ବିଏମସି କର୍ମଚାରୀଙ୍କୁ କରୋନା ଯୋଦ୍ଧା ସମ୍ମାନ
ଭୁବନେଶ୍ୱର, (ଆଇଏନ୍ଏସ୍): କରୋନା ମହାମାରୀରେ ନିଜ ଜୀବନକୁ ବାଜି ଲଗାଇ ପରିବେଶ ଓ ରାସ୍ତାଘାଟ ଏବଂ କଲୋନୀକୁ ସଫାସୁତୁରା ରଖିଥିବା ବିଏମସି କର୍ମଚାରୀଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଛି । ୮ ନମ୍ବର ୱାର୍ଡ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଦୁର୍ଗାପୂଜା ପଡିଆ ଠାରେ ଯୁବନେତା ତଥା ସମାଜସେବୀ ମନୋଜ ସାହୁଙ୍କ ନେତୃତ୍ୱରେ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଏମ୍ସିର ଡେପୁଟି କମିଶନର ସୁରତ ମଲ୍ଲିକ କହିଥିଲେ, ଜନସାଧାରଣଙ୍କ ସେବା ପାଇଁ ସବୁବେଳେ ବିଏମସି ତା’ର କାର୍ଯ୍ୟ ଜାରି ରଖିଛି । ପରିବେଶକୁ ପରିଚ୍ଛନ୍ନ ରଖୁଥିବା ସଫେଇ କର୍ମଚାରୀ ହେଉଛନ୍ତି ପ୍ରକୃତ ଯୋଦ୍ଧା । ସେମାନଙ୍କୁ ସମ୍ମାନୀତ କଲେ ତାଙ୍କର କାମ କରିବାର ଉତ୍ସାହ ବଢ଼ିବ । ଏଥିସହିତ ମନୋଜ ସାହୁଙ୍କୁ ଦୀର୍ଘ ୬୦ ଦିନର କାର୍ଯ୍ୟକୁ ପ୍ରଶଂସା କରିବା ସହ ସଫେଇ କର୍ମଚାରୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମାନୀତ ଅତିଥି ଭାବେ ଡିଷ୍ଟି୍ରକ୍ଟ ସେଂଟର ଓନରସ୍ ଆସୋସିଏସନ୍ର ସାଧାରଣ ସଂପାଦକ ସତ୍ୟନାରାୟଣ ମହାନ୍ତି, ସାମ୍ବାଦିକ ସୁକାନ୍ତ ରାଉତ, ରାମକୀର କର୍ମଚାରୀ କେ.ଏଲ୍. ଶ୍ରୀନିବାସ, ମନୋଜ ସିଂ, ଲକ୍ଷ୍ମୀଧର ପ୍ରଧାନ ଓ ଆବାସିକ ସଂଘର କୋଷାଧ୍ୟକ୍ଷ ସୁନିଲ ରାଏ ପ୍ରମୁଖ ଯୋଗଦେଇ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଅବସରରେ ସଫେଇ କର୍ମଚାରୀ ଓ ସୁପରଭାଇଜର ପର୍ଶୁନାଥ ଘଡେଇ, ବିଜୟ କୁମାର ବେହେରା, ସୋମନାଥ ବେହେରା, କିଶୋର କୁମାର ରାଉତଙ୍କୁ ଉତରୀୟ ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା ଏବଂ କର୍ମଚାରୀ ମାନଙ୍କୁ ଶ୍ରୀଯୁକ୍ତ ସାହୁଙ୍କ ତରଫରୁ ପନିପରିବା ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉଦୀୟମାନ ଯୁବକ କାଠିଆ, ଯଗା, କାଳୁ, ସଂଗ୍ରାମ, ପିଲୁ, ଚନ୍ଦୁ, ରାମ, ଦେବେନ୍ଦ୍ର, ରାଜା ଓ ଲିପୁ ପ୍ରମୁଖ ସହଯୋଗ କରିଥିଲେ ।