ସୋର ପୌରପାଳିକାରେ ଲାଗିଛି ପ୍ରାଇଭେଟ୍ ଗାଡ଼ି!

ସୋର ପୌରପାଳିକାରେ ଲାଗିଛି ପ୍ରାଇଭେଟ୍ ଗାଡ଼ି!

ବାଲେଶ୍ୱର, (ଓଏନ୍ଏସ୍) : ବିଭିନ୍ନ ବିଭାଗ ଓ ବିଭିନ୍ନ କ୍ଷେତ୍ରପାଇଁ ସରକାରଙ୍କ ଆଇନ୍ ରହିଛି । କିନ୍ତୁ ସରକାରୀ ଆଇନ୍କୁ ଗୋଇଠାମାରି ସରକାରୀ ଅଧିକାରୀମାନେ ଖୁଲମ୍ ଖୋଲା ବେଆଇନ୍ କାର୍ଯ୍ୟ କରିଚାଲିଛନ୍ତି । ଅଥଚ ତାହା ଉପରେ ଅଙ୍କୁଶ ନାହିଁ କିମ୍ବା ନାହିଁ କାର୍ଯ୍ୟାନୁଷ୍ଠାନ । ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ସୋର ପୌରପାଳିକା କାର୍ଯ୍ୟାଳୟରେ । ଏହି କାର୍ଯ୍ୟାଳୟ ଭଡ଼ା ସୂତ୍ରରେ ନେଇଥିବା ଗାଡ଼ିଟି ଏକ ପ୍ରାଇଭେଟ୍ ଗାଡ଼ି । ନିୟମ ଅନୁସାରେ ପ୍ରାଇଭେଟ୍ ଗାଡ଼ିକୁ ଭଡ଼ାସୂତ୍ରରେ କୌଣସି ସରକାରୀ କାର୍ଯ୍ୟାଳୟ ନେଇ ପାରିବ ନାହିଁ ।
କରୋନା ମୁକାବିଲାରେ ସୋର ପୌରପାଳିକାର ନିର୍ବାହୀ ଅଧିକାରୀ ରାକେଶ ପଣ୍ଡା ଜଣେ ଦକ୍ଷ ଅଧିକାରୀ । ତାଙ୍କର COVID-19 ସହିତ EXECUTIVE OFFICER, SORO MUNICIPALITY ଲେଖା ଥିବା କଳା ମଚମଚ୍ କାର୍ (ପୌରପାଳିକାରେ ଭଡ଼ା ସୂତ୍ରରେ ଲାଗିଥିବା କାର୍) ଦେଖିବା ମାତ୍ରେ କରୋନା ଆଇନ୍ ଖିଲାପକାରୀଙ୍କର ହେମାଳ ହୋଇଯାଏ । କେତେବେଳେ ରାସ୍ତାରେ ଯାଂଚ କରି କେଉଁ ମୋଟର ସାଇକେଲର ପମ୍ପ ଖୋଲି ଦେଲେଣି ତ’ ବେଆଇନ୍ ଭାବେ ଖୋଲିଥିବା ଦୋକାନର ସଟର ଟାଣି ଦେଲେଣି, ପୁଣି ଅମାନିଆଙ୍କୁ ସାବାଡ଼ କରିବାକୁ ମଧ୍ୟ ପଛାନ୍ତି ନାହିଁ । ଏହି ଦଣ୍ଠା ଅଧିକାରୀଙ୍କର ଦଣ୍ଠା କାର୍ଯ୍ୟ ଆଢ଼ୁଆଳରେ ଯେ ରହିଛି ଦଣ୍ଠା ବେଆଇନ୍ କାର୍ଯ୍ୟ, ତାହା ବିଶ୍ୱାସଯୋଗ୍ୟ ନହେଲେ ବି ସତ୍ୟ ।
ପୂର୍ବରୁ ବିଭିନ୍ନ କାର୍ଯ୍ୟାଳୟରେ ସରକାରୀ ଗାଡ଼ି ରହିଥିଲା । କିନ୍ତୁ ପରିବର୍ତିତ ନିୟମ ଅନୁସାରେ, ସରକାରୀ ଗାଡ଼ି ପରିବର୍ତେ ସରକାରୀ କାର୍ଯ୍ୟାଳୟ ପାଇଁ ଭଡ଼ା ସୂତ୍ରରେ ଗାଡ଼ି ନିଆଯାଉଛି । କିନ୍ତୁ ଭଡ଼ାସୂତ୍ରରେ ଗାଡ଼ି ନେବାପାଇଁ କେତେକ ସରକାରୀ ନିୟମ ରହିଛି । ସେଥିମଧ୍ୟରୁ ମୁଖ୍ୟ ନିୟମଟି ହେଲା, ପ୍ରାଇଭେଟ ଗାଡ଼ିକୁ ଭଡ଼ାସୂତ୍ରରେ ନେଇ ହେବନାହିଁ, କେବଳ କମର୍ସିଆଲ ଗାଡ଼ିକୁ ହିଁ ସରକାରୀ କାର୍ଯ୍ୟାଳୟ ପାଇଁ ଭଡ଼ା ସୂତ୍ରରେ ନେଇ ହେବ । ଦ୍ୱିତୀୟତଃ-ଗାଡ଼ିର ବୟସ ୩ବର୍ଷରୁ ଉଦ୍ଧ୍ୱର୍ ହୋଇନଥିବ । କିନ୍ତୁ ସୋର ପୌରପାଳିକାରେ ଭଡ଼ାସୂତ୍ରରେ ଲାଗିଥିବା ଗାଡ଼ିଟି ଏକ ପ୍ରାଇଭେଟ୍ ଗାଡ଼ି (No.-OR01K8575 : MAHINDRA BOLERO SLX 2WD BS2) I  ଏହି ଗାଡ଼ିଟି ଜୁନ୍ ୧୨ ତାରିଖ ୨୦୦୭ ମସିହାରେ ରେଜିଷ୍ଟ୍ରେସନ ହୋଇଛି । ଅର୍ଥାତ୍ ୧୨ ଜୁନ୍ ୨୦୨୦କୁ ଏହି ଗାଡ଼ିର ବୟସ ୧୩ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି, ଯଦିଓ ସରକାରୀ ନିୟମ ଅନୁୁସାରେ ୩ବର୍ଷରୁ ଅଧିକ ବୟସର ଗାଡ଼ିକୁ ଭଡ଼ାରେ ନିଆଯାଇ ପାରିବ ନାହିଁ ।
ଏହି ଘଟଣାକୁ ଦେଖିବା ପରେ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା, ଏଭଳି ବେଆଇନ୍ ଭାବେ ଗାଡ଼ିକୁ ଭଡ଼ା ସୂତ୍ରରେ କିପରି ନେଇଛି ପୌରପାଳିକା (?) ଓ କିପରି ବିଲ୍ ପେମେଂଟ କରାଯାଉଛି? ଆମକୁ ମିଳିଥିବା ଅଭିଯୋଗ ଅନୁସାରେ ଗାଡ଼ିର ଭଡ଼ା ଅନ୍ୟ ଏକ କମର୍ସିଆଲ ଗାଡ଼ି ନାମରେ ହେଉଅଛି । ବାସ୍ତବିକ୍ ଏହା ଚାଲାକିର କାମ । ଆରଟିଆଇରେ ମାଗିବ ତ’ ତଥ୍ୟ, ଆସିବ କମର୍ସିଆଲ ଗାଡ଼ିର । କିନ୍ତୁ ଦୁର୍ଭାଗ୍ୟର କଥା ପୌରପାଳିକା ଅଧିକାରୀ ବ୍ୟବହାର କରୁଥିବା ଗାଡ଼ିଟି କାର୍ଯ୍ୟାଳୟ ପରିସରରେ ଥିବା ବେଳେ ଏବଂCOVID-19 ସହିତ EXECUTIVE OFFICER, SORO MUNICIPALITY ଲେଖା ଥିବା ଅବସ୍ଥାରେ ଆମର ଦୃଷ୍ଟିରେ ପଡ଼ିଥିଲା । ଯାହାର ଫଟୋ ଏହା ସହିତ ଦେଖିବାକୁ ମିଳୁଛି ।
ଅନ୍ୟ ଏକ ଘଟଣା ହେଲା, ଏହି ଗାଡ଼ିଟି ଜଣେ ଅବସର ପ୍ରାପ୍ତ ପୌର କର୍ମଚାରୀଙ୍କ ପରିବାର/ନିକଟ ସମ୍ପର୍କୀୟଙ୍କର ବୋଲି ଜାଣିବାକୁ ମିଳିଛି । ପୌର ଅଧିକାରୀ ମହୋଦୟ ସମ୍ପୂର୍ଣର୍ଭାବରେ ତାଙ୍କ ପକେଟରେ ରହି କାର୍ଯ୍ୟ କରୁଥିବାର ଅଭିଯୋଗ ମଧ୍ୟ ହେଉଛି । ଅଥଚ ସେଥିପ୍ରତି କୌଣସି ଉଚ୍ଚ ପଦାଧିକାରୀଙ୍କର ଦୃଷ୍ଟି ପଡ଼ୁନାହିଁ ।

Leave a Reply

Your email address will not be published.