ମହାକାଳପଡ଼ା ଆସନରେ ବିଜେପି ଓ ବିଜେଡ଼ି ମଧ୍ୟରେ କଡ୍ଡା ଟକ୍କର!
ମହାକାଳପଡ଼ା, (ଓଏନ୍ଏସ୍): ମହାକାଳପଡ଼ା ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ବିଜେପି ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବାର ଆଶଙ୍କା କରାଯାଉଛି । ଏହି ବିଧାନସଭା କ୍ଷେତ୍ରରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ବିଜେଡ଼ି ସଂଗଠନ ଦୁର୍ବଳ ହେବାରେ ଲାଗିଛି । ଏହି ଅଂଚଳରେ ବିଧାୟକ କୌଣସି ଆଖିଦୃଶିଆ କାମ କରି ନଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଲୋକମାନେ ଅଧିକାଂଶ ସରକାରୀ ଯୋଜନାର ସୁଫଳ ପାଇ ପାରୁନାହାନ୍ତି । ପାନୀୟ ଜଳ ଓ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟୟ ହୋଇ ପଡ଼ିଛି । ଶିକ୍ଷା ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏହି ଅଂଚଳରେ ନିମ୍ନଗାମୀ ହୋଇ ପଡ଼ିଛି । ସବୁ ସରକାରୀ ଉନ୍ନୟନ ଯୋଜନାରେ ପିସି କାରବାର ଯୋଗୁ ସାଧାରଣ ଲୋକଙ୍କ ପାଖରେ ଯୋଜନା ପହଂଚୁ ନାହିଁ । ଲୋକେ କାମ ନପାଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଜଳସେଚନ ବ୍ୟବସ୍ଥା ନଥିବାରୁ ଚାଷକାର୍ଯ୍ୟ ବିପର୍ଯ୍ୟସ୍ତ ହେଉଛି । ସେହିପରି ଗାଁ, ସହର ଆଦି ଚାରିଆଡ଼େ ମଦର ବନ୍ୟା ଛୁଟୁଛି । ଲୋକଙ୍କର ମୌଳିକ ସମସ୍ୟା ସମାଧାନ ଅପେକ୍ଷା ଅଧିକ ରାଜସ୍ୱ ମିଳୁଥିବାରୁ ମଦର ପ୍ରସାରକୁ ସରକାର ଗୁରୁତ୍ୱ ଦେଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଯାହା ଚଳିତ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ସାଧାରଣ ଲୋକଙ୍କ ସମେତ ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି ।
ତେବେ କଂଗ୍ରେସ ପ୍ରାର୍ଥୀ ଏଠାରେ ବହୁ ପଛରେ ପଡ଼ିଛନ୍ତି । ଅଧିକାଂଶ ଅଂଚଳରେ ବିଜେପିର ଢେର ଶକ୍ତି ବୃଦ୍ଧି ହୋଇଛି । ଏଠାରେ ସର୍ବତ୍ର ବିଜେପି ହାୱା ବହୁଛି । ବିଜେପି ଲୋକସଭା ପ୍ରାର୍ଥୀ ଶ୍ରୀ ଜୟ ପଣ୍ଡା ଓ ବିଧାନସଭା ପ୍ରାର୍ଥୀ ଶ୍ରୀ ପ୍ରଧାନ ସାଧାରଣ ଭୋଟରଙ୍କ ନିକଟରେ ପହଂଚି ପାରିଛନ୍ତି । କେତେକ ବିଜେପି ଶୂନ୍ୟ ଅଂଚଳରେ ଏବେ ବିଜେପିର ସଂଗଠନ ବଢି ବଢି ଚାଲିଛି । ଏହି ଦୃଷ୍ଟିରୁ ବିଜେପି ଏଠାରେ ଅନେକ ଆଗରେ ଚାଲିଛି ବୋଲି କୁହାଯାଉଛି । ତେବେ ବିଜେପି ପ୍ରାର୍ଥୀ ବିଜୟ ପ୍ରଧାନ ଓ ବିଜେଡ଼ି ପ୍ରାର୍ଥୀ ଅତନୁ ନାୟକଙ୍କ ମଧ୍ୟରେ କଡ୍ଡା ମୁକାବିଲା ହେବ ବୋଲି ସ୍ଥାନୀୟ ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି । ଜଣାପଡ଼ିଛି ଯେ, ସମଗ୍ର ଅଂଚଳରେ ଆବଶ୍ୟକୀୟ ଉନ୍ନୟନ କାର୍ଯ୍ୟ ହୋଇ ନଥିବାରୁ ସାଧାରଣ ଭୋଟର ବିଧାୟକଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି । ବିଜେପି ପ୍ରାର୍ଥୀ ବିଜୟ ପ୍ରଧାନ ଜଣେ ପ୍ରଗତିଶୀଳ ମଣିଷ ଭାବେ ପରିଚିତ । ଏଠାରେ ବିଜେପି ଓ ବିଜେଡ଼ି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ତଥା ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି ।