ଓଏସଏସଟିଇଟି ପ୍ରଶ୍ନପତ୍ରରେ ତୃଟି ସମସ୍ୟାରେ ପରୀକ୍ଷାର୍ଥୀ!
ବାଲେଶ୍ୱର, (ଆଇଏନ୍ଏସ୍) : ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ ତରଫରୁ ଯୋଗ୍ୟତା ଭିତ୍ତିକ ପରୀକ୍ଷା ଓଡ଼ିଶା ଷ୍ଟେଟ୍ ସେକେଣ୍ଡାରୀ ଟିଚର୍ସ ଏଲିଜିବିଲିଟି ଟେଷ୍ଟ (ଓଏସଏସଟିଇଟି) ହେଉଥିବା ବେଳେ ଚଳିତବର୍ଷ ପରୀକ୍ଷାରେ ପ୍ରଶ୍ନପତ୍ରରେ ତୃଟି ଦେଖିବାକୁ ମିଳିଛି । ଯାହାଦ୍ୱାରା ପରୀକ୍ଷାର୍ଥୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବାରୁ ବଂଚିତ ହେବାର ଆଶଙ୍କା କରୁଛନ୍ତି ।
ଚଳିତବର୍ଷ ଅକ୍ଟୋବର ୫ତାରିଖରେ ବାଲେଶ୍ୱରର ଡିଏଭି ପବ୍ଲିକ ହାଇସ୍କୁଲରେ ଓଏସ୍ଏସ୍ଟିଇଟି ପରୀକ୍ଷା କେନ୍ଦ୍ର ହୋଇଥିବା ଏହି ପରୀକ୍ଷା କେନ୍ଦ୍ରକୁ ଆସିଥିବା ପ୍ରଶ୍ନପତ୍ରରେ ତୃଟି ପରିଲକ୍ଷିତ ହୋଇଛି । ପରୀକ୍ଷା ପାଇଁ ୩ଗୋଟି ସେଟ୍ (ଏ,ବି,ସି)ର ପ୍ରଶ୍ନପତ୍ର ମଧ୍ୟରୁ ‘ବି’ସେଟ୍ ପ୍ରଶ୍ନପତ୍ରରେ ତୃଟି ଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ ‘ବି’ ସେଟ୍ ପ୍ରଶ୍ନପତ୍ର ଭିତରେ ‘ସି’ସେଟ୍ ପ୍ରଶ୍ନପତ୍ର ଯୋଡ଼ି ହୋଇ ରହିଥିଲା । ଏଭଳି ସମସ୍ୟା ପରୀକ୍ଷାର୍ଥୀମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ଏହି ସମସ୍ୟା ପାଇଁ କିଛି ପରୀକ୍ଷାର୍ଥୀଙ୍କର ଯୋଗ୍ୟତା ଥାଇ ମଧ୍ୟ ଏହି ପରୀକ୍ଷାରେ ଯୋଗ୍ୟତା ହାସଲ କରିବା ସମ୍ଭବ ହେବନାହିଁ ।
ପ୍ରକାଶଯୋଗ୍ୟଯେ, ମାନସୀ ସେଣ ନାମକ ଜଣେ ପରୀକ୍ଷାର୍ଥୀ (ଯାହାର ରୋଲ ନମ୍ବର ୧୮୦୩୧୬୩୦୨) ଙ୍କୁ ‘ବି’ ସେଟ୍ ପ୍ରଶ୍ନପତ୍ର ମିିଳିଥିବା ବେଳେ ‘ବି’ସେଟ୍ ପ୍ରଶ୍ନପତ୍ରରେ ପୃଷ୍ଠା ୯ରୁ୨୪ ଓ ୫୭ରୁ ୭୨ପୃଷ୍ଠା ଗୁଡ଼ିକ ‘ବି’ ସେଟ୍ ପରିବର୍ତେ ‘ସି’ ସେଟ୍ ପ୍ରଶ୍ନ ଥିଲା । ପରୀକ୍ଷାର ମୋଟ୍ ନମ୍ବର ୧୫୦ ଥିବା ବେଳେ ‘ସି’ ସେଟ୍ରୁ ୬୫ ନମ୍ବରର ପ୍ରଶ୍ନ ରହିିଛି । ପରୀକ୍ଷା ହଲରେ ଥିବା ଗାର୍ଡ଼ଙ୍କୁ ଏହି ତୃଟି ସମ୍ପର୍କରେ ଜଣାଇବା ପରେ କୋ÷ଣସି ଅସୁବିଧା ହେବନାହିଁ ବୋଲି କହିଥିଲେ । କିନ୍ତୁ ଯେହେତୁ ଉତରଖାତା କମ୍ପୁ୍ୟଟର ମାଧ୍ୟମରେ ଦେଖା ହେବାର ରହିଛି, ତେଣୁ ପରୀକ୍ଷାର୍ଥୀମାନେ ଆଶଙ୍କାରେ ରହିବା ସ୍ୱାଭାବିକ । ପ୍ରଶ୍ନପତ୍ରରେ ଥିବା ଏହି ତୃଟି ପାଇଁ ପରୀକ୍ଷାର୍ଥୀମାନେ ଅଯଥାରେ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଥିବା ବେଳେ ସରକାର ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ପରୀକ୍ଷାର୍ଥୀମାନଙ୍କ ତରଫରୁ ଦାବୀ ହେଉଅଛି ।