ସ୍ୱାଧୀନତା ସଂଗ୍ରାମରେ ତୁଡ଼ିଗଡ଼ିଆର ଭୂମିକା

ବାଲେଶ୍ୱର, (ଓଏନ୍ଏସ୍/ଆଇଏନ୍ଏସ୍): ଭାରତ ମାତାର ହାତରୁ ପରାଧୀନତାର ଶୃଙ୍ଖଳକୁ ଛିନ୍ନ କରି ଭାରତକୁ ଇଂରେଜ କବଳରୁ ମୁକ୍ତ କରି ସ୍ୱାଧୀନ କରିବା ପାଇଁ ସମଗ୍ର ଭାରତବର୍ଷରେ ବିଳ୍ପବର ବହ୍ନି ଜଳି ଉଠିଥିଲା । ସେହି ଅଗ୍ନିରେ ଦେଶର କୋଣ ଅନୁକୋଣରୁ ହଜାରହଜାର ଯୁବକ ଝାସ ଦେଇଥିଲେ । ଠିକ୍ ସେହିପରି ତୁଡ଼ିଗଡ଼ିଆ ଅଞ୍ଚଳର ମଧ୍ୟ ଏହି ବିଳ୍ପବର ନିଆଁ ହୁତୁହୁତୁ ହୋଇ ଜଳି ଉଠିଥିଲା ଏବଂ ଏହି ଅଞ୍ଚଳର ବହୁ ଯୁବକ ସ୍ୱାଧୀନତା ସଂଗ୍ରାମର ବହ୍ନିରେ ଝାସ ଦେଇଥିଲେ ଏବଂ ରଘୁ, ମକର ଓ କେଳୁ ନାମକ ୩ଜଣ ଯୁବକ ମଧ୍ୟ ନିଜ ବୁକୁର ରକ୍ତ ନିଗାଡ଼ି ଦେଇଥିଲେ, ଯାହାପାଇଁ ସ୍ୱାଧୀନତା ସଂଗ୍ରାମ ଇତିହାସରେ ତୁଡ଼ିଗଡ଼ିଆର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଗଲା ।
ସେଦିନ ଥିଲା ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ ସୋମବାର, ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ଅବିସ୍ମରଣୀୟ ଦିବସ । । ଭାରତମାତାର ହାତରୁ ପରାଧୀନତାର ଶୃଙ୍ଖଳକୁ ଛିଡ଼ାଇବା ପାଇଁ ଏହି ଅଞ୍ଚଳର ୩ଜଣ ସଂଗ୍ରାମୀ ନିଜ ଜୀବନକୁ ଉତ୍ସ୍ୱର୍ଗ କରିଦେଇଥିଲେ । ପୋଲିସ ଗୁଳିରେ ଶହୀଦ ହୋଇଯାଇଥିବା ଏହି ସଂଗ୍ରାମୀମାନେ ହେଲେ ବଧି ଗ୍ରାମର ରଘୁ ବେହେରା, ବଡ଼ପୋଖରୀ ଗ୍ରାମର ମକର ଲେଙ୍କା ଓ ଡାଲଙ୍ଗ ଗ୍ରାମର କେଳୁ ସାହୁ । ଏହିଦିନ ସକାଳ ପ୍ରାୟ ୯ଟା ସମୟରେ ଛତରା ଗ୍ରାମରେ ସଂଗ୍ରାମୀମାନେ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ରତ ଥିବା ସମୟରେ ଖଇରାଡିହି ଗ୍ରାମରୁ ଶଙ୍ଖଧ୍ୱନୀ ବାଜି ଉଠିଥିଲା । ଲୋକମାନେ ସେଠାକୁ ଯାଇ ଦେଖିବାକୁ ପାଇଲେଯେ, ବହୁ ପୋଲିସ ବୈଦ୍ୟନାଥଙ୍କ ଘରେ ତାଙ୍କର ବାପା ଶିବ ପ୍ରସାଦ ରାଉତଙ୍କୁ ମାଡ ମାରିବା ସହିତ ଦଉଡ଼ିରେ ବାନ୍ଧି ଦେଇଥିଲେ ଏବଂ ଗ୍ରାମର ବିଭିନ୍ନ ଛକରେ ପୋଲିସ ମୁତୟନ ହୋଇଥିଲେ ।
ବୈଦ୍ୟନାଥଙ୍କୁ ଧରାଇଦେବା ସହିତ ସ୍ଥାନଛାଡ଼ି ଚାଲିଯିବାକୁ ପୋଲିସର ସତର୍କ ସୂଚନାକୁ ଲୋକମାନେ ପ୍ରତ୍ୟାଖ୍ୟାନ କରିବା ସହିତ କେତେକ ସାହସୀ ସଂଗ୍ରାମୀ ପୋଲିସ ଆଡ଼କୁ ଅଗ୍ରସରହେବା ଦେଖି ପୋଲିସ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲା । ଫଳରେ ଘଟଣା ସ୍ଥଳରେ ବଧି ଗ୍ରାମର ରଘୁ ବେହେରା ଓ ବଡ଼ ପୋଖରୀ ଗ୍ରାମର ମକର ଲେଙ୍କା ଗୁଳି ଚୋଟରେ ସେଠାରେ ଟଳି ପଡ଼ିବା ସହିତ ବଧି ଗ୍ରାମର ମଧୁ ଦାସ, ବଡ଼ପୋଖରୀ ଗ୍ରାମର ଆନନ୍ଦ ଚନ୍ଦ୍ର ଦାସମହାପାତ୍ର ଏବଂ ବୁଦାଖୁଣ୍ଟା ଗ୍ରାମର ଶ୍ୟାମସୁନ୍ଦର ବାରିକ ଗୁରୁତର ଭାବେ ଆହତ ହୋଇଥିଲେ । ପୋଲିସ ବୈଦ୍ୟନାଥଙ୍କ ଘରେ ଲୁଟ କରିଥିଲା ଏବଂ ସଂଗ୍ରାମୀଙ୍କ ଶବକୁ ତୁଡ଼ିଗଡ଼ିଆ ପୋଲିସ କ୍ୟାମ୍ପକୁ ନେଇଯାଇଥିଲା । ଏହି ଘଟଣା ପରେ ସଂଗ୍ରାମୀମାନେ ସେମାନଙ୍କ ସାଥୀ ଦ୍ୱୟଙ୍କର ଶବକୁ ପୋଲିସ ଠାରୁ ଉଦ୍ଧାର କରିବା ପାଇଁ ସମବେତ ହୋଇ ତୁଡ଼ିଗଡ଼ିଆର ପୋଲିସ ଶିବିର ଅଭିମୁଖେ ସେହିଦିନ ଅପରାହ୍ନରେ ଆଗେଇଥିଲେ । ଏଥିରେ ବହୁ ସଂଖ୍ୟାରେ ଜନତା ସାମିଲ ହୋଇଥିବା ବେଳେ ବହୁଳ ଜନତାଙ୍କୁ ଦେଖି ପୋଲିସ ଭୟଭୀତ ହେବା ସହିତ ଅତ୍ମରକ୍ଷା ପାଇଁ ଗୁଳି ଚଳାଇବା ଫଳରେ ଡାଲଙ୍ଗ ଗ୍ରାମର କେଳୁ ସାହୁଙ୍କର ମୃତୁ୍ୟ ହୋଇଥିଲା ।
