ବାବା ମଧୁସୂଦନଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବ ଉଦଯାପିତ

ବାବା ମଧୁସୂଦନଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବ ଉଦଯାପିତ

ନୟାହାଟ, (ଆଇଏନ୍ଏସ୍): ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରର ପ୍ରତିଷ୍ଠାତା ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବ ଆନୁଷ୍ଠାନିକ ଭାବରେ ଉଦଯାପିତ ହୋଇଯାଇଛି । ଏହି ଉତ୍ସବକୁ ଆନ୍ତର୍ଜାତିକ କ୍ରିୟା ଯୋଗ ସଂସ୍ଥାର ଅଧ୍ୟକ୍ଷ ପ୍ରଜ୍ଞାନାନନ୍ଦଜୀ ପୌରୋହିତ୍ୟ କରିଥିଲେ । ଜଳ ସଂପଦ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାବା ମଧୁସୂଦନଙ୍କ ଅପାର କରୁଣାରୁ ଏହି ପୂଣ୍ୟ ପୀଠରେ ଦୀର୍ଘ ତିନି ଦିନ ଧରି ଚାଲୁଥିବା ପବିତ୍ର ଜନ୍ମ ଶତବାର୍ଷିକ ମହୋତ୍ସବରେ ଉପସ୍ଥିତ ହୋଇଥିବାରୁ ନିଜକୁ ଧନ୍ୟ ମନେ କରୁଛି ଏବଂ ଏହି ପୂଣ୍ୟତୋୟା ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ କହିଥିଲେ । ଆଶ୍ରମର ଅଧ୍ୟକ୍ଷ ବାବାଜୀ ଦାମୋଦର ଦାସ ଅତିଥି ପରିଚୟ ସହ ଅତିଥିମାନଙ୍କୁ ପୁଷ୍ପ ଓ ଉତରୀୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ, ବାବାଜୀ ସତ୍ୟାନନ୍ଦ ଦାସ, ବାବା ବିପିନ ବିହାରୀ ଦାସ, ସମ୍ବଲପୁର କମାଣ୍ଡାଂଟ ବିଷ୍ଣୁପଦ ଦାସ, ଜିଲ୍ଲା ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ସ୍ୱାଧୀନ ନାୟକ, ସମାଜସେବୀ କମଳାକାନ୍ତ ମହାପାତ୍ର ପ୍ରେମାଚାର୍ଯ୍ୟଙ୍କ ଅଲୌକିକ ଘଟଣା ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ଦିନରେ ସ୍ୱାମୀ ସଦାନନ୍ସ ସରସ୍ୱତୀ, ବାବା ବ୍ରଜବନ୍ଧୁ ଦାସ, ଶପଥ ମହାପାତ୍ର, ଡା. ତାରକା ପ୍ରସନ୍ନ ତ୍ରିପାଠୀ, ଡ. ନରେଶ ଚନ୍ଦ୍ର ଦାସ, ଡ. ରମେଶ ଚନ୍ଦ୍ର ଚିନ୍ନରା ଓ ଡ. ରତ୍ନାକର ମହାନ୍ତି ପ୍ରମୁଖ ମଧୁସୂଦନ ଦର୍ଶନରେ ଶ୍ରୀ ଜଗନ୍ନାଥ ଚେତନା ବିଷୟରେ ଆଲୋଚନା କରିଥିଲେ ।
ଏହି ଅବସରରେ ସମସ୍ତ ମନ୍ଦିରମାନଙ୍କରେ ପୂଜାର୍ଚ୍ଚନା ପରେ ଶ୍ରୀ ଗୁରୁଦେବଙ୍କୁ ବନ୍ଦାପନା କରାଯାଇଥିଲା । ବାତ୍ସଲ୍ୟ ଭାବରେ ଝୁଲଣ ପର୍ବ, କ୍ଷୀର ପାନ ଆଦି ଭକ୍ତମାନେ କରିଥିଲେ । ପ୍ରେମାଚାର୍ଯ୍ୟଙ୍କ ଜୀବନୀ ଆଧାରିତ ସମ୍ବଲପୁରୀ ଭାଷାରେ ସୁରେଶ ଚନ୍ଦ୍ର ଦାସ ଓ ସାଥୀମାନଙ୍କ ଦ୍ୱାରା ଉଚ୍ଚକୋଟିର ପାଲା ପରିବେଷଣ ଉପସ୍ଥିତ ଭକ୍ତ, ଶ୍ରଦ୍ଧାଳୁ ଓ ଇଶ୍ୱରପ୍ରେମୀ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସେବିକା ଶକୁନ୍ତଳା ଦାସ, ସବିତା ଦାସ, ରଂଜନ ଦିକ୍ଷୀତ, ଅଭୟ ରାୟ, ଶଶୀକାନ୍ତ ଖୁଂଟିଆ, ଧିର ଭାଇ, ବୁଲାକି ଭାଇ, ସଦାଶିବ ସାହୁ, ଶ୍ରୀନିବାସ ସାହୁ, ବ୍ରଜବନ୍ଧୁ ସାହୁ ଓ ପ୍ରୀତିରଂଜନ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ସ୍ଥାନୀୟ ଜନସାଧାରଣ, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ମାନେ ସହଯୋଗ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ପ୍ରତିବର୍ଷ ପରି ଜନ୍ମ ଉତ୍ସବର ୫ ଦିନରେ ପଂଚୁଆତି ପୂଜା, ୬ଷ୍ଠ ଦିନରେ ଷଷ୍ଠୀ ପୂଜା ଓ ୨୧ ଦିନରେ ନାମକରଣ ଉତ୍ସବ ଆଶ୍ରମରେ ପାଳନ କରାଯିବ ବୋଲି ସେବକ ତଥା ପ୍ରଚାର ପ୍ରମୁଖ ପ୍ରୀତିରଂଜନ ଦାସ ସୂଚନା ଦେଇଛନ୍ତି । ଶେଷରେ ବାବାଜୀ ଦିବାକର ଦାସ ତିନି ଦିନ ବ୍ୟାପି ଉତ୍ସବରେ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରେମାଚାର୍ଯ୍ୟଙ୍କ ଦ୍ୱାରା ରଚିତ ଭକ୍ତ ଓ ଭଗବାନ ନାଟକକୁ ଭକ୍ତମାନେ ପରିବେଷଣ କରିଥିଲେ ।

Leave a Reply

Your email address will not be published.