ବଦଳୁଛି କେନ୍ଦ୍ରାପଡ଼ାର ରାଜନୀତିକ ଦୃଶ୍ୟ!

ବଦଳୁଛି କେନ୍ଦ୍ରାପଡ଼ାର ରାଜନୀତିକ ଦୃଶ୍ୟ!

ଶରତ କୁମାର ରାଉତ
କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ରାଜନୀତିକ ଦୃଶ୍ୟପଟ୍ଟ କ୍ରମେ ପରିବର୍ତନ ହେବାରେ ଲାଗିଛି । ଗତ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନ ସମେତ ପାଟକୁରା, କେନ୍ଦ୍ରାପଡ଼ା, ମହାକାଳପଡ଼ା ଓ ମାହାଙ୍ଗା ବିଧାନସଭା ଆସନ ବିଜେଡ଼ି ହାତକୁ ଯାଇଥିଲା ବେଳେ ରାଜନଗର, ଆଳି ଓ ସାଲେପୁର ଆସନ କଂଗ୍ରେସ ଅକ୍ତିଆରକୁ ଯାଇଥିଲା । ମାତ୍ର ସମୟ ବଦଳିବା ସହ ଏଠାକାର ରାଜନୀତିକ ପାଣିପାଗ ମଧ୍ୟ ବଦଳିବାରେ ଲାଗିଛି । ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବିନ ବାବୁଙ୍କର ହାୱାରେ କେତେକ ବିଜେଡ଼ି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏଥର ବିଭିନ୍ନ ବିଧାନସଭା ନିର୍ବାଚନ କ୍ଷେତ୍ରରେ ବିଜେଡ଼ିରୁ ଲଢିବାକୁ ଆଶାୟୀଙ୍କ ସଂଖ୍ୟା ୫,୬,୭ ଓ ୮ଥିଲା । ପ୍ରାୟ ସବୁ ଆସନରେ ଦଳୀୟ ପ୍ରାର୍ଥୀତ୍ୱକୁ ନେଇ ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚରମ ସୀମାରେ ପହଂଚିଥିଲା । ଶେଷରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଅନେକ ସମୀକ୍ଷା ପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ । ରାଜନଗରରୁ ଧୃବ ସାହୁଙ୍କୁ ଟିକେଟ ଦିଆ ଯାଇଥିବା ବେଳେ ମହାକାଳପଡ଼ାରୁ ଅତନୁ ଶବ୍ୟସାଚୀ ନାୟକ, ପାଟକୁରାରୁ ବେଦପ୍ରକାଶ ଅଗ୍ରୱାଲା, ଆଳିରୁ ପ୍ରତାପ ଦେବ ଓ କେନ୍ଦ୍ରାପଡ଼ାରୁ ଶଶୀଭୂଷଣ ବେହେରାଙ୍କୁ ଟିକେଟ ଦିଆଯାଇଥିଲା । ମାତ୍ର ଅସନ୍ତୁଷ୍ଟ ଟିକେଟ ଆଶାୟୀ ମାନଙ୍କୁ ନବୀନ ନିବାସ ଡ଼କାଯାଇ କୌଣସି ପ୍ରକାର ଶାନ୍ତ କରାଯାଇଛି । ସେମାନଙ୍କୁ ଜିଲ୍ଲା ବିଜେଡ଼ି ଟିମ୍ ରେ ସାମିଲ କରାଯାଇଛି । ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ପାଇଁ ଟିକେଟ ଆଶାୟୀ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କୁ ବିଜେଡ଼ି ଜିଲ୍ଲା ସଭାପତି ପଦରେ ନିଯୁକ୍ତି ଦେଇଥିବା ବେଳେ ରାଜନଗର ପାଇଁ ଟିକେଟ ଆଶାୟୀ ଅଜିତ ନାୟକଙ୍କୁ ଜିଲ୍ଲା ଉପସଭାପତି ତଥା ରାଜନଗର ପାଇଁ ଟିକେଟ ଆଶାୟୀ ନିଶିକାନ୍ତ ପ୍ରଧାନଙ୍କୁ ଜିଲ୍ଲା ସାଧାରଣ ସଂପାଦକ ପଦରେ ନିଯୁକ୍ତି ଦେଇଛନ୍ତି ।
ସଂପ୍ରତି ରାଜନଗର ବିଧାନସଭା କ୍ଷେତ୍ରର ରାଜନୀତିକ ପାଣିପାଗ ବଦଳୁଛି । ଏଥର ଏହି ନିର୍ବାଚନ କ୍ଷେତ୍ରରେ ବିଜେଡ଼ିରୁ ଧୃବ ସାହୁ, କଂଗ୍ରେସରୁ ବିଧାୟକ ଅଂଶୁମାନ ମହାନ୍ତି ଓ ବିଜେପିରୁ ଅଲେଖ ଜେନାଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବ । ରାଜନଗର ବିଧାନସଭା କ୍ଷେତ୍ର ଅନୁଧ୍ୟାନ ପରେ ଜାଣିବାକୁ ମିଳୁଛି ଯେ, ବିଧାୟକ ଅଂଶୁମାନ ମହାନ୍ତି ନିଜ ସଂଗଠନକୁ ମଜଭୁତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ମୁଖ୍ୟତଃ ଏଠାରେ ବିଜେପିର କୌଣସି ସଶକ୍ତ ସଂଗଠନ ନଥିଲେ ମଧ୍ୟ ପୂର୍ବତନ ବିଧାୟକ ଅଲେଖ ଜେନା ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି । ସମଗ୍ର ରାଜନଗର ବିଧାନସଭା ଅଂଚଳରେ ବିଜେଡ଼ି ପ୍ରାର୍ଥୀ ଧୃବ ସାହୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରି ସାଧାରଣ ଲୋକଙ୍କ ପ୍ରିୟ ଭାଜନ ହୋଇଛନ୍ତି । ତାଙ୍କର ରାଜନୀତିକ ଦକ୍ଷତା ଜିଲ୍ଲାବାସୀ ଜାଣିଛନ୍ତି । ଜିଲ୍ଲା ବିଜେଡ଼ି ସଭାପତି ଦାୟୀତ୍ୱରେ ରହି ସେ ଜିଲ୍ଲାର ବହୁ ଉନ୍ନୟନ କାର୍ଯ୍ୟ ସହିତ ଜଡ଼ିତ ରହିଛନ୍ତି । ବହୁପ୍ରତିଭାର ଅଧିକାରୀ ଧୃବ ବାବୁ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଇତିଧ୍ୟରେ ନିଜର ପ୍ରଚଣ୍ଡ ବ୍ୟକ୍ତିତ୍ୱ ଓ ଅମାୟିକତ୍ୱ ପାଇଁ ସେ ରାଜନଗର ବାସୀଙ୍କର ଅତି ନିକଟତର ହୋଇ ପାରିଛନ୍ତି । ରାଜନଗର ଅଂଚଳରେ ତାଙ୍କର ବ୍ୟାପକ ଲୋକ ସଂପର୍କ ଥିବାରୁ ଏହି ଆସନରେ ସେ ସହଜ ବିଜୟ ଳାଭ କରିବେ ବୋଲି ରାଜନୀତିକ ସମୀକ୍ଷକ ମାନଙ୍କ ମତ । ତାଙ୍କ ପ୍ରତିନିଧିତ୍ୱ ବଳରେ ଚିର ଅବହେଳିତ ରାଜନଗର ଅଂଚଳ ବିକାଶ ପଥରେ ଆଗେଇ ପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ମହାକାଳପଡ଼ା ବିଧାନସଭା କ୍ଷେତ୍ରରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ବିଜେଡ଼ି ସଂଗଠନ ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ବିଜେଡ଼ି ବା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କର ଏଠାରେ କୌଣସି ସଶକ୍ତ ସଂଗଠନ ନଥିଲା କି ଏବେ ନାହିଁ । ବରଂ ନବୀନ ପଟ୍ଟନାୟକଙ୍କ ହାୱା ଯୋଗୁ ଶ୍ରୀ ନାୟକ ଏଠାରୁ ବିଜୟୀ ହୋଇଛନ୍ତି । ସ୍ଥାନୀୟ ବିଜେଡ଼ିର ନାମ ମାତ୍ର ସଂଗଠନଟି ଅତନୁବାବୁଙ୍କୁ ବିରୋଧ କରିବା ଆରମ୍ଭ କରିଛି । ଏଠାରେ ବିଜେପିରୁ ବିଜୟ ପ୍ରଧାନ ଓ କଂଗେସରୁ ବିଭ୍ରାଂଶୁ ଶେଖର ଲେଙ୍କା ପ୍ରତିଦ୍ୱନ୍ଦିତା କରୁଛନ୍ତି । କଂଗ୍ରେସ ଏଠାରେ ବହୁ ପଛରେ ପଡ଼ିଥିବା ଦେଖାଯାଉଛି । ବିଜେପିର ଏଠାରେ ଶକ୍ତି ବୃଦ୍ଧି ପାଇବାରେ ଲାଗିଛି । ବହୁ ପୂର୍ବରୁ ଏଠାରେ ବିଜେପି ସଂଗଠନ ମଜଭୁତ ରହିଛି । ଏଥର ବିଜେପି ଓ ବିଜେଡ଼ି ମଧ୍ୟରେ ଦ୍ୱିମୁଖୀ ଲଢେଇ ହେବ ବୋଲି ଜଣାପଡ଼ୁଛି ।
ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ କେଶରୀ ଦେବ ଆଳି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ସଂଗଠନକୁ ମଜଭୁତ କରିବାରେ ଲାଗି ପଡ଼ିଛନ୍ତି । ଅନ୍ୟ ପକ୍ଷରେ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ କଂଗ୍ରେସ ସଂଗଠନ ମଧ୍ୟ ନିଜର କାୟା ବିସ୍ତାର କରି ଚାଲିଛି । ବିଜେପି ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ ମଧ୍ୟ ନିଜର ସଂଗଠନକୁ ମଜଭୁତ କରି ଚାଲିଛନ୍ତି । ଏଠାରେ ତି୍ରମୁଖୀ ଲଢେଇ ହେବାର ଆକଳନ କରାଯାଉଛି । ପାଟକୁରା ନିର୍ବାଚନ ମଣ୍ଡଳୀରେ ବେଦ ପ୍ରକାଶ ଅଗ୍ରୱାଲାଙ୍କର ଲୋକପ୍ରିୟତା ଧୀରେଧୀରେ ହ୍ରାସ ପାଉଛି । ଏଠାରେ କଂଗ୍ରେସ ପ୍ରାର୍ଥୀ ଭାବେ ରହିଛନ୍ତି ଜୟନ୍ତ ମହାନ୍ତି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ସବୁଠୁ ଭଲ ସ୍ଥିତିରେ ରହିଛନ୍ତି । ପାଟକୁରା ଅଂଚଳର ଅଧିକାଂଶ ମତଦାତା ବିଜୟ ବାବୁଙ୍କୁ ସମର୍ଥନ କରୁଛନ୍ତି । ତାଙ୍କର ଏଥର ସହଜ ବିଜୟ ହେବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । କେନ୍ଦ୍ରାପଡ଼ା ସଂରକ୍ଷିତ ବିଧାନସଭା ଆସନରେ ବିଜେଡ଼ିର ସଂଗଠନ ଅପେକ୍ଷାକୃତ ଦୁର୍ବଳ ଥିବାବେଳେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ କଂଗ୍ରେସ ସଂଗଠନ ନିଜର କାୟା ବିସ୍ତାର କରିଚାଲିଛି । ସୁନାକର ବେହେରା ଏଠାରେ ବିଜେପି ପ୍ରାର୍ଥୀ ଭାବେ ଲଢୁଛନ୍ତି । ମାତ୍ର ବିଜେପିର ସଂଗଠନ ଏଠାରେ ସେମିତି କିଛି ସକି୍ରୟ ଥିବା ଭଳି ଦେଖାଯାଉନାହିଁ । ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତାରେ ଅଛନ୍ତି ବିଜେଡ଼ି ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରତାପ ଜେନା, କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ରନାଥ ସାହୁ ଓ ବିଜେପି ପ୍ରାର୍ଥୀ ସାରଦା ପ୍ରଧାନ । ବିଜେଡ଼ି ସଂଗଠନରେ ପୂର୍ବପରି ମନ୍ତ୍ରୀ ପ୍ରତାପ ଜେନାଙ୍କର ପ୍ରଭାବ ଆଉ ନାହିଁ । ମାତ୍ର ସାରଦା ପ୍ରଧାନଙ୍କର ଲୋକପି୍ରୟତା ବଢି ଚାଲିଛି । ବିଜେପିର