ମା’ ଓ ଶିଶୁ ମୃତୁ୍ୟ ପାଇଁ ଉତରଦାୟୀର ବ୍ୟବସ୍ଥା ହେଉ
ଭୁବନେଶ୍ୱର, (ଆଇଏନ୍ଏସ୍): ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ସଦର ମହକୁମା ଠାରୁ ୨୫ କିଲୋମିଟର ଦୁର୍ଗମ ରାସ୍ତାରେ ଯିବା ପରେ ଏକ ଅଣ ଓସାରିଆ ରାସ୍ତାରେ ପାଦରେ ଚାଲି ଚାଲି ଅନେକ ବାଟ ଗଲେ, ପଡ଼େ ଦୁର୍ଗମ ହଳଦୀଗୁଣ୍ଡି ଘାଟୀ । ଏଇ ଘାଟୀରୁ ୩୦୦ ଫୁଟ୍ ତଳକୁ ଖସିଲେ, ଗୋଟିଏ- ଉପତ୍ୟକାରେ ଡ଼ଙ୍ଗରୀଗୁଡ଼ା ଗାଁ । ଏହି ଗାଁରେ ୨୦୦୪ ଜୁନ୍ ୧୧ରୁ ଜୁଲାଇ ୨୩ ତାରିଖ ମଧ୍ୟରେ ୧୩ ଜଣ ଅବୋଧ ଶିଶୁଙ୍କର ମୃତୁ୍ୟ ହୋଇଗଲା । ଜୁଲାଇ ୨୧ରେ ଘଟଣା ଲୋକଲୋଚନକୁ ଆସିବା ବେଳକୁ ଆହୁରି ଅନେକ ଶିଶୁ ମୃତୁ୍ୟ ସହ ସଂଗ୍ରାମ କରୁଥିଲେ । ସେମାନଙ୍କ ମଧ୍ୟରେ ସବୁଠୁ ସାଂଘାତିକ ଅବସ୍ଥା ଥିଲା ୨ବର୍ଷ ବୟସର ଗୋବିନ୍ଦ ଜାନିର । ତାକୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟକୁ ନିଆ ଯାଇଥିଲା । କିନ୍ତୁ ସେଠାରେ ତାର ମୃତୁ୍ୟ ହୋଇଗଲା । ଏହାର ମୂଳକାରଣ ପୃଷ୍ଟିହୀନତା ଓ ଖାଦ୍ୟର ଅଭାବ ଥିବା ସ୍ପଷ୍ଟ ହୋଇଥିଲା । ତେବେ ଏହି ସମୟରେ ଶିଶୁ ମାନଙ୍କର ସାମାଜିକ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଭଳି ନିଷ୍ପତି ଓ ପଦକ୍ଷେପ ଘୋଷଣା କରା ଯାଇଥିଲା, ଆଉ ଏଭଳି ସମ୍ବେଦନଶୀଳ ଘଟଣାର ପୁନରାବୃତି ହେବ ନାହିଁ ବୋଲି ଆଶା ଥିଲା । ମାତ୍ର ଏହାର ୫ବର୍ଷ ତଳେ ବୁର୍ଲାରେ ୯ଜଣ ନବଜାତକ ଶିଶୁଙ୍କର ମୃତୁ୍ୟ ହୋଇଥିଲା । ୨୦୧୫ରେ ଓଡ଼ିଶାର ସବୁଠୁ ବୃହତମ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ବା ଶିଶୁ ଭବନରେ ୧୧ ଦିନ ମଧ୍ୟରେ ୫୩ ଜଣ ନବଜାତ ଓ କୋମଳମତି ଶିଶୁଙ୍କର ଅକାଳ ମୃତୁ୍ୟ ଘଟିଥିଲା । ୨୦୧୬ରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ନଗଡ଼ା ଗ୍ରାମରେ ପୃଷ୍ଠିହୀନତା ଯୋଗୁ ୨୨ ରୁ ଉଦ୍ଧ୍ୱର୍ ଶିଶୁଙ୍କର ଅକାଳ ମୃତୁ୍ୟ ଖବର ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଥିଲା । ଏବେ ମଧ୍ୟ ଏଠାରେ ଅନେକ ଶିଶୁ ଅପପୃଷ୍ଠିରେ ସାଂଘାତିକ ଭାବେ ଆକ୍ରାନ୍ତ ଅଛନ୍ତି । ମାଲକାନାଗିରି ଜିଲ୍ଲାରେ ୨୦୧୬ ସେପ୍ଟେମ୍ବର ୧୧ରୁ ଅକ୍ଟୋବର ୨ତାରିଖ ମଧ୍ୟରେ ମାରାତ୍ମକ ଜାପାନୀ ଏନ୍ସେଫାଲାଇଟ୍ସ (ମସ୍ତିଷ୍କ ଜ୍ୱର)ରେ ୧୦୨ ଶିଶୁଙ୍କର ମୃତୁ୍ୟ ଘଟିଥିବା ସରକାରୀ ଭାବେ କୁହାଯାଇଥିଲେ ହେଁ ଏହି ସଂଖ୍ୟା ବହୁ ଅଧିକ ବୋଲି ଚର୍ଚ୍ଚା ହୋଇଥିଲା । ଏବେ ମଧ୍ୟ ଜିଲ୍ଲାର ଦୁର୍ଗମ ଅଂଚଳରେ ପୃଷ୍ଠିହୀନତାରେ ଅନେକ ଆକ୍ରାନ୍ତ ଥିବା ଅଭିଯୋଗ ହେଉଛି । ବିଭିନ୍ନ ସମୟରେ ରାଜ୍ୟର ଅନେକ ସ୍ଥାନରେ ଶିଶୁ ମୃତୁ୍ୟ ଘଟଣା ଘଟି ଆସୁଛି । ଏମିତି କାହିଁକି, କ’ଣ ପାଇଁ ଘଟୁଛି, ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଓଡ଼ିଶାରେ ଏଭଳି ଘଟଣା ନୂଆ ନୁହେଁ । ମାଲକାନାଗିରି ହେଉ କି ନଗଡ଼ା କି ନବରଙ୍ଗପୁର, ଏଭଳି ଆମ ରାଜ୍ୟରେ ଅନେକ ଗାଁ ଅଛି, ଯେଉଁଠି ପ୍ରଶାସନ ଏବେ ବି ପହଂଚି ପାରିନାହିଁ । ମା’ ଓ ଶିଶୁଙ୍କ ପାଇଁ କାର୍ଯ୍ୟକାରୀ କୌଣସି ବି ଯୋଜନା ସେହି ହତଭାଗ୍ୟ ମାନଙ୍କ ପାଇଁ ସାତ ସପନ । ବଣ, ଜଙ୍ଗଲ ଓ ପାହାଡ଼ର ଫଳମୂଳ ବା ପଖାଳ-ପେଜ ଓ ଲୁଣ ହିଁ ସେହି ମା’ ଓ ଶିଶୁଙ୍କ ପାଇଁ ପ୍ରଧାନ ଖାଦ୍ୟ । ଏହା ହିଁ ଅପପୃଷ୍ଠିର ମୂଳ କାରଣ । ସରକାରୀ ରିପୋର୍ଟ ଅନୁଯାୟୀ ୨୦୧୬-୧୭ ବର୍ଷରେ ଓଡ଼ିଶାରେ ୧୨,୦୦୦ ଶିଶୁ ବିଭିନ୍ନ କାରଣରୁ ମୃତୁ୍ୟ ବରଣ କରିଛନ୍ତି । ରାଜ୍ୟରେ ୬୧% ନବଜାତ ଶିଶୁ(ଜନ୍ମର ୪ସପ୍ତାହ ମଧ୍ୟରେ) ମୃତୁ୍ୟ ବରଣ କରୁଥିବାବେଳେ ୯% ନବଜାତ ଶିଶୁ(ଜନ୍ମର ୨୪ ଘଂଟା ମଧ୍ୟରେ)ମୃତୁ୍ୟ ବରଣ କରୁଛନ୍ତି । ଓଡ଼ିଶାରେ ଶିଶୁ ମୃତୁ୍ୟ ହାର କ୍ରମେ ହ୍ରାସ ପାଉଛି । ୨୦୧୦ରେ ଜାତୀୟ ସ୍ତରରେ ଶିଶୁ ମୃତୁ୍ୟହାର ୪୭ ଥିଲାବେଳେ ଓଡ଼ିଶାରେ ୬୧ଥିଲା । ଏବେ ଏହି ହାର ଯଥାକ୍ରମେ ୩୪ ଓ ୪୦ ରହିଛି ।
ତେବେ ସବୁ ଶିଶୁ ମୃତୁ୍ୟ ଘଟଣା ଅପପୃଷ୍ଟି ଜନିତ ନୁହେଁ । ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ, ତୃଟିପୂର୍ଣ୍ଣ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ପ୍ରଶାସନର ମନମୁଖୀ କାର୍ଯ୍ୟ ଯୋଗୁ ହିଁ ଅବୋଧ ଶିଶୁ ମାନଙ୍କର ମୃତୁ୍ୟ ଘଟୁଛି । କଟକ ଶିଶୁ ଭବନ ହେଉ କି ବଡ଼ ହସ୍ପିଟାଲ୍ କି ଜିଲ୍ଲାÿ ହସ୍ୱିଟାଲ୍ କି ଅନ୍ୟାନ୍ୟ ହସ୍ପିଟାଲ୍ରେ ସବୁ ଶିଶୁ ମୃତୁ୍ୟର କାରଣ କ’ଣ ଅପପୃଷ୍ଟି ବୋଲି କୁହାଯିବ? ପ୍ରଶାସନିକ ଅବହେଳା ଓ ପରିଚାଳନାଗତ ତୃଟିର ଅର୍ଥ ଆମକୁ ବୁଝିବାକୁ ପଡ଼ିବ ଯେ, ଅସଜଡ଼ା ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, ଭିତିଭୂମିର