ମାତା ହିଙ୍ଗଲାଜଙ୍କ ଶକ୍ତିପୀଠ, ପାକିସ୍ତାନ

ମାତା ହିଙ୍ଗଲାଜଙ୍କ ଶକ୍ତିପୀଠ, ପାକିସ୍ତାନ

ଶରତ କୁମାର ରାଉତ
ମାତା ସତୀଙ୍କ ଶକ୍ତିପୀଠ ମାନଙ୍କ ମଧ୍ୟରେ ପାକିସ୍ତାନ ଅଧିକୃତ ବେଲୁଚି ସ୍ତାନରେ ହିଙ୍ଗଲାଜ ମାତାଙ୍କ ଶକ୍ତିପୀଠ ଅନ୍ୟତମ । ଏହି ଶକ୍ତିପୀଠକୁ ମୁସଲମାନ ମାନେ ଦେଖାଶୁଣା କରନ୍ତି ଓ ସେମାନେ ଏହାକୁ ଚମକ୍ରାରୀ ସ୍ଥାନ ଭାବେ ମାନନ୍ତି । ଏହି ମନ୍ଦିରର ନାମ ମାତା ହିଙ୍ଗଲାଜ ମନ୍ଦିର । ହିଂଗୋଲ୍ ନଦୀ ଓ ଚନ୍ଦ୍ରକୂପ ପାହାଡ଼ ଉପରେ ମାତାଙ୍କ ମନ୍ଦିର ଅବସ୍ଥିତ । ସୁରମ୍ୟ ପାହାଡ଼ ଶ୍ରେଣୀରେ ଅବସ୍ଥିତ ଏହି ଗୁମ୍ଫା ମନ୍ଦିର ଅତି ମନୋରମ ଓ ଦେଖିବା ଭଳି ହୋଇଛି । ଇତିହାସ ଅନୁଯାୟୀ ଏହି ମନ୍ଦିର ପ୍ରାୟ ୨୦୦୦ ବର୍ଷ ତଳୁ ଏଠାରେ ବିଦ୍ୟମାନ । ମାତା ହିଙ୍ଗଲାଜଙ୍କ ମହିମା କେବଳ କରାଚି ଓ ପାକିସ୍ତାନରେ ନୁହେଁ, ବରଂ ସାରା ଭାରତରେ ମଧ୍ୟ ରହିଛି । ନବରାତ୍ର ସମୟରେ ପୁରା ନଅ ଦିନ ଧରି ଶକ୍ତି ଉପାସନାର ବିଶେଷ କାର୍ଯ୍ୟକ୍ରମର ଆୟୋଜନ ହୋଥାଏ । ସିନ୍ଧ ଓ କରାଚୀର ଲକ୍ଷ ଲକ୍ଷ ସିନ୍ଧି ହିନ୍ଦୁ ଶ୍ରଦ୍ଧାଳୁ ମାତାଙ୍କ ପୂଜା କରିବାକୁ ଆସନ୍ତି । ଭାରତରୁ ମଧ୍ୟ ପ୍ରତିବର୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପୂଜା କରିବାକୁ ଆସିଥାନ୍ତି ।
ଏହି ମନ୍ଦିର ଉପରେ ଗଭୀର ଆସ୍ଥା ରଖିଥିବା ଲୋକଙ୍କ କହିବା କଥା ଯେ, କାଶୀ, ଗୟା, ବୃନ୍ଦାବନ ଆଦି ଯାଇ ଯେତେ ଧର୍ମକର୍ମ ପୂଜା-ପାଠ କଲେ ମଧ୍ୟ ଏହି ଶକ୍ତିପୀଠକୁ ଆସି ମାତାଙ୍କ ଦର୍ଶନ ନକଲେ, ପୂଣ୍ୟଫଳ ମିଳିବ ନାହିଁ ।
ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ଭରତୀୟ ଉପମହାଦେଶରେ ୪ଟି ଆଦି ଶକ୍ତିପୀଠ, ୧୮ଟି ମହା ଶକ୍ତିପୀଠ ଓ ୫୧ ଟି ଶକ୍ତିପୀଠ ରହିଛି । ତେବେ ଏହି ଶକ୍ତିପୀଠ ମାନଙ୍କ ମଧ୍ୟରେ“ମାତା ହିଙ୍ଗଲାଜ” ଶକ୍ତିପୀଠ ଅନ୍ୟତମ । ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଭଗବାନ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କଲେ ନାହିଁ । ଫଳରେ ଦେବୀ ସତୀ ନିଜେ ବାପାଙ୍କ ଯଜ୍ଞ ସ୍ଥଳରେ ପହଞ୍ଚିଲେ ଓ ବାପାଙ୍କୁ କିଛି କହିବା ପୂର୍ବରୁ ସ୍ୱଂୟ ଦକ୍ଷରାଜ ଝିଅ ସତୀ ଓ ଭଗବାନ ଶିବଙ୍କୁ ଅପମାନ ସୂଚକ କଥା ଶୁଣାଇଲେ । ସେଠାରେ ସମସ୍ତ ଦେବୀ ଦେବତା ଉପସ୍ଥିତ ଥିବାରୁ ମା’ସତୀଙ୍କୁ ଖୁବ୍ ବାଧିଲା । ଅତି ଦୁଃଖରେ ମ୍ରିୟମାଣ ହୋଇ ମାତା ସତୀ ସେହି ଯଜ୍ଞକୁଣ୍ଣରେ ଆତ୍ମଦାହ କରିଦେଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ହାତରେ ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ଏହାର ସମାଧାନ ପାଇଁ ଦେବ ଦେବୀ ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି କ୍ଷଣ ମଧ୍ୟରେ ମା’ ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଞ୍ଚିହୋଇ ପଡ଼ିଲା ।
ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଅଂଶ ବା ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକର ସୁରକ୍ଷା ପାଇଁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ତେବେ ଭାରତୀୟ ଉପମହାଦେଶରେ ଥିବା ଶକ୍ତିପୀଠ ମାନଙ୍କ ମଧ୍ୟରେ ପାକିସ୍ତାନ ଅଧିକୃତ ବେଲୁଚି ସ୍ତାନରେ “ମାତା ହିଙ୍ଗଲାଜଙ୍କ ଶକ୍ତିପୀଠ” ଅନ୍ୟତମ । ଧାର୍ମିକ ଗ୍ରନ୍ଥ ଅନୁସାରେ ଯେଉଁ ସ୍ଥାନରେ “ମାତା ହିଙ୍ଗଲାଜଙ୍କ ଶକ୍ତିପୀଠ” ରହିଛି, ସେଠାରେ ମାତା ସତୀଙ୍କର ‘ମୁଣ୍ଡ’ ଖଣ୍ଡ ପଡ଼ିଥିଲା । ଏହି ମନ୍ଦିର ସହିତ ଆଉ ଏକ ମାନ୍ୟତା ବି ରହିଛି । କୁହାଯାଏ ଯେ, ପ୍ରତି ରାତିରେ ଏହି ସ୍ଥାନରେ ସମସ୍ତ ଶକ୍ତି ମିଳିତ ହୋଇ ଶକ୍ତି (ନୃତ୍ୟ) ପ୍ରଦର୍ଶନ କରନ୍ତି ଓ ଦିନ ହେବା କ୍ଷଣି ସମସ୍ତେ ମାତା ହିଙ୍ଗଲାଜଙ୍କ ଭିତରେ ସମାହିତ ହୋଇ ଯାଆନ୍ତି ।
