ପଂଚମ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ
୧୦ ନୂଆ ମୁହଁ, ୨ ମହିଳା
ଅରୁଣଙ୍କୁ କୃଷି, ନବଙ୍କୁ ସ୍ୱାସ୍ଥ୍ୟ ଏବଂ ସମୀରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
ଭୁବନେଶ୍ୱର, (ଓଏନ୍ଏସ୍): ନବୀନ ପଟ୍ଟନାୟକ ଆଜି ପଂଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବୁଧବାର ପୂର୍ବାହ୍ନ ୧୦.୩୦ରେ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଶପଥ ଗ୍ରହଣ ଉସôବରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କୁ ରାଜ୍ୟପାଳ ଗଣେଶୀ ଲାଲ ଶପଥ ପାଠ କରାଇଥିଲେ । ନବୀନଙ୍କ ୨୧ ଜଣିଆ ମନ୍ତ୍ରିମଣ୍ଡଳରେ ୧୧ ଜଣ କ୍ୟାବିନେଟ ପାହ୍ୟର ମନ୍ତ୍ରୀ ଥିବା ବେଳେ ୯ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । ଶପଥ ପାଠ ପରେ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ରହିଛି । ଏହାବ୍ୟତୀତ ଅନ୍ୟ ମନ୍ତ୍ରୀମାନଙ୍କୁ ଦିଆଯାଇନଥିବା ବିଭାଗ ସେ ନିଜ ହାତରେ ରଖିଛନ୍ତି । କ୍ୟାବିନେଟ ମନ୍ତ୍ରୀ ଭାବେ ନିରଞ୍ଜନ ପୂଜାରୀଙ୍କୁ ଅର୍ଥ ଓ ଅବକାରୀ ବିଭାଗ ଦିଆଯାଇଥିବା ବେଳେ ବିକ୍ରମକେଶରୀ ଆରୁଖଙ୍କୁ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ବିଭାଗ ଦାୟିତ୍ୱ ଦିଆଯାଇଛି । ପ୍ରଫୁଲ୍ଲ ମଲ୍ଲିକଙ୍କୁ ଖଣି, ଇସ୍ପାତ ଏବଂ ପୂର୍ତ ବିଭାଗ ଦିଆଯାଇଥିବା ବେଳେ ସେ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବେ । ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହ ସମବାୟ ବିଭାଗ ପାଇଛନ୍ତି । ପଦ୍ମନାଭ ବେହେରାଙ୍କୁ ଯୋଜନା ଓ ସଂଯୋଜନା ବିଭାଗ ସହ ବାଣିଜ୍ୟ ଓ ପରିବହନ ବିଭାଗ ଦିଆଯାଇଛି । ପ୍ରତାପ ଜେନା ପଂଚାୟତିରାଜ ଓ ପାନୀୟ ଜଳ, ଆଇନ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଛନ୍ତି । ଡକ୍ଟର ଅରୁଣକୁମାର ସାହୁଙ୍କୁ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଉଚ୍ଚଶିକ୍ଷା ବିଭାଗ ଦିଆଯାଇଛି । ସୁଦାମ ମାର୍ଣ୍ଡି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦାୟିତ୍ୱ ପାଇଛନ୍ତି । ସୁଶାନ୍ତ ସିଂହଙ୍କୁ ଗ୍ରାମ୍ୟ ଉନ୍ନୟନ ଏବଂ ଶ୍ରମ ଓ କର୍ମଚାରୀ ବୀମା ବିଭାଗ, ନବ କିଶୋର ଦାସଙ୍କୁ ସ୍ୱାସ୍ଥ୍ୟ ଏବଂ ଟୁକୁନି ସାହୁଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଦାୟିତ୍ୱ ଦିଆଯାଇଛି ।
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟୀତ୍ୱ) ପାଇଥିବା ମନ୍ତ୍ରୀଙ୍କ ମଧ୍ୟରେ ଜଗନ୍ନାଥ ସାରକାଙ୍କୁ ଅନୁସୂଚିତ ଜନଜାତି, ଜାତି ବିକାଶ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ, ଦିବ୍ୟଶଙ୍କର ମିଶ୍ରଙ୍କୁ ଶକ୍ତି, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଅଶୋକଚନ୍ଦ୍ର ପଣ୍ଡାଙ୍କୁ ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମଙ୍କ ସଶକ୍ତୀକରଣ ବିଭାଗ ଦାୟିତ୍ୱ ଦିଆଯାଇଛି । ସେହିପରି ସମୀରରଞ୍ଜନ ଦାଶଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପ୍ରେମାନନ୍ଦ ନାୟକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ରଘୁନନ୍ଦନ ଦାସଙ୍କୁ ଜଳସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ, ପଦ୍ମିନୀ ଦିଆନଙ୍କୁ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଏବଂ ତୁଷାରକାନ୍ତୀ ବେହେରାଙ୍କୁ ସୂଚନା ପ୍ରଯୁକ୍ତି ବିଦ୍ୟା ସହ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଦିଆଯାଇଛି ।
ଗତଥର ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ସ୍ନେହାଙ୍ଗିନୀ ଛୁରିଆ, ଉଷା ଦେବୀ, ପ୍ରଦୀପ ମହାରଥୀ, ସୂର୍ଯ୍ୟ ନାରାୟଣ ପାତ୍ର, ନୃସିଂହ ସାହୁ, ଅନନ୍ତ ଦାସ, ଚନ୍ଦ୍ରସାରଥୀ ବେହେରା, ଶଶିଭୂଷଣ ବେହେରାଙ୍କ ପରି ବହୁ ମନ୍ତ୍ରୀ ଏଥର ବାଦ ପଡ଼ିଛନ୍ତି । ପୂର୍ବତନ ମନ୍ତ୍ରୀ ଏବଂ ବାଚସ୍ପତି ପ୍ରଦୀପକୁମାର ଅମାତଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ । ମନ୍ତ୍ରିପଦ ପାଇଁ ଆଶାୟୀ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରଣବପ୍ରକାଶ ଦାସ, ପ୍ରଦୀପ ପାଣିଗ୍ରାହୀଙ୍କୁ ମନ୍ତ୍ରିମଣ୍ଡଳରେ ନିଆ ଯାଇନାହିଁ । ରାଜ୍ୟସଭା ସାଂସଦ ଥାଇ ବିଧାନସଭା ପାଇଁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ପ୍ରତାପ ଦେବ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନିରାଶ ହେବାକୁ ପଡ଼ିଛି । ଏଥର ମନ୍ତ୍ରିମଣ୍ଡଳରେ ୨ଜଣ ମହିଳା ସ୍ଥାନ ପାଇଛନ୍ତି । ସେହିପରି ୧୦ ନୂଆ ମୁହଁଙ୍କୁ ମନ୍ତ୍ରିପଦ ମିଳିଛି ।
ନବୀନଙ୍କ ନୂତନ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉସôବରେ ନବୀନଙ୍କ ଭାଇ ପ୍ରେମ ପଟ୍ଟନାୟକ, ଭଉଣୀ ଗୀତା ମେହେଟ୍ଟା ଏବଂ ବହୁ ଶିଳ୍ପଦ୍ୟୋଗୀ ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।
(ରବିପ୍ରିୟ ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ)