ସଂକଟରେ ଓଡିଶା ଷ୍ଟାଫ ସିଲେକସନ କମିଶନ!
ଭୁବନେଶ୍ୱର, (ଓଏନ୍ଏସ୍/ଆଇଏନ୍ଏସ୍): ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ତୃତୀୟ ଶ୍ରେଣୀ କର୍ମଚାରୀମାନଙ୍କୁ ଚୟନ ଓ ନିଯୁକ୍ତି ପାଇଁ ଓଡିଶା ସରକାର ଗତ ୧୯୯୩ ମସିହାରେ ଓଡିଶା ଷ୍ଟାଫ ସିଲେକସନ କମିଶନ ଗଠନ କରିଥିଲେ । ଇତି ମଧ୍ୟରେ ୨୫ ବର୍ଷ ବିତିଗଲାଣି, କିନ୍ତୁ କମିଶନଙ୍କ କାର୍ଯ୍ୟ ଅଚଳ ହୋଇପଡିଛି ।
ସୂଚନାଯୋଗ୍ୟଯେ, ଓଡିଶାର ତିନୋଟି ଚୟନକାରୀ ସଂସ୍ଥା କାର୍ଯ୍ୟ କରୁଛି । ସେଗୁଡିକ ହେଲା, ଲୋକସେବା ଆୟୋଗ, ଓଡିଶା ଷ୍ଟାଫ ସିଲେକସନ କମିଶନ ଓ ଅନ୍ୟଟି ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ । ଓଡିଶା ଲୋକସେବା ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା ଓ ଏହା କେବଳ ରାଜ୍ୟ ସରକାରଙ୍କର ଗୃପ- ବି ବା ଦ୍ୱିତୀୟ ଶ୍ରେଣୀ ଅଥବା ତଦୁର୍ଦ୍ଦ ପଦବୀର ଅଧିକାରୀଙ୍କୁ ଚୟନ କରିଥାନ୍ତି । ଷ୍ଟାଫ ସିଲେକସନ କମିଶନ ପ୍ରଥମେ ୧୯୯୩ ମସିହାରେ କଟକ ଠାରେ ସ୍ଥାପନ କରାଯାଇଥିଲା । ଏଠାରେ ବହୁ ଦୁର୍ନୀତି ହେବାରୁ ଦୁଇ ହଜାର ମସିହାରେ ସରକାର ଏହାକୁ କଟକରୁ ରାଜଧାନୀକୁ ଉଠାଇ ଆଣିଥିଲେ । ବର୍ତମାନ ଏହା ରାଜ୍ୟ ସଚିବାଳୟର ପଛପଟେ ଓ ବିଭାଗୀୟ ମୁଖ୍ୟ ଦପ୍ତର ନିକଟରେ କାର୍ଯ୍ୟ କରୁଛି । ଏଥିରେ ଜଣେ ଅଧ୍ୟକ୍ଷ ଓ ଜଣେ ସଦସ୍ୟ ରହିବାର ବ୍ୟବସ୍ଥା ରହିଛି । କିନ୍ତୁ ସଦସ୍ୟ ପଦବୀଟି ଗତ ଏକବର୍ଷ ଧରି ଖାଲିପଡିଛି । ତେଣୁ କମିଶନ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ଓ ପରୀକ୍ଷା ଫଳ ଠିକ ସମୟରେ ପ୍ରକାଶ କରିପାରୁ ନାହାନ୍ତି । କମିଶନ ଜଣେ ଅବସରପ୍ରାପ୍ତ ଓଏଏସ ଅଫିସରଙ୍କୁ ଠିକା ନିଯୁକ୍ତି ଦେଇଛନ୍ତି ଓ ସେ ପ୍ରାୟ ୬ ବର୍ଷଧରି କାର୍ଯ୍ୟ କରୁଛନ୍ତି । ମୁଖ୍ୟ ଶାସନ ସଚିବ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପଦଚ୍ୟୁତ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ଏଠାରେ ସଂପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପରୀକ୍ଷା ପରିଚାଳନା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଓଏନ୍ଏସ୍ ଓ ଆଇଏନ୍ଏସ୍ ର ସୂଚନା ଅନୁଯାୟୀ ବର୍ତମାନର ଅଧ୍ୟକ୍ଷ ଜଣେ କେନ୍ଦ୍ର ସରକାରଙ୍କ ଅବସରପ୍ରାପ୍ତ ପ୍ରତିରକ୍ଷା ବିଭାଗର ଅଧିକାରୀ । ତାଙ୍କର ସରକାରୀ ନୀତି ନିୟମରେ ଅଭିଜ୍ଞତା ନଥିବାରୁ ପୁନଃନିଯୁକ୍ତି ପାଇଥିବା ଅଧିକାରୀ ଜଣକ ବହୁ ଫାଇଦା ଉଠାଉଥିବା ଚର୍ଚ୍ଚା ହେଉଛି । କମିଶନଟି ତାଙ୍କ ହସ୍ତମୁଦି ମାହାଲରେ ପରିଣତ ହେଉଛି ।
