ଗାନ୍ଧୀଙ୍କର କାନ୍ଦିବାର ବେଳ
ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଭାରତ ସ୍ୱାଧୀନତାର ଠିକ୍ ଅବ୍ୟବହିତ ପୂର୍ବରୁ ବ୍ରିଟିସ୍ ପାର୍ଲିଆମେଣ୍ଟରେ ବିରୋଧୀ ଦଳ ନେତା ଚର୍ଚ୍ଚିଲ୍ ଭାରତକୁ ସ୍ୱାଧୀନତା ଦେବା ନାପସନ୍ଦ କରି ଯେଉଁ ଭାଷଣ ଦେଇଥିଲେ, ତାହା ଏବେ ବି ପ୍ରଣିଧାନ ଯୋଗ୍ୟ । ସେ କହିଥିଲେ, ଭାରତର ତଥାକଥିତ ନେତାମାନେ ଅତ୍ୟନ୍ତ ସଂକୀର୍ଣ୍ଣମନା, ସ୍ୱାର୍ଥପର ଓ ଦୂରଦୃଷ୍ଟି ବିହୀନ! ସେମାନଙ୍କ ହାତକୁ ଭାରତର ସ୍ୱାଧୀନତା ଟେକିଦେଲେ, କିଛି ବର୍ଷ ପରେ ଦେଶ ଖଣ୍ଡ ବିଖଣ୍ଡିତ ହୋଇଯିବ! ସେ ଭାରତୀୟ ନେତାମାନଙ୍କୁ ‘ମେନ୍ ଅଫ୍ ଷ୍ଟ୍ର’ ବୋଲି ଉପହାସ କରିଥିଲେ । ମାତ୍ର ଭାରତର ସ୍ୱାଧୀନତା ବିଷୟରେ ଜାତିର ଜନକ ମହାତ୍ମା ଗାନ୍ଧୀ ଅତ୍ୟନ୍ତ ଆଶାବାଦୀ ଥିଲେ । ସେ ବିଭାଜନକୁ ବିରୋଧ କରୁଥିଲେ । ସ୍ୱାଧୀନତା ପରେ ଭାରତୀୟମାନେ ସେମାନଙ୍କ ନିଜ କଥା ବୁଝିବାରେ ସକ୍ଷମ ହେବେ ବୋଲି ଇଂରେଜ ମାନଙ୍କୁ ଦୃଢ କଣ୍ଠରେ କହିଥିଲେ । ଏପରିକି ସେ କହୁଥିଲେ, “ଦେଶକୁ ବିଭାଜନ କରିବା ଆଦୌ ଆବଶ୍ୟକ ନାହିଁ! କିଛିଦିନ ପରେ ଉଭୟେ ସଂପ୍ରଦାୟ ମିଳିମିଶି ଚଳିବେ!….”
ଦେଶ ବିଭାଜନ ପାଇଁ ଆମେ ଇଂରେଜ ମାନଙ୍କୁ ଦାୟୀ କରୁଛୁ । ସେମାନଙ୍କ ନୀତିକୁ ‘ଡ଼ିଭାଇଡ଼୍ ଏଣ୍ଡ୍ ରୁଲ୍’ ବୋଲି କହି ଉପହାସ କରୁଛୁ । ସ୍ୱାଧୀନତା ପରେ ନାନା ବୈଷମ୍ୟ ସତ୍ତ୍ୱେ ଭାରତ ନିଜର ଅଖଣ୍ଡତା ବଜାୟ ରଖି ପାରିଥିଲା । ଏହା ଚର୍ଚ୍ଚିଲ୍ଙ୍କ ବାଣୀକୁ ମିଥ୍ୟା ପ୍ରମାଣିତ କରିଥିଲା । ମାତ୍ର ସ୍ୱାଧୀନତାର ୬୬ବର୍ଷ ପରେ ଆଜି ଭାରତରେ ଯାହା ଘଟୁଛି, ସ୍ୱର୍ଗରେ ଚର୍ଚ୍ଚିଲ୍ଙ୍କ ମୁହଁରେ ହସ ଫୁଟୁଥିବ ଓ ରାମ ରାଜ୍ୟର କଳ୍ପନା କରି ଦେଶ ପାଇଁ ଜୀବନ ଦେଇଥିବା ଗାନ୍ଧୀଙ୍କ ଆଖିରୁ ଲୁହ ଝରୁଥିବ!
ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ନେତାମାନେ ଦେଶକୁ ଖଣ୍ଡ ଖଣ୍ଡ କରିବାରେ ଲାଗିଛନ୍ତି । ସାଧାରଣ ନିର୍ବାଚନ ଆଉ କିଛିମାସ ବାକି ଅଛି । ଆନ୍ଧ୍ରପ୍ରଦେଶକୁ ଭାଗ ଭାଗ କରି ନେତାମାନେ ଯେଉଁ ନିଅାଁ ଜଳାଇ ଦେଇଛନ୍ତି, ସେହି ନିଅାଁ ସାରା ଭାରତକୁ ଗ୍ରାସ କରିବାରେ ଲାଗିଛି । ଜଣେ ବିଶିଷ୍ଟ ନେତ୍ରୀ ଉତ୍ତରପ୍ରଦେଶକୁ ୪ ଖଣ୍ଡ କରିଦେବାକୁ ଦାବି କଲେଣି । ଦାର୍ଜିଲିଙ୍ଗ୍ରେ ଗୁର୍ଖାଲ୍ୟାଣ୍ଡ୍ ଗଠନ ପାଇଁ ପୁଣି ନିଅାଁ ଜଳିଲାଣି । ଆସାମକୁ ଆଉରି ଖଣ୍ଡ ଖଣ୍ଡ କରିବାକୁ ଚିନ୍ତା କରାଗଲାଣି । ଆମ ଓଡ଼ିଶାରେ ମଧ୍ୟ କୋଶଳ ଏବଂ ଦକ୍ଷିଣ ଓଡ଼ିଶା ରାଜ୍ୟ ଗଠନ ପାଇଁ ଦାବି କରିବାକୁ ଲୋକେ ସଜ ହେଲେଣି । ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ନେତା ଚାହାଁନ୍ତି ଅଧିକ ରାଜ୍ୟ ହେଉ । ଏହାଦ୍ୱାରା ସେମାନେ ମୁଖ୍ୟମନ୍ତ୍ରୀ ହୋଇପାରିବେ । ଭାରତ ମାତାକୁ ସେମାନେ ଜାତି, ଧର୍ମ, ସଂପ୍ରଦାୟ ଆଦି ବିଭିନ୍ନ ଶ୍ରେଣୀରେ ଭାଗଭାଗ କରି ସାରିଲେଣି । ସବୁଆଡ଼େ ଆତଙ୍କବାଦ୍ର ଧ୍ୱନି ଶୁଭୁଛି । ଗୋଟିଏ ଜିଲ୍ଲାର ଲୋକ ଆର ଜିଲ୍ଲାକୁ ଗଲେ, ଲୋକେ ବାଡ଼ି ଧରି ଗୋଡ଼ାଉଛନ୍ତି । ସାରା ଭାରତରେ ଏ ରୋଗ ବ୍ୟାପିଗଲାଣି । ସବୁଠି ଶୁଭୁଛି “ସନ୍ ଅଫ୍ ଦି ସୟେଲ୍”ର ସ୍ୱର । ଅଖଣ୍ଡ ଭାରତର ସ୍ୱପ୍ନ ଧୀରେ ଧୀରେ ମଉଳି ଯାଉଛି । ରାଜ୍ୟ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି । ଗୋଟିଏ ରାଜ୍ୟ ଆର ରାଜ୍ୟକୁ ପାଣି ଛାଡ଼ୁନି । ଚାରିଆଡ଼େ ସୀମା ବିବାଦର ସ୍ୱର । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦୁଇ ସଉତୁଣୀ ଭଳି କଳି ଲାଗି ରହିଛି ।
ଧନ୍ୟ ସେ ବି୍ରଟିସ୍ ସିଂହ, ଯେଉଁମାନେ ଭାରତକୁ ୨ ଶହ ବର୍ଷକାଳ ନ୍ୟାୟପୂର୍ଣ୍ଣ ଓ ଦୃଢ ଶାସନ ଦେଇଥିଲେ! ଜଣେ ଭାରତୀୟ ହୋଇ ଦୁଃଖର ସହିତ କହିବାକୁ ମନେ ହେଉଛି ଯେ, ଇଂରେଜ ମାନଙ୍କ ଶାସନ ଆଜିର ଶାସନ ଠାରୁ ବହୁ ଗୁଣରେ ଭଲ ଥିଲା! ଆଜି ସ୍ୱର୍ଗରେ ଚର୍ଚ୍ଚିଲ୍ଙ୍କର ହସିବାର ବେଳ ଓ ଗାନ୍ଧୀଙ୍କର କାନ୍ଦିବାର ବେଳ ଆସିଛି । ଅଯୋଗ୍ୟ ଦେଶବାସୀଙ୍କ ଯୋଗୁ ଗାନ୍ଧୀ ଆଜି ଆର ପୁରରେ ରହି ଲୁହ ଝରାଉଛନ୍ତି ।
ବରିଷ୍ଠ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ,
ଉମରକୋଟ, ନବରଙ୍ଗପୁର, ମୋ ୯୪୩୭୨୩୫୩୮୬