ରାଜ୍ୟସ୍ତରୀୟ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ସମାରୋହ
ପୂର୍ଣ୍ଣିମା ଓ ସବିତାଙ୍କୁ ଓଡ଼ିଶା ଗୌରବ ଓ ତିନିଜଣଙ୍କୁ ଖୋର୍ଦ୍ଧା ଗୌରବ ସମ୍ମାନ
ଖୋର୍ଦ୍ଧା, (ଓଏନ୍ଏସ୍) : ସ୍ଥାନୀୟ ଗୀତାଭବନ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ସମାରୋହ ବିବେକାନନ୍ଦ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଆଡ୍ଭାନ୍ସ୍ଡ ଏଜୁକେସନାଲ୍ ରିସର୍ଚ୍ଚ୍ ଆଣ୍ଡ୍ ଟେକ୍ନୋଲୋଜି ଆନୁକୁଲ୍ୟରେ ବିବେକାନନ୍ଦ ବିଜ୍ଞାନ ଭବନର ସଭାପତି ବିଶିଷ୍ଟ ଶିକ୍ଷାବିତ ଡ଼କ୍ଟର ଆଶୋକ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି । ଉଦଘାଟକ ନିଗମ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା ତଥା ସଭାପତି ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ପ୍ରଦୀପ ପଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଉଦ୍ଘାଟନ କରିବା ପରେ ବିବାକାନନ୍ଦ ଇନଷ୍ଟିଚୁ୍ୟଟର ଅଧ୍ୟକ୍ଷ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ ତାଙ୍କ ସ୍ୱାଗତ ଭାଷଣରେ କହିଲେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଖୋର୍ଦ୍ଧାରେ ଆଜକୁ ୨୮ ବର୍ଷ ହେଲା ନିରବଚ୍ଛିନ୍ନ ଭାବରେ ପାଳିତ ହେବା ଦ୍ୱାରା ଛାତ୍ରଛାତ୍ରୀ ତଥା ଯୁବ ସମାଜ ସେମାନଙ୍କର ଚରିତ୍ର ଗଠନ ପାଇଁ ବହୁ ପ୍ରେରଣା ପାଇଛନ୍ତି । ଆଗାମୀ ଦିନରେ ଖୋର୍ଦ୍ଧାଠାରେ ଏକ ସ୍ୱାମୀ ବିବେକାନନ୍ଦ ମନ୍ଦିର ସ୍ଥାପନ ସହିତ ସ୍ୱାମୀଜୀଙ୍କ ନାମରେ ସାରା ଦେଶର ପ୍ରତ୍ୟେକ ଜିଲା କେନ୍ଦ୍ରରେ ଆନ୍ତର୍ଜାତୀୟ ସ୍ତରର ଉଚ୍ଚମାନର ଆବାସିକ ବିଦ୍ୟାଳୟ ସ୍ଥାପନ କରାଯିବାର ଯୋଜନା ପ୍ରସ୍ତୁତ କରାଯାଉଛି । ରାମକୃଷ୍ଣ ମଠ (ମିଶନ)ର ଅଧ୍ୟକ୍ଷ ସ୍ୱାମୀ ଆତ୍ମପ୍ରଭା ନନ୍ଦ ମହାରାଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ ସ୍ୱାମୀଜୀଙ୍କ ସେବା ଓ ତ୍ୟାଗର ଭାବନା ପ୍ରତ୍ୟେକ ବ୍ୟକ୍ତିର ହୃଦୟରେ ସ୍ଫନ୍ଦିତ ହେଉ । ଦେଶରେ ଅବହେଳିତ ଓ ନିଷ୍ପେସିତ ଦୁଃଖି ଦରିଦ୍ର ମାନଙ୍କୁ ଭଗବାନ ଭାବି ସେମାନଙ୍କ ସେବା କରିବାକୁ ହେବ, ଏହାଦ୍ୱାରା ରାଷ୍ଟ୍ରର ଉତ୍ଥାନ ସମ୍ଭବ । ମୁଖ୍ୟ ବକ୍ତା ଭାବରେ ରାମକୃଷ୍ଣ ମିଶନ ଅଗରତାଲା (ତ୍ରିପୁରା)ର ସ୍ୱାମୀ ଶିବ ଜ୍ଞାନାନନ୍ଦ ମହାରାଜ ଯୋଗଦେଇ ସ୍ୱାମୀଜୀଙ୍କ ଜୀବନୀର ବହୁ ଦୃଷ୍ଟାନ୍ତ ମୂଳକ ତଥ୍ୟ କହି ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ବୋଲି ଆହ୍ୱାନ ଦେବା ସହିତ ଏହି ଭାରତର ଯୁବ ସମାଜ ହିଁ ବିଶ୍ୱକୁ ଭାତୃତ୍ୱ, ମୈତ୍ରୀ ଏବଂ ସାମ୍ୟର ଶାଶ୍ୱତ ବନ୍ଧନରେ ବାନ୍ଧି ରଖିପାରିବ ବୋଲି କହିଥିଲେ । ଉଦଘାଟକ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଏକ ଉନ୍ନତ, ନୀତିନିଷ୍ଠ, ଚରିତ୍ରବାନ, ଦକ୍ଷ ଏବଂ କର୍ମଠ ମାନବ ସଂଭୂତ ରାଷ୍ଟ୍ର ନିର୍ମାଣ ପାଇଁ ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କର ଆଦର୍ଶ ଏବଂ ଅନୁଚିନ୍ତା ମାଧ୍ୟମରେ ଆଗାମୀ ଯୁବପୀଢିକୁ ଗଢିତୋଳିବାକୁ ହେବ । ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ୍ ଡକ୍ଟର ବୃନ୍ଦାବନ ପଣ୍ଡା ଯୋଗଦେଇ ସ୍ୱାମୀଜୀଙ୍କ ବାର୍ତାର ପ୍ରଚାର ପ୍ରସାର ହେବା ଦରକାର ବୋଲି କହିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ସୁଜିତ ସାମନ୍ତରାୟ ଏବଂ ଅଧ୍ୟାପକ ଗୋପାଳକୃଷ୍ଣ ଦାସଙ୍କ ସଂଯୋଜନାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଖୋର୍ଦ୍ଧା ପାଇଁ ଗର୍ବ ଓ ଗୌରବ ଦଶମ ବୋର୍ଡ ପରୀକ୍ଷାରେ ଖୋର୍ଦ୍ଧାରେ ସର୍ବୋଚ୍ଚ ନମ୍ବର ରଖିଥିବା ସୁଶ୍ରୀ ପୂର୍ଣ୍ଣିମା ପୃଷ୍ଟି; ରାଜ୍ୟସ୍ତରୀୟ ଭାର ଉତୋଳନରେ ସ୍ୱର୍ଣ୍ଣପଦକ ବିଜେତାି ଶ୍ର ସୁବ୍ରତ କୁମାର ଦାସ ଏବଂ ଅବସର ପ୍ରାପ୍ତ ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡକ୍ଟର ବିଜୟ କେତନ ପଟ୍ଟନାୟକଙ୍କୁ ‘ଖୋର୍ଦ୍ଧା ଗୌରବ ସମ୍ମାନ-୨୦୧୯’ ଦେଇ ସମ୍ବର୍ନ୍ଧିତ କରାଯାଇଥିଲା । ସେହିଭଳି କେନ୍ଦ୍ରାପଡା ମହାକାଳ ପଡାର ବରକୋଳି ଖୋଳା ଡଙ୍ଗାବୁଡି ଘଟଣାରେ ସାହସିକତା ପ୍ରଦର୍ଶନ କରି ୧୦ ଜଣଙ୍କ ମୃତୁ୍ୟମୁଖରୁ ବଂଚାଇଥିବା ଦୁଇ ଭଉଣୀ ପୂର୍ଣ୍ଣିମା ଗିରି ଏବଂ ସବିତା ଗିରିଙ୍କୁ ଓଡ଼ିଶାର ଶ୍ରେଷ୍ଠ ବ୍ୟକ୍ତିତ୍ୱ ଭାବରେ ‘ଓଡ଼ିଶା ଗୌରବ ସମ୍ମାନ-୨୦୧୯’ ସହିତ ଖୋର୍ଦ୍ଧାର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ରାଜକୁମାର ମୋଦି ଏବଂ ରୀତୁ ମୋଦିଙ୍କ ସହଯୋଗରେ ଦଶ ହଜାର ଟଙ୍କାର ଆର୍ଥôକ ରାଶି ପ୍ରଦାନ କରି ସମ୍ବର୍ନ୍ଧିତ କରାଯାଇଥିଲା । ଅନୁଷ୍ଠାନର ଛାତ୍ର ଅଭିଷେକ ଭୋଇଙ୍କୁ ୨୦୧୮ ମସିହା +୨ ବିଜ୍ଞାନ ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଅନୁଷ୍ଠାନର ଶ୍ରେଷ୍ଠ କୃତୀ ଛାତ୍ର ଭାବରେ ‘ଦେବାଚାର୍ଯ୍ୟ ସମ୍ମାନ-୨୦୧୮’ ପ୍ରଦାନ ସହିତ ଉକôଳ ବିଶ୍ୱ ବିଦ୍ୟାଳୟ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଅନୁଷ୍ଠାନର ଛାତ୍ର ପବିତ୍ର କୁମାର ବେହେରାଙ୍କୁ ଜିନିଅସ୍ ଆୱାର୍ଡ, ଜ୍ୟୋସ୍ନôା ରାଣୀ ମହାପାତ୍ରଙ୍କୁ ବେଷ୍ଟ ଷ୍ଟୁଡେଂଟ୍ ଆୱାର୍ଡ ଏବଂ ଦିଲୀପ କୁମାର ସ୍ୱାଇଁଙ୍କୁ ବେଷ୍ଟ ଭଲୁ୍ୟଂଟିଅର୍ ଆୱାର୍ଡ ଦିଆଯାଇଥିଲା । ଅନୁଷ୍ଠାନ ତରଫରୁ ବିମଳ ଷଡଙ୍ଗୀ ଏବଂ ପ୍ରବୀଣା ପଟ୍ଟନାୟକଙ୍କ ସଂଯୋଜନାରେ ହୋଇଯାଇଥିବା ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ବକôୃôୃତା, ସାଧାରଣ ଜ୍ଞାନ, ଚିତ୍ରାଙ୍କନ ଏବଂ ନୃତ୍ୟ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ପ୍ରତିଯୋଗିତା ମାନଙ୍କରେ ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅନେକାଂଶରେ ପୁରସ୍କୃତ ହୋଇଥିଲେ । ଚଳିତ ବର୍ଷର ଅନୁଷ୍ଠାନର ବେଷ୍ଟ୍ ଫାକଲ୍ଟି ଭାବରେ ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବଂ କଲେଜ୍ ଅଫ୍ ବିଜିନେସ୍ ମ୍ୟାନେଜ୍ମେଂଟ୍ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ପ୍ରଫୁଲ୍ଲ କୁମାର ସାମନ୍ତରାୟଙ୍କ ସଂଯୋଜନାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ଭିନ୍ନ ଭିନ୍ନ ଚିତାକର୍ଷକ ନୃତ୍ୟ ସଂଗୀତ ସମସ୍ତ ଦର୍ଶକଙ୍କୁ ଚକିତ କରିଥିଲା । ବିଦ୍ୟାର୍ଥୀ ପରିଷଦର ବିଭାଗ ସହପ୍ରମୁଖ ସରୋଜ ପାଲଟାସିଂହ, ଜିଲ୍ଲା ପ୍ରମୁଖ ସୁଶାନ୍ତ ମୋହନ ପଟ୍ଟନାୟକ, ନଗର ସହସଂପାଦକ ଅମିତ୍ ବାରିକ, ଚନ୍ଦନ ପାଟ୍ଟଶାଣୀ, ସତ୍ୟ ନାରାୟଣ ବିଶୋଇ, ଗୋପବନ୍ଧୁ ଜେନା, ଦିଲ୍ଲୀପ ସ୍ୱାଇଁ ପ୍ରମୁଖଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋପିନାଥ ପ୍ରଧାନ, ଶ୍ରୀଧର ଦାସ, ମିହିର ବିଧାର, ବେଲେଶ୍ୱର ସାହୁ ପ୍ରମୁଖଙ୍କ ସହିତ ସ୍ଥାନୀୟ ବହୁ ଶିକ୍ଷାବିତ୍, ବୁଦ୍ଧିଜୀବୀ, ସମାଜସେବୀ ତଥା ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।