ଗାନ୍ଧୀ ହତ୍ୟାକାରୀ ନାଥୁରାମ୍ ଗଡ଼ସେ

୧୯୪୮ମସିହା ଜାନୁୟାରୀ ୩୦ ତାରିଖରେ ବିରଳା ପ୍ୟାଲେସ୍ ପ୍ରାଙ୍ଗଣରେ ପ୍ରାୟ ଅପରାହ୍ନ ଘ.୫.୧୫ମି.ରେ ପ୍ରାର୍ଥନା ସଭାକୁ ଆସୁଥିବାବେଳେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଯେଉଁ ଲୋକଟି ହତ୍ୟା କରିଥିଲା,ତା’ର ନାଁ ନାଥୁରାମ୍ ଗଡ଼୍ସେ । ଗାନ୍ଧୀ ହତ୍ୟାକାରୀ ହୋଇ ଜଣେ ଖଳନାୟକ ରୂପେ ଇତିହାସରେ ସେ ସ୍ଥାନ ପାଇଛି । ଗାନ୍ଧୀ ଯେପରି ସାରା ପୃଥିବୀରେ ପରିଚିତ ଥିଲେ, ଗାନ୍ଧୀଙ୍କୁ ହତ୍ୟା କରି ସେ ମଧ୍ୟ ଇତିହାସରେ ନିଜ ନାଁ ଅମର କରିଦେଲା । ଗାନ୍ଧୀ ହତ୍ୟାର ବିଚାର, କାରଣ ଓ ନାଥୁରାମର ସ୍ୱୀକାରୋକ୍ତିକୁ ନେଇ ପରବର୍ତ୍ତୀ କାଳରେ ଅନେକ ତର୍ଜ୍ଜମା ହୋଇଛି । ଅନେକ ପୁସ୍ତକ ଲେଖାଯାଇଛି । ନାଥୁରାମ ଗାନ୍ଧୀଙ୍କୁ ହତ୍ୟା କରି ପଳେଇଯିବାକୁ ଚାହିଁନି । ଅସ୍ତ୍ର ମଧ୍ୟ ଫିଙ୍ଗିନାହିଁ । ଅନ୍ୟ କାହା ଦ୍ୱାରା ପ୍ରରୋଚିତ ହୋଇଛି ବୋଲି କହିନାହିଁ । ଅନ୍ୟ କାହାକୁ ହତ୍ୟାକାଣ୍ଡରେ ଜଡ଼ିତ କରିନାହିଁ । ସେ ସ୍ଥିର ଓ ଧୀର କଣ୍ଠରେ ଗାନ୍ଧୀଙ୍କୁ ହତ୍ୟା କରିଛି ବୋଲି ଘୋଷଣା କରିଛି । ବିଭାଜନ ପରେ ଲକ୍ଷ ଲକ୍ଷ ଶରଣାର୍ଥୀ ମାନଙ୍କର ଗାନ୍ଧୀଙ୍କ ପ୍ରତି ଥିବା ରୋଷ ନାଥୁରାମ ଠାରେ ପ୍ରତିଫଳନ ହୋଇଛି । ଦୁଃଖର କଥା ଯେ, ଗାନ୍ଧୀଙ୍କୁ ହତ୍ୟା କରାଯିବାର ଯୋଜନା ତଥା ଚକ୍ରାନ୍ତକାରୀ ଙ୍କ ନାମ ଜାନୁୟାରୀ ୨୦ସୁଦ୍ଧା ଜଣାପଡ଼ିଥିଲେ ମଧ୍ୟ ଗାନ୍ଧୀଙ୍କୁ ଯଥାର୍ଥ ସୁରକ୍ଷା ଯୋଗାଇବାରେ ବା ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ୍ ପାଇଁ ଭାରତ ସରକାର ତତ୍ପର ହୋଇନଥିଲେ । ୨୦ତାରିଖ ଦିନ ଗିରଫ୍ ହୋଇ ଚକ୍ରାନ୍ତକାରୀ ମଦନମୋହନ ପାୱା ପରିଷ୍କାର ଭାବରେ ଅନ୍ୟ ସବୁ ଚକ୍ରାନ୍ତକାରୀଙ୍କ ନାମ ପ୍ରକାଶ କରିଥିଲା । ଏହାସତ୍ତ୍ୱେ ସରକାର ସେମାନଙ୍କୁ ଗିରଫ୍ କରିବାରେ ସଫଳ ହେଲେ ନାହିଁ । ସେମାନଙ୍କ ମଧ୍ୟରୁ କେହି ପେଷାଦାର ହତ୍ୟାକାରୀ ନଥିଲେ । ବନ୍ଧୁକ ଚାଳନା ବି ଜାଣି ନଥିଲେ । ହତ୍ୟା ପାଇଁ କୌଣସି ଅତ୍ୟାଧୁନିକ ପ୍ରସ୍ତୁତି କରିନଥିଲେ । ଛଦ୍ମବେଶ ଧାରଣ କରିନଥିଲେ । ସାଧାରଣ ଦର୍ଶକ ଭାବରେ ଆସି ନାଥୁରାମ ସମସ୍ତଙ୍କ ସାମ୍ନାରେ ଗାନ୍ଧୀଙ୍କୁ ଗୁଳି କରିଥିଲେ । ତକ୍ରାଳୀନ ସରକାରର ସୁରକ୍ଷା ଦିଗରେ ଉଦାସୀନତା ଗାନ୍ଧୀ ହତ୍ୟା ପାଇଁ ପ୍ରାୟ ଦାୟୀ ବୋଲି କୁହାଯାଇପାରେ । ନାଥୁରାମ ଗଡ଼୍ସେ ମହାରାଷ୍ଟ୍ରର ପୁନା ନିକଟସ୍ଥ ଉକ୍ସାନ ଗାଁରେ ୧୯୧୦ ମସିହା ମଇ ୧୯ତାରିଖରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲା । ଏହି ଗ୍ରାମଟି ପୁନା-ବମ୍ବେ ରେଳପଥର କାନ୍ସେପ୍ ଷ୍ଟେଷନ୍ ଠାରୁ ୧୦କିଲୋମିଟର ଦୂରବର୍ତ୍ତୀ । ତାଙ୍କ ପିତାଙ୍କ ନାଁ ବିନାୟକ ଗଡ଼୍ସେ । ତାଙ୍କ ପରିବାରର ପୁଅ ପିଲାମାନେ ଅଭିଶପ୍ତ ବୋଲି ଜଣେ ଜ୍ୟୋତିଷ ଭବିଷ୍ୟବାଣୀ କରିଥିଲେ । ଲଗାତାର ୪ଟି ପୁଅ ମରିଯିବା ପରେ ନାଥୁରାମ ଓରଫ୍ ରାମଚନ୍ଦ୍ର ଜନ୍ମ ନେଇଥିଲା । ପରିବାର ଲୋକେ ଅଭିଶାପ ଏଡ଼ାଇବାକୁ ତାକୁ ଏକ କନ୍ୟା ସନ୍ତାନ ରୂପେ ପାଳନ କରିବାକୁ ଲାଗିଲେ । ଝିଅ ପୋଷାକ ପିନ୍ଧାଇ ନାକରେ ନୋଥ ଲଗାଇଲେ । ତେଣୁ ତା’ ନାଁ ହେଲା ନାଥୁରାମ ବିନାୟକ ଗଡ଼୍ସେ । ଏହି ନାଁରେ ବି ସେ ଇତିହାସରେ ପରିଚିତ ହେଲା । ହାଇସ୍କୁଲ୍ ଶିକ୍ଷା ଲାଭ ପରେ ନାଥୁରାମ୍ ବମ୍ବେର ବିଶିଷ୍ଟ କ୍ରାନ୍ତିକାରୀ ନେତା ଦାମୋଦର ବିନାୟକ ସର୍ବରକରଙ୍କ ସଂସ୍ପର୍ଶରେ ଆସିଲା । ବିନାୟକ ସର୍ବରକର ବିର ସର୍ବରକର ବୋଲି ଇତିହାସରେ ପରିଚିତ । ସେ ହେଉଛନ୍ତି ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବା ସିପାହୀ ବିଦ୍ରୋହ ପୁସ୍ତକର ରଚୟିତା । ସେ ତୀବ୍ର ଇଂରେଜ ବିରୋଧୀ ଥିଲେ ଓ ଇଂରେଜ ମାନଙ୍କ ବିରୁଦ୍ଧରେ ସନ୍ତ୍ରାସବାଦୀ ଆନେ୍ଦାଳନ ଚଳାଇଥିଲେ । ବ୍ରିଟିସ୍ ସରକାର ତାଙ୍କୁ ୫୦ବର୍ଷ ଜେଲ୍ ଦଣ୍ଡ ଦେଇ ଥିଲେ । ଦୀର୍ଘ ୨୫ବର୍ଷ କାଳ ନିଜର ବଡ଼ଭାଇ ବାବୁ ରାଓ ସହିତ ଆଣ୍ଡାମାନ ଦୀପରେ ସେ ନିର୍ବାସିତ ଜୀବନ ବିତାଇବା ପରେ ମୁକ୍ତ ହୋଇ ମହାରାଷ୍ଟ୍ରର ରତ୍ନଗିରି ସହରରେ ଗୃହ ବନ୍ଦୀ ହୋଇ ରହିଥିଲେ । ସେ ହିନ୍ଦୁ ମହାସଭା ନାଁରେ ଏକ ରାଜନୈତିକ ଦଳ ଗଠନ କରିଥିଲେ ଓ ହିନ୍ଦୁମାନଙ୍କର ଜିନ୍ନା ଭାବରେ ସମ୍ମାନିତ ହେଉଥିଲେ । ସେ ମଧ୍ୟ କଂଗ୍ରେସ ଓ ଗାନ୍ଧୀଙ୍କର ତୀବ୍ର ବିରୋଧୀ ଥିଲେ । ଭାରତ ବିଭାଜନର ତୀବ୍ର ବିରୋଧୀ ଥିଲେ । ହିନ୍ଦୁମାନଙ୍କର ସୁରକ୍ଷା ପାଇଁ ସେ ହିନ୍ଦୁ ରାଷ୍ଟ୍ର ନାମକ ଏକ ଅର୍ଦ୍ଧ ସାମରିକ ବାହିନୀ ଗଠନ କରିଥିଲେ । ସେ ହିନ୍ଦୁ ମହାସଭା ଦଳର ପ୍ରତିଷ୍ଠାତା ଥିଲେ । ତାଙ୍କ ନିଦେ୍ର୍ଦଶରେ ସନ୍ତ୍ରାସବାଦୀମାନେ ହାଇଦ୍ରାବାଦ୍ର ନିଜାମ ରାଜ୍ୟରେ ପଶି ହିନ୍ଦୁମାନଙ୍କୁ ସୁରକ୍ଷା ଦେଉଥିଲେ ଓ ସରକାରୀ ଅନୁଷ୍ଠାନ ଉପରେ ଆକ୍ରମଣ କରୁଥିଲେ । ସେତେବେଳେ ହାଇଦ୍ରାବାଦ୍ରେ ମୁସଲମାନ୍ ନିଜାମ ଥିଲେ ଓ ତାଙ୍କ ସହାୟତାେରେ କାସୀମ ରାଜୀବ ନାମକ ଜଣେ ମୁସଲମାନ ଉଗ୍ରପନ୍ଥୀ ଏକ ଦଳ ଗଠନ କରି ହିନ୍ଦୁଙ୍କ ଉପରେ ଅତ୍ୟାଚାର କରୁଥିଲେ ।
ନାଥୁରାମ ଗଡ଼୍ସେ ‘ଅଗ୍ରଣୀ’ ନାମକ ଏକ ଦୈନିକ ଖବରକାଗଜ ପ୍ରକାଶ କରୁଥିଲେ । ଏହି ପତି୍ରକାରେ ସେ ଗାନ୍ଧୀଙ୍କ ମୁସଲମାନ ପ୍ରୀତିକୁ ତୀବ୍ର ସମାଲୋଚନା କରି ଲେଖାମାନ ପ୍ରକାଶ କରୁଥିଲେ ।୧୯୪୪ରେ ଗାନ୍ଧୀ ପୁନା ନିକଟବର୍ତ୍ତୀ ଏକ ଶୈଳନିବାସରେ ଅବସ୍ଥାନ କରୁଥିବାବେଳେ ନାଥୁରାମ ଓ ତାଙ୍କ ସାଥୀମାନେ ଗାନ୍ଧୀଙ୍କ ବିରୁଦ୍ଦରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ପରବର୍ତ୍ତୀ କାଳରେ ସରକାର ‘ଅଗ୍ରଣୀ’ ଖବରକାଗଜକୁ ନିଷେଧ କରିବାରୁ ସେ ‘ହିନ୍ଦୁରାଷ୍ଟ୍ର’ ନାଁରେ ଅନ୍ୟ ଏକ ପତି୍ରକା ପ୍ରକାଶନ କଲେ । ନାଥୁରାମ ଓ ତାଙ୍କ ସାଥୀ ମାନେ ପୁନା ସହରକୁ ନିଜ କର୍ମସ୍ଥଳୀ ରୂପେ ଗ୍ରହଣ କରିଥିଲେ । ପୁନା ହେଉଛି ମରହଟା ପେଶବାଙ୍କର ରାଜଧାନୀ ଓ ହିନ୍ଦୁ ଜାଗରଣର ସ୍ମୃତିକୁ ବହନ କରୁଥିବା ସହର । ନାଥୁରାମଙ୍କ ସହଯୋଗୀ ମାନଙ୍କ ମଧ୍ୟରେ ନାରାୟଣ ଆପ୍ତେ (ହିନ୍ଦୁରାଷ୍ଟ୍ର ପତି୍ରକାର ପରିଚାଳକ), ବିଷ୍ଣୁ କର୍କରେ(ଅହମ୍ମଦନଗର ସ୍ଥିତ ଡ଼େକାନ୍ ଗେଷ୍ଟ୍ ହାଉସ୍ର ମାଲିକ), ଗୋପାଳ ଗଡ଼୍ସେ(ତାଙ୍କର ସାନଭାଇ), ମଦନଲାଲ୍ ପାୱା(ପାକିସ୍ତାନରୁ ଆସିଥିବା ଜଣେ ଶରଣାର୍ଥୀ), ଦିଗମ୍ବର ବ୍ୟାଜ୍(ଜଣେ ଅସ୍ତ୍ର ବ୍ୟବସାୟୀ), ଶଙ୍କରଲାଲ୍ କାୟ(ଦିଗମ୍ବରଙ୍କର କର୍ମଚାରୀ) ଥିଲେ ଅନ୍ୟତମ । ୧୯୪୭ ଅଗଷ୍ଟ ୧୫ରେ ଭାରତ ବିଭାଜିତ ହେଲା ଓ ସ୍ୱାଧୀନ ହେଲା । ଏହା ସହିତ ଆରମ୍ଭ ହେଲା ସାଂପ୍ରଦାୟିକ ଦଙ୍ଗା । ପାକିସ୍ତାନରୁ ପ୍ରାୟ ୭୦ଲକ୍ଷ ହିନ୍ଦୁ ପରିବାର ନିଜର ଧନÿ-ସଂପତ୍ତି ଛାଡ଼ି ଭାରତକୁ ଚାଲିଆସିଲେ । କେବଳ ଦିଲ୍ଲୀରେ ୧୦ଲକ୍ଷ ଶରଣାର୍ଥୀ ଭର୍ତ୍ତି ହୋଇଗଲେ । ମୁସଲମାନଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସେମାନେ ପାଗଳ ଭଳି ହେଉଥିଲେ । ମୁସଲମାନଙ୍କୁ ସୁରକ୍ଷା ଦେଉଥିବାରୁ ଗାନ୍ଧୀଙ୍କୁ ସେମାନେ ନିନ୍ଦା କରୁଥିଲେ । ସେମାନଙ୍କର ଡ଼ାକରା ଥିଲା, ‘ଗାନ୍ଧୀକୋ ମର୍ନେ ଦୋ, ହମେଁ ମକାନ୍ ଦୋ….” ଗାନ୍ଧୀଙ୍କର ଦାବି ଅନୁସାରେ ଦିଲ୍ଲୀ ପୋଲିସ୍ ମସଜିଦ୍ ଗୁଡ଼ିକରେ ରହୁଥିବା ହିନ୍ଦୁ ଶରଣାର୍ଥୀ ମାନଙ୍କୁ ଟାଣିଟାଣି ରାସ୍ତାକୁ ନେଇଥିଲା ।ଏହି ଘଟଣା ଅନେକ କଟ୍ଟରପନ୍ଥୀ ହିନ୍ଦୁମାନଙ୍କୁ ମାନସିକ ସ୍ତରରେ କ୍ଷତବିକ୍ଷତ କରିଥିଲା । ଠିକ୍ ଏତିକିବେଳେ ମୁସଲମାନଙ୍କ ସୁରକ୍ଷା ଓ ପାକିସ୍ତାନକୁ ତା’ର ୫୫କୋଟି ଟଙ୍କା ପ୍ରାପ୍ୟ ଦେବାକୁ ଦାବି କରି ଗାନ୍ଧୀ ତାଙ୍କର ଅନଶନ ଆରମ୍ଭ କରିଦେଲେ । ବିଭାଜନ ପରେ ରିଜର୍ଭ ବ୍ୟାଙ୍କ୍ରୁ ପାକିସ୍ତାନର ଭାଗ ୫୫କୋଟି ଟଙ୍କା ପଡ଼ିଥିଲା । ଏତିକିବେଳେ ପାକିସ୍ତାନ କାଶ୍ମୀର ଆକ୍ରମଣ କରିବାରୁ ଭାରତ ସରକାର ସେହି ଟଙ୍କା ଦେବାକୁ ମନା କରିଦେଲେ । ମାତ୍ର ଗାନ୍ଧୀ ଅନଶନ କରିବାରୁ ଅନିଚ୍ଛା ସତ୍ତ୍ୱେ ଭାରତ ସରକାର ଟଙ୍କା ଦେବାକୁ ଘୋଷଣା କଲେ । ସେହିଦିନ ହିଁ ନାଥୁରାମ ଓ ତାଙ୍କର ସାଥୀମାନେ ଗାନ୍ଧୀଙ୍କୁ ହିନ୍ଦୁମାନଙ୍କର ଚରମ ଶତ୍ରୂ ବୋଲି ଘୋଷଣା କରି ହତ୍ୟା କରିବାକୁ ସ୍ଥିର କଲେ । ନାଥୁରାମଙ୍କ ଭାଷାରେ, ‘ ଦେୟାର ଇଜ୍ ନୋ ଲିଗାଲ୍ ମେସିନାରୀ ବାଇ ହୁଇଚ୍ ଗାନ୍ଧୀ କୁଡ଼୍ ବି ବ୍ରଟ୍ ଟୁ ବୁକ୍ । ଆଇ ଫେଲ୍ଟ ହି ସୁଡ଼୍ ନଟ୍ ବି ଆଲାଉଡ଼୍ ଏ ନ୍ୟାଚୁରାଲ୍ ଡ଼େଥ୍!’ ଗାନ୍ଧୀ ହତ୍ୟାର ଯୋଜନାବଦ୍ଧ ଷଡ଼ଯନ୍ତ୍ର କରି ନାଥୁରାମ ଓ ତାଙ୍କର ସହଯୋଗୀମାନେ ଦିଲ୍ଲୀକୁ ଗଲେ । ଯିବା ପୂର୍ବରୁ ସର୍ବରକରଙ୍କୁ ସାକ୍ଷାତ କଲେ । ସାଥୀ ଦିଗମ୍ବର ବ୍ୟାଜ୍ ତାଙ୍କୁ ରିଭଲଭର ଓ ଗ୍ରେନେଡ଼୍ ଯୋଗାଇଦେଲା । ଚକ୍ରାନ୍ତକାରୀ ଦଳ ଦିଲ୍ଲୀର ହିନ୍ଦୁ ମହାସଭା ଅଫିସ୍ ଓ ମେରିନା ହୋଟେଲ୍ରେ ରହିଲେ । ଜାନୁୟାରୀ ୨୦ରେ ପ୍ରାର୍ଥନା ସଭାରେ ଗାନ୍ଧୀଙ୍କୁ ହତ୍ୟା କରିବାକୁ ସ୍ଥିର ହେଲା । ପ୍ରଥମେ ମଦନଲାଲ୍ ପାୱା ଗୋଟିଏ ଗ୍ରେନେଡ଼୍ ଫୁଟାଇବ । ସଭାସ୍ଥଳରେ ବିଶୃଙ୍ଖଳା ହେବାପରେ ଅନ୍ୟମାନେ ସଭାସ୍ଥଳକୁ ଗ୍ରେନେଡ଼୍ ଫିଙ୍ଗିବେ । ଏତିକିବେଳେ ଦିଗମ୍ବର ବ୍ୟାଜ୍ ବିର୍ଲା ହାଉସ୍ର ଗୋଟିଏ ସର୍ଭ୍ୟାଣ୍ଟ କ୍ୱାର୍ଟର୍ସରୁ ଝରକା ବାଟେ ଗାନ୍ଧୀଙ୍କୁ ଗୁଳି କରିବ । ପରେ ପରେ ନାରାୟଣ ଆପ୍ତେ ମଧ୍ୟ ଆଉଥରେ ଗୁଳି କରିବ । ମାତ୍ର ଏ ଯୋଜନାଟି ପଣ୍ଡ ହୋଇଗଲା । ମଦନଲାଲ୍ ପାୱା ଅତି ଚଞ୍ଚଳ ପ୍ରକୃତିର । ଗ୍ରେନେଡ଼୍ ଫୁଟାଇବା ବେଳେ ଜଣେ ମହିଳା ଦେଖିଦେଲା ଓ ପୋଲିସକୁ କହିଦେଲା । ଦିଗମ୍ବର ବ୍ୟାଜ୍ ଭୟରେ ଗୁଳି ଫୁଟାଇ ପାରିଲା ନାହିଁ । ଅନ୍ୟମାନେ ମଧ୍ୟ ଲୋକେ ମରିବେ ବୋଲି ଗ୍ରେନେଡ଼୍ ଫିଙ୍ଗିଲେ ନାହିଁ । ମଦନଲାଲ୍କୁ ପୋଲିସ୍ ଗିରଫ୍ କଲା । ଅନ୍ୟମାନେ ଦିଲ୍ଲୀ ଛାଡ଼ି ଇହ୍ଲାବାଦ୍କୁ ଚାଲିଗଲେ । ପୋଲିସ୍ ଜେରାରେ ମଦନଲାଲ୍ ନିଜ ସାଥୀଙ୍କ ନାଁ ସହିତ ସେମାନେ ପୁଣି ଆସିବେ ବୋଲି କହିଲା । ଦିଲ୍ଲୀ ପୋଲିସ୍ର ଚିଠି ପୁନାରେ ପହଞ୍ଚିବାବେଳକୁ ଜାନୁୟାରୀ ୩୧ ହୋଇସାରିଥିଲା । ସବୁଠୁ ବିସ୍ମୟର କଥା ଯେ, ପୁନାର ଗୁଇନ୍ଦା ମୁଖ୍ୟ ନାରାୟଣ ଆପ୍ତେର ପଡ଼ୋଶୀ ଥିଲେ ଓ ତାଙ୍କର ସାଥୀମାନଙ୍କୁ ଜାଣିଥିଲେ ।
ଏହା ମଧ୍ୟରେ ନାଥୁରାମଙ୍କ ଦଳ ବମ୍ବେ-ପୁନା ଦେଇ ପୁଣି ଦିଲ୍ଲୀକୁ ଆସିଲେ । ଆସିବାବେଳେ ଗୋଆଲିୟରରୁ ଏକ ଇଟାଲିୟାନ୍ ବ୍ରେକ୍ ରିଭଲଭର୍ ଆଣିଲେ । ଏଥର ନାଥୁରାମ ନିଜେ ଏକ୍ଲା ଗାନ୍ଧୀଙ୍କୁ ହତ୍ୟା କରିବାକୁ ସ୍ଥିର ହେଲା । ତା’ସହ ନାରାୟଣ ଆପ୍ତେ ଗଲା । ଖାକି ପୋଷାକ ପିନ୍ଧି ନାଥୁରାମ ପ୍ରାର୍ଥନା ସଭାରେ ଦର୍ଶକମାନଙ୍କ ସାଙ୍ଗରେ ମିଶିଗଲା । ପ୍ରାୟ ଘ.