ବାଲେଶ୍ୱର ଜିଲ୍ଲାର ସୋର, ଖଇରା ଓ ଔପଦା ଅଞ୍ଚଳର କେନ୍ଦ୍ରସ୍ଥଳ ହେଲା ‘ତୁଡ଼ିଗଡ଼ିଆ’ । ଭାରତର ସ୍ୱାଧୀନତା ସଂଗ୍ରାମରେ ତୁଡ଼ିଗଡ଼ିଆ ୧୯୨୧ମସିହା ଠାରୁ ଏକ ଗୌରବମୟ ଭୂମିକା ଗ୍ରହଣ କରିଥିଲା । ଗାନ୍ଧିଜୀଙ୍କର ସ୍ୱରାଜବାର୍ତ୍ତାକୁ ଏହି ଅଞ୍ଚଳରେ ପ୍ରଚାର କରାଥିଲେ ସ୍ୱାଧୀନତା ସଂଗ୍ରାମୀ ନନ୍ଦକିଶୋର ଦାସ ଏବଂ ନୀଳାମ୍ବର ଦାସ । ଯାହାଦ୍ୱାରା ଜନସାଧାରଣଙ୍କ ମନରେ ଜାତୀୟ ଚେତନା ଜାଗ୍ରତ ହୋଇଥିଲା ଏବଂ ହଜାରହଜାର ଲୋକ ସ୍ୱତଃପ୍ରବୃତ ଭାବରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବା ସହିତ ଅସହଯୋଗ, ଆଇନ ଅମାନ୍ୟ ଆନେ୍ଦାଳନରେ ସାମିଲହୋଇଥିଲେ ।
୧୯୪୨ ମସିହା ଅଗଷ୍ଟ ୮ତାରିଖ ରାତିରେ ନିଖିଳ ଭାରତ କଂଗ୍ରେସ କମିଟି ବମ୍ବେଠାରେ ‘ଭାରତଛାଡ଼’ ଆନେ୍ଦାଳନର ଐତିହାସିକ ପ୍ରସ୍ତାବ ଗହଣ କରିବା ପରେ ପରଦିନ (ଅର୍ଥାତ୍ ଅଗଷ୍ଟ ୯ତାରିଖ) ପ୍ରତୁ୍ୟଷରେ ବମ୍ବେଠାରେ ସମେବତ ସଂଗ୍ରାମୀ ମହାତ୍ମାଗାନ୍ଧୀ, ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମୌଲାନା ଆଜାଦ୍ ଓ ଡଃ ହରେକୃଷ୍ଣ ମହତାବ ପ୍ରମୁଖଙ୍କୁ ଇଂରେଜ ସରକାର ଗିରଫ କରିନେଇଥିଲେ, ଫଳରେ ଭାରତରେ ସ୍ୱାଧୀନତା ସଂଗ୍ରାମର ବହ୍ନି ଅଧିକ ପ୍ରଜ୍ୱଳିତ ହୋଇଉଠିଥିଲା । ସ୍ୱାଧୀନତାର ଏହି ଅଗ୍ନି ତୁଡ଼ିଗଡ଼ିଆରେ ମଧ୍ୟ ପ୍ରଜ୍ୱଳିତ ହୋଇଥିଲା ।
୧୯୪୨ ମସିହା ସେପ୍ଟେମ୍ବର ୬ ତାରିଖ କେବଳ ତୁଡ଼ିଗଡ଼ିଆ ନୁହେଁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ସ୍ମରଣୀୟ ଦିବସ । ଏହି ଦିନ କଂଗ୍ରେସ କର୍ମୀ କୃଷ୍ଣଚନ୍ଦ୍ର ଯେନା, ଚିନ୍ତାମଣୀ ପଣ୍ଡା ଓ ପୁରୁଷୋତ୍ତମ ପାଢ଼ୀ ପ୍ରଭୃତି ପ୍ରଥମେ ଛତରା ଗ୍ରାମରେସଭାକରି ଇଂରେଜ ସରକାରଙ୍କ ଅମାନୁଷିକ କାର୍ଯ୍ୟ ଓ ସଂଗ୍ରାମୀ ମାନଙ୍କୁ ଗିରଫ ସମ୍ପର୍କରେ ଜନତାଙ୍କୁ ଅବଗତ କରାଇବା ପରେ ଏହି ଅଞ୍ଚଳର ଲୋକମାନେ ଇଂରେଜ ଶାସନକୁ ହଟାଇବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ ।
୧୯୪୨ ମସିହା ସେପ୍ଟେମ୍ବର ୧୨ ତାରିଖ ଶନିବାର ଏହି ଅଞ୍ଚଳ ପାଇଁ ଆଉ ଏକ ଅବିସ୍ମରଣୀୟ ଦିବସ । ଏହି ଅଞ୍ଚଳର ଖଇରାଡିହି ଗ୍ରାମର ରେଭେନ୍ସା କଲେଜର ଛାତ୍ର ବୈଦ୍ୟନାଥ ରାଉତ ପାଠପଢ଼ା ଛାଡ଼ି ଇଂରେଜକୁ ତଡ଼ିବା ପାଇଁ ମୁକ୍ତି ସଂଗ୍ରାମରେ ଝାସ ଦେଇଥିଲେ । ଏହି ଅଞ୍ଚଳର ଛତରା, ଖଇରାଡିହି ଓ ଡାଲଙ୍ଗ ଗ୍ରାମର ପ୍ରମୁଖ ଓ ପୁରାତନ କଂଗ୍ରେସକର୍ମୀଙ୍କ ସହାୟତାରେ ଯୁବକ ବୈଦ୍ୟନାଥ ନିରବଚ୍ଛିନ୍ନ ଭାବରେ ସଂଗ୍ରାମ ଚଳାଇଥିଲେ । ଏହି ଅଞ୍ଚଳରେ ହରତାଳ, ପ୍ରତିବାଦ ସଭା, ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଖଜଣା, ଟ୍ୟାକ୍ସ, ଜମିଦାରଙ୍କ ଭେଟି ବନ୍ଦ ଏବଂ ସରକାରୀ କର୍ମଚାରୀ ଓ ପୋଲିସ ସହିତ ଅସହଯୋଗ ଆରମ୍ଭ କରିଦେଇଥିଲେ ସଂଗ୍ରାମୀମାନେ । ତୁଡ଼ିଗଡ଼ିଆର ଚାରିପାଖର ପ୍ରାୟ ୨୪ ବର୍ଗ କି.ମି ଅଞ୍ଚଳକୁ ସଂଗ୍ରାମୀମାନେ ସ୍ୱାଧୀନ ରାଜ୍ୟ ଘୋଷଣା କରିବା ସହିତ ଛତରା ଗ୍ରାମରେ ସ୍ୱାଧୀନ ବିଚାରାଳୟ ଓ ସ୍ୱାଧୀନ ବନ୍ଦୀଶାଳା ପ୍ରତିଷ୍ଠା କରାଗଲା । ଏହି ଗ୍ରାମରେ ମୁକ୍ତିସଂଗ୍ରାମର ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବା ସହିତ ଯୁବବାହିନୀ ଓ ମହିଳାବାହିନୀ ମଧ୍ୟ ଗଠନ କରାଯାଇଥିଲା । ଏହି ଖବର ଖଇରା ଥାନାର ଦାରୋଗାଙ୍କ କାନକୁ ଯିବାପରେ ସିପାହୀ, ଦଫାଦାର, ଚୌକିଦାରଙ୍କୁ ନେଇ ତୁଡ଼ିଗଡ଼ିଆ ଠାରେ ଏକ ଅସ୍ଥାୟୀ ଶିବିର ସ୍ଥାପନ କରିଥିଲେ ।
ସେପ୍ଟେମ୍ବର ୨୨ ତାରିଖ ମଙ୍ଗଳବାର ଦିନ ତୁଡ଼ିଗଡ଼ିଆ ହାଟରେ ଚାନ୍ଦା ସଂଗ୍ରହ ସହିତ ଆନେ୍ଦାଳନ ସମ୍ପର୍କରେ ଲୋକଙ୍କୁ ସଚେତନ ପାଇଁ ଅପରାହ୍ନ ପ୍ରାୟ ୪ଟା ସମୟରେ ହାଟରେ ପହଞ୍ଚିବା ପରେ ଇଂରେଜ ପୋଲିସ ଚାରିପଟୁ ଘେରାଉ କରି ସଂଗ୍ରାମୀ ବୈଦ୍ୟନାଥ ରାଉତଙ୍କୁ ଗିରଫ କରିନେଇ ପୋଲିସର ଅସ୍ଥାୟୀ ଶିବିର ପ୍ରେସିଡେଣ୍ଟକୃଷ୍ଣ ଚନ୍ଦ୍ରପଣ୍ଡାଙ୍କ ଚାଳଘରେ ଅଟକ ରଖିଥିଲେ । ଏହି ଖବର ପ୍ରଚାରିତ ହେବାମାତ୍ରେ ହଜାରହଜାର ଲୋକ ଏକଜୁଟ ହୋଇ ରାତି ପ୍ରାୟ ୧୨ଟା ସମୟରେ ପୋଲିସ ଶିବିର ନିକଟରେ ପହଞ୍ଚି ବୈଦ୍ୟନାଥଙ୍କୁ ଛାଡ଼ିବାକୁ ଦାବିକରିଥିଲେ କିନ୍ତୁ ପୋଲିସ ସୂର୍ଯ୍ୟମଣି ତ୍ରିପାଠୀ ନାମକ ଜଣେ ସଂଗ୍ରାମୀଙ୍କ ମୁଣ୍ଡରେ ପ୍ରହାର କରିବାରୁ ଜନତା କ୍ଷୁବ୍ଧହୋଇ କୃଷ୍ଣଚନ୍ଦ୍ର ଯେନା ନାମକ ଜଣେ ପୋଲିସ ଦାରୋଗାଙ୍କ ବେକରେ ଦଉଡ଼ିବାନ୍ଧି ଘୋଷାଡ଼ିବା ସହିତ ବୈଦ୍ୟନାଥଙ୍କୁ ବଳପୂର୍ବକ ପୋଲିସ ଠାରୁ ଛଡ଼ାଇ ନେଇଥିଲେ । ଜନତାଙ୍କ ଉଗ୍ର ରୂପରେ ଭୟଭୀତ ହୋଇ ପୋଲିସ ସ୍ଥାନଛାଡ଼ି ପଳାଇ ଯାଇଥିଲେ । ଏହାପରେ ଗଣଆନେ୍ଦାଳନକୁ ଦବାଇଦେବା ସହିତ ମୁଖ୍ୟ ନେତାଙ୍କୁ ଗିରଫ ପାଇଁ ପୋଲିସ ରଣନୀତି ପ୍ରସ୍ତୁତ କଲା ।
ସେପ୍ଟେମ୍ବର ୨୪ ତାରିଖ ଗୁରୁବାର ଦିନ ୧୦ଟା ସମୟରେ ପୋଲିସ ସର୍ଜେଣ୍ଟ ମେଜରଙ୍କ ଅଧିନାୟକତ୍ୱରେ ପୋଲିସ ଫୋ÷ଜ, ସୋର ଓ ଖଇରା ଥାନାର ପୋଲିସ ଅଫିସର, ୬ନମ୍ବର ୟୁନିୟନର ପ୍ରେସିଡେଣ୍ଟ ସମେତ ଦଫାଦାରଙ୍କ ସମେତ ୨୬ଜଣିଆ ଦଳ ବୈଦ୍ୟନାଥ ରାଉତଙ୍କ ସମେତ କୃଷ୍ଣଚନ୍ଦ୍ର ଯେନା,ସୂର୍ଯ୍ୟମଣୀ ତ୍ରିପାଠୀ ପ୍ରଭୃତି କେତେକ ମୁଖ୍ୟ ନେତାଙ୍କୁ ଗିରଫ କରିବାକୁ ଖଇରାଡିହି ଗ୍ରାମରେ ପହଞ୍ଚିଥିଲେ । ଏହି ଖବର ସଂଗ୍ରାମୀଙ୍କ ନିକଟରେ ପହଞ୍ଚିବାରୁ ଛତରା ସଂଗ୍ରାମ ଶିବିରରୁ ଶଙ୍ଖଧ୍ୱନୀ ହେବାରୁ ଖଇରାଡିହି ଗ୍ରାମର ଚାରି ଦିଗରୁ ସହସ୍ରାଧିକ ଜନତା ଙ୍କର ସୁଅ ଛୁଟିଲା । ସମବେତ ଜନତାଙ୍କୁ ଚାଲିଯିବାକୁ ପୋଲିସ ନିଦେ୍ର୍ଦଶକୁ ବେଖାତିର କରିବାରୁ ପୋଲିସ ଗୁଳି ଚଳାଇବାରୁ ମାଗୁଣି ଯେନା ନାମକ ଜଣେ ସଂଗ୍ରାମୀଙ୍କ ଗୋଡ଼ରେ ଗୁଳିବାଜିଲା । ଏହାପରେ ଏତେସଂଖ୍ୟକ ଜନତାଙ୍କ ନିକଟରେ ପୋଲିସ ନିଜକୁ ଅସହାୟ ମନେକରି ପୋଲିସ ଫେରିଆସିବାକୁ ବାଧ୍ୟ ହୋଇଥିଲା । ଫଳରେ ସଂଗ୍ରାମୀଙ୍କମାନଙ୍କର ମନୋବଳ ଦୃଢ଼ ହେବାସହିତ ପୋଲିସ ଏହି ଅପମାନ ପାଇଁ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲା, ଯାହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ୨୮ ତାରିଖ ଦିନ ।
ପୋଲିସ ଗୁଳିରେ ୩ଜଣ ସଂଗ୍ରାମୀଙ୍କର ମୃତୁ୍ୟ ହେବାପରେ, ପୋଲିସ ବାହିନୀ ଆନେ୍ଦାଳନକୁ ସମ୍ପୂର୍ଣ୍ଣଭାବରେ ନିଶ୍ଚିହ୍ନ କରିଦେବାପାଇଁ ଏହି ୍ରଅଞ୍ଚଳରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିବା ସହିତ ଖଇରାଡିହି, ଡାଲଙ୍ଗ, ପାଣିଶିଆଳି, ମଲ୍ଲିକାପୁର, ଓ ଛତରା ପ୍ରଭୃତି ୬ଗୋଟି ଗ୍ରାମର ଲୋକମାନଙ୍କ ଠାରୁ ୬ହଜାର ଟଙ୍କା ସମୂହ ଜୋରିମାନା ଜୋରଜବରଦସ୍ତ ଆଦାୟ କରାଯାଇଥିଲା । ଏଥିସହିତ ଆନେ୍ଦାଳନ ରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ଶିବପ୍ରସାଦ ରାଉତ, କୃଷ୍ଣଚନ୍ଦ୍ର ପଣ୍ଡା (ଛତରା), ପୂର୍ଣ୍ଣଚନ୍ଦ୍ର ନାୟକ, ଶ୍ର୍ରୀନାଥ ପାଣିଗ୍ରାହୀ ଓ ପଦ୍ମଲୋଚନ ମହାନ୍ତି ପ୍ରଭୃତିଙ୍କର ଘର ଲୁଟତରାଜ କରିବା ସହିତ ୪୪ ସଂଗ୍ରାମୀଙ୍କୁ ଗିରଫ କରିନେଇଥିଲେ । ଭାରତମାତା ହାତରୁ ପରାଧୀନତାର ଶୃଙ୍ଖଳକୁ ଛିନ୍ନ କରି ସ୍ୱାଧୀନତା ଆଣିବା ପାଇଁ ତୁଡ଼ିଗଡ଼ିଆ ଅଞ୍ଚଳ ଯେଉଁ ଗୁରୁଭୂମିକା ନେଇଥିଲା, ତାହା ଆଜି ଇତିହାସ ।

Leave a Reply

Your email address will not be published.