ବାଲେଶ୍ୱର ରେଳ ଷ୍ଟେସନରେ ସୁରକ୍ଷିତ ନୁହଁନ୍ତି ଯାତ୍ରୀ।

ବାଲେଶ୍ୱର ରେଳ ଷ୍ଟେସନରେ ସୁରକ୍ଷିତ ନୁହଁନ୍ତି ଯାତ୍ରୀ।

ବାଲେଶ୍ୱର, (ଆଇଏନ୍ଏସ୍) : ବାଲେଶ୍ୱର ସହର ଅପରାଧିଙ୍କ ଚରାଭୂଇଁ ପାଲଟିଛି । ବ୍ରାଉନ୍ସୁଗାର ହବ୍ ଭାବେ ପରିଚିତ ବାଲେଶ୍ୱର ସହର କେବଳ ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ ନୁହେଁ, ଏହି ସହରରେ ହତ୍ୟା, ଛିନତାୟୀ, ସହିତ ଅପହରଣ ଭଳି ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହେଲାଣି । ଏଥିରୁ ବାଦ ପଡ଼ିନାହିଁ ବାଲେଶ୍ୱର ରେଳଷ୍ଟେସନ । ୨୪ଘଂଟା ଆରପିଏଫ ଓ ଜିଆରପିଙ୍କ ନଜରରେ ଥିବା ବାଲେଶ୍ୱର ରେଳ ଷ୍ଟେସନରେ ମଧ୍ୟ ଅପରାଧି ସକ୍ରିୟ ରହିଛନ୍ତି । ଚଳିତ ମାସ ୩ତାରିଖ ରାତିରେ ୧ନମ୍ବର ପ୍ଲାଟଫର୍ମରୁ ୩ମାସର ପିଲା ଚୋରୀ ଘଟଣା ଏହାର ଜ୍ୱଳନ୍ତ ପ୍ରମାଣ ।
ଚଳିତ ମାସ ୩ ତାରିଖ ରାତି । ବାଲେଶ୍ୱର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ୪ପିଲାଙ୍କ ସହିତ ଶୋଇଥିଲା ସୀତା ମାରାଣ୍ଡି । ନିଦ ଭାଙ୍ଗିଲା ବେଳକୁ ତା’ର ୩ମାସର ପୁଅ କ୍ରିଷ୍ଣା ତା’ ନିକଟରେ ନଥିଲା । ବହୁ ଖୋଜାଖୋଜି ପରେ ପୁଅକୁ ପାଇ ନଥିଲା ସୀତା । ପରଦିନ ଜିଆରପି ଥାନାରେ ଏତଲା ଦେଇଥିଲା ସେ । ଏତଲା ପାଇବା ପରେ ଜିଆରପି ୬୨/୧୯ ନମ୍ବରର କେସ୍ ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ସେହିଦିନ ଜଳେଶ୍ୱର ନିକଟରୁ ଏକ ଟ୍ରେନ୍ରୁ ପିଲାଟିକୁ ଜିଆରପି ଉଦ୍ଧାର କରି ସିଡବ୍ଲୁ୍ୟସିକୁ ହସ୍ତାନ୍ତର କରିବା ପରେ ପିଲାଟିକୁ ନିର୍ମଳା ମିସନାରୀରେ ରଖାଯାଇଥିବା ବେଳେ ସମସ୍ତ ତଥ୍ୟ, ପ୍ରମାଣ ଦେଇ ଗତକାଲି(ତା.୧୧.୧୦.୧୯ରିଖ) ସିଡବ୍ଲୁ୍ୟସିଙ୍କ ନିକଟରୁ ପିଲାକୁ ତା’ର ମା’ ସୀତା ମାରାଣ୍ଡି ଗ୍ରହଣ କରିଛି ।
ପ୍ରକାଶଯୋଗ୍ୟଯେ, ସୀତା ମାରାଣ୍ଡିର ଘର ଚନ୍ଦନେଶ୍ୱରର ସିରିଦାସପୁର ଗ୍ରାମରେ । ସେ କିଛିଦିନ ଧରି ସହଦେବଖୁଂଟା ଥାନା ଅନ୍ତର୍ଗତ ବୁଧିବସା ଗ୍ରାମରେ ଭଡ଼ାରେ ରହୁଥିଲା । ୩ତାରିଖରେ ହୋଇଥିବା ପ୍ରବଳ ବର୍ଷାରେ ଘର ଭିତରେ ପାଣି ପସି ଯିବାରୁ ସୀତା ୪ ପିଲାଙ୍କ ସହିତ ୧ନମ୍ବର ପ୍ଲାଟଫର୍ମରେ ରାତିରେ ଶୋଇଥିବା ବେଳେ ତାର ୩ମାସର ଶିଶୁ ପୁତ୍ର ଚୋରୀ ହୋଇଯାଇଥିଲା । ଏହି ଘଟଣାରେ ଜିଆରପି, ଶୋଭାରାମପୁରର ପାଣ୍ଡିଆ କିସ୍କୋ, ବାଲିଆର ପି. ଜଗିପାତ୍ର ଓ ତାର ସ୍ତ୍ରୀ ଡି. ମହାଲକ୍ଷ୍ମୀ ପାତ୍ରଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି । କିନ୍ତୁ ବର୍ତମାନ ସୁଧା ଏହି ଘଟଣାର ମାଷ୍ଟରମାଇଣ୍ଡକୁ ଜିଆରପି ଗିରଫ କରିପାରି ନାହିଁ ।
ଏହି ଘଟଣା ପ୍ରମାଣିତ କରୁଛିଯେ, ବାଲେଶ୍ୱର ସହର ସମେତ ରେଳଷ୍ଟେସନ ଅପରାଧିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ରେଳ ଷ୍ଟେସନ ୨୪ଘଂଟା ଆରପିଏଫ ଓ ଜିଆରପିଙ୍କ ନଜରରେ ଥିବାବେଳେ ପ୍ଲାଟଫର୍ମରୁ ପିଲାଚୋରୀ ହେବା ଘଟଣା ଆରପିଏଫ୍ ଓ ଜିଆରପିର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ କରୁଛି । ଏଥି ସହିତ ଏହି ଘଟଣା ପ୍ରମାଣିତ କରୁଛିଯେ, ବାଲେଶ୍ୱର ରେଳ ଷ୍ଟେସନରେ ଯାତ୍ରୀମାନେ ସୁରକ୍ଷିତ ନୁହଁନ୍ତି ।

Leave a Reply

Your email address will not be published.