ତିଆରି ଚାଲିଛି ମନ୍ତ୍ରୀ କଟୁଆଳଙ୍କ ପୋଷାକ
ଭୁବନେଶ୍ୱର, (ଆଇଏନ୍ଏସ୍): ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ପରେ ବହୁମତରେ ବିଜୟୀ ବିଜୁ ଜନତା ଦଳ ରାଜ୍ୟରେ ପଂଚମ ଥର ପାଇଁ ସରକାର ଗଢ଼ିବ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ।
ମନ୍ତିପଦ ପାଇଁ ନିର୍ବାଚିତ ବିଧାୟକ ଜୋର ଦୌଡ଼ିବାରେ ଲାଗିଛନ୍ତି । ଆଗରେ ଅଛନ୍ତି କିଛି ପ୍ରଭାବଶାଳୀ ରାଜନେତା । ମନ୍ତ୍ରିପଦ ପାଇବା ଆଶା ନଥିବା ନେତା କଟୁଆଳ ପଦ ପାଇଁ ବି ଲବି ଆରମ୍ଭ କରିଛନ୍ତି । ଦୁଇ ଦିନ ହେଲା ଚଳଚଂଚଳ ହୋଇ ଉଠିଛି ମନ୍ତ୍ରୀ ତିଆରି କାରଖାନା । ଗଣ୍ଡାଗଣ୍ଡା ବିଧାୟକ ସକାଳୁ ରାତି ଯାଏଁ କାରଖାନା ଦୁଆରେ ଅଧିଆ ପଡ଼ିଛନ୍ତି । ଯାହାକୁ ଡକରା ଆସୁଛି ସେ ଯାଇ ମନ୍ତ୍ରିପଦ ପାଇଁ ନେହୁରା ହୋଇ ଆସୁଛନ୍ତି । କେହି କେହି କଟୁଆଳ ପଦ ପାଇଁ ବି ଆଗ୍ରହ ପ୍ରକାଶ କରୁଛନ୍ତି । କେତେଜଣଙ୍କର ପୋଷାକ ତିଆରି ହେଲାଣି । ୨୯ ତାରିଖରେ ଭାଗ୍ୟ ପରୀକ୍ଷା ପାଇଁ ଅକ୍ଲାନ୍ତ ଉଦ୍ୟମ ଚଳାଇଛନ୍ତି ଦଳର ନିର୍ବାଚିତ ପ୍ରତିନିଧି ।
ସୂର୍ଯ୍ୟନଗରରେ ଥିବା ଦଳର ଅନ୍ୟତମ କ୍ଷମତା କେନ୍ଦ୍ରର ଆଶ୍ରୟ ନେଇଛନ୍ତି ଦଳୀୟ ନେତା । ସେଠୁ ତାଲିକା ଯାଉଛି । କେବଳ ମନ୍ତ୍ରୀ, କଟୁଆଳ ପଦ ପାଇଁ ନୁହେଁ ରାଜ୍ୟସଭାରେ ଖାଲି ହେବାକୁ ଥିବା ଚାରିଟି ପଦ ପାଇଁ ମଧ୍ୟ ଆରମ୍ଭ ହୋଇଛି ମନ୍ତ୍ରଣା ।
ମନ୍ତ୍ରୀ ପଦ ପାଇଁ ଲମ୍ବିଚାଲିଛି ଆଶାୟୀଙ୍କ ତାଲିକା । ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜଣେ ଦୁଇଜଣ ଆଖେଇଛନ୍ତି । ସମ୍ଭାବ୍ୟ ତାଲିକାରେ ଅଛନ୍ତି, ବିଜୟ ରଂଜନ ସିଂହବରିହା, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗୀନି ଛୁରିଆ, ସୁଶାନ୍ତ ସିଂହ, କିଶୋର ମହାନ୍ତି, ନବ ଦାସ, ସୁବ୍ରତ ତରାଇ, ସାରଦା ନାୟକ, ରୋହିତ ପୂଜାରୀ, ବଦ୍ରି ପାତ୍ର, ସୁଦାମ ମାର୍ଣ୍ଡି, ଅନନ୍ତ ଦାସ, ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ, ଅମରପ୍ରସାଦ ଶତପଥୀ, ପ୍ରଣବ କୁମାର ବଳବନ୍ତରାୟ, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ, ପ୍ରଣବ ପ୍ରକାଶ ଦାସ, ବ୍ରଜ କିଶୋର ପ୍ରଧାନ, ରଜନୀକାନ୍ତ ସିଂହ, ପଦ୍ମନାଭ ବେହେରା, ନିରଞ୍ଜନ ପୂଜାରୀ, ଭୂପିନ୍ଦର ସିଂହ, ପ୍ରଦୀପକୁମାର ଅମାତ, ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମୋଦ ମଲ୍ଲିକ, ଚନ୍ଦ୍ରସାରଥି ବେହେରା, ପ୍ରତାପ ଜେନା, ଶଶିଭୂଷଣ ବେହେରା, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ବିଷ୍ଣୁ ଚରଣ ଦାସ, ପ୍ରଶାନ୍ତ ମୁଦୁଲି, ସମୀରରଞ୍ଜନ ଦାସ, ଉମାକାନ୍ତ ସାମନ୍ତରାୟ, ଅଶୋକ ଚନ୍ଦ୍ର ପଣ୍ଡା, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅରୁଣକୁମାର ସାହୁ, ବିକ୍ରମକେଶରୀ ଆରୁଖ, ଉଷା ଦେବୀ, ସୂର୍ଯ୍ୟ ନାରାୟଣ ପାତ୍ର ଓ ପ୍ରଦୀପ ପାଣିଗ୍ରାହୀ । ଏମାନଙ୍କ ମଧ୍ୟରୁ ଜଣେ ବରିଷ୍ଠ ବିଧାୟକଙ୍କୁ ବାଚସ୍ପତି ପଦ ମିଳିପାରେ । ଦ୍ୱିତୀୟ କ୍ଷମତା କେନ୍ଦ୍ରରୁ ଦଳ ସଭାପତିଙ୍କ ନିକଟକୁ ଗୋଟିଏ ପରେ ଗୋଟିଏ ତାଲିକା ପଠା ଚାଲିଛି । ସେଠାରେ କିଏ ମନ୍ତ୍ରୀ ହେବ ତାର ତର୍ଜମା କରି ଦଳ ସଭାପତି ତାଲିକା ଘୋଷଣା କରିବେ ।
ମନ୍ତ୍ରୀ ଦୌଡ଼ରେ ଥିବା କେତେକ ବିଧାୟକ କହିଛନ୍ତି, ନିର୍ବାଚନ ପ୍ରଚାର ସମୟର କଷ୍ଟ ଠାରୁ ମନ୍ତ୍ରିପଦ ପାଇବା ପାଇଁ ପରିଶ୍ରମ ଆହୁରି ଅଧିକ । ତେବେ କ୍ଷମତା ଗାଦିରେ ବସିବାକୁ କିଛି କରିବାକୁ ହେବ । ଏଥିପାଇଁ ଉଦ୍ୟମ ଚଳାଇଛୁ । ଥରେ ମନ୍ତ୍ରୀ ହେଲେ ସବୁ ପରିଶ୍ରମ ସାର୍ଥକ ହେବ ।
ସେହିପରି ନିର୍ବାଚନ ଜିତିଥିବା ଚାରିଜଣ ରାଜ୍ୟସଭା ସାଂସଦଙ୍କ ସ୍ଥାନ ନେବାକୁ ଟିକଟ ପାଇନଥିବା ଏବଂ ନିର୍ବାଚନ ଲଢ଼ି ହାରିଥିବା ନେତା ଲବି ଆରମ୍ଭ କରିଛନ୍ତି । ତିନି ଚାରିଦିନ ମଧ୍ୟରେ କିଏ କେଉଁ ପୋଷାକ ପିନ୍ଧି ଆସିବେ ତାହା ସ୍ପଷ୍ଟ ହେବ ।
(ରବିପ୍ରିୟ ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ)