ନବୀନ ଯୁଗର ଶେଷ କେବେ!

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଓଡ଼ିଶା ରାଜନିତୀରେ ନବିନ ପଟ୍ଟନାୟକଙ୍କ ଅଭୁ୍ୟଦୟ ଯେତିକି ଅପ୍ରତ୍ୟାଶିତ ସେତିକି ବସ୍ମ୍ମୟକର । ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର କନିଷ୍ଠ ପୁତ୍ର ନବିନ ପଟ୍ଟନାୟକ ପିଲାଟି ଦିନରୁ ଓଡ଼ିଶା ବାହାରେ ରହି ଇଂରାଜୀ ମାଧ୍ୟମରେ ଶିକ୍ଷା ଲାଭ କରିଥିଲେ । ବଂଶବାଦକୁ ବିରୋଧ କରୁଥିବା ବିଜୁ ପଟ୍ଟନାୟକ ପୁରାଣ ବର୍ଣ୍ଣିତ ମହାରାଜା ଇନ୍ଦ୍ର ଦୁ୍ୟମ୍ନଙ୍କ ଭଳି ତାଙ୍କ ପରିବାରର କେହି ତାଙ୍କ ପ୍ରତିଷ୍ଠାର ଦୁରପୋଯୋଗ ନକରନ୍ତୁ, ଏଥିପାଇଁ ସେ ପରିବାରର ସମସ୍ତଙ୍କୁ ଓଡ଼ିଶା ବାହାରେ ରଖିଥିଲେ । ନବିନ ବାବୁ ବିବାହ ନକରି ଏକ ଖିଆଲି ବିଳାସୀ ଜୀବନ ଯାପନ କରି କଳ୍ପନା ରାଜ୍ୟରେ ଘୁରି ବୁଲୁଥିଲେ । ଜଣେ ସୁଲେଖକ ହିସାବରେ ତାଙ୍କର ଆର୍ନ୍ତଜାତିକ ଖାତି ଅଛି । ମାତ୍ର ବିଜୁ ବାବୁ ତାଙ୍କୁ ଗୋଟେ ଲଷ୍ଟ ଚାଇଡ୍ଡ ବୋଲି କହି ହେୟଜ୍ଞାନ କରୁଥିଲେ ।
ଓଡ଼ିଶାର ଜନ ସାଧାରଣଙ୍କ ଉପରେ ବିଜୁ ବାବୁଙ୍କର ଅଖଣ୍ଡ ପ୍ରଭାବ ଥିଲା । ତାଙ୍କର ଉଦାରତା ଓ ବିଶାଳ ହୃଦୟ ଯୋଗୁଁ ସାରା ରାଜ୍ୟରେ ଅନେକ ବିଜୁ ପ୍ରେମି ସୃଷ୍ଟି ହୋଇଥିଲେ । ବିଜୁ ବାବୁ ଯେଉଁ ଦଳରେ ଥା’ନ୍ତୁ ନା କାହିଁକି, କ୍ଷମତାରେ ଥାନ୍ତୁ କି ନଥାନ୍ତୁ ଓଡ଼ିଶାର ପ୍ରାୟ ୩୦ ଭାଗ ଲୋକ ସବୁବେଳେ ବିଜୁବାବୁଙ୍କ ପଛରେ ଥାନ୍ତି । ଓଡ଼ିଶା ରାଜନୀତିରେ ୧୯୬୧ ନିର୍ବାଚନ ଏକ ବିଭାଜିକା ରୁପେ କାଳ ବକ୍ଷରେ ଦଣ୍ଡାୟମାନ । ସ୍ୱାଧିନତା ପରେ ବିଭିନ୍ନ ନିର୍ବାଚନରେ କଂଗ୍ରେସ ଦଳ ବାରମ୍ବାର ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇବାରେ ବିଫଳ ହେବାରୁ ବିଜୁ ବାଜୁ ଉକôଳ କେଶରୀ ହରେକୃଷ୍ଣ ମହତାବଙ୍କୁ ପଦଚ୍ୟୁତ କରାଇ କଂଗ୍ରେସର ସଂଗଠନ ଦାୟିତ୍ୱ ଗ୍ରହଣ କେଲେ ଓ ୧୯୬୧ ନିର୍ବାଚନରେ ତାଙ୍କ ନେତୃତ୍ୱରେ ଦଳ ୮୨ଟି ଆସନରେ ଜୟ ଲାଭ କରି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କଲା ଓ ବିଜୁ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ ।
ଉସôାହ ଓ ଉଦ୍ଦିପନା ମଧ୍ୟରେ ବିଜୁବାବୁଙ୍କ ନେତୃତ୍ୱରେ ଓଡ଼ିଶାରେ ନିର୍ମାଣ ଯୁଗ ଆରମ୍ଭ ହେଲା । ମାତ୍ର ହଠାତ୍ ୧୯୬୩ ମସିହାରେ ଚାଇନା ଯୁନ୍ଧ ପରେ କାମରାଜ ଯୋଜନାରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଓ ତାଙ୍କର ଏକାନ୍ତ ଅନୁଗତ ବିରେନ ମିତ୍ରଙ୍କୁ କ୍ଷମତା ଅର୍ପଣ କଲେ । ଏଣେ ରାଜନୈତିକ ଚକ୍ରାନ୍ତ ଯୋଗୁଁ ସାରା ରାଜ୍ୟରେ ବିଜୁ ବିରେନଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ନେଇ ଏକ ବିଶାଳ ଓ ବ୍ୟାପକ ଛାତ୍ର ଆନେ୍ଦାଳନ ମୁଣ୍ଡ ଟେକିଲା । ବିରେନ ମିତ୍ର ଇସ୍ତଫା ଦେଲେ (୧୯୬୫) । ସଦାଶିବ ତ୍ରୀପାଠି ପରବର୍ତୀ ମୂଖ୍ୟମନ୍ତ୍ରୀ ହେଲେ । ୧୯୬୭ ନିର୍ବାଚନରେ ଖାଲି କଂଗ୍ରେସ ଦଳ ହାରିଲା ନାହିଁ, ନିଜେ ବିଜୁ ବାବୁ ଲଢୁଥିବା ୫ ଟି ଆସନରୁ ହାରିଲେ ଓ ଓଡ଼ିଶାରେ ସ୍ୱତନ୍ତ୍ର ଜନ କଂଗ୍ରେସ ସରକାର ଗଠନ ହେଲା । ଅଳ୍ପ ଦିନ ପରେ ବିଜୁବାବୁ ରାଜନଗର ନିର୍ବାଚନ ମଣ୍ଡଳିରୁ ବିଧାନ ସଭାକୁ ଆସିଲେ ଓ କଂଗ୍ରେସ ଦଳ ତ୍ୟାଗକରି ଉକôଳ କଂଗ୍ରେସ ଦଳ ଗଠନ କଲେ ଓ କିଛି ଦିନ ପାଇ ଁ ରାଜ୍ୟରେ ସ୍ୱତନ୍ତ୍ର ଉକôଳ କଂଗ୍ରେସ ସରକାର ମଧ୍ୟ ଚାଲିଲା ।
୧୯୭୭ ନିର୍ବାଚନରେ ବିଜୁଙ୍କ ଦଳ ସର୍ବ ଭାରତୀୟ ଜନତା ଦଳରେ ମିଶିଗଲା ଓ ଜରୁରୀ କାଳିନ ଅବସ୍ଥା ପରେ ହୋଇଥିବା ନିର୍ବାଚନରେ ଜିତିଲେ । ବିଜୁ ଅନୁଗତ ନିଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ହେଲେ । ନିଜେ ବିଜୁବାବୁ କେନ୍ଦ୍ରର