ଭୋଟ ବ୍ୟାଙ୍କ ସୃଷ୍ଟି ପାଇଁ ନୂଆ ଯୋଜନା!
ଗଣତନ୍ତ୍ର ନାମରେ, ସଂଖ୍ୟାଗରିଷ୍ଠତା ନାମରେ, ଏଠାରେ ନିଜର ଭୋଟ ବ୍ୟାଙ୍କ ସୃଷ୍ଟି ପାଇଁ ଯିଏ ଯାହା ପାରିବ, କରି ପାରିବ, ଏହାର ଏକ ସଦ୍ୟତମ ଉଦାହରଣ ହେଲା, ଉଚବର୍ଣ୍ଣର ଲୋକମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା । କଥାଟି ଭାବିଲେ ଆଶ୍ଚର୍ଯ୍ୟ ହେବା ଛଡା ଅନ୍ୟ କୌଣସି ଉପାୟ ନାହିଁ । କେନ୍ଦ୍ର ସରକାର ସାଧାରଣ ବର୍ଗ ବିଶେଷ କରି ଉଚବର୍ଣ୍ଣର ଅଥନୈତିକ ଅନଗ୍ରସର ଲୋକଙ୍କ ପାଇଁ ୧୦ ଶତାଂଶ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି । ଏହା ପୂର୍ବରୁ ତଫସିଲ ଜାତି, ଜନଜାତି ଓ ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀର ଲୋକଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା ରହିଛି ।
ସରକାରଙ୍କ ଏଭଳି ସିଦ୍ଧାନ୍ତ ଆମକୁ ଜଣାଇ ଦିଏ କ୍ଷଙ୍କ, ସମ୍ବିଧାନର ମୂଳ ସିଦ୍ଧାନ୍ତକୁ ଆମ ସରକାର କେତେ ଗୁରୁତ୍ୱ ଦିଅନ୍ତି । ଏମାନେ କେବଳ ନିଜର ଭୋଟ ବ୍ୟାଙ୍କ ସୃଷ୍ଟି କରିବାକୁ ଚାହାନ୍ତି । ଯେକୌଣସି ପ୍ରକାରେ କେବଳ ନିର୍ବାଚନରେ ଜିତିଲେ ହେଲା । ଉଚବର୍ଗର ଲୋକମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କେତେଦୂର କାର୍ଯ୍ୟକାରି ହୋଇ ପାରିବ ସେ ନେଇ ସନେ୍ଦହ ରହିଛି । କାରଣ ସଂରକ୍ଷଣ ପାଇଁ ଅଦାଲତ ସର୍ବୋଚ ସୀମା ନିର୍ଦ୍ଧାରଣ କରିଛନ୍ତି ପଚାଶ ଭାଗ । ଯଦି ଉଚବର୍ଗର ୧୦ ଭାଗ ସଂରକ୍ଷଣ କାର୍ଯ୍ୟକାରି କରାଯାଏ, ତେବେ ପଚାଶ ଭାଗକୁ ଏହା ଟପିଯିବ । ଦ୍ୱିତୀୟ କଥା ହେଲା ଅଦାଲତ ପୂର୍ବରୁ କହିଛନ୍ତି, ଭାରତୀୟ ସମ୍ବିଧାନରେ ସଂରକ୍ଷଣ କେବଳ ଐତିହାସିକ ଭାବେ ଦୁର୍ବଳଶ୍ରେଣୀ ଳୋକଙ୍କୁ ଦିଆଯିବ । ଉଚବର୍ଗର ଲୋକମାନେ ଐତିହାସିକ ଭାବେ ଅବହେଳିତ ନୁହନ୍ତି ।