ହିନ୍ଦୁଧର୍ମ ଅନୁସାରେ ଭଗବାନ ପର୍ଶୁରାମଙ୍କ ପିତା ମହର୍ଷି ଜମଦଗ୍ନୀ ଏଠାରେ ଘୋର ତପସ୍ୟା କରିଥିଲେ । ତାଙ୍କ ନାମାନୁସାରେ ଆଶାରାମ ନାମକ ସ୍ଥାନ ଏବେ ବି ଏଠାରେ ରହିଛି । ସୁଉଚ୍ଚ ପାହାଡ଼ ଗୁମ୍ଫାରେ “ମାତା ହିଙ୍ଗଲାଜଙ୍କ ମନ୍ଦିର” । ସେହି ଗୁମ୍ଫାରେ ମାତାଙ୍କ ବିଗ୍ରହ ପୂଜା ପାଉଛନ୍ତି । ପାହାଡ଼ ଗୁମ୍ଫାରେ “ମାତା ହିଙ୍ଗଲାଜଙ୍କ ମନ୍ଦିର” ଅବସ୍ଥିତ, ଯାହାର କୌଣସି କବାଟ-ଝରକା ନାହିଁ ।
“ମାତା ହିଙ୍ଗଲାଜଙ୍କ ମନ୍ଦିର” ପରିସରରେ ଶ୍ରୀ ଗଣେଷ, କାଳିକା ମାତାଙ୍କ ପ୍ରତିମା, ବ୍ରହ୍ମକୁଣ୍ଡ ଓ ତୀରକୁଣ୍ଡ ଆଦି ରହିଛି । ଏଠାରେ ମାତା ଆଦିଶକ୍ତିଙ୍କ ପୂଜା ତ ହିନ୍ଦୁ ମାନଙ୍କ ଦ୍ୱାରା କରା ଯାଉଛି, ହେଲେ ଏହାକୁ ମୁସଲମାନ ମାନେ ମଧ୍ୟ ସମ୍ମାନ ଦେଉଛନ୍ତି । “ମାତା ହିଙ୍ଗଲାଜଙ୍କ ମନ୍ଦିର” ଯିବା ପାଇଁ ପଥରର ଶିଢୀ ଚଢିବାକୁ ପଡ଼େ । ମନ୍ଦିରରେ ସର୍ବ ପ୍ରଥମେ ଶ୍ରୀ ଗଣେଷଙ୍କୁ ଦର୍ଶନ କରିବାକୁ ପଡ଼େ । ଠିକ୍ ଶ୍ରୀ ଗଣେଷଙ୍କ ସାମ୍ନାରେ ମାତା ହିଙ୍ଗଲାଜଙ୍କ ପ୍ରତିମା ରହିଛି, ଯାହା ସାକ୍ଷାତ ମାତା ବୈଷ୍ଣୋ ଦେବୀଙ୍କ ରୂପ!
ମୁସଲମାନଙ୍କ ପାଇଁ ମାତା ହିଙ୍ଗଲାଜ ‘ନାନୀ ପୀର’ଅଟନ୍ତି । ପାକିସ୍ତାନ ସୃଷ୍ଟି ହୋଇନଥିବା ବେଳେ ଭାରତର ପଶ୍ଚିମ ସୀମା କୁ ଆଫଗାନିସ୍ତାନ ଓ ଇରାନ ଲାଗି ରହିଥିଲା । ସେ ସମୟରେ ହିଙ୍ଗଲାଜ ତୀର୍ଥ ହିନ୍ଦୁ ମାନଙ୍କ ପାଇଁ ତ ପ୍ରମୁଖ ତୀର୍ଥ ଥିଲା, ହେଲେ ବଲୁଚିସ୍ତାନର ମୁସଲମାନ ମାନେ ମଧ୍ୟ “ମାତା ହିଙ୍ଗଲାଜ ଦେବୀ”ଙ୍କର ପୂଜା କରୁଥିଲେ । ମାତାଙ୍କୁ ନାନୀ କହି ମୁସଲମାନ ମାନେ ମଧ୍ୟ ଲାଲ୍ କପଡ଼ା, ଅଗରବତୀ, ମୋହମବତୀ, ଶିରଣୀ ଆଦି ଚଢାଉଥିଲେ । “ମାତା ହିଙ୍ଗଲାଜ ଶକ୍ତିପୀଠ” ହିନ୍ଦୁ ଓ ମୁସଲମାନଙ୍କ ପାଇଁ ସଂଯୁକ୍ତ ମହାତୀର୍ଥ ଥିଲା । ହିନ୍ଦୁ ମାନଙ୍କ ପାଇଁ ଏହି ସ୍ଥାନ ଏକ ଶକ୍ତିପୀଠ ହୋଇଥିବା ବେଳେ ମୁସଲମାନଙ୍କ ପାଇଁ “ମାତା ହିଙ୍ଗଲାଜ ଦେବୀ” ‘ନାନୀ ପୀର’ର ସ୍ଥାନ ନେଇଛି । ଏହି କ୍ଷେତ୍ର ଯେତେବେଳେ ଭାରତ ଭିତରେ ଥିଲା, ଲକ୍ଷ ଲକ୍ଷ ହିନ୍ଦୁ ଏଠାରେ ମିଳିମିଶି ପୂଜା ଆରାଧନା କରୁଥିଲେ ।
ଏହି ଶକ୍ତିପୀଠରେ ବିଭିନ୍ନ ପର୍ବ ପର୍ବାଣୀ ଧୂମଧାମ୍ରେ ପାଳିତ ହୋଇଥାଏ । ବିଶେଷତଃ ଦୁର୍ଗା ପୂଜା ଓ ପବିତ୍ର ନବରାତ୍ର ଉତ୍ସବ ଧୂମଧାମରେ ପାଳନ କରାଯାଏ । ଏହି ପର୍ବ ମାତାଙ୍କର ସବୁଠୁ ବଡ଼ ପର୍ବ ଭାବରେ ପାଳନ କରାଯାଏ । ମନ୍ଦିରର ଆଧ୍ୟାତ୍ମିକ ପରିବେଶ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନ, ପ୍ରାଣ ଓ ହୃଦୟକୁ ଶାନ୍ତି ପ୍ରଦାନ କରିଥାଏ ।
ବର୍ଷର ସବୁ ସମୟରେ ମାତାଙ୍କର ଏହି ଶକ୍ତିପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ । ଦେବୀଙ୍କର ମନ୍ଦିରର ଅପରୂପ ଶୋଭା ଦେଖିବା ଭଳି ହୋଇଥାଏ । ପର୍ବପର୍ବାଣୀରେ ମନ୍ଦିରକୁ ବିଭିନ୍ନ ପ୍ରକାର ଫୁଲ ଓ ଲାଇଟ୍ ଦ୍ୱାରା ସଜା ଯାଇଥାଏ । ଏହି ସମୟରେ ମନ୍ଦିରର ଆଧ୍ୟାତ୍ମିକ ପରିବେଶ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନ-ମସ୍ତିଷ୍କକୁ ଶାନ୍ତି ପ୍ରଦାନ କରିଥାଏ ।
ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମୁଖ୍ୟତଃ ମାତାଙ୍କୁ ପୂଜା କରିବାକୁ ଏଠାକୁ ଆସିଥାନ୍ତି । ଏଠାକାର ପୂଜାବିଧିର ପ୍ରତ୍ୟେକ କାର୍ଯ୍ୟକ୍ରମ ଖୁବ୍ ଆନନ୍ଦ ଦାୟକ ଓ ମନୋରମ ।
ଯେଉଁ ଭକ୍ତ ମାତାଙ୍କୁ ଦର୍ଶନ ପାଇଁ ଏଠାକୁ ଆସନ୍ତି, ସେମାନଙ୍କର ସବୁ ପ୍ରାର୍ଥନା ଓ ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ । ଏଥିଯୋଗୁ ମାତା ପ୍ରତ୍ୟକ୍ଷ ଦେବୀ ବୋଲି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ବିଶ୍ୱାସ ରହିଛି ।
ମୋ: ୯୩୩୭୩୬୯୪୪୮

 

Leave a Reply

Your email address will not be published.