ବଦଳୁଛି ଅବିଭକ୍ତ ଗଞ୍ଜାମ ଜିଲ୍ଲାର ରାଜନୀତିକ ଦୃଶ୍ୟ!

ବଦଳୁଛି ଅବିଭକ୍ତ ଗଞ୍ଜାମ ଜିଲ୍ଲାର ରାଜନୀତିକ ଦୃଶ୍ୟ!

ଆମ ଓଡ଼ିଶାରେ ବର୍ତମାନର ବିଧାୟକ ମାନଙ୍କ ମଧ୍ୟରେ ହୁଏତ କିଛି ଲୋକପି୍ରୟ ଥିବାବେଳେ ଆଉ କିଛି ଅଯୋଗ୍ୟ, ଅପରାଧୀ ଓ ଦୁର୍ନୀତିଗ୍ରସ୍ତ ରହିଛନ୍ତି । ଏ ବାବଦରେ ବ୍ୟାପକ ଆଲୋଚନାର ଆବଶ୍ୟକତା ରହିଛି । ଅଧିକାଂଶ ଦେଶରେ ଲୋକପ୍ରତିନିଧି ମାନଙ୍କ କାର୍ଯ୍ୟକଳାପ ସଂପର୍କରେ ସେଠାକାର ମିଡ଼ିଆ ନିୟମିତ ଲୋକମାନଙ୍କୁ ସୂଚନା ଦେଇଥାନ୍ତି । ଯଦ୍ୱାରା ଲୋକେ ନିଜର ପ୍ରତିନିଧିଙ୍କ ସଂପର୍କରେ ଜାଣନ୍ତି ଓ ସଚେତନ ହୁଅନ୍ତି । ଏହା ସୁସ୍ଥ ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଆବଶ୍ୟକ । ବିଧାୟକ ମାନେ ସାଧାରଣ ଲୋକଙ୍କ ସୁଖ-ଦୁଃଖ ସହିତ କେତେ ଜଡ଼ିତ ଅଛନ୍ତି ବା ତାଙ୍କର ସାମଗ୍ରୀକ କାର୍ଯ୍ୟକଳାପ, ଲୋକପି୍ରୟତା, ରାଜନୀତିକ ଓ ପ୍ରଶାସନିକ ଅଭିଜ୍ଞତା ଆଦିକୁ ସେମାନଙ୍କ ଦକ୍ଷତାର ମାପକାଠି ରୂପେ ନିଆଯାଏ ।
ଏହି କ୍ରମରେ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ବିଧାୟକ ମାନଙ୍କ କାର୍ଯ୍ୟକଳାପ ସଂପର୍କରେ ଆଲୋଚନା କରାଯାଇପାରେ । ହିଞ୍ଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ(ବିଜେଡ଼ି) ଟିକଟରେ ୨୦୦୦ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୪ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଭାବେ ସଫଳତାର ସହ କାର୍ଯ୍ୟ କରି ଆସୁଛନ୍ତି । ଏହା ବ୍ୟତୀତ ଶ୍ରୀ ପଟ୍ଟନାୟକ ୧୯୯୬ରେ ଆସିକା ଲୋକସଭା ଆସନରୁ ଉପନିର୍ବାଚନରେ ବିଜୟୀ ହୋଇ ଜଣେ ସଫଳ ସାଂସଦ ଭାବେ ୧୯୯୮ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବାବେଳେ ୧୯୯୮ ସାଧାରଣ ନିର୍ବାଚନ ଓ ୧୯୯୯ ସାଧାରଣ ନିର୍ବାଚନରେ ସେହି ଆସିକା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇ ୨୦୦୦ ମସିହା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସାଂସଦ ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଦୃତ ଉନ୍ନତି ହୋଇଛି । ପ୍ରାୟତଃ ଓଡ଼ିଶା ବିକଶିତ ରାଜ୍ୟରେ ପରିଣତ ହୋଇ ପାରିଛି । ମୁଖ୍ୟତଃ ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ, ଅଭୂତପୂର୍ବ ଶିଳ୍ପ ପ୍ରସାର, ବିଭିନ୍ନ ଉନ୍ନୟନମୂଳକ ଯୋଜନା ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ହୋଇ ପାରିଛି । ସବୁ କ୍ଷେତ୍ରରେ ଓଡ଼ିଶାକୁ ଆଗେଇ ନେବାରେ ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ବା ସରକାର ଏଭଳି ସଫଳ ହୋଇ ପାରିନଥିବା ଜାତୀୟ ସ୍ତରର ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ରାଜନୀତିକ ଅଭିଜ୍ଞତା ତଥା ଉତ୍ସର୍ଗୀକୃତ ମନୋଭାବ ତାଙ୍କୁ ଆପେ ଜାତୀୟ ରାଜନୀତି ମଂଚରେ ଛିଡ଼ା କରେଇ ଦେଇଛି । ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମୋହନା ବିଧାନସଭା ଆସନରୁ ୧୯୯୦ ଓ ୧୯୯୫ରେ ଜନତା ଦଳ ଟିକଟରେ, ୨୦୦୦, ୨୦୦୪ରେ ବିଜେଡ଼ି ଟିକଟରେ ନିର୍ବାଚିତ ହୋଇଥିବାବେଳେ ୨୦୦୯ ଓ ୨୦୧୪ରେ ବିଜେଡ଼ି ଟିକଟରେ ଦିଗପହଣ୍ଡି ଆସନରୁ ନିର୍ବାଚିତ ହୋଇଥିଲେ । ତାଙ୍କର ବିଧାୟକତ୍ୱ ସମୟରେ ସେ ବିଧାନସଭାର ବିଭିନ୍ନ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟିତ୍ୱ ସଫଳତାର ସହ ତୁଲାଇ ଥିଲା ବେଳେ କୃଷି, ସମବାୟ, ଜଙ୍ଗଲ ଓ ପରିବେଶ, ରାଜସ୍ୱ, ସୂଚନା ଓ ଲୋକସଂପର୍କ, ମତ୍ସ୍ୟ ଓ ପଶୁ ସଂପଦ, ଶକ୍ତି, ସଂସ୍କୃତି ଓ ପର୍ଯ୍ୟଟନ, ବିଜ୍ଞାନ ଓ କାରୀଗରୀ, ଖାଦ୍ୟ ଯୋଗାଣ ଆଦି ବିଭାଗର ମନ୍ତ୍ରୀ ଭାବେ ସଫଳତାର ସହ କାର୍ଯ୍ୟ କରିଆସିଛନ୍ତି । ତାଙ୍କ ମନ୍ତ୍ରୀତ୍ୱ ସମୟରେ ସେ ଖାଦ୍ୟ ଓ ଯୋଗାଣ ବିଭାଗ ସମେତ ଅନ୍ୟାନ୍ୟ ବିଭାଗରେ ବ୍ୟାପକ ସଂସ୍କାର ଆଣିବାରେ ସମର୍ଥ ହୋଇଛନ୍ତି । ଗ୍ରାମ୍ୟ ଉନ୍ନୟନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୧୯୯୫ରେ ଭଞ୍ଜନଗର ଆସନରୁ ଜନତା ଦଳ ଟିକଟରେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବାବେଳେ ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ବିଜେଡ଼ି ଟିକଟରେ ଭଞ୍ଜନଗର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ସରକାରୀ ମୁଖ୍ୟ ସଚେତକ ତଥା ଗ୍ରାମ୍ୟ ଉନ୍ନୟନ, ଆଇନ, ସମବାୟ, ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର, ସାଧାରଣ ଉଦ୍ୟୋଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ମନ୍ତ୍ରୀ ଭାବେ ସଫଳତାର ସହ ନିଜ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି ।
ଯୋଜନା ଓ ସଂଯୋଜନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ ୧୯୯୦ରେ ଜନତା ଦଳ ଟିକଟରେ ଚିକିଟି ଆସନରେ ପ୍ରଥମ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ବିଜେଡ଼ି ଟିକଟରେ ନିର୍ବାଚିତ ହୋଇଛନ୍ତି । ଏହି ସମୟ ମଧ୍ୟରେ ସେ ବିଧାନସଭାର ବିଭିନ୍ନ କମିଟିର ସଦସ୍ୟ ଭାବେ ନିଜର ଦାୟିତ୍ୱ ତୁଲାଇ ଥିଲାବେଳେ ବିଜ୍ଞାନ ଓ କାରୀଗରୀ କୌଶଳ, ହସ୍ତତନ୍ତ, ଯୋଜନା ଓ ସମନ୍ୱୟ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ତଥା ମହିଳା ଓ ଶିଶୁ ବିକାଶ ଆଦି ବିଭାଗର ମନ୍ତ୍ରୀ ଭାବେ ସଫଳତାର ସହ କାର୍ଯ୍ୟ କରିଆସିଛନ୍ତି । ନିଜ ଅଂଚଳରେ ସେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରି ସାଧାରଣ ଲୋକଙ୍କ ପ୍ରିୟ ଭାଜନ ହୋଇଛନ୍ତି । ତାଙ୍କର ରାଜନୀତିକ ଦକ୍ଷତା ରାଜ୍ୟବାସୀ ଜାଣିଛନ୍ତି । ସେ ଜଣେ ଲୋକପି୍ରୟ ନେତ୍ରୀ ଭାବେ ପରିଚିତ । ଭି ସୁଜ୍ଞାନ କୁମାରୀ ଦେଓ ୧୯୬୧ରେ କଂଗ୍ରେସ, ୧୯୭୪ରେ ଉକ୍ରଳ କଂଗ୍ରେସ, ୧୯୭୭ରେ ଜନତା, ୧୯୮୫ରେ ଜନତା ପାର୍ଟି, ୧୯୯୦ ଓ ୧୯୯୫ରେ ଜନତା ଦଳ ତଥା ୨୦୦୦, ୨୦୦୪ରେ ବିଜେଡ଼ିରୁ ଖଲିକୋଟ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବାବେଳେ ୨୦୦୯ ଓ ୨୦୧୪ରେ ରେ ବିଜେଡ଼ି ଟିକଟରେ କବିସୂର୍ଯ୍ୟନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି । ସେ ବିଧାନସଭାର ବିଭିନ୍ନ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟିତ୍ୱ ସଫଳତାର ସହ ତୁଲାଇ ଆସୁଥିବାବେଳେ ନିଜ ଅଂଚଳରେ ଉନ୍ନୟନ କାର୍ଯ୍ୟକୁ ତ୍ୱାରାନ୍ୱିତ କରି ମତଦାତାମାନଙ୍କ ନିଟତର ହୋଇ ପାରିଛନ୍ତି ।
ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ୧୯୯୫ରେ ବ୍ରହ୍ମପୁର ଆସନରୁ ଜନତା ଦଳ ଟିକଟରେ ନିର୍ବାଚିତ ହୋଇଥିବା ବେଳେ ୨୦୦୦,୨୦୦୪, ୨୦୦୯ ଟ ୨୦୧୪ରେ ବିଜେଡ଼ି ଟିକଟରେ ସେହି ବ୍ରହ୍ମପୁର ଆସନରୁ ନିର୍ବାଚିତ ହୋଇ ବିଧାନସଭାର ବିଭିନ୍ନ କମିଟିର ପ୍ରମୁଖ ସଦସ୍ୟ ଭାବେ ସଫଳତାର ସହ ନିଜ ଦାୟିତ୍ୱ ତୁଲାଇଥିଲେ । ବିଧାୟକ ପ୍ରଦୀପ ପାଣିଗ୍ରାହୀ ୨୦୦୯ ଓ ୨୦୧୪ରେ ବିଜେଡ଼ି ଟିକଟରେ ଗୋପାଳପୁର ଆସନରେ ନିର୍ବାଚିତ ହୋଇ ଦ୍ୱିତୀୟ ପାଳିରେ ପାଖାପାଖି ୩ବର୍ଷ ଧରି ଉଚ୍ଚଶିକ୍ଷା, ଗ୍ରାମ୍ୟ ଉନ୍ନୟନ ଏବଂ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ(ସ୍ୱାଧୀନ) ଭାବେ ଦାୟିତ୍ୱ ତୁଲାଇଥିଲେ । ସାନଖେମୁଣ୍ଡି ଆସନରୁ ବିଜେଡ଼ି ଟିକଟରେ ୨୦୧୪ରେ ପ୍ରଥମ ଥର ପାଇଁ ନିର୍ବାଚିତ ବିଧାୟିକା ନନ୍ଦିନୀ ଦେବୀ, ସୋରଡ଼ା ଆସନରୁ ବିଜେଡ଼ି ଟିକଟରେ ୨୦୦୯ ଓ ୨୦୧୪ରେ ନିର୍ବାଚିତ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆସିକା ଆସନରୁ ବିଜେଡ଼ି ଟିକଟରେ ୨୦୦୦, ୨୦୦୯ ଓ ୨୦୧୪ରେ ନିର୍ବାଚିତ ବିଧାୟକ ଦେବରାଜ ମହାନ୍ତି, ପୋଲସରାରୁ ବିଜେଡ଼ି ଟିକଟରେ ୨୦୧୪ରେ ପ୍ରଥମ ଥର ପାଇଁ ନିର୍ବାଚିତ ଶ୍ରୀକାନ୍ତ ସାହୁ ସାଧାରଣ ଲୋକଙ୍କ ସୁଖ-ଦୁଃଖ ସହିତ ଜଡ଼ିତ ଅଛନ୍ତି । ନିଜ ଅଂଚଳରେ ଦଳୀୟ ସଂଗଠନକୁ ମଜଭୁତ କରିବାରେ ସେମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ସେହିପରି ଛତ୍ରପୁର ଆସନରୁ ବିଜେଡ଼ି ଟିକଟରେ ୨୦୧୪ରେ ପ୍ରଥମ ଥର ପାଇଁ ନିର୍ବାଚିତ ପି୍ରୟାଂଶୁ ପ୍ରଧାନ, ଖଲିକୋଟ ସଂରକ୍ଷିତ ଆସନରୁ ୨୦୦୯ ଓ ୨୦୧୪ରେ ବିଜେଡ଼ି ଟିକଟରେ ନିର୍ବାଚିତ ପୂର୍ଣ୍ଣଚନ୍ଦ୍ର ସେଠୀ, ଗଜପତି ଜିଲ୍ଲାର ମୋହନା ଆସନରୁ ୨୦୧୪ରେ ପ୍ରଥମ କରି ବିଜେଡ଼ି ଟିକଟରେ ନିର୍ବାଚିତ ବାସନ୍ତି ମଲ୍ଲିକ ଓ ପାରଳାଖେମୁଣ୍ଡି ଆସନରୁ ୨୦୧୪ରେ ପ୍ରଥମ କରି କଂଗ୍ରେସ ଟିକଟରେ ନିର୍ବାଚିତ କେଙ୍ଗମ ସୂର୍ଯ୍ୟରାଓ ନିଜ ନିର୍ବାଚନ ମଣ୍ଡଳୀରେ ସାଧାରଣ ଲୋକଙ୍କ ସହିତ ଜଡ଼ିତ ଥିଲେ ହେଁ ସେମିତି କିଛି ଆଖିଦୃଶିଆ କାର୍ଯ୍ୟ କରି ନଥିବା ଆଲୋଚନା ହୋଇ ଆସୁଛି । ମୋଟ ଉପରେ ବିଧାୟକ ମାନେ ନିଷ୍ଠାର ସହ କାର୍ଯ୍ୟ କରି ସାଧାରଣ ଲୋକଙ୍କ ପି୍ରୟଭାଜନ ହେଲେ ହିଁ ସମାଜରେ ବାସ୍ତବ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥାଏ ।

Leave a Reply

Your email address will not be published.