ସାହିତ୍ୟକାର ଗନ୍ଧର୍ବ ସେନଙ୍କ ପରଲୋକ
ଭୁବନେଶ୍ୱର, (ଓଏନ୍ଏସ୍) : ବିଶିଷ୍ଟ ଶିଶୁ ସାହିତ୍ୟକାର ତଥା ଅନୁବାଦକ ଗନ୍ଧର୍ବସେନ ରଣାଙ୍କର ଆଜି ରାଜଧାନୀ ହସପିଟାଲରେ ପରଲୋକ ହୋଇଯାଇଛି । କିଛିଦିନ ହେଲା ସେ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଓଡ଼ିଶା ରାଜ୍ୟ ସଚିବାଳୟରେ ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ ହୋଇ ସେ ୨୦୧୪ରେ ଅବସର ନେଇଥିଲେ । ସେ ନିୟମିତ ପିଲାଙ୍କ ପାଇଁ ଲେଖାଲେଖି କରୁଥିଲେ । ତାଙ୍କର ଅନେକ ଗୁଡିଏ ଶିଶୁ ପୁସ୍ତକ ପ୍ରକାଶିତ ହୋଇ ପାଠକ ମହଲରେ ବେଶ୍ ଆଦୃତ ଲାଭ କରିଥିଲା । ସେ ପିଲାଙ୍କ ଧାସାରଣ ଜ୍ଞାନ ଠାରୁ ଆରମ୍ଭ କରି ଗଳ୍ପ ଓ ଅନୁବାଦ ଗଳ୍ପ ପୁସ୍ତକ ଭଳି ୪୦ ରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ଅବସର ନେବା ପରେ ସେ ବିଭିନ୍ନ ସଂସ୍ଥା ସହିତ ଜଡିତ ହେବା ସହ ନିୟମିତ ଲେଖାଲେଖି କରୁଥିଲେ । ସେ ମଧ୍ୟ ସଂବାଦ ସରବରାହ ସଂସ୍ଥା “ଓଡ଼ିଶା ନୁ୍ୟଜ୍ ସର୍ଭିସ୍”ବା ଓଏନ୍ଏସ୍ ସହିତ ଜଡ଼ିତ ଥିଲେ । ତାଙ୍କର ଅକାଳ ବିୟୋଗରେ ଓଏନ୍ଏସ୍ ର ସଂପାଦକ ଶରତ କୁମାର ରାଉତ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତ ରଣାଙ୍କ ଅମର ଆତ୍ମାର ସଦଗତି ପାଇଁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।