ମୁଁ କଂଗ୍ରେସରୁ ଲଢିବି: ବିଧାୟକ ନବ ଦାସ

ମୁଁ କଂଗ୍ରେସରୁ ଲଢିବି: ବିଧାୟକ ନବ ଦାସ

ଆସନ୍ତା ସାଧାରଣ ନିର୍ବାଚନରେ ମୁଁ କଂଗ୍ରେସ ଦଳରୁ ହିଁ ପ୍ରାର୍ଥୀ ହେବି। ଏକଥା ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନବ ଦାସ । ଶ୍ରୀ ଦାସ ନିର୍ବାଚନ ପୂର୍ବରୁ ବିଜେଡି ଦଳରେ ଯୋଗଦେବା ନେଇ ଅନେକ ଦିନ ହେଲା, ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିଲା । ଏ ସଂପର୍କରେ ସ୍ପଷ୍ଟୀ କରଣ ଦେଇ ଶ୍ରୀ ଦାସ କହିଛନ୍ତି ଯେ ମୁଁ କଂଗ୍ରେସ ଦଳରେ ଅଛି ଏବଂ ରହିବି । ଯେଉଁମାନ ଦଳ ଛାଡିବା କଥା ପ୍ରଚାର କରୁଛନ୍ତି, କରୁଥାନ୍ତୁ।

ସୂଚନାଯୋଗ୍ୟ ଯେ, ୨୦୧୭ ତି୍ରସ୍ତରୀୟ ପଂଚାୟତ ନିର୍ବାଚନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଂଗ୍ରେସ ୩ ନମ୍ବର ସ୍ଥାନକୁ ଖସି ଆସିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ଏଥିରୁ ବ୍ୟତିକ୍ରମ ଥିଲା । ବାସ୍ତବରେ ରାଜନୀତିକ ସମୀକ୍ଷକ ଓ ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ-ଚକିତ କରିଦେଇଥିଲା ଝାରସୁଗୁଡ଼ା ନିର୍ବାଚନ ଫଳାଫଳ । ଏହା କେବଳ ଝାରସୁଗୁଡ଼ାର କଂଗ୍ରେସ ବିଧାୟକ ନବକିଶୋର ଦାସଙ୍କ ଦୃଢ ନେତୃତ୍ୱ ଓ ବଳିଷ୍ଠ ଉଦ୍ୟମ ଯୋଗୁ ସମ୍ଭବ ହୋଇଥିଲା । କଂଗ୍ରେସ ଏଠାରେ ୧ ନମ୍ବର ସ୍ଥାନ ଦଖଲ କରି ଜିଲ୍ଲା ପରିଷଦ ଗଠନ କରିବାରେ ସକ୍ଷମ ହୋଇଥିଲା ଓ ଏକପ୍ରକାର କଂଗ୍ରେସର ମାନ ରକ୍ଷା ହୋଇଥିଲା । ଜିଲ୍ଲାର ମୋଟ ୯ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ କଂଗ୍ରେସ ଏକାକୀ ୮ଟିରେ ବିଜୟୀ ହୋଇ ଜିଲ୍ଲା ପରିଷଦ ଗଠନ କରିଥିଲା । ବିଜେଡ଼ି ଏଠାରେ ଖାତା ଖୋଲି ପାରିନଥିଲା । ବିଧାୟକ ନବ ଦାସ ଜଣେ ପରିପକ୍ୱ ଜନନେତା ବୋଲି ପ୍ରମାଣ ମିଳିଥିଲା । ଏହି ସମୟରେ ନବବାବୁ କହିଥିଲେ, ‘ସାଧାରଣ ଲୋକେ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ମିଥ୍ୟା ପ୍ରଲୋଭନ ବା ପ୍ରତିଶ୍ରୂତି ଓ କପୋଳକଳ୍ପିତ କଥାରେ ଲୋକଙ୍କ ସମର୍ଥନ ଅସମ୍ଭବ । ବିକାଶ ମୂଳକ କାର୍ଯ୍ୟ ଏବଂ ସାଧାରଣ ଲୋକ ମାନଙ୍କର ମଙ୍ଗଳ ପାଇଁ ନିଷ୍ଠାପର କାର୍ଯ୍ୟ କରି ଚାଲିଲେ, ଯିଏ କେହି ଲୋକଙ୍କ ବିଶ୍ୱାସଭାଜନ ହୋଇଥାଏ ।’ ଆହୁରି ମଧ୍ୟ ସେ ଦୃଢତାର ସହ ସୂଚନା ଦେଇଥିଲେ, ‘ଏହି ତି୍ରସ୍ତରୀୟ ପଂଚାୟତ ନିର୍ବାଚନ ଏକ ସେମି ଫାଇନାଲ୍ । ଫାଇନାଲ୍ ପ୍ରତିଦ୍ୱନ୍ଦୀତା ୨୦୧୯ରେ ହେବ । ଏଥିରେ କଂଗ୍ରେସ ବିପୁଳ ବିଜୟ ହାସଲ କରିବ । ସମସ୍ତ ରେକର୍ଡ଼ ଭାଙ୍ଗି ଓଡ଼ିଶାରେ ଇତିହାସ ସୃଷ୍ଟି କରିବ!’
ସେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଦସ୍ୟ ଥିବାବେଳେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି କଂଗ୍ରେସ ସଂଗଠନକୁ ମଜଭୁତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏବେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପଦରେ ଅଧିଷ୍ଠିତ ହୋଇଛନ୍ତି । ୨୦୦୯ ଓ ୨୦୧୪ ମସିହାରେ କଂଗ୍ରେସ ଦଳ ଟିକଟରେ ସେ ୨ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୯ ନିର୍ବାଚନରେ ସେ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରରୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ିର କିଶୋର ମହାନ୍ତିଙ୍କୁ ୨୨,୫୧୬ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ଏହି ନର୍ବାଚନରେ ଭାଜପା ସମେତ ୧୩ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତାରେ ଅବତୀର୍ଣ୍ଣ ଥିଲେ । ସେ ପ୍ରଥମ ଥର ପାଇଁ ଝାରସୁଗୁଡ଼ା ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଧାନସଭାର ବିଭିନ୍ନ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ସଫଳତାର ସହ ତୁଲାଇଥିଲେ । ମୁଖ୍ୟତଃ ସେ ପାଠାଗାର,ରେଲୱେ ଓ ସଂଖ୍ୟାଲଘୁ ଭାଷା ସଂପର୍କୀୟ ଗୃହ କମିଟିର ସଦସ୍ୟ ଥିବାବେଳେ ଶିଳ୍ପ, ଇଷ୍ପାତ-ଖଣି, ବାଣିଜ୍ୟ-ପରିବହନ, ଜଙ୍ଗଲ-ପରିବେଶ ଓ ଯୋଜନା-ସମନ୍ୱୟ ଷ୍ଟାଣ୍ଡିଙ୍ଗ୍ କମିଟିର ସଦସ୍ୟ ରହିଥିଲେ । ସେହିପରି ୨୦୧୪ ନିର୍ବାଚନରେ ନବବାବୁ କଗ୍ରେସ ଟିକଟରେ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରରୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ିର କିଶୋର ମହାନ୍ତିଙ୍କୁ ୧୧,୫୬୩ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ଏହି ନର୍ବାଚନରେ ଭାଜପା ସମେତ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତାରେ ରହିଥିଲେ ।
 

Leave a Reply

Your email address will not be published.