ଶକ୍ତି ବୃଦ୍ଧି ହେଉଛି । ଏଠାରେ ବିଜେଡ଼ି ଓ ବିଜେପି ମଧ୍ୟରେ ଲଢେଇ ହେବା ପ୍ରାୟ ନିଶ୍ଚିତ ବୋଲି ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି । ସେହିପରି ସାଲେପୁରରେ ବିଧାୟକ ତଥା ବିଜେପି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଦଳୀୟ ସଂଗଠନ ମଜଭୁତ ହେବାରେ ଲାଗିଛି । ଏଠାରେ ବିଜେଡ଼ି ପ୍ରାର୍ଥୀ ପ୍ରଶାନ୍ତ ବେହେରା ଦଳୀୟ ସଂଗଠନକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଦେଖା ଯାଉଛି । କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ରନାଥ କର ମଧ୍ୟ ଦଳୀୟ ସଂଗଠନକୁ ମଜଭୁତ କରାଇବାରେ ଲାଗି ପଡ଼ିଛନ୍ତି । ତେବେ ଏଠାରେ ତି୍ରମୁଖୀ ଲଢେଇ ହେବାର ଆକଳନ କରାଯାଉଛି ।
କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେଡ଼ିରୁ ଅଭିନେତା ଅନୁଭବ ମହାନ୍ତି, କଂଗ୍ରେସରୁ ଧରଣୀଧର ନାୟକ ଓ ବିଜେପିରୁ ବୈଜୟନ୍ତ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ସମସ୍ତ ପ୍ରାର୍ଥୀ ଉଚ୍ଚ ଶିକ୍ଷିତ, ମର୍ଯ୍ୟାଦା ସଂପନ୍ନ ଓ ସାରା ରାଜ୍ୟରେ ସୁପରିଚିତ ଥିବାରୁ ଏଠାରେ ତ୍ରିମୁଖୀ ଲଢେଇ ହେବା ପ୍ରାୟ ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି । ଏଠାରେ ପ୍ରତ୍ୟେକ ପ୍ରାର୍ଥୀଙ୍କର ଦଳୀୟ ସଂଗଠନ ମଧ୍ୟ ମଜଭୁତ ରହିଛି । ମାତ୍ର ଏଠାକାର ପୂର୍ବତନ ସାଂସଦ ବୈଜୟନ୍ତ ବାବୁ ସ୍ଥାନୀୟ ସମସ୍ୟାକୁ ଗୁରୁତ୍ୱ ଦେଇ ଅନେକ ଉନ୍ନୟନ କାର୍ଯ୍ୟକୁ ଆଗେଇ ନେଇଛନ୍ତି । ବାସ୍ତବରେ ସାଧାରଣ ଲୋକଙ୍କ ଉନ୍ନୟନ କାର୍ଯ୍ୟରେ ସେ ନିଜକୁ ସଂପୂର୍ଣ୍ଣ ଭାବେ ଉତ୍ସର୍ଗ କରିଛନ୍ତି । ବୈଜୟନ୍ତ ପଣ୍ଡା ଜଣେ ଭିନ୍ନ ଚରିତ୍ରର ମଣିଷ । ସେ ସବୁବେଳେ କେନ୍ଦ୍ରାପଡ଼ା ଅଂଚଳରେ ରହି ଲୋକ ମାନଙ୍କ ସୁଖ-ଦୁଃଖରେ ଭାଗୀ ହେଉଥିବା ଦେଖା ଯାଇଛି । ଦଳମତ ନିର୍ବିଶେଷରେ କେନ୍ଦ୍ରାପଡ଼ାର ସାଧାରଣ ମଣିଷକୁ ସେ ବନ୍ଧୁ ଭାବରେ ଗ୍ରହଣ କରିଥିବା ବେଳେ ତାଙ୍କ ପ୍ରତି ମଧ୍ୟ କେନ୍ଦ୍ରାପଡ଼ା ବାସୀଙ୍କର ଅକୁଣ୍ଠ ସମର୍ଥନ ଦେଖିବାକୁ ମିଳୁଛି । କେନ୍ଦ୍ରାପଡ଼ା ଅଂଚଳରେ ତାଙ୍କର ଲୋକପି୍ରୟତା କ୍ରମେ ବଢୁଥିବାରୁ ସେ ସହଜରେ ଏଠାରୁ ବିଜୟୀ ହେବେ ଏବଂ କେନ୍ଦ୍ରାପଡ଼ା ତାଙ୍କର ଅଭେଦ୍ୟ ଦୁର୍ଗ ହୋଇ ରହିଯିବ ବୋଲି ରାଜନୀତିକ ବିଶେଷଜ୍ଞ ମାନେ ମତ ଦେଉଛନ୍ତି ।

Leave a Reply

Your email address will not be published.