ବଦଳି ଗଲାଣି ଓଡ଼ିଶା!

ବଦଳି ଗଲାଣି ଓଡ଼ିଶା!

୨୦୧୪ ସାଧାରଣ ନିର୍ବାଚନର ଫଳାଫଳକୁ ମନେ ପକାଇଲେ, ବାସ୍ତବିକ ଆଶ୍ଚର୍ଯ୍ୟ ଲାଗେ । ଅଭୁତପୂର୍ବ ଭାବେ ସାରା ଦେଶରେ ମୋଦି ସୁନାମୀରେ ଧରାଶାୟୀ ହୋଇ ମାଟି କାମୁଡ଼ିଲା ଦେଶର ସର୍ବ ପୁରାତନ ଦଳ କଂଗ୍ରେସ । ସେହିପରି ଓଡ଼ିଶାରେ ଅପ୍ରତ୍ୟାଶିତ ଭାବେ ନବିନ ପଟ୍ଟନାୟକଙ୍କ ଫାଇଲିନ୍ ମାଡ଼ରେ ଅତି ଶୋଚନୀୟ ଅବସ୍ଥାକୁ ଚାଲି ଗଲେ କଂଗ୍ରେସ ଓ ଭାଜପା । ଏହି ଘଟଣା ହୁଏତ କେତେକଙ୍କୁ ଯାଦୁ ଭଳି ଲାଗୁଥିବ । କାରଣ ଏଭଳି ଫଳାଫଳ ସମସ୍ତଙ୍କ କଳ୍ପନାର ବାହାରେ ଥିଲା । ଏଥିରୁ ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ, ଲୋକେ ପୂର୍ବାପେକ୍ଷା କ୍ରମେ ସଚେତନ ହେଉଛନ୍ତି । ଭଲ ଭାବରେ ଚିନ୍ତା କରି ଦଳ ଓ ପ୍ରାର୍ଥୀଙ୍କୁ ବାଛୁଛନ୍ତି । ଓଡ଼ିଶା ସଂପର୍କରେ ଏତିକି କୁହାଯାଇ ପାରେ ଯେ, ରାଜ୍ୟର ବିକାଶ ଧାରା ଲୋକଙ୍କୁ ସନ୍ତୁଷ୍ଟ କରିଛି । ଯେଉଁଥିପାଇଁ ନବିନଙ୍କ ନେତୃତ୍ୱ ସପକ୍ଷରେ ମିଳି ଚାଲିଛି ଐତିହାସିକ ଜନାଦେଶ । ଏପରିକି ଆମ ରାଜ୍ୟରେ ମୋଦିଙ୍କ ପ୍ରଭାବ ଲୋକଙ୍କ ଉପରେ ଟିକେ ବି ପଡ଼ୁନାହିଁ । ନବିନଙ୍କ ନେତୃତ୍ୱରେ ସାଧାରଣ ନିର୍ବାଚନରେ ବିଜେଡ଼ି ୧୧୭ଟି ବିଧାନସଭା ଆସନ ଓ ୨୦ଟି ଲୋକସଭା ଆସନ ଅକ୍ତିଆର କରିଥିଲା । ହୁଏତ ଏଭଳି ଐତିହାସିକ ଫଳାଫଳ ଏଇଥିପାଇଁ ଯେ, ସ୍ୱାଧୀନତା ପରଠାରୁ ଓଡ଼ିଶା ସଂପୂର୍ଣ୍ଣ ଅବହେଳିତ ଅବସ୍ଥାରେ ଥିଲା । ନବିନ ବାବୁ ଓଡ଼ିଶା ଶାସନ ଡ଼ୋରି ଧରିବା ପରଠାରୁ ଓଡ଼ିଶାରେ ବିକାଶ ଧାରା ଆରମ୍ଭ ହୋଇ ଏବେ ଚରମ ସୀମାରେ ପହଂଚିଛି ।
ଓଡ଼ିଶାର ମାଟି ତଳେ ପ୍ରଚୁର ଖଣିଜ ସଂପଦ ଭରି ରହିଛି । ପ୍ରାକୃତିକ ଦୃଶ୍ୟରାଜିରେ ଭରା ଓଡ଼ିଶା ଦେଶ ବିଦେଶରେ ଏକ ମନୋରମ ରାଜ୍ୟ ଭାବେ ପରିଚିତ । ରାଜ୍ୟରେ ବ୍ୟାପକ ପର୍ଯ୍ୟଟନ ଶିଳ୍ପର ସୁଯୋଗ ରହିଥିବା ବେଳେ ପର୍ଯ୍ୟାପ୍ତ ଜଙ୍ଗଲ ସଂପଦ, ମତ୍ସ୍ୟ ସଂପଦ, ଜଳ ସଂପଦ ଓ ଶହେଭାଗ ଉର୍ବର ଚାଷ ଜମି ରହିଛି । ରାଜ୍ୟରେ ବୌଦ୍ଧିକ ସଂପଦ ଓ ପ୍ରତିଭାର ଅଭାବ ନାହିଁ । ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଭାଷା-ସାହିତ୍ୟ ଦେଶ ବିଦେଶରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି । ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ସାରା ବିଶ୍ୱରେ ଖ୍ୟାତ । ଓଡ଼ିଶା ମନ୍ଦିର ମାଳିନି ରାଜ୍ୟ ଭାବେ ସର୍ବ ବିଦିତ । କଠିନ ପରିଶ୍ରମ କରିବାରେ ମଧ୍ୟ ଓଡ଼ିଆ ଅନ୍ୟ ରାଜ୍ୟବାସୀଙ୍କ ତୁଳନାରେ କିଛି କମ୍ ନୁହଁନ୍ତି । ସରକାରୀ ତଥ୍ୟ ଅନୁଯାୟୀ ଭାରତରେ ଗଚ୍ଛିତ ମୋଟ କ୍ରୋମାଇଟ୍ ମଧ୍ୟରୁ କେବଳ ଓଡ଼ିଶାରେ ୯୪.୪ ଶତକଡ଼ା ରହିଥିବା ବେଳେ ବକ୍ସାଇଟ୍ ୫୯.୫ ଶତକଡ଼ା, ଲୁହାପଥର ୩୨.୯ ଶତକଡ଼ା, ମାଙ୍ଗାନିଜ୍ ୬୭.୬ ଶତକଡ଼ା, କୋଇଲା ୨୪.୮ ଶତକଡ଼ା, ଗ୍ରାଫାଇଟ୍ ୭୧.୦ ଶତକଡ଼ା, ନିକେଲ୍ ୯୧.୮ ଶତକଡ଼ା, ଚାଇନା କ୍ଲେ ୩୧.୫ ଶତକଡ଼ା, ଡ଼ୋଲ୍ ମାଇଟ୍ ୧୭.୯ ଶତକଡ଼ା, ଫାୟାର୍ କ୍ଲେ ୨୫.୬ ଶତକଡ଼ା, ମିନେରାଲ୍ ସ୍ୟାଣ୍ଡସ ୩୦.୮ ଶତକଡ଼ା, ପିରୋଫାଇଲିଟ୍ ୬୫.୧ ଶତକଡ଼ା ଆଦି ବହୁ ଖଣିଜ ସଂପଦ ଭରି ରହିଛି । ରାଜ୍ୟରେ ୭୦ କୋଟି ଘନମିଟର ଭୂତଳ ଜଳ ଗଚ୍ଛିତ ରହିଛି, ଯାହା ଦେଶର ମୋଟ ଜଳ ସଂପଦର ୧୧ ଶତକଡ଼ା । ରାଜ୍ୟରେ ୭୯ ଲକ୍ଷ ହେକ୍ଟର କୃଷି ଉପଯୋଗୀ ଜମି ରହିଛି । ଏଥିରୁ ମାତ୍ର ୪୫ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ଓ ୧ ଲକ୍ଷ ୬୫ ହଜାର ହେକ୍ଟର ଜମିରେ ଅର୍ଥକାରୀ ଫସଲ ହେଉଛି । ଅନ୍ୟପକ୍ଷରେ ପ୍ରାୟ ୧୧.୫ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚିତ ହୋଇଥିବା ବେଳେ ବାକି ଜମି ଜଳସେଚିତ ହୋଇନାହିଁ । ତେବେ ପାଖାପାଖି ୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ସମ୍ଭବ ନୁହେଁ । ତଥାପି ଚାଷ ହୋଇ ପାରୁନଥିବା ଜମିକୁ ଉତ୍ପାଦନକ୍ଷମ କରାଯିବାର ଆବଶ୍ୟକତା ରହିଛି । ସେହିପରି ଆମ ରାଜ୍ୟରେ ଥିବା ୪୮୦ କି.ମି. ସୁଦୀର୍ଘ ମନୋରମ ସମୁନ୍ଦ୍ର ଉପକୂଳ ଓ ଏସିଆ ମହାଦେଶର ସର୍ବ ବୃହତ ଲବଣାକ୍ତ ହ୍ରଦ ଚିଲିକା ରାଜ୍ୟର ଗୌରବ ବହନ କରୁଛି । ବିଶ୍ୱ ବିଖ୍ୟାତ ଭିତରକନିକା ଅଭୟାରଣ୍ୟ, ଦୁର୍ଲଭ ଅଲିଭ୍ ରିଡ୍ÿଲେ କଇଁଛ ମାନଙ୍କ ଏନ୍ତୁଡ଼ିଶାଳ, କୂମ୍ଭୀର ପ୍ରଜନନ କେନ୍ଦ୍ର, ବିଶାଳ ସାମୁଦ୍ରିକ ଅଭୟାରଣ୍ୟ, ହେନ୍ତାଳ ବଣ ଆଦି ଓଡ଼ିଶାର ଗର୍ବ ଓ ଗୌରବ । ହେଲେ ଦୁଃଖର କଥା, ଓଡ଼ିଶାରେ ସବୁକିଛି ଥିବା ସତ୍ୱେ ଓଡ଼ିଶା ଦରିଦ୍ର ବୋଲି କୁହାଯାଇ ଆସୁଛି । ଏପରିକି ଓଡ଼ିଶା ଭାରତର ସବୁଠୁ ପଛୁଆ ଓ ଅବହେଳିତ ରାଜ୍ୟ । ଓଡ଼ିଶାରେ ଦାରିଦ୍ର୍ୟର ଉତ୍ପାତ ସବୁଠୁ ବେଶୀ । ଅନାହାର, ଅର୍ଦ୍ଧାହାର ଓ ଅଳ୍ପାହାରରେ ବଂଚୁଥିବା ଲୋକଙ୍କ ସଂଖ୍ୟା ବହୁ ଅଧିକ । ଅଧିକାଂଶ ଶିଶୁ ପୃଷ୍ଟିହୀନତାର ଶିକାର । ପେଟକୁ ମୁଠାଏ ଦାନା ପାଇଁ ଓଡ଼ିଆର ଆର୍ତ ଚିକ୍ରାର ସାରା ଦେଶରେ ପ୍ରକମ୍ପିତ ହେଉଛି । ଓଡ଼ିଶାର ଅନାହାର ମୃତୁ୍ୟ ଖବର ବିଶ୍ୱବାସୀଙ୍କୁ ସ୍ତବ୍ଧ କରୁଛି । ଓଡ଼ିଶାରେ ଶିଶୁ ଓ ଗର୍ଭବତୀ ମାତୃ ମୃତୁ୍ୟହାର ସର୍ବାଧିକ…ଇତ୍ୟାଦି । ବାସ୍ତବତା ହେଲା, ଏହି ଅବସ୍ଥା ୨୦୦୦ ମସିଆ ପର୍ଯ୍ୟନ୍ତ ବଳବତର ଥିଲା । ହେଲେ ଧୀରେ ଧୀରେ ପ୍ରଗତିର ଶିଢୀ ଚଢୁଛି ଓଡ଼ିଶା ।
ପୂର୍ବରୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବା ରାଜ୍ୟ ନେତୃତ୍ୱର ଅପାରଗତା ଯୋଗୁ ରାଜ୍ୟରେ ଗଚ୍ଛିତ ବିଭିନ୍ନ ଖଣିଜ ସଂପଦର ଉପଯୁକ୍ତ ଉପଯୋଗ ହୋଇ ପାରୁନଥିଲା । ମଣିଷର ଅର୍ଥନୈତିକ ପ୍ରଗତି ଓ ସାମାଜିକ ଅବସ୍ଥାର ପରିବର୍ତନ ପାଇଁ ସମସ୍ତ ପ୍ରାକୃତିକ ସଂପଦର ଉପଯୁକ୍ତ ଉପଯୋଗ, ଅତ୍ୟାଧୁନିକ ଜ୍ଞାନକୌଶଳରେ ଚାଷ ବା କୃଷି ଉତ୍ପାଦନ ବୃଦ୍ଧି ଓ ରାଜନୈତିକ ଇଚ୍ଛାଶକ୍ତି ଏବଂ ଶିଳ୍ପ ପ୍ରସାରର ଆବଶ୍ୟକତା ରହିଥାଏ । ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ସ୍ୱାଧୀନତା ପରଠାରୁ ଓଡ଼ିଶା ବହୁ ଘାତ ପ୍ରତିଘାତ ଦେଇ ଗତି କରି ଆସିଛି । ମାତ୍ର କିଛି ବର୍ଷ ତଳୁ ରାଜ୍ୟବାସୀ ଯାହା ପ୍ରଗତିର ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଓଡ଼ିଶା ବିକାଶଶୀଳ ରାଜ୍ୟରେ ପରିଣତ ହୋଇଥିବା ଅର୍ଥନେୀତିଜ୍ଞ, ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକ ମାନେ ସ୍ୱୀକାର କରୁଛନ୍ତି । ଉଦାହରଣ ସ୍ୱରୂପ, ଆମ ରାଜ୍ୟରେ ଆମ ଖଣିଜ ସଂପଦର ଉପଯୁକ୍ତ ବିନିଯୋଗ ହୋଇ ପାରୁନଥିବାରୁ ଖୁବ୍ କମ୍ ମୂଲ୍ୟରେ ଆମ ଖଣିଜ ସଂପଦ ବାହାରକୁ ରପ୍ତାନୀ ହୋଇ ସେଠାରେ ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ବ୍ୟାପକ ନିଯୁନ୍ତି ସୁଯୋଗ ସୃଷ୍ଟି ହେଉଥିଲା । ମାତ୍ର ୨୦୦୦ ମସିହା ପରଠାରୁ ଓଡ଼ିଶାର ଭାଗ୍ୟରେଖା ଖୋଲିବା ପରେ କେତେକ ବୃହତ୍ କମ୍ପାନୀ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗେଇ ଆସିଥିଲେ ଓ ଆସୁଛନ୍ତି । କଳିଙ୍ଗନଗର ଶିଳ୍ପ ପ୍ରକଳ୍ପ ଭଳି ସାରା ରାଜ୍ୟରେ ବ୍ୟାପକ ଶିଳ୍ପ ପ୍ରସାର ଓଡ଼ିଶା ପ୍ରଗତିର ସ୍ପଷ୍ଟ ସୂଚନା । ଯଦିଓ କେତେକ କମ୍ପାନୀ ବିସ୍ତାପିତ ପରିବାର ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଇ ନାହାଁନ୍ତି ତଥା ଥଇଥାନ କରିନାହାଁନ୍ତି, ତଥାପି ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଯୋଗୁ ରାଜ୍ୟ ପ୍ରଗତି ପଥରେ ଆଗେଇଥିବା ସ୍ୱୀକାରଯୋଗ୍ୟ । ରାଜ୍ୟର ଉପକୂଳରେ ଗୋଟିଏ ପରେ ଗୋଟିଏ ବନ୍ଦର ପ୍ରତିଷ୍ଠା, ପର୍ଯ୍ୟଟନ ଶିଳ୍ପର ଦ୍ରୁତ ବିକାଶ, କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ, ରାସ୍ତାଘାଟର ନବୀକରଣ-ନିର୍ମାଣ, ଟଙ୍କିକିଆ ଚାଉଳ ଯୋଗାଣ ଭଳି ବହୁ ଦାରିଦ୍ର୍ୟ ଦୂରୀକରଣ ଯୋଜନା କାର୍ଯ୍ୟକାରୀ, ସେତୁ ନିର୍ମାଣ ଭଳି ଗମନାଗମନର ଅଭୂତପୂର୍ବ ବିକାଶ, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ବିଭିନ୍ନ ସନ୍ତୋଷଜନକ ପଦକ୍ଷେପ, ଆଇନକାନୁନ୍ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉନ୍ନତି ପାଇଁ ବିଭିନ୍ନ ଅଭିନବ ଯୋଜନା ଓଡ଼ିଶା ବିକାଶର ପଥ ପରିଷ୍କାର କରି ଦେଇଛି । ଆଉ ଏହା ସମ୍ଭବ ହୋଇଛି ପ୍ରବଳ ରାଜନୈତିକ ଇଚ୍ଛାଶକ୍ତି ଓ ରାଜ୍ୟ ନେତୃତ୍ୱର ନିଷ୍ଠାପର ଉଦ୍ୟମ ଯୋଗୁ, ଯେଉଁଥିପାଇଁ ଲଗାତାର ସମସ୍ତ ନିର୍ବାଚନରେ ସାରା ଓଡ଼ିଶାକୁ ଶଙ୍ଖ ଧ୍ୱନିରେ ମୁଖରିତ କରି ଇତିହାସ ରଚି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ପଂଚାୟତ ନିର୍ବାଚନରେ ମଧ୍ୟ ବିଜେଡ଼ି ତାର ବିପୁଳ ବିଜୟର ଇତିହାସ ଦୋହରାଇବା ପ୍ରାୟ ନିଶ୍ଚିତ । ଅବହେଳିତ ଓଡ଼ିଶାର ଶାସନ ଡ଼ୋରୀ ଧରିଥିବା ନବୀନ ବାବୁ ଇତିମଧ୍ୟରେ ନିଜର ପ୍ରବଳ ଇଚ୍ଛା ଶକ୍ତି ଓ ନିଷ୍ଠାପର ଶାସନ ଯୋଗୁ ଓଡ଼ିଶାକୁ ବିକାଶଶୀଳ ରାଜ୍ୟରେ ପରିଣତ କରିଛନ୍ତି । ସବୁଠୁ ସୁଖର କଥା ହେଲା, ରାଜ୍ୟରେ ଦ୍ରୁତ ହ୍ରାସ ପାଇ ଚାଲିଛି ଦାରିଦ୍ର୍ୟର ହାର । ୧୯୯୯-୨୦୦୦ମସିହାରେ ରାଜ୍ୟରେ ୫୫.୦୩ ଶତକଡ଼ା ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବାବେଳେ ବର୍ତମାନ ୨୦ ଶତକଡ଼ାରୁ କମ୍ ରହିଥିବା ଜଣାପଡ଼ିଛି । ସେହିପରି ଏନ୍ତୁଡ଼ିଶାଳରୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଯଥେଷ୍ଟ ସହାୟତା ସାଧାରଣ ଲୋକଙ୍କୁ ମୁଗ୍ଧ କରିଛି । ଏପରିକି ରାଜ୍ୟର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ନବିନ ବାବୁଙ୍କ ଦୃଢ ମାନସିକତା ରାଜ୍ୟବାସୀଙ୍କୁ ଖୁବ୍ ଭଲ ଲାଗିଛି । ଆଶ୍ଚର୍ଯ୍ୟର କଥା ଯେ, ରାଜ୍ୟ ସରକାରଙ୍କ ଦେହରେ ଖଣି, ପାଣି, କୋଇଲା, ଚିଟ୍ଫଣ୍ଡ ଦୁର୍ନୀତି ଭଳି ଅସୁମାରୀ କଳଙ୍କ ମଧ୍ୟ ଛୁଇଁ ପାରିନି ନବିନ ବାବୁଙ୍କ ଲୋକପି୍ରୟତାକୁ । ତେବେ ଆଗାମୀ ଦିନରେ ଓଡ଼ିଶାର ପ୍ରଗତି ଆହୁରି ଦ୍ରୁତ ହେବ ଓ ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବ ବୋଲି ସାଧାରଣରେ ଆଶା କରାଯାଉଛି । (ଶରତ କୁମାର ରାଉତ ଙ୍କ ରିପୋର୍ଟ)

Leave a Reply

Your email address will not be published.