ସରକାରଙ୍କ ଅବହେଳାରୁ ନିଜର ଅସ୍ତିତ୍ୱ ହରାଉଛି କେନ୍ଦ୍ରାପଡ଼ା ଜିଲ୍ଲା
କେନ୍ଦ୍ରାପଡ଼ା, (ଆଇଏନ୍ଏସ୍): ଚିର ଅବହେଳିତ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ବିବିଧ ସମସ୍ୟାର ଗର୍ଭ ମଧ୍ୟରେ ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି, ପାନୀୟଜଳ,ସଂଚାର,ଦାରିଦ୍ର୍ୟ, ବେକାରୀ ଆଦି ମୌଳିକ ସମସ୍ୟା ଉକ୍ରଟ ରୂପ ଧାରଣ କରିଥିବା ବେଳେ ୧୯୯୯ ର ପ୍ରଳୟଙ୍କରୀ ବାତ୍ୟା ଜିଲ୍ଲାର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଏପରିକି କେବିକେ ବ୍ୟତୀତ ଅନ୍ୟ ୨୨ଟି ଜିଲ୍ଲା ମଧ୍ୟରେ ଏହି ଜିଲ୍ଲା ଲୋକଙ୍କର ମୌଳିକ ସମସ୍ୟା ସବୁଠୁ ଆଗରେ ରହିଛି । ବଙ୍ଗୋପସାଗର କୂଳବର୍ତୀ ଏହି ଜିଲ୍ଲାର ଭୌଗୋଳିକ ଆୟତନ ୨୬୪୪ ବର୍ଗ କିଲୋମିଟର ଓ ଏହାର ଉପକୂଳବର୍ତୀ ସୀମା ୪୮ କିଲୋମିଟର । ଏହି ଜିଲ୍ଲାର ଲୋକସଂଖ୍ୟା ୧୪ଲକ୍ଷ ୪୧ ହଜାର । ଏହାର ଜଙ୍ଗଲ ପରିମାଣ ୧୯୯୩୯ ବର୍ଗ କିଲୋମିଟର ଓ ଚାଷ ଉପଯୋଗୀ ଜମି ପରିମାଣ ୧ଲକ୍ଷ ୮୨ ହଜାର ୧୮୪ହେକ୍ଟର । ୨୪୯ ଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୧୫୪୯ ଟି ଗ୍ରାମ ରହିଛି ଏହି ଜିଲ୍ଲାରେ । ୧୯୯୯ ମହାବାତ୍ୟାରେ କ୍ଷତିଗ୍ରସ୍ତ ତାଲିକାରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲା ଧ୍ୱଂସ ସ୍ତୂପରେ ପରିଣତ ହୋଇଥିବା ଜଗତସିଂହପୁର ଜିଲ୍ଲାର ପଛକୁ ରହିଥିଲା । ଶିଳ୍ପବିହୀନ ଏହି ଜିଲ୍ଲା ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ ସ୍ୱାଧୀନତା ପରଠାରୁ ସଂଘର୍ଷ କରିଆସୁଥିଲେ ହେଁ ସମୟ ଓ ପରିସ୍ଥିତି ଜିଲ୍ଲାବାସୀଙ୍କୁ ଭୋକ ଉପାସରେ ରହି ଜିଇଁବାକୁ ବାଧ୍ୟ କରିଚାଲିଛି । ଏଠାରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ବହୁ ଅଧିକ ଥିଲାବେଳେ ନିଯୁକ୍ତି ହାର ସବୁଠୁ କମ୍ ରହିଛି । ଦାରିଦ୍ର୍ୟ ଦୂରୀକରଣ ଯୋଜନା, ସ୍ୱାସ୍ଥ୍ୟସେବା, ବିଦୁ୍ୟତ୍ସେବା, ସଂଚାର ସେବା, ଗମନାଗମନ ଏବଂ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି । ତଥାପି ଜିଲ୍ଲାର ବିଧାୟକ, ସାଂସଦ ଓ ଅନ୍ୟ ଜନପ୍ରତିନିଧିମାନେ କୌଣସି ସନ୍ତୋଷ ଜନକ ପଦକ୍ଷେପ ନେବା ଦେଖାଯାଉନାହିଁ । ନିର୍ବାଚନ ବେଳେ ସେମାନେ ନିଜର ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟ କରୂନଥିବା ଅଭିଯୋଗ ହେଉଛି । ଏଥିନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।