ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ
କ୍ରୀଡା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରତିପାଦନ କଲେ ଦେଶ ଓ ଜାତିର ଉନ୍ନତି ଘଟିବ
ଭୁବନେଶ୍ୱର, (ଓଏନ୍ଏସ୍): ନୀଳାଦ୍ରିବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ବିଜୟ ମୁଦାଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଏଭରେଷ୍ଟ ପର୍ବତ ଆରୋହୀ ଗଣେଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଓ ଆନ୍ତର୍ଜାତିକ ସ୍ତରର ଧାବିକା ପୁର୍ଣ୍ଣିମା ହେମ୍ବ୍ରମ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥିô ଶ୍ରୀଯୁକ୍ତ ଜେନା ଉପସ୍ଥିତ କୁନିକୁନି ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଏକାଗ୍ରତା ରଖି କ୍ରୀଡା ସାଧନା କଲେ, ଭବିଷ୍ୟତ ଜୀବନରେ କ୍ରୀଡା କ୍ଷେତ୍ରରେ ସର୍ବୋଚ୍ଚ ସଫଳତା ମିଳିପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ପୂର୍ଣ୍ଣିମା ହେମ୍ବ୍ରମ୍ ଲମ୍ବଡିଆଁ ଡେଇଁ କ୍ରୀଡା ଉଦ୍ଘାଟନ କରିଥିଲେ । ଏହି ବାର୍ଷିକ କ୍ରୀଡା ଉତ୍ସବ ତିନି ଦିନ ମଧ୍ୟରେ ୧୦୦,୨୦୦, ୪୦୦ମି. ଦୌଡ,୧୦୦ମି. ବାଧା ଦୌଡ, ଲମ୍ବଡିଆଁ , ଉଚ୍ଚଡିଆଁ , ଗଣିତଦୌଡ, ସଙ୍ଗୀତ ଚୌକି, ଦଉଡି ଡିଆଁ ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ଏଥିରେ ସଫଳ ହୋଇଥିବା ପ୍ରତିଭାଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉଦ୍ୟାପନୀ ଉତ୍ସବରେ ଜାତୀୟସ୍ତରର ଦୌଡକୁଦ ପ୍ରଶିକ୍ଷକ ନୀଳମାଧବ ଦେଓ ମୁଖ୍ୟ ଅତିଥିଭାବେ ଯୋଗଦେଇ ପିଲାମାନଙ୍କୁ କ୍ରୀଡା କ୍ଷେତ୍ରରେ ଶ୍ରେଷ୍ଠତା ଆଣି ଦେଶ ଓ ଜାତିର ଗୌରବକୁ ବହୁଗୁଣିତ କରିବାପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆନ୍ତର୍ଜାତୀୟ ସ୍ତରର ଖୋ-ଖୋ ଖେଳାଳି ତଥା ସ୍ୱର୍ଣ୍ଣପଦକ ବିଜୟିନୀ ମନ୍ଦାକିନୀ ମାଝି ସମ୍ମାନିତ ଅତିଥିଭାବେ ଯୋଗଦେଇ ପିଲାମାନଙ୍କୁ ଭବିଷ୍ୟତରେ ଲବ୍ଧ ପ୍ରତିଷ୍ଠ କ୍ରୀଡାବିତ୍ ହେବାପାଇଁ ଆହ୍ୱାନ ଦେଇଥିଲେ । ଚଳିତବର୍ଷର ଶ୍ରେଷ୍ଠ କ୍ରୀଡାବିତ୍ ମାନଙ୍କୁ ମଂଚାସୀନ ଅତିଥିଗଣ ପୁରସ୍କୃତ କରିଥିଲେ । ଏହି ତିନି ଦିନିଆ କ୍ରୀଡାରେ ବିଦ୍ୟାଳୟର ୭୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ସୁରେଶ ଚନ୍ଦ୍ର ବେହେରା ମଂଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲା ବେଳେ ପ୍ରଧାନ ଆଚାର୍ଯ୍ୟ କେଦାରନାଥ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡା ସଂଯୋଜକ ରାଜୀବ କୁମାର ମହାନ୍ତି କ୍ରୀଡା ବିବରଣୀ ପଠନ କରିଥିଲେ । ଏହି କ୍ରୀଡା ଉତ୍ସବକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ପରିଚାଳନା ସମିତିର ସଂପାଦକ ଇନ୍ଦ୍ରମଣି ସେଣ୍ଡ୍ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ସର୍ବଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନ୍ତ୍ର ମୁଗ୍ଧକର ନୃତ୍ୟ, ଆତସବାଜି, ପରିବେଷଣ କରାଯାଇଥିଲା ।