ଇଏ ଗଲା ଆଇନର କଥା । ଏହା ଉପରେ ଆଉ ଏକ ଆପତି ରହିଛି । ତାହା ହେଲା ନୈତିକତାର ଆପତି । ଉଚବର୍ଗର ଲୋକମାନଙ୍କ ପାଇଁ ସଂରକ୍ଷଣ ଅନୁଚିତ, ଐତିହାସିକ ଭାବେ ବଂଚିତ ଲୋକମାନଙ୍କ ପାଇଁ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ରହିବା ଉଚିତ ନୁହେଁ । ରାଷ୍ଟ୍ର ସେମାନଙ୍କର ଶିକ୍ଷାର ବ୍ୟବସ୍ଥା କରିବା ଉଚିତ । ସେଥିପ୍ରତି ୍ରଗ୍ରାଧିକାର ଦିଆଯାଉ । ଯୁଗ ଯୁଗ ଧରି ସେମାନେ ବଂଚିତ ହୋଇ ଆସୁଛନ୍ତି । ସେଥିପ୍ରତି ବ୍ୟବସ୍ଥା ଗ୍ରହଣ କରାଯାଉ । କେବଳ ଚାକିରିରେ ସଂରକ୍ଷଣ ଏଇ ସମସ୍ୟାର ସମାଧାନ ନୁହେଁ ।
ଚାକିରିରେ କେବଳ ମେଧା ଓ ଦକ୍ଷତାକୁ ଗୁରୁତ୍ୱ ଦିଆଯାଉ । ଏ କ୍ଷେତ୍ରରେ ଉଚବର୍ଗକୁ ସଂରକ୍ଷଣ ଆହୁରି ଅନ୍ୟାୟ । କାରଣ ଐତିହାସିକ ଭାବେ ସବୁ ସୁଯୋଗ ଏମାନଙ୍କ ଦ୍ୱାରା ବ୍ୟବହାର ହୋଇ ଆସୁଛି । ସେମାନେ ସବୁ ସୁବିଧା ପାଇ ଚାଲିଛନ୍ତି । ଯେକୌଣସି ପ୍ରତିଯୋଗିତାରେ ଭାଗ ନେବାର ପରାକାଷ୍ଠା ସେମାନଙ୍କର ରହିଛି । ଭାରତୀୟ ରାଜନୀତିରେ ଉଚବର୍ଗର ଲୋକମାନଙ୍କ ପାଇଁ ସଂରକ୍ଷଣର ଦାବି ପେଶ କରିବାର ପରିସ୍ଥିତି ସୃଷ୍ଟି ହୋଇଛି, ଏହାହିଁ ଲଜ୍ୟାକର ବିଷୟ ।
ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ, ଏଇ ଶ୍ରେଣି ବାଛିବା ପାଇଁ କେନ୍ଦ୍ର ସରକାରଙ୍କ ନୀତି କଣ ତାହା ସ୍ପଷ୍ଟ ନୁହେଁ । ଗତ ବଜେଟରେ ଅର୍ଥମନ୍ତ୍ରୀ ପ୍ରକାଶ କରିଥିଲେ ଯେ, ପଚାଶ ଲକ୍ଷରୁ କମ ଆୟକରଦାତାଙ୍କ ବାର୍ଷିକ ଆୟ ପାଂଚଲକ୍ଷରୁ କମ । ପାରିବାରିକ ଆୟ ବାର୍ଷିକ ଆଠ ଲକ୍ଷରୁ ଅଧିଙ୍କ ସଂଖ୍ୟା ଏହା ଠାରୁ କମ । ସେଇପରି କୃଷି ଜମିଥିବା ପରିବାରଙ୍କ ସଂଖ୍ୟା ସତୁରି ଭାଗ, ଯେଉଁମାନଙ୍କର ଜମି ପ୍ରାୟ ଅଢେଇ ଏକରରୁ କମ । ପାଂଚ ଏକର ଜମି ଥିବା ଲୋକଙ୍କ ସଂଖ୍ୟା ହାତ ଗଣତି । ହଜାରେ ବର୍ଗଫୁଟର ଫ୍ଲାଟ ସହରରେ ଥିବା ଲୋକଙ୍କ ସଂଖ୍ୟା ବା କେତେ? ଗାଁ ଗହଳରେ ଏବେ ବି ଲୋକଙ୍କର ଆୟ ଦିନକୁ ମାତ୍ର ଶହେଟଙ୍କାରୁ କମ । ମନେରଗା କଥା ବିଚାରକୁ ନିଆଯାଇପାରେ । ମଜୁରି ମାତ୍ର ଦୁଇ ଶହ ଟଙ୍କା । ସେତକ ମଧ୍ୟ ସବୁଦିନ ପାଉ ନଥିବାରୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଏପରି ପରିସ୍ଥିତିରେ ବାର୍ଷିକ ଆଠ ଲକ୍ଷ ଟଙ୍କାରୁ ଅଧିକ ଆୟକୁ ଅର୍ଥନୈତକ ଦୁର୍ବଳ ଶ୍ରେଣୀ ଆଖ୍ୟା ଦିଆଯାଉଛି । ଯାହା ଠିକ ନୁହେଁ । ଭୋଟ ପାଇଁ ଏପରି ବ୍ୟବସ୍ଥା ସମାଜକୁ ଭାଙ୍ଗି ଦେବ ।