୫.୧୫ମି. ସମୟରେ ଗାନ୍ଧୀ ଆବାହମନୁଙ୍କ କାନ୍ଧରେ ହାତ ଦେଇ ସଭାସ୍ଥଳକୁ ଧୀରେ ଧୀରେ ଆସୁଥିଲେ । ନାଥୁରାମ ନମସ୍କାର କରି ଗାନ୍ଧୀଙ୍କ ପାଦ ଛୁଇଁଲା ଓ ରିଭଲଭର ବାହାର କରି ଧରିଲା ।ଠିଆ ହୋଇ ହଠାତ୍ ଆବାହମନୁଙ୍କୁ ଠେଲିଦେଲା ଓ ମୁହୂର୍ତ୍ତକ ମଧ୍ୟରେ ଲଗାତାର ୩ଟି ଗୁଳି ମାରିଲା । “ହେ ରାମ” କହି ଗାନ୍ଧୀ ଟଳିପଡ଼ିଲେ । ବିରଳା ଉଦ୍ୟାନର ସବୁଜ ଘାଷ ରକ୍ତ ରଞ୍ଜିତ ହୋଇଗଲା । ସେଦିନ ଥିଲା ଶୁକ୍ରବାର । ବିଶ୍ୱ ଇତିହାସରେ ଦ୍ୱିତୀୟ ଥର ପାଇଁ କ୍ରୂସବିଦ୍ଧ ଘଟଣା ଅଭିନୀତ ହେଲା । କିଛି ସମୟ ଧରି ସମସ୍ତେ ସ୍ତବ୍ଧ ହୋଇଗଲେ । ଉପରକୁ ହାତ ଦେଖାଇ ନାଥୁରାମ “ପୋଲିସ୍…ପୋଲିସ୍…”ଚିକ୍ରାର କଲା । ସଙ୍ଗେସଙ୍ଗେ ସୁରକ୍ଷା କର୍ମୀ ତାକୁ କାବୁ କରିନେଲେ । ଦିଲ୍ଲୀର ତୋଗଲୋକରାଜ ଥାନାରେ ଗାନ୍ଧୀ ହତ୍ୟା କେସ୍ ରୁଜୁ ହେଲା । ଅବିଳମ୍ବେ ସବୁ ଅଭିଯୁକ୍ତ ମାନଙ୍କୁ ଗିରଫ୍ କରାଗଲା । ଲାଲ୍କିଲା ମଧ୍ୟରେ ସ୍ୱତନ୍ତ୍ର କୋର୍ଟ ଜରିଆରେ ଜଜ୍ ଆତ୍ମାଚରଣ ଗାନ୍ଧୀ ହତ୍ୟାକାରୀ ମାନଙ୍କର ବିଚାର କଲେ । ହିନ୍ଦୁ ମହାସଭାର ପ୍ରତିଷ୍ଠାତା ସର୍ବରକରଙ୍କୁ ମଧ୍ୟ ଏଥିରେ ଜଡ଼ିତ କରାଗଲା । କେସ୍ ରାୟରେ ନାଥୁରାମ ଓ ନାରାୟଣ ଆପ୍ତେଙ୍କୁ ଫାଶି ଦଣ୍ଡ ଘୋଷଣା କରାଗଲା । ଅସ୍ତ୍ର ଯୋଗାଣକାରୀ ଦିଗମ୍ବର ବ୍ୟାଜ୍ ସରକାରୀ ସାକ୍ଷୀ ହୋଇ ମୁକ୍ତି ପାଇଲା । ଅନ୍ୟ ସହଯୋଗୀ ଗୋପାଳ ଗଡ଼୍ସେ, ବିଷ୍ଣୁ କର୍କରା, ମଦନଲାଲ୍ ପାୱା, ଶଙ୍କର କାୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା । ସର୍ବରକରଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଗଲା । ଗାନ୍ଧୀ ହତ୍ୟା ଚକ୍ରାନ୍ତର ବିସ୍ତୃତ ପର୍ଦ୍ଦାଫାସ୍ ପାଇଁ ଜଷ୍ଟିସ୍ କପୁରଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ବସିଲା । ଏଥିରେ ଗାନ୍ଧୀଙ୍କ ସୁରକ୍ଷା ପ୍ରତି ସରକାର ଅବହେଳା କରିଥିବା ପ୍ରମାଣ ମିଳିଲା । ୧୯୪୯ସେପ୍ଟେମ୍ବର ୧୫ରେ ଆମ୍ବାଲା ସେଣ୍ଟ୍ରାଲ୍ ଜେଲ୍ରେ ନାଥୁରାମ ଓ ନାରାୟଣଙ୍କୁ ଫାଶି ଦିଆଗଲା । ମୃତୁ୍ୟ ପୂର୍ବରୁ ସେମାନେ ଭାରତମାତାର ପଦ ବନ୍ଦନା କରିଥିଲେ । ଗୀତାର ୩,୪ ଓ ଏକାଦଶ ଅଧ୍ୟାୟ ଆବୃତ୍ତି କରିଥିଲେ । ଅଖଣ୍ଡ ଭାରତର ମାନଚିତ୍ରକୁ ହାତରେ ଧରିଥିଲେ । ବାରମ୍ବାର ଜନ୍ମ ହୋଇ ଧର୍ମ ଓ ଦେଶ ପାଇଁ ଶହିଦ୍ ହେବେ ବୋଲି ପ୍ରାର୍ଥନା କରିଥିଲେ । କେବେ ଯଦି ଭାରତ ଅଖଣ୍ଡ ହୁଏ,ତାଙ୍କର ଚିତାଭଷ୍ମକୁ ସିନ୍ଧୁ ନଦୀରେ ବିସର୍ଜ୍ଜନ କରିବାକୁ କାମନା କରିଥିଲେ ।
ଗାନ୍ଧୀ ହତ୍ୟାକାରୀ ନାଥୁରାମଙ୍କୁ କେବଳ ଜଣେ ହତ୍ୟାକାରୀ ଭାବେ ଚିତ୍ରଣ କରିବା କଷ୍ଟକର । ଗାନ୍ଧୀ ଯେଭଳି ଜଣେ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ, ତାଙ୍କୁ ହତ୍ୟା କରିଥିବା ନାଥୁରାମ ସେଭଳି ଜଣେ ଅସାଧାରଣ ଚରିତ୍ରର ବୋଲି ଏତିକି ମନ୍ତବ୍ୟ ଏ ସଂପର୍କରେ ଦେଇହେବ । ଏବେ ମଧ୍ୟ ନାଥୁରାମଙ୍କ ସ୍ମୃତି ଅନେକ ଭାରତୀୟଙ୍କ ହୃଦୟରେ ଶ୍ରଦ୍ଧାର ସହିତ ସାଇତା ହୋଇ ରହିଛି ।
ବରିଷ୍ଠ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ, ଉମରକୋଟ, ନବରଙ୍ଗପୁର, ମୋ ୯୪୩୭୨୩୫୩୮୬

Leave a Reply

Your email address will not be published.