ଭାରତୀୟ ଗଣତନ୍ତ୍ର ବିପନ୍ନ ହେବ?
ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ବର୍ତମାନ ଯେତେବେଳେ ରାଜ୍ୟ ରାଜ୍ୟ ଓ ରାଜ୍ୟ କେନ୍ଦ୍ର ରାଜ୍ୟ ମଧ୍ୟରେ ତୀବ୍ର ଶତୃତା ଭାରତ-ପାକିସ୍ତାନ ଭିତରେ ଥିବା ଶତୃତା ଠାରୁ ବଳି ଗଲାଣି, ସେତେବେଳେ ମନରେ ପ୍ରଶ୍ନ ଉଠେ, ଭାରତର ଅଖଣ୍ଡତା ଆଗକୁ ବଜାୟ ରହିବ ତ? ଇତିହାସ ଅନୁଧ୍ୟାନରୁ ଜଣାଯାଏ ଯେ, ସମ୍ରାଟ ହର୍ଷବର୍ଦ୍ଧନଙ୍କ ପରେ ଭାରତରେ ଆଉ ସ୍ୱଦେଶୀ ସାମ୍ରାଜ୍ୟ ପ୍ରତିଷ୍ଠା ହୋଇ ପାରିନାହିଁ । କେବଳ ଏକମାତ୍ର ଶିବାଜୀ ୧୬୭୬ରେ ଯେଉଁ ସ୍ୱଦେଶୀ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ, ତାଙ୍କର ପରବର୍ତୀ ମରହଟ୍ଟା ଶାସକ ମାନେ ଏହାକୁ ଏକ ବିଶାଳ ସାମ୍ରାଜ୍ୟରେ ପରିଣତ କରାଇଥିଲେ । ମାତ୍ର ଅଳ୍ପଦିନ ମଧ୍ୟରେ ଏମାନେ ନିଜ ନିଜ ମଧ୍ୟରେ କଳହରେ ମାତି ଅନେକ ଭାଗରେ ବିଭକ୍ତ ହେଲେ । ୧୭୬୧ ମସିହାରେ ତୃତୀୟ ପାନିପଥ ଯୁଦ୍ଧରେ ବିଦେଶୀ ଶାସକ ଦୁରାନୀଙ୍କ ଠାରୁ ଏମାନେ ଶୋଚନୀୟ ଭାବେ ପରାସ୍ତ ହେଲେ । ଲକ୍ଷାଧିକ ମରହଟ୍ଟା ନିହତ ହେଲେ । ତଥାପି ସେମାନଙ୍କର ସୁବୁଦ୍ଧି ଆସିଲା ନାହିଁ । ନିଜର ଘର କଳି ତୁଟାଇବାକୁ ସେମାନେ ଇଂରେଜ ମାନଙ୍କୁ ଡ଼ାକି ଆଣିଲେ ଓ ଶେଷରେ ସେମାନଙ୍କ ସାମ୍ରାଜ୍ୟ ୧୮୧୮ମସିହାରେ ଚିରଦିନ ପାଇଁ ବିଲୟ ଘଟିଲା । ଶିବାଜୀଙ୍କର ସ୍ୱଦେଶୀ ସ୍ୱପ୍ନ ଅଧୂରା ରହିଗଲା ।
ଭାରତ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଇଂରେଜ ମାନଙ୍କ ଠାରୁ ସ୍ୱାଧୀନତା ପାଇଲା । ଏହା ସହ ଦେଶ ଦୁଇଭାଗ ହୋଇ ପାକିସ୍ତାନ ସୃଷ୍ଟି ହେଲା । ପରେ ପାକିସ୍ତାନରୁ ଅଲଗା ହୋଇ ବଙ୍ଗଳାଦେଶ ନାମରେ ଅନ୍ୟ ଏକ ସ୍ୱାଧୀନ ରାଷ୍ଟ୍ରର ଅଭୁ୍ୟଦୟ ହେଲା । ତେଣୁ କହିବାକୁ ଗଲେ ଅଖଣ୍ଡ ଭାରତ ତିନି ଖଣ୍ଡ ହୋଇଗଲା । ଭାରତର ନୂତନ ସମ୍ବିଧାନ ଅନୁଯାୟୀ ଏହା