କାମ କରୁନି ମୁଖ୍ୟ ସଚିବଙ୍କ ଆଦେଶ!

ଭୁବନେଶ୍ୱର,(ଆଇଏନ୍ଏସ୍): ବିଭାଗୀୟ ଶାସନ ସଚିବଙ୍କ ମାସିକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରୁଥିବା ରାଜ୍ୟର ମୁଖ୍ୟ ତଥା ଚିଫ ସେକ୍ରେଟାରି ସମସ୍ତ ବିଭାଗରେ ପୁନଃନିଯୁକ୍ତି ପାଇଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅବ୍ୟାହତି ଦେବାକୁ ନିଦେ୍ର୍ଦଶ ଦେଲେ । ଏହି ଆଦେଶକୁ ଯୋଜନା ଓ ସଂଯୋଗୀକରଣ ବିଭାଗ ସମସ୍ତ ବିଭାଗ ଓ ବିଭାଗୀୟ ମୁଖ୍ୟମାନଙ୍କୁ ତୁରନ୍ତ କାର୍ଯ୍ୟକାରି କରିବାକୁ ଜଣାଇଦେଲେ । ତତକ୍ଷଣାତ ଶକ୍ତିବିଭାଗ ଏହାର ଅଧସ୍ତନ କାର୍ଯ୍ୟାଳୟ, ସରକାରି ନିଗମକୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବିଦା କରିବାକୁ ଅନୁରୋଧ କଲେ । ଖବରକାଗଜରେ ପ୍ରଚାର କରାଗଲା ଯେ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅବ୍ୟାହତି ଦିଆଗଲା । ଆଉ ପୁନଃନିଯୁକ୍ତି ନୁହେଁ । ଏ ଥିଲା ଅଳ୍ପଦିନ ତଳର ତାଜା ଖବର ।
କିନ୍ତୁ ଚିଫସେକ୍ରେଟାରି ହେଉଛନ୍ତି, ସାଧାରଣ ପ୍ରଶାସନ ବିଭାଗର ଶାସନ ସଚିବ । ସଂପୃକ୍ତ ବିଭାଗ ରାଜ୍ୟ ସରକାରୀ କର୍ମଚାରୀମାନଙ୍କର ଚାକିରି ସର୍ତାବଳୀ ଦାଇତ୍ୱରେ ଅଛନ୍ତି । ସାଧାରଣ ପ୍ରଶାସନ (ଚାକିରି ସର୍ତାବଳୀ) ବିଭାଗ ପକ୍ଷରୁ ଗତ ୨୭ ଅଗଷ୍ଟ ୨୦୧୪ ମସିହାରେ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ପୁନଃ ନିଯୁକ୍ତି ସମ୍ପକରେ ଏକ ମାର୍ଗଦର୍ଶିକା ପ୍ରକାଶ କରିଛନ୍ତି । ଏହି ନିୟମ ଅନୁଯାୟି ଜଣେ ଅବସରପ୍ରାପ୍ତ କର୍ମଚାରୀ ଅବସର ପରେ ଚାରିବର୍ଷ ବା ୬୫ ବର୍ଷ ହେବା ପର୍ଯ୍ୟନ୍ତ ନିଯୁକ୍ତି ପାଇପାରିବେ । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଆବଶ୍ୟକ । ତେବେ ପ୍ରଶ୍ନ ହେଉଛି, ସଚିବ ସ୍ତରୀୟ ବୈଠକରେ ନିଷ୍ପତି ହୋଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତିକି? ଯଦି କରିଛନ୍ତି, ତେବେ ଅଗଷ୍ଟ ୨୭, ୨୦୧୪ରେ ନିର୍ଗମନ କରାଯାଇଥିବା ମାର୍ଗଦର୍ଶିକାର ଆବଶ୍ୟକୀୟ ସଂଶୋଧନ କରାଯିବାରେ ଅସୁବିଧା କେଉଁଠି? ମୁଖ୍ୟ ସଚିବ ନିଜ ବିଭାଗକୁ ଠିକ ନ କରି ଅନ୍ୟ ବିଭାଗକୁ ନିଦେ୍ର୍ଦଶ ଦେବା ପଛରେ ରହସ୍ୟ କଣ? ଏହା କଣ ମୁଖ୍ୟମନ୍ତ୍ରୀଙ୍କ ଅଗୋଚରରେ ହୋଇଛି କି?
ଏ ସମ୍ପର୍କରେ କେତେକ ତଥ୍ୟ ପାଠକମାନଙ୍କ ଅବଗତି ନିମନ୍ତେ ଜଣାଉଛୁ । ପୂର୍ତ ସଚିବ ନଳିନୀ ପ୍ରଧାନ, ଖଣି ନିଦେ୍ର୍ଦଶକ ଦୀପକ ମହାନ୍ତି ଓ ବିଧାନସଭାର ସଚିବ ଅମିୟ କୁମାର ଷଡଙ୍ଗୀ ସେଇ ପଦବୀରେ ଅବସର ପରେ ପୁନଃ ନିଯୁକ୍ତି ପାଇଛନ୍ତି । ସେମାନେ ଅବସର ପୂର୍ବରୁ ଯେଉଁ କ୍ଷମତା ଉପଭୋଗ କରୁଥିଲେ ଅବସର ପରେ ସେଇ କ୍ଷମତା ପାଇବେ । କିନ୍ତୁ ସେଇ ପଦବୀକୁ ପଦୋନ୍ନତି ପାଇବାକୁ ଥିବା ଆଶାୟି ତଥା ତାଙ୍କ ଠାରୁ କନିଷ୍ଠ ଅଧିକାରୀ ନିରାଶ ହୋଇ ପଦୋନ୍ନତି ପାଇଁ ଚାହିଁ ବସିଛନ୍ତି । କେତେକ ମଧ୍ୟ ଅବସର ନେଇ ସାରେିଲେଣି । ସତେ ଯେମିତି ତାଙ୍କର ଦକ୍ଷତା ବା ଯୋଗ୍ୟତା ନାହିଁ । ଉପରୋକ୍ତ ତିନିଜଣ ଅବସରପ୍ରାପ୍ତ ଅଧିକାରୀ ଏକ ନମ୍ବର କାଟାଗୋରିରେ ପୁନଃ ନିଯୁକ୍ତି ପାଇଛନ୍ତି । କାରଣ ପୁର୍ବ କ୍ଷମତା ବଜାୟ ରହିଛି । ମୁଖ୍ୟମନ୍ତ୍ରୀଙ୍କର ଶୁଭ ଦୃଷ୍ଟିଥିଲେ ଏପରି ନିଯୁକ୍ତି ଭାଗ୍ୟରେ ଥିଲେ ମିଳେ ।
ଏବେ ଆସନ୍ତୁ ଦେଖିବା ଦୁଇ ନମ୍ବର କାଟାଗୋରି ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି । ଏମାନଙ୍କର ତାଲିକା ନିମ୍ନରେ ଦେଲୁ । ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟରେ ନିଯୁକ୍ତ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଦିଲିପ କୁମାର ମହାନ୍ତି ଏବଂ ତାଙ୍କ ଛଡା ସାଧାରଣ ପ୍ରଶାସନ ବିଭାଗରେ ନିଯୁକ୍ତ ମହେନ୍ଦ୍ର କୁମାର ରଥ ଓ ଅରୁଣାଂଚଳ ଦାସ, ନଗର ଉନ୍ନୟନ ବିଭାଗରେ ନିଯୁକ୍ତ ଧୋବେଇ ଚରଣ ସାହୁ, ଉଚ ଶିକ୍ଷା ବିଭାଗରେ ନିଯୁକ୍ତ ମନୋରଂଜନ ପଟ୍ଟନାୟକ ଓ ବେଣୁଧର ଦାଶ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ନିଯୁକ୍ତ ଖଗେନ୍ଦ୍ର ନାଥ ପାଢି, ପଂଚାୟତିରାଜ ବିଭାଗରେ ନିଯୁକ୍ତ ବିରଂଚି ନାରାୟଣ ଦାସ(ଓରମାସ), ଖାଦ୍ୟ ଯୋଗାଣ ବିଭାଗରେ ସଂଜୀବ କୁମାର ମିଶ୍ର । ଏମାନେ କୌଣସି ପଦବୀରେ ନାହାନ୍ତି । କିନ୍ତୁ ଫାଇଲ ପତ୍ରରେ ନିଷ୍ପତି ନେଉଛନ୍ତି । ମୋଟା ଦରମା ଓ ଅନ୍ୟାନ୍ୟ ସରକାରୀ ସୁବିଧା ଉପଭୋଗ କରୁଛନ୍ତି । ସରକାରି ଗାଡି, ପିଅନ, ଫୋନ ଓ ବ୍ୟକ୍ତଗତ ସଚିବର ସୁବିଧା ମିଳୁଛି ।
ଏହାପରେ ହେଉଛି ତିନ ନମ୍ବର କାଟାଗୋରି ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି । ଏମାନଙ୍କୁ କେବଳ ୧୩ ହଜାରରୁ ୩୦ ହଜାର ଟଙ୍କା ଦରମା ମିଳେ । ଅନ୍ୟ କୌଣସି ସୁବିଧା ମିଳେ ନାହିଁ । ଅମଲାଙ୍କ ଭଳି ଏମାନେ ସଚିବାଳୟ ବାରଣ୍ଡାରେ ଟହଲ ମାରି ଚା ଦୋକାନରେ ଗୁଲିଖଟି କରି ଘରକୁ ଫେରନ୍ତି । ଉପରିସ୍ଥ ଅଫିସରଙ୍କୁ ଖୁସି କରି ତିନିଚାରିଥର ଜୁହାର ହୋଇ ଏମାନଙ୍କା ପୁନଃନିଯୁକ୍ତି ବଢାଇ ଚାଲନ୍ତି ।
ନିକଟରେ ରାଜ୍ୟ ସରକାର ସ୍ୱୀକାର କରିଛନ୍ତି, ଏବେ ପ୍ରାୟ ୫୦ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆଉ ପୁନଃନିଯୁକ୍ତିି ଦିଆଯିବ ନାହିଁ । ଅର୍ଥାତ ଏବେ ଏମାନଙ୍କ ସଂଖ୍ୟା ୫୦ ହଜାର । ପୁନଃ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ବିଦା କରାଯିବ । ଏଭଳି ନିଷ୍ପତି ପରେ ବର୍ତମାନ ସୁଦ୍ଧା କାହାକୁ ଛଟେଇ କରାଯାଇ ନାହିଁ । ଖୋଦ ସାଧାରଣ ପ୍ରଶାସନ ବିଭାଗ ମଧ୍ୟ ନୀରବ । ଚିଫ ସେକ୍ରେଟାରି ନିଜେ ସାଧାରଣ ପ୍ରଶାସନ ବିଭାଗର ସଚିବ ଥିବାରୁ ପ୍ରଥମେ ସେଇ ବିଭାଗରେ ଏହି ନିଷ୍ପତି କାର୍ଯ୍ୟକାରି କରାଯାଉ । ଆଉ କେତେକ ଅବସରପ୍ରାପ୍ତ କର୍ମଚାରୀ ଯେଉଁମାନେ ଏବେ ପୁନଃ ନିଯୁକ୍ତି ପାଇଛନ୍ତି, ସେମାନେ କହିବୁଲୁଛନ୍ତି, ସେମାନେ ମୁଖ୍ୟମନ୍ତ୍ରୀ ଅନୁମୋଦନ କ୍ରମେ ନିଯୁକ୍ତି ପାଇଛନ୍ତି । ଚିଫ ସେକ୍ରେଟାରି କିଏ? ଦରକାର ପଡିଲେ ଚିଫ ସେକ୍ରେଟାରି ମହୋଦୟଙ୍କୁ ଚନ୍ଦ୍ରଶେଖରପୁର ଏକାଡ଼େମିକୁ ପଠାଇବାକୁ କେତେ ସମୟ ଲାଗିବ?

Leave a Reply

Your email address will not be published.