ମୁଖ୍ୟମନ୍ତ୍ରୀ ମହୋଦୟ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ନିମନ୍ତେ ଗୁରୁତ୍ୱାରୋପ କରୁଥିବା ଆନନ୍ଦର ବିଷୟ । କିନ୍ତୁ ଷ୍ଟାଫ ସିଲେକସନ କମିଶନ ଲିଖିତ ପରୀକ୍ଷା କରି ଫଳ ପ୍ରକାଶ ନିମନ୍ତେ ବହୁ ସମୟ ନେଉଛନ୍ତି, କେତେକ ପରୀକ୍ଷା ଫଳ ପ୍ରକାଶ ପାଇଁ ଏକ ବର୍ଷରୁ ଅଧିକ ସମୟ ଲାଗୁଛି । ଯୋଗାଣ ଅଧିକାରୀ ପଦବୀ ପାଇଁ ଗତ ୨୦୧୭ ମସିହା ଅକ୍ଟୋବର ୨୬ ତରିଖ ଆବେଦନର ଶେଷ ତାରିଖ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲିଖିତ ପରିକ୍ଷା ପାଇଁ ତାରିଖ ଘୋଷଣା ହୋଇନାହିଁ । ଗତ ୨୦୧୭ ମସିହା ଏପ୍ରିଲ ୧୬ ତାରିଖରେ ଡାଟା ଏନଟ୍ରି ଅପରେଟର ପଦବୀ ପାଇଁ ଲିଖିତ ପରୀକ୍ଷା ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଫଳ ପ୍ରକାଶିତ ହୋଇନାହିଁ । ପୋଲିସ ଓ ଅଡିଟର ପଦବୀ ନିମନ୍ତେ ହୋଇଥିବା ପରୀକ୍ଷା ଫଳ ପ୍ରକାଶନରେ ଅହେତୁକ ବିଳମ୍ବ ହେଉଛି । କମିଶନ ଠିକ ସମୟରେ ପରୀକ୍ଷା ଫଳ ପ୍ରକାଶ କରୁନଥିବାରୁ ପ୍ରାର୍ଥୀମାନେ ଆଇନ ଅଦାଲତର ଆଶ୍ରୟ ନେଇ ରହିତାଦେଶ ଜାରି କରୁଛନ୍ତି । ଯାହାଫଳରେ ଠିକ ସମୟରେ ପଦବୀ ପୂରଣ ହୋଇପାରୁ ନାହିଁ । ରାଜ୍ୟସ୍ତରୀୟ ଗୃପ- ସି ପଦବୀ ପାଇଁ ଷ୍ଟାଫ ସିଲେକସନ କମିଶନ କାର୍ଯ୍ୟ କରୁଥିଲେ ମଧ୍ୟ ସରକାର ଜିଲ୍ଲାସ୍ତରୀୟ ଗୃପ-ସି ପଦବୀ ପାଇଁ ଆଉ ଗୋଟିଏ କମିଶନ ଗଠନ କରି ସରକାରୀ ତହବିଲରୁ ବହୁ ଅର୍ଥ ଶ୍ରାଦ୍ଧ କରୁଛନ୍ତି । ସେଠାରେ ବର୍ଷକୁ ମାତ୍ର ଗୋଟିଏ ବା ଦୁଇଟି ପରୀକ୍ଷା କରାଯାଉଛି । କାର୍ଯ୍ୟଭାର କମ ଥିବାରୁ ଅଧସ୍ତନ କର୍ମଚାରୀ ଆୟୋଗର କର୍ମଚାରୀମାନେ ବସି ବସି ଦରମା ପାଉଛନ୍ତି । ସେଠାରେ ମଧ୍ୟ ସ୍ଥାୟି ଅଧ୍ୟକ୍ଷ ଓ ସଦସ୍ୟ ନାହାନ୍ତି । ତେଣୁ ଏହି ଅଧସ୍ତନ କର୍ମଚାରୀ ଚୟନ କମିଶନକୁ ଉଛେଦ କରି ଓଡିଶା ଷ୍ଟାଫ ସିଲେକସନ କମିଶନ ସହ ମିଶ୍ରଣ କରିବାକୁ ବୁଦ୍ଧିଜୀବି ମାନେ ଦାବି କରିଛନ୍ତି । ଓଏନ୍ଏସ୍/ଆଇଏନ୍ଏସ୍ ।