ଏକ ରାଷ୍ଟ୍ରସଂଘ ରୂପେ ମୁକ୍ତି ଲାଭ କଲା । ଏହି ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ଗୁଡ଼ିକୁ ଆଂଶିକ ସ୍ୱତନ୍ତ୍ରତା ଦିଆଗଲା । ସେମାନେ ସ୍ୱାସ୍ଥ୍ୟ, ଶିକ୍ଷା, ଆଇନ ଶୃଙ୍ଖଳା, ଜଙ୍ଗଲ, ରାଜସ୍ୱ ଭଳି ବିଭାଗର ପୂର୍ଣ୍ଣ କ୍ଷମତା ପାଇଲେ । ସେହିଭଳି କେନ୍ଦ୍ରରେ କେନ୍ଦ୍ର ସରକାର ଗଠନ ହେଲା । ପ୍ରତିରକ୍ଷା, ବୈଦେଶିକ, ଗମନା ଗମନ ଭଳି ବିଭାଗ କେନ୍ଦ୍ର ଅଧିନରେ ରହିଲା । ଉଭୟଙ୍କର କ୍ଷମତା ପରିସର ସମ୍ବିଧାନ ଦ୍ୱାରା ନିର୍ଦ୍ଧାରଣ କରାଗଲା । କେନ୍ଦ୍ର ଦ୍ୱାରା ନିଯୁକ୍ତ ଜଣେ ରାଜ୍ୟପାଳ ପ୍ରତ୍ୟେକ ରାଜ୍ୟର ସାଂବିଧାନିକ ମୁଖ୍ୟ ଭାବେ ଅବସ୍ଥାପିତ ହେଲେ ।
ସ୍ୱାଧୀନତା ବେଳକୁ ଭାରତୀୟ ଜାତୀୟ କଂଗ୍ରେସ ହିଁ ସାରା ଦେଶରେ ମୁଖ୍ୟ ରାଜନୀତିକ ଦଳ ଥିଲା । ମହାତ୍ମା ଗାନ୍ଧିଙ୍କ ଦ୍ୱାରା ଏହି ଦଳ ପ୍ରତି ରାଜ୍ୟର ଗାଁ ଗଣ୍ଡାରେ ଦୃଢ ଭାବେ ସଂଗଠିତ ହୋଇ ରହିଥିଲା । ଗାନ୍ଧୀଙ୍କର ଧାରାକୁ ନେହରୁ ଓ ପଟେଲ୍ ଙ୍କ ଭଳି ତାଙ୍କର ଶିଷ୍ୟମାନେ ସ୍ୱାଧୀନତା ପରବର୍ତୀ ସମୟରେ ବଜାୟ ରଖି ପାରିଲେ ନାହିଁ । ସେତେବେଳେ ସବୁ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ଦଳ ହିଁ ଶାସନରେ ଥିଲା । ପ୍ରତି ରାଜ୍ୟରେ ଜଣେ ଜଣେ ତୁଙ୍ଗ କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ପଦବୀରେ କାର୍ଯ୍ୟ କରୁଥିଲେ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ପ୍ରାୟ ନଥିଲା । ସମସ୍ତେ ସମ୍ବିଧାନର ପରିସର ମଧ୍ୟରେ ରହି ନିଜ ନିଜ ଦାୟିତ୍ୱ ସମ୍ଭାଳୁଥିଲେ । ଧୀରେ ଧୀରେ ଅବସ୍ଥା ବଦଳି ଗଲା । ୧୯୫୯ ମସିହାରେ କେରଳରେ ପ୍ରଥମ ଥର ପାଇଁ ଅଣ କଂଗ୍ରେସ କମୁ୍ୟନିଷ୍ଟ ଦଳ ଶାସନ ଅଧିକାର କଲା ଓ ଅସହିଷ୍ଣୁ କେନ୍ଦ୍ର ସରକାର ଆମେରିକା ନିଦେ୍ର୍ଦଶରେ କେରଳ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରି ଏହି ସରକାରକୁ ବରଖାସ୍ତ କରିଦେଲେ ଓ ଏହି ଘଟଣା ଭାରତ ଗଣତନ୍ତ୍ର ଇତିହାସରେ ଏକ କଳା ଦାଗ ହୋଇ ରହିଗଲା ।
ଜାତୀୟ ସ୍ତରରେ କଂଗ୍ରେସକୁ ଟକ୍କର ଦେବାକୁ ଅନ୍ୟ କୌଣସି ଦଳ ସକ୍ଷମ ହୋଇ ପାରିଲେ ନାହିଁ । କେବଳ କମୁ୍ୟନିଷ୍ଟ, ସ୍ୱତନ୍ତ୍ର ଦଳ ଓ ଜନସଂଘ ଦଳ ଜାତୀୟ ଦଳ ରୂପେ ଆତ୍ମ ପ୍ରକାଶ କଲେ ମଧ୍ୟ ସେମାନଙ୍କର ପ୍ରଭାବ ଅତି ସୀମିତ ଥିଲା । ତେଣୁ କ୍ଷମତା ଲିପ୍ସୁ ନେତାମାନେ ତୁରନ୍ତ କ୍ଷମତାକୁ ଆସିବା ପାଇଁ ଆଂଚଳିକ ବାଦ୍ ର ଆଶ୍ରୟ ନେଲେ ଏବଂ ଦୁଃଖର କଥା ଯେ, ଭାରତର ଜନସାଧାରଣ ଜାତୀୟତାବାଦ୍ କୁ ଭୁଲି ଆଂଚଳିକ ବାଦ୍ ପ୍ରତି ଧୀରେ ଧୀରେ ଆକୃଷ୍ଟ ହେଲେ । ଏଠାରେ ସ୍ପଷ୍ଟ କୁହାଯାଇ ପାରେ ଯେ, ମୁସଲିମ୍ ଲିଗ୍ ର ସାଂପ୍ରଦାୟିକ ବାଦ୍ ଅପେକ୍ଷା ଏହି ଆଂଚଳିକ ବାଦ୍ ଅଧିକ ଭୟଙ୍କର । ଲୋକମାନଙ୍କୁ ଅନେକ କାଳ୍ପନିକ ନିର୍ଯ୍ୟାତନା, ଆଂଚଳିକ ସ୍ୱାଭିମାନ, କେନ୍ଦ୍ର ଅବହେଳା, ଅନ୍ୟ ଭାଷା ଓ ପ୍ରଦେଶର ଲୋକ ମାନଙ୍କ ପ୍ରତି ଘୃଣା ଭାବ ସୃଷ୍ଟି କରାଇ ସେମାନଙ୍କୁ ଆଂଚଳିକ ବାଦ୍ ପ୍ରତି ଆକୃଷ୍ଟ କରି ଏମାନେ କ୍ଷମତାକୁ ଅକ୍ତିଆର କରିନେଲେ ଓ କ୍ଷମତାକୁ ଯାବୋଡ଼ି ଧରିବା ପାଇଁ କିଛି ନା କିଛି ବିଦ୍ୱେଷ ଭାବ ସୃଷ୍ଟି କରି ଜନ ସଚେତନତା ନାଁରେ ଆନେ୍ଦାଳନ ଜାରି ରଖିଲେ । ଏହି ଆଂଚଳିକ ଦଳ ମାନଙ୍କର କୌଣସି ନିର୍ଦ୍ଦିଷ୍ଟ ନୀତି କିମ୍ବା ଆଦର୍ଶ ନଥାଏ । ସେମାନଙ୍କ ଦଳରେ ଗଣତନ୍ତ୍ର ନଥାଏ । ଦଳର ମୁଖ୍ୟ ଏକ ବାଦଶାହା ଭଳି କାର୍ଯ୍ୟ କରନ୍ତି । ତାଙ୍କ ବିରୁଦ୍ଧରେ ମୁହଁ ଖୋଲିବାକୁ କାହାର ସାହସ ନଥାଏ । ଦଳର ମୁଖ୍ୟ ହୁଅନ୍ତି ଦଳର ଆଜୀବନ ସଭାପତି ଓ ମୁଖ୍ୟମନ୍ତ୍ରୀ । ଜର୍ମାନର ହିଟଲର୍ଙ୍କ ଭଳି ଦଳର କର୍ମୀ ମାନେ ପ୍ରତି ମୁହୂର୍ତରେ ଦଳର ମୁଖ୍ୟଙ୍କ ଗୁଣ କିର୍ତନ କରିବାକୁ ବାଧ୍ୟ ହୁଅନ୍ତି । ଦଳ ମୁଖ୍ୟଙ୍କ ପରେ ତାଙ୍କ ପୁଅ ଯେଭଳି କ୍ଷମତାକୁ ଆସିବ, ସେଥିପାଇଁ ସେ ବାଟ ସଫା କରି ଦିଅନ୍ତି । କହିବାକୁ ଗଲେ ଯେଉଁ ରାଜତନ୍ତ୍ରକୁ ଆମେ ତ୍ୟାଗ କରି ଆସିଥିଲୁ ତାହା ଆଜି ସଂପୂର୍ଣ୍ଣ ନୂତନ ରୂପରେ ଅବତାର ନେଇଛି । ବର୍ତମାନ ତାମିଲନାଡ଼ୁରେ ଡ଼ିଏମ୍କେ ଓ ଏଆଇଡ଼ିଏମକ୍କେ, ଆନ୍ଧ୍ରରେ ତେଲଗୁଦେଶମ୍, ତେଲେଙ୍ଗାନାରେ ଟିଆରଏସ୍, ଓଡ଼ିଶାରେ ବିଜେଡ଼ି, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ, ବିହାରରେ ଆରଜେଡ଼ି, ଉତରପ୍ରଦେଶରେ ସମାଜବାଦୀ ଦଳ, ବହୁଜନ ସମାଜବାଦୀ ପାର୍ଟି ଆଦି ସଂପୂର୍ଣ୍ଣ ସଂକୀର୍ଣ୍ଣ ଆଂଚଳିକ ବାଦ୍ କୁ ନେଇ ସୃଷ୍ଟି ହୋଇଛି । ସଂପୃକ୍ତ ରାଜ୍ୟ ମାନଙ୍କରେ ଆଂଚଳିକ ଦଳ ଗୁଡ଼ିକ ମଧ୍ୟରେ କୌଣସି ଗଣତାନ୍ତି୍ରକ ଚିନ୍ତାଧାରା ଆଦୌ ନାହିଁ । ଦଳ ଏକ ପାରିବାରିକ ସଂସ୍ଥାରେ ପରିଣତ ହୋଇ ଯାଇଛି । ଆଂଚଳିକ ବାଦ୍ କୁ ପ୍ରତିହତ କରିବା ପାଇଁ ଜାତୀୟ ଦଳ ହିଁ ଏକମାତ୍ର ସକ୍ଷମ ହୋଇ ପାରିବ । ଭାରତର ସର୍ବ ପୁରାତନ ଓ ସର୍ବ ବୃହତ ଜାତୀୟ ଦଳ କଂଗ୍ରେସ କ୍ଷୟ ପ୍ରାପ୍ତ ହୋଇ ବର୍ତମାନ ଅତି ଦୟନୀୟ ଅବସ୍ଥାରେ ପହଂଚି ଯାଇଛି । ଦଳରୁ ଗଣତନ୍ତ୍ର ଉଭେଇ ଯାଇଛି । ଗୋଟିଏ ପରିବାର ଦ୍ୱାରା ଦଳ ଶୃଙ୍ଖଳିତ ଅବସ୍ଥାରେ ଅଛି । ଯେଉଁ ଦଳର ପଣ୍ଡିତ ନେହରୁ ଉଗ୍ର ସମାଜବାଦୀ ଥିଲେ, ସେହି ଦଳରେ ମୁଖ୍ୟଙ୍କୁ ରାଜକୁମାର ଓ ତାଙ୍କ ମା’ଙ୍କୁ ମହାରାଣୀ କୁହା ଯାଉଛି । କୌଣସି ପ୍ରକାର ସ୍ୱାଧୀନ ମତ ଦେବାରେ ଦଳରେ କାହାର ଅଧିକାର ନାହିଁ ।
ଜାତୀୟତା ବାଦ୍ କୁ ତ୍ୟାଗ କରି ସଂକୀର୍ଣ୍ଣତାକୁ ଆଶ୍ରା କରି ବଢୁଥିବା ଆଂଚଳିକ ଦଳ ମାନଙ୍କ ସହ ଏହି ଦଳ ହାତ ମିଳାଇ ମହାମେଂଟ ଗଠନ କରିଛି ଓ ଥରେ କ୍ଷମତାକୁ ଆସିଲେ, ଆଂଚଳିକ ନେତା ମାନେ ନିଜର ସ୍ୱାର୍ଥ ପାଇଁ ଯେ ଦେଶର ଜାତୀୟତାକୁ ଜଳାଂଜଳି ଦେଇଦେବେ ସେଥିରେ ସନେ୍ଦହ ନାହିଁ ।
