବିଳମ୍ବ କରୁଥିବାରୁ , ଏପରି ଆନାଲାଇଜର ବ୍ୟବହାରର ମୂଳଲକ୍ଷ୍ୟ ବାଧାପ୍ରାପ୍ତ ହେବାସାଙ୍ଗକୁ ଏହାକୁ ଯୋଗାଇ ଦେଇଥିବା ସଂସ୍ଥା ତାଙ୍କର ପ୍ରାପ୍ୟ ଠିକ ସମୟରେ ପାଇପାରୁ ନାହାନ୍ତି । ଫଳରେ ସେମାନେ ରାଜ୍ୟକୁ ଉନ୍ନତ ମାନର ଆନାଲାଇଜର ଯୋଗାଇଦେକାକୁ ଆଗ୍ରହ ପ୍ରକାଶ  କରୁ ନାହାନ୍ତି ।  ବୋର୍ଡରେ ଅବସ୍ଥାପିତ କେତେକ ଅଧିକାରୀ ଏଥିପାଇଁ ବଡ ଅଙ୍କର ଉତ୍କୋଚ ଉଭୟ ଯୋଗାଣ ସଂସ୍ଥା ଓ ଶିଳ୍ପ ସଂସ୍ଥାଙ୍କୁ ମାଗୁଥିବାର ଅଭିଯୋଗ ମଧ୍ୟ ହେଉଛି । ଅନ୍ୟ ଏକ ଗୁରୁତର ଅଭିଯୋଗ ଅନୁଯାୟୀ ,  ପ୍ରତ୍ୟେକ ଶିଳ୍ପ ସଂସ୍ଥା ବାୟୁ ଓ ଜଳର ମାନ ସମ୍ପର୍କିତ ତଥ୍ୟ ସିଧା ସଳଖ କେନ୍ଦ୍ରୀୟ ସର୍ଭରକୁ ପଠାଇବା ପରିବର୍ତ୍ତେ,  ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପଠାଉଛନ୍ତି । ଏପରି ବ୍ୟବସ୍ଥାରେ ଓଡିଶା ଭାତରେ ପ୍ରଥମ ରାଜ୍ୟ । ଏହାକୁ ନେଇ ମଧ୍ୟ ବୋର୍ଡରେ ହିରାଫେରି କରି ଉତ୍କଚର ବଡ ମାର୍ଗ ଖୋଲା ଯାଇଛି ।

   ପରିବେଶବିତ ଓ କେତେକ ଶିଳ୍ପ ସଂସ୍ଥା ଏଥି ପ୍ରତି ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ତୁରନ୍ତ ଏକ ଯାଞ୍ଚ କମିଟି ଗଢି  ବୋର୍ଡରେ ଚାଲୁଥିବା ଅରାଜକତା ସୁଧାରିବା ସାଙ୍ଗକୁ ଟେଣ୍ଡର ପ୍ରକ୍ରିୟାରେ କିପରି ସ୍ଵଛତା ଆସିବ, ପ୍ରତ୍ୟେକ ଶିଳ୍ପ ସଂସ୍ଥା ଯେପରି ଆଧୁନିକ ଜଳ ଓ ବାୟୁ ଆନାଲାଇଜର ବ୍ୟବହାର କରିବେ,  ଆନାଲାଇଜର ଯୋଗାଣ ସଂସ୍ଥା ତାଙ୍କର ବକେୟା ଅର୍ଥ ପାଇବେ ଓ ରାଜ୍ୟ ପ୍ରଦୂଷଣ ମୁକ୍ତ ହେବ , ସେଥିପ୍ରତି ଧ୍ୟାନ ଦେବାକୁ ନିବେଦନ କରିଛନ୍ତି ।  

    ଶରତ କୁମାର ରାଉତ, ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮

                                                      *****

Leave a Reply

Your email address will not be published.