ଇସ୍ପାତ୍ ଓ ଖଣି ମନ୍ତ୍ରୀ ହେଲେ । ମାତ୍ର ୧୯୮୦ ମସିହାରେ କେନ୍ଦ୍ରରେ ଜନତା ଦଳ ସରକାର ଭାଙ୍ଗିଗଲା ଓ ଏହି ଦଳ ମଧ୍ୟ ଖଣ୍ଡ ଖଣ୍ଡ ହୋଇଗଲା । ବିଜୁ ବାବୁ ଆଉ ରାଜ୍ୟ ରାଜନିତିକୁ ନଫେରି ପାର୍ଲାମେଂଟରେ ରହିଲେ । ରାଜ୍ୟରେ କଂଗ୍ରେସ ସରକାର ଚାଲିଲା । ନାନା ର୍ଦୁନିତି ଯୋଗୁଁ କଂଗ୍ରେସ ସରକାର ବଦନାମ ହୋଇଗଲା ଓ ୧୯୯୦ ମସିହା ନିର୍ବାଚନରେ ବିଜୁଙ୍କ ଜନତା ଦଳ ୧୨୩ଟି ଆସନରେ ଜିତି ଏକ ସର୍ବ କାଳିନ ରେକର୍ଡ ସୃଷ୍ଟିକଲା । ଏତେ ସଂଖ୍ୟା ଗରିଷ୍ଠତା ଥାଇ ମଧ୍ୟ ଅର୍ନ୍ତଦ୍ୱନ୍ଦ ଯୋଗୁଁ ଶାସନରେ ନାନା ବିଭ୍ରାନ୍ତି ସୃଷ୍ଟି ହେଲା । ସମସ୍ତେ ଦଳ ବିରୋଧି କାର୍ଯ୍ୟରେ ମାତିଲେ । ବିଜୁବାବୁ ସବୁ ଜାଣି ମଧ୍ୟ କୃତଘ୍ନ ମାନଙ୍କୁ ଅବୁଝା ପୁଅ, ମୋର ପିଲା କହି କ୍ଷମା କରିଦେଲେ ଓ ୧୯୯୫ ନିର୍ବାଚନରେ ତାଙ୍କ ଦଳ ପରାଜୟ ବରଣ କଲା । ଏହି ସମୟରେ କେନ୍ଦ୍ରରେ ମଧ୍ୟ ଅସ୍ଥିରତା ଲାଗିଥାଏ । ଗୋଟିଏ ପରେ ଗୋଟିଏ ସରକାର ଭାଙ୍ଗୁଥାଏ । ଜଣେ ଜଣେ ପ୍ରଧାନମନ୍ତ୍ରୀ ବିଦା ହେଉଥାନ୍ତି । ଶେଷରେ ଏଭିଳ ସମୟ ଆସିଲା ବିଜୁବାବୁ ହିଁ ପ୍ରଧାନ ମନ୍ତ୍ରୀ ପାଇଁ ସର୍ବୋତମ ବ୍ୟକ୍ତି ବୋଲି ସମସ୍ତେ ବିଚାର କଲେ । ମାତ୍ର ନିଜ ଦଳର ଗୁପ୍ତ ଶତୃ ମାନଙ୍କ ସହ ଯୋଗରେ ତତôକାଳିନ କଂଗ୍ରେସ ସରକାର ତାଙ୍କ ନାମରେ ଏକ ଭିଜିଲାନ୍ସ କେସ୍ କରି ପ୍ରଧାନ ମନ୍ତ୍ରୀ ହେବାର ପଥକୁ ବନ୍ଦ କରିଦେଲେ ଓ ଦେବ ଗୈ÷ାଡାଙ୍କ ଭଳି ବ୍ୟକ୍ତି ସେଇ ଆସନ ଲାଭ କଲେ । ଦୁଃଖ ଓ ପରିଶ୍ରାନ୍ତରେ ଭାଙ୍ଗିପଡି ବିଜୁବାବୁ ଅସୁସ୍ତ ହୋଇ ପଡିଲେ ଓ ଶେଷରେ ୧୯୯୭ ମସିହାରେ ପୂତ୍ର ପ୍ରତିମ ଦିଲିପ୍ ରାୟଙ୍କ ବାସଭବନରେ ପ୍ରାଣ ତ୍ୟାଗ କଲେ । ବିଜୁଙ୍କ ମୃତୁ୍ୟ ପରେ ସାରା ରାଜ୍ୟରେ ତାଙ୍କ ପ୍ରତି ଅସଂଭବ ସମବେଦନାର ହାୱା ବହିବାରେ ଲାଗିଲା ଓ ତାଙ୍କ ପତନ ପାଇଁ ଦାୟି ନେତାଙ୍କୁ ବିଜୁ ହତ୍ୟାକରି କଳଙ୍କର ମୁକୁଟ ପିନ୍ଧାଇ ନିନ୍ଦିତ କରାଗଲା । ଏହି ସମବେଦନାକୁ ପାଥେୟ କରି ବିଜୁଙ୍କର ଅନୁଗତ ମାନେ ବିଜୁ ଜନତା ଦଳ ନାମରେ ଏକ ଆଂଚଳିକ ଦଳ ଗଠନ କଲେ ଓ ବିଜୁଙ୍କର ସେ ଅଲୋଡା ପୁଅ ନବିନ ବାବୁଙ୍କୁ ନିମନ୍ତ୍ରଣ କରାଯାଇ ଭଞ୍ଜନଗର ନିର୍ବାଚନ ମଣ୍ଡଳିରୁ ପାର୍ଲାମେଂଟକୁ ପଠାଗଲା ଓ ବାଜପେୟିଙ୍କ ଆଶିର୍ବାଦରୁ ସେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ହେଲେ ।
୧୯୯୯ରେ ରାଜ୍ୟରେ ନିର୍ବାଚନ ହେଲା । ବିଜେପିର ତୁଙ୍ଗ ନେତା ବାଜପେୟିଙ୍କ ଅଶିର୍ବାଦରେ ବିଜେପି ବିଜେଡି ମେଂଟ ଗଢାଯାଇ ନିର୍ବାଚନ ଲଢାଗଲା । ନାନା ଗୋଷ୍ଠି କନ୍ଦଳ ଯୋଗୁଁ ରାଜ୍ୟ କଂଗ୍ରେସ ସେତେବେଳକୁ ମୃତ ପ୍ରାୟ । ୧୯୯୯ ମହାବାତ୍ୟା ବେଳେ ଅବସ୍ତା ସମ୍ଭାଳିବାରେ କଂଗ୍ରେସର ଚରମ ଅପାରଗତା ଲୋକଙ୍କ ମନରୁ ଲିଭି ନଥାଏ । ତେଣୁ ରାଜ୍ୟରେ ନବୀନ ବାବୁଙ୍କ ନେତୃତ୍ୱରେ ମେଂଟ ସରକାର ଗଠନ ହେଲା । ନିର୍ବାଚନ ପୂର୍ବରୁ ସେ ଦଳର ପ୍ରତିଷ୍ଠାତା ଓ ନିଜର ଭବିଷ୍ୟତ ପ୍ରତିଦ୍ୱନ୍ଦୀ ବିଜୟ ମହାପାତ୍ରଙ୍କୁ କୈାଶଳ କରି ନିର୍ବାଚନରୁ ଦୁରେଇ ଦେଇଥିଲେ । ବିଜେଡିର ତୁଙ୍ଗ ନେତା ମାନେ ଭାବିଥିଲେ ଅଳ୍ପ ଭାଷି, ଓଡ଼ିଆ ଜାଣି ନଥିବା ଓ ରାଜନିତିରେ ଅପରିପକ୍ୱ ନବିନ ପଟ୍ଟନାୟକଙ୍କୁ ଗାଦିରେ ବସାଇ ସେମାନେ ସେମାନଙ୍କର ଖେଳ ଆରମ୍ଭ କରିବେ । ୭୦ ଦଶକରେ ଏହି ଭଳି ଏକ ଆଶା ରଖି କଂଗ୍ରେସର ସିଣ୍ଡିକେଟ ଗୋଷ୍ଠି ଇନ୍ଦିରା ଗାନ୍ଧିଙ୍କୁ ପ୍ରଧାନ ମନ୍ତ୍ରୀ ଗାଦିରେ ବସାଇ ଥିଲେ । ମାତ୍ର ଖୁବ ଅଳ୍ପ ଦିନ ମଧ୍ୟରେ ନବିନ ବାବୁ ଉଭୟ ଦଳ ଓ ଶାସନକୁ ନିଜ ଅକ୍ତିଆରକୁ ନେଇଗଲେ । ଦଳର ଦଲାଲ ମାନଙ୍କୁ ପ୍ରସ୍ଥାନ ବାଟ ଦେଖାଇ ଦେଲେ । ଯେଉଁ ମାନଙ୍କୁ ନିଜର ପ୍ରତିଦ୍ୱନ୍ଦି ବୋଲି ଭାବିଲେ, ବିଜୁଙ୍କ ଭଳି କ୍ଷମା ନକରି ସେମାନଙ୍କ ମୂଳ ଉତ୍ପାଟନ କରିଦେଲେ । ନିଜେ ହେଲେ ଦଳର ସ୍ୱାୟୀ ସଭାପତି । ପୂରୁଣା ମୂଷା ମାନଙ୍କ ବଦଳରେ ନୂଆ ନୂଆ ଯୁବ ନେତାଙ୍କୁ ଆଣି ଦଳରେ ମିଶାଇଲେ । ରାଜ୍ୟର ବୁ୍ୟରୋକ୍ରାଟ ମାନଙ୍କୁ ସଂପୂର୍ଣ୍ଣ ନିୟନ୍ତ୍ରଣ କଲେ । ମନ୍ତ୍ରୀ ମାନଙ୍କୁ ଏଡାଇ ସବୁ ବିଭାଗ ବ୍ୟୁରୋକ୍ରାଟଙ୍କ ଦ୍ୱାରା ଶାସନ କଲେ । ମନ୍ତ୍ରୀ ମାନେ କେବଳ ନାମକୁ ମାତ୍ର ମନ୍ତ୍ରୀ ହୋଇ ନାଲି ଗାଡି ଚଢି ବୁଲିଲେ । ତାଙ୍କର ଅଖଣ୍ଡ ଗାମ୍ଭିର୍ଯ୍ୟ ଓ ସ୍ୱଳ୍ପ ଭାଷା ଅନ୍ୟ ମାନଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି କଲା । ବଜେପି ସହ ମିଶି ୨୦୦୪ ନିର୍ବାଚନରେ ସଖ୍ୟା ଗରିଷ୍ଠତା ହାସଲ କରି ନବିନ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ମୁଖ୍ୟ ମନ୍ତ୍ରୀ ହେଲେ । ଏହା ମଧ୍ୟରେ କେନ୍ଦ୍ରରେ ବିଜେପି ସରକାରର ପତନ ଘଟିଲା ଓ ବିଜେପି ଠାରୁ ନବିନ ବାବୁଙ୍କର ଆବଶ୍ୟକତା ସରିଗଲା । ଠିକ୍ ଏତିକି ବେଳେ କନ୍ଧମାଳରେ ସ୍ୱାମି ଲକ୍ଷ୍ମଣା ନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ ଯେଉଁ ସାଂପ୍ରଦାୟୀକ ଦଙ୍ଗା ହେଲା ସେଥିରେ ବିଜେପିର ସପୃକ୍ତିକୁ ଆଳ ଦେଖାଇ ନବିନ ବାବୁ ମେଂଟ ଭାଙ୍ଗି ଦେଲେ ଓ ୨୦୦୯ ନିର୍ବାଚନରେ ଏକୁଟିଆ ଲଢି ଆହୁରି ବିପୁଳ ସଂଖ୍ୟାରେ ଜୟ ଲାଭ କଲେ । ୯ ବର୍ଷ ଧରି ଶାସନର ଅଂଶିଦାର ଥିବା ବିଜେପି ଦଳ ମାତ୍ର ୬ଟି ଆସନ ପାଇ ଧରାଶାୟୀ ହୋଇଗଲା ।
ଏହା ମଧ୍ୟରେ ବିଜେଡିର ମାର୍ଗ ଦର୍ଶକ ରୁପେ ପରିଚିତ ପ୍ୟାରି ମହାପାତ୍ର ୨୦୧୩ ମସିହା ମେ ୨୯ ତାରିଖ ଦିନ କ୍ଷମତା ଅଧିକାର ପାଇଁ ଏକ ରାତି ଅଧିଆ ଯୋଜନା କରିଥିଲେ । ମାତ୍ର ସେଥିରେ ସେ ଅସଫଳ ହୋଇ ଦଳରୁ ବହିଷ୍କାର ହେଲେ ଓ ନବିନଙ୍କ ବିରୁଦ୍ଧରେ ଜନମୋର୍ଚ୍ଚା ନାମରେ ଏକ ରାଜନୈତିକ ଦଳ ଗଠନ କରି କିଛି ଦିନ ହଟ ଚମଟ ଦେଖାଇ ପୁରାପୁରି ଚୁପ୍ ହୋଇଗଲେ ଓ ୨୦୧୪ ମସିହାରେ ନବିନ ବାବୁ ସର୍ବକାଳିିନ ରେକର୍ଡ ୧୧୭ ଆସନ ପାଇ ଚତୁର୍ଥ ଥର ପାଇଁ କ୍ଷମତା ହାସଲ କଲେ । ଏହି ସମୟ ମଧ୍ୟରେ ମହା ନଦୀରେ ଅନେକ ପାଣି ବହି ଯାଇଛି । ବିଜୁ ଜନତା ଦଳର ପ୍ରାୟ ସମସ୍ତ ପୁରୁଖା ନେତା ନବୀନ ବାବୁଙ୍କ ଦ୍ୱାରା ଦଳରୁ ବହିସ୍କୃତ ହୋଇଛନ୍ତି ବା କ୍ଷମତା ଅଳିନ୍ଦରୁ ଦୁରେଇ ଯାଇଛନ୍ତି । ନିଜର ଏକାନ୍ତ ଅନୁଗତ ପ୍ରସାଶନିକ ଅଧିକାରୀ ମାନଙ୍କ ଦ୍ୱାରା ନବିନ ଶାସନକୁ ନିୟନ୍ତ୍ରଣ କରୁଛନ୍ତି । ଜିଲ୍ଲା ସ୍ତରରେ ଜିଲ୍ଲାପାଳ ମାନଙ୍କୁ ଅଖଣ୍ଡ କ୍ଷମତା ଦିଆ ଯାଇଛି । ରାଜ୍ୟରେ ନେତା ମାନଙ୍କକ ଉତ୍ପାତ ସଂପୂର୍ଣ୍ଣ କମି ଯାଇଛି । ସବୁ କାମରେ ଷଣ୍ଢ ପୁରାଇ ସେମାନେ ଯେଉଁ ବିସୃଙ୍ଖଳା ସୃଷ୍ଟି କରୁଥିଲେ ରାଜ୍ୟ ସେଥିରୁ ରକ୍ଷା ପାଇଛି । ସେମାନଙ୍କ ଅନୁଗତ ମାନେ ମୁଁ ମନ୍ତ୍ରୀଙ୍କ ଲୋକ ବୋଲି କହି ଯେଉଁ ଝାମେଲା କରୁଥିଲେ ତାହା ଠପ୍ ହୋଇଯାଇଛି । ରାଜ୍ୟ ବାସୀ ସେମାନଙ୍କ ଠାରୁ ତ୍ରାହି ପାଇ ଶାନ୍ତିରେ ରହୁଛନ୍ତି । ଯୋକ ମୁହଁରେ ଲୁଣ ଦେଲା ଭଳି ନେତା ମାନେ ରହିଛନ୍ତି । ପାଟି ଖୋଲିବାକୁ କାହାର ଯୁ ନାହିଁ । ଦଳର ସଭାପତି ହୋଇ ନବିନ ବାବୁ ସଂଗଠନକୁ ନିଜ ହାତରେ ରଖିଛନ୍ତି । ଏଣେ ରାଜ୍ୟରେ ବିରୋଧି ଦଳ ପ୍ରାୟ ନାହିଁ । ବିଜେପି ଦଳ ଏବେ ବି ସାଇନବୋର୍ଡ ଦଳ ହୋଇ ରହିଛି । ତୃଣ ମୂଳ ସ୍ତରରେ ସଂଗଠନ ଆଦୈା ନାହିଁ । କୈ÷ାଣସୀ ଆଖି ଦୁ୍ରସୀଆ କାମ ନକରି ସବୁବେଳେ ନବୀନ ବାବୁକୁ ଗାଳି ଦେଇ ସେମାନେ ନିଜର କ୍ଷତି ଘଟାଉଛନ୍ତି । ଏଣେ କଂଗ୍ରେସ ଦଳରେ ସବୁଦିନିଆ କନ୍ଦଳ ଚାଲିଛି । ଦଳର ଏକ ମାତ୍ର ଲୋକପ୍ରିୟ ଓ ଦକ୍ଷ ନେତା ଜାନକି ପଟ୍ଟନାୟକଙ୍କୁ ଅସମ୍ମାନ ଭାବରେ ଦୁର୍ନିତି ଯୁକ୍ତ ବୋଲି ଆଖ୍ୟା ଦେଇ ଯେପରି ପଦବୀରୁ ବହିଷ୍କାର କଲେ ତାହାର ଫଳ ସେମାନେ ଏବେ ଭୋଗ କରୁଛନ୍ତି ।
ଏଣେ ନବିନ ସରକାର ନାଁରେ ଅସଂଖ୍ୟ ଦୁର୍ନିତି ଅଭିଯୋଗ ଆସିଲେ ମଧ୍ୟ ବିରୋଧି ଦଳ ମାନେ ତାହାର ଫାଇଦା ନେଇ ପାରୁ ନାହାନ୍ତି । ଖଣି ଦୁର୍ନିତୀରେ ୭୦ ହଜାର କୋଟି ଟଙ୍କାର ଦୁର୍ନିତି ହୋଇଯାଇଛି । ବିଚାରପତି ସାହା ଦୁଃଖର ସହିତ କହିଲେ ମିଳି ମିଶି ସମସ୍ତେ ଖାଇ ଗଲେ, ଆଇନର ତଂଟି ଚିପି ଦେଲେ । ଏହା ସତ୍ୱେ ବିରୋଧି ଦଳ ମାନେ ଏଥିରୁ ଫାଇଦା ନେଇ ପାରିଲେ ନାହିଁ । ଗୁଡେ ବିବୃତି ଦେଇ ଚୁପ ହୋଇ ବସି ପଡୁଛନ୍ତି । ଏଣେ କେନ୍ଦ୍ରର ଅଜସ୍ର ଅନୁଦାନକୁ ସଦ୍ ବ୍ୟବହାର କରି ନବିନ ବାବୁ ରାଜ୍ୟର ଯଥେଷ୍ଟ ପ୍ରଗତି କରାଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା ଘାଟ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ର ଅନୁଦାନ ଦେଲେ ମଧ୍ୟ ସୁନାମ ନବିନ ବାବୁ ନେଉଛନ୍ତି । ବିଜେପି ଦଳ ଭକୁଆ ହୋଇ ଚାହିଁ ରହୁଛନ୍ତି । ସେମାନଙ୍କ ନେତା ଓ ଅଫିସରମାନେ ନବିନ ବାବୁଙ୍କୁ ପଶଂସାରେ ପୋତି ପକାଉଛନ୍ତି । ବିଭିନ୍ନ ସଂସ୍ଥାର ସର୍ଭେ ତାଙ୍କୁ ଏକ ନମ୍ବର ମୁଖ୍ୟ ମନ୍ତ୍ରୀ ସ୍ଥାନ ଦେଉଛନ୍ତି । ଚାରି ଥର କୃଷି କର୍ମଣ ପୁରସ୍କାର ପାଇଛନ୍ତି । ଆର୍ନ୍ତଜାତିକ ସ୍ତରରେ ପ୍ରାକୃତିକ ଦୁର୍ବିପାକର ସାମନା ପଇଁ ପୁରସ୍କୃତ ହୋଇଛନ୍ତି । ୨୦୧୪ ନିର୍ବାଚନ ପରଠାରୁ ସେ ୨୦୧୯ ନିର୍ବାଚନକୁ ଆଖିରେ ରଖି ତୃଣ ମୁଳ ସ୍ତରରେ ସଂଗଠନକୁ ସୁଦୃଢ କରିଛନ୍ତି । ମନ୍ତ୍ରୀ ମାନଙ୍କ ଦକ୍ଷତା ନିର୍ବାଚନ ଜିତିବା ଉପରେ ହିଁ ନିର୍ଭର କରୁଛି, ବିଭାଗିୟ କାର୍ଯ୍ୟ ଦକ୍ଷତା ଉପରେ ନୁହଁ । ନବିନ ବାବୁ ଜାଣିଛନ୍ତି ବିଧାୟକ ଓ ମନ୍ତ୍ରୀ ମାନେ ଲୋକଙ୍କ ପାଇଁ କାମ କରନ୍ତି ନାହିଁ । ତାଙ୍କର ସମୟ କେବଳ ବଦଳି କରିବା ଓ ବାତିଲ କରିବା କଂଟ୍ରାକ୍ଟର ମାନଙ୍କର ବିଲ ପାଇଁ ସୁପାରିସ କରିବା ଓ ବନ୍ଦ କରିବା ଭଳି କାର୍ଯ୍ୟରେ ବିନିଯୋଗ ହୁଏ । ତେଣୁ ସେ ସେମାନଙ୍କୁ କ୍ଷମତା ନଦେଇ ବାବୁ ମାନଙ୍କୁ ଦେଇଛନ୍ତି ଓ ସଫଳତା ମଧ୍ୟ ପାଉଛନ୍ତି । ଲୋକମାନେ ଖୁସୀ ଅଛନ୍ତି । ଗଣତନ୍ତ୍ର ପୁସ୍ତିକା କଣ କହୁଛି ସେଥିରେ ଲୋକ ମାନଙ୍କର ଯାଏ ଆସେ ନାହିଁ । ଜଗା ବଳିଆକୁ ଏକ କୋଟି, ଦ୍ୱିତୀ ଚାନ୍ଦକୁ ତିନି କୋଟି ଓ ଅନ୍ୟ ବିଜୟୀ ଖେଳାଳି ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇ ସେ ନିଜର ଏକ ଭାବ ମୁର୍ତି ସୃଷ୍ଟି କରିଛନ୍ତି । ପ୍ରତି ପଂଚାୟତକୁ ଅଜଶ୍ର ଅନୁଦାନ ଦେଇ ସେ ସାରା ରାଜ୍ୟରେ ଲୋକଙ୍କ ସହ ଯୋଡି ହୋଇଛନ୍ତି । ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଦୁଇଟି ଆର୍ନ୍ତଜାତିକ କ୍ରୀଡା ମହୋସ୍ଥବ କରାଇ ସେ ନିଜର ସମ୍ମାନକୁ ବହୁ ଉଚ୍ଚକୁ ବଢାଇଛନ୍ତି । ତାଙ୍କ ନିକଟରେ ମୁଣ୍ଡ ପୋତି ପୋତି ତାଙ୍କ ଦଳର ନେତା ମାନେ ସମସ୍ତେ ଜିରୋ ହୋଇ ଗଲେଣି । କଥା କହିବାର ସାହାସ କାହାରି ନାହିଁ । ଲୋକମାନେ ମଧ୍ୟ ସେମାନଙ୍କୁ କୋଉ ଗାଇର ଗୋବର ବୋଲି ଧରି ନେଲେଣି । ଏମାନେ ମେଂଟ ଗଠନ କରି ନବିନକୁ ହରାଇବା ଉସୁନା ଧାନ ଗଜା ହେବା ସାଙ୍ଗେ ସମାନ ।
ନବିନ ନିଜେ ନଚାହିଁଲେ ତାଙ୍କୁ ହରାଇବା ଏତେ ସହଜ ସାଧ୍ୟ ନୁହେଁ । ସେହି ସ୍ୱଳ୍ପ ଭାଷୀ ଅତି ସାଧା ସିଧା ଲାଜକୁଳା ବ୍ୟକ୍ତିର ଭିତରେ ଯେ ଏକ ର୍ଦୁବାର ବ୍ୟକ୍ତିତ୍ୱ ଛପି ରହିଛି, ସେଥିରେ ଆଦୈା ସନେ୍ଦହ ନାହିଁ । ଏ ସଂସାରରେ କୈାଣସୀ ବସ୍ତୁ ଚିର ନୁହେଁ । ଦିନେ ନା ଦିନେ ନବୀନଙ୍କ ଯୁଗ ସରିବ, ମାତ୍ର ତାହା କିପରି ଓ କେବେ ସରିବ ତାହା କେବଳ ଭବିଷ୍ୟତ ହିଁ କହିବ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ନବରଙ୍ଗପୁର, ମୋ-୯୪୩୭୨୩୫୩୮୬

Leave a Reply

Your email address will not be published.