କମୁ୍ୟନିଷ୍ଟ ଦଳ ଆଂଚଳିକ ବାଦ୍ରୁ ଉଦ୍ଧ୍ୱର୍ରେ ଥିଲେ ମଧ୍ୟ ୧୯୧୭ ର ଚିନ୍ତାଧାରରୁ ମୁକ୍ତି ପାଇ ନାହାନ୍ତି । ସାମ୍ୟବାଦ୍ ର ପ୍ରତିଷ୍ଠା ପାଇଁ ସମସ୍ତଙ୍କୁ ଗରିବ କରିଦେଲେ ସାମ୍ୟବାଦ୍ ଯେ ପ୍ରତିଷ୍ଠା ହୋଇଯିବ, ଏହା ସେମାନେ ଏପର୍ଯ୍ୟନ୍ତ ବିଶ୍ୱାସ କରନ୍ତି । ନକ୍ସଲାଇଟ୍ ହୋଇ ଯେତେ ହଣାକଟା କଲେ ମଧ୍ୟ ସେମାନଙ୍କର ଭବିଷ୍ୟତ ଯେ ଅନ୍ଧକାର, ଏଥିରେ ସନେ୍ଦହ ନାହିଁ ।
୧୯୧୪ରେ ମୋଦିଙ୍କ ନେତୃତ୍ୱରେ ବିଜେପି ସରକାରକୁ ଆସିଲା ପରେ ଯୁବ ପିଢିର ନୂଆ ଆଶାର ଉଦୟ ହୋଇଥିଲା । ଲୋକେ ଆଶା କରିଥିଲେ ଦେଶର ପ୍ରଧାନ ଶତୃ ଦୁର୍ନୀତି ଲୋପ ପାଇବ । ରାଜନୀତିକ ଦଲାଲ୍ ଗିରି ଶେଷ ହେବ । ଜାତି, ଧର୍ମ, ଦଳିତ, ଅଣ ଦଳିତ ଓ ସଂକ୍ଷଣକୁ ନେଇ ରାଜନୀତି ନହୋଇ ଏକ ବାସ୍ତବମୁଖୀ ଭାରତ ଗଠନ ହେବ । ମାତ୍ର ସେ ଆଶା ଆଜି ସ୍ୱପ୍ନରେ ମିଳେଇ ଯାଇଛି । ଆଗାମୀ ନିର୍ବାଚନରେ ଯେ ମୋଦିଙ୍କ ମ୍ୟାଜିକ୍ ଆଉ କାମ କରିବନି, ତାହା ଜଳ ଜଳ ଦେଖା ଗଲାଣି ।
ଆଗାମୀ ନିର୍ବାଚନରେ କେନ୍ଦ୍ରରେ ଯଦି ବାର ଭାଇ ଆଖଡ଼ା ହୁଏ, ତେବେ ଭାରତ ଏକ ଅନିଶ୍ଚିତ ଅଧ୍ୟାୟକୁ ଠେଲି ହୋଇଯିବ । କେହି କାହାକୁ ମାନିବେ ନାହିଁ । ଦେଶର ସ୍ୱାର୍ଥ ଅପେକ୍ଷା ନିଜ ପ୍ରାଦେଶିକ ସ୍ୱାର୍ଥକୁ ସେମାନେ ପ୍ରାଧାନ୍ୟ ଦେବେ । ବିଭିନ୍ନ ଦିଗରୁ ସରକାର ଉପରେ ଚାପ ପକାଇବେ । ସୁପି୍ରମକୋର୍ଟ ର ଆଦେଶକୁ ମଧ୍ୟ ମାନିବେ ନାହିଁ । ସମ୍ବିଧାନକୁ ନିଜ ଅର୍ଥରେ ବ୍ୟାଖ୍ୟା କରିବେ । ଏକ ଦୃଢ ଜାତୀୟ ଦଳ ନହେଲେ, ଏ ସଂକଟରୁ ଉଦ୍ଧାର ପାଇବା ସମ୍ଭବ ନୁହେଁ । ଏହି ଅରାଜକତା ମଧ୍ୟରେ ଯଦି କୌଣସି ଦୃଢ ବ୍ୟବସ୍ଥା ସୃଷ୍ଟି ନହୁଏ, ତେବେ ଦେଶର ଅଖଣ୍ଡତା ଯେ ନିଶ୍ଚୟ ବିପନ୍ନ ହେବ ଏଥିରେ ସନେ୍ଦହ ନାହିଁ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଉମରକୋଟ,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