ଘୋର ଅଭାବ ସହିତ ଡ଼ାକ୍ତର ଓ କର୍ମଚାରୀଙ୍କ ପଦବୀ ଖାଲି । ୧୯୭୨ ମସିହାରୁ ଏପର୍ଯ୍ୟନ୍ତ ଶିଶୁ ଓ ମା’ ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ତଥା ଶିଶୁ ଓ ମାତୃ ମୃତୁ୍ୟହାର ହ୍ରାସ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କାର୍ଯ୍ୟକାରୀ ହେଉଛି । ଶିଶୁ-ମାତୃ ମୃତୁ୍ୟହାର ହ୍ରାସ ସବୁ ଯୋଜନାର ମୁଳ ଲକ୍ଷ୍ୟ! ମାତ୍ର ଯୋଜନା ଗୁଡ଼ିକରୁ କାଣିଚାଏ ଉପକାରିତା ସେହି ହତଭାଗ୍ୟ ମାନଙ୍କୁ ମିଳୁନାହିଁ । ମୁଖ୍ୟତଃ ନଗଡ଼ା ଭଳି ଅନ୍ୟ ଆଦିବାସୀ ଅଂଚଳର ୯୫ ଭାଗ ଗ୍ରାମ ଭିନ୍ନ ଏକ ଇଥିଓପିଆ ଏବଂ ସୋମାଲିଆର ରୂପ ଧାରଣ କରିଥିବା ଦେଖାଯାଇ ପାରେ । ଏହି ଅବସ୍ଥାକୁ ସଜାଡ଼ିବାକୁ ବିଭାଗ ପକ୍ଷରୁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯିବା ଉଚିତ । କୌଣସି ଘୋଷଣା ବା ଯୋଜନା କାର୍ଯ୍ୟକାରୀ ପୂର୍ବରୁ ବ୍ୟାପକ ସମୀକ୍ଷା ହେଉନାହିଁ । ଫଳତଃ ଅଧିକାଂଶ ଯୋଜନା ବିଫଳ ହେଉଛି ।
ଅଭିଯୋଗ ହେଉଛି ଯେ, ସ୍ୱାସ୍ଥ୍ୟ ବିଭାଗରେ ଆଇନ ବୋଲି କିଛି ନାହିଁ । ଆଇନଗତ ବ୍ୟବସ୍ଥାକୁ ମଜଭୁତ୍ ଏବଂ ସ୍ୱାସ୍ଥ୍ୟ ପ୍ରଶାସନକୁ ଲୋକାଭିମୁଖୀ କରାଯିବାକୁ କେହି ଆନ୍ତରିକତା ଦେଖାଉ ନାହାଁନ୍ତି । ବିଭାଗୀୟ ମୁଖ୍ୟ ଯଦି ଦକ୍ଷ, ଅଭିଜ୍ଞ ଓ ଦୂରଦୃଷ୍ଟି ସଂପନ୍ନ ନହେବେ, ତେବେ ଡ଼ାକ୍ତର ଓ ଅନ୍ୟମାନଙ୍କର ଦୋଷ ଦେବା ଠିକ୍ ନୁହେଁ । ଗତ ୧୮ବର୍ଷ ମଧ୍ୟରେ କୌଣସି ଅଭିଜ୍ଞ ସଚିବ ଓ ମନ୍ତ୍ରୀଙ୍କୁ ବିଭାଗରେ ଦେଖିବାକୁ ମିଳିନାହିଁ । ଯେଉଁ କେତେଜଣ ଅଭିଜ୍ଞ ବ୍ୟକ୍ତି ବିଭାଗର ଦାୟିତ୍ୱ ନେଇଛନ୍ତି, ସେମାନେ ଅଳ୍ପ ସମୟ ଭିତରେ ବିଭାଗରେ ନୂଆ ସଂସ୍କାର ଆଣିବା ବେଳକୁ ତାଙ୍କୁ ପଦରୁ ହଟାଇ ଦିଆଯାଇଛି । ଭିତିଭୂମିର ବିକାଶ ସହ ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପର କାର୍ଯ୍ୟକାରୀ ପ୍ରଣାଳୀର ସମୀକ୍ଷା ହେଉନାହିଁ । ସରକାରୀ ନୀତି ସଠିକ୍ କାର୍ଯ୍ୟକାରୀ ଉପରେ ଗୁରୁତ୍ୱ ଦିଆଯିବା ଉଚିତ । ମାତୃ-ଶିଶୁ ମୃତୁ୍ୟହାର ହ୍ରାସ ପାଇଁ ମୁଖ୍ୟତଃ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ ସମନ୍ୱୟ ରହୁନାହିଁ । ମା’ ଓ ଶିଶୁ ମୃତୁ୍ୟ ପାଇଁ ଉଭୟ ବିଭାଗର ମନ୍ତ୍ରୀ ଓ ଶାସନ ସଚିବ ଉତରଦାୟୀ ରହିବାର ବ୍ୟବସ୍ଥା ହେବା ଉଚିତ ।