ଭାରତୀୟ ସଂସ୍କୃତିର ପ୍ରତୀକ ବଦ୍ରୀନାଥ ଧାମ
ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ସକଳ ତୀର୍ଥ ତୋ ଚରଣେ, ବଦ୍ରିକା ଯିବି କି କାରଣେ ।ା
ହିମାଳୟ କୋଳରେ ଆକାଶ ଛୁଆଁ ପାହାଡ, ଘନ ଜଙ୍ଗଲ, ଫୁଲର ହାଟ ବସୁଥିବା ଶହ ଶହ ଉପତ୍ୟକା କୁଳୁ କୁଳୁ ଧ୍ୱନି କରି ତଳକୁ ବହି ଯାଉଥିବା ଶହ ଶହ ନଦୀ ଓ ଝରଣାକୁ ନେଇ ଗଠିତ ଉତରାଖଣ୍ଡ ଭାରତର ଦେବଭୂମି ନାମରେ ପରିଚିତ । ଏହି ଅଂଚଳରେ ସମୁଦ୍ର ପତନରୁ ପ୍ରାୟ ସାଢେ ଦଶ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ବଦ୍ରୀନାଥ ଧାମ ସାରା ବିଶ୍ୱର ହିନ୍ଦୁ ମାନଙ୍କର ମୁକ୍ତି କ୍ଷେତ୍ର ଓ ମର୍ତ୍ୟ ବୈକୁଣ୍ଠ ଭାବେ ସମ୍ମାନୀତ । ନିଜ ଜୀବନ କାଳ ମଧ୍ୟରେ ଅନ୍ତତଃ ଥରେ ସେହି ପବିତ୍ର ଧାମକୁ ଦର୍ଶନ କରି ପ୍ରତ୍ୟକ୍ଷ ନାରାୟଣଙ୍କ ନିକଟରେ ଭକ୍ତିର ଅର୍ଘ୍ୟ ଢାଳି ନିଜର ପିତ୍ରୁ ପୁରୁଷଙ୍କୁ ତର୍ପଣ ଦେବା ପ୍ରତି ହିନ୍ଦୁର ଜୀବନର ଲକ୍ଷ୍ୟ ।
ଏହି ଧାମରେ ଚର୍ତୁଧା ମୁର୍ତି ଧାରଣ କରି ବିଷ୍ଣୁ ବଦ୍ରୀ ନାରାୟଣ ବା ବଦ୍ରୀ ବିଷାଳ ରୂପରେ ପୂଜା ପାଉଛନ୍ତି । ପୂରାଣ କହେ, ସତ୍ୟ ଯୁଗରେ ଏହା ବଦରିକା ଆଶ୍ରମ ନାମରେ ଅନେକ ମୂନୀ ଓ ଋଷିଙ୍କର ତପସ୍ୟା ସ୍ଥଳି ଥିଲା । ଏଠାରେ ଶିବ ଓ ପାର୍ବତୀ ବାସ କରୁଥିଲେ । ବ୍ରହ୍ମାଙ୍କୁ ହତ୍ୟା କଲାପରେ ବ୍ରହ୍ମାଙ୍କ ମୁଣ୍ଡ ଶିବଙ୍କ ହାତରେ ଲାଗି ରହିଲା । ଯେତେ ଚେଷ୍ଟା କଲେ ମଧ୍ୟ ତାହା ଖସିଲା ନାହିଁ । ବ୍ରହ୍ମ ହତ୍ୟା ଦୋଷରେ ମଳିନ ହୋଇ ଶିବ ମୋକ୍ଷ ପାଇଁ ସାରା ସଂସାର ବୁଲିଲେ । ଶେଷରେ ବଦ୍ରୀକା ଆଶ୍ରମରେ ପହଂଚିଲା ପରେ କଟା ମୁଣ୍ଡଟି ଆଶ୍ଚର୍ଯ୍ୟ ଜନକ ଭାବେ ତାଙ୍କ ହାତରୁ ଖସି ପଡିଲା । ସେହି ସ୍ଥାନ ଏବେ ବ୍ରହ୍ମ କପାଳ ନାମରେ ପରିଚିତ ।
ଥରେ ଦେବର୍ଷି ନାରଦ ନାରାୟଣଙ୍କୁ ସାକ୍ଷାତ ପାଇଁ ଗୋଲକ ଧାମରେ ପହଂଚିଲେ । ଦେଖିଲେ କ୍ଷୀର ସାଗରରେ ଅନନ୍ତ ନାଗ ଶଯ୍ୟାରେ ନାରାୟଣ ଶୟନ କରିଛନ୍ତି । ଲକ୍ଷ୍ମି ପାଦ ମଂଚାଳୁଛନ୍ତି । ଦେବର୍ଶି ନାରଦ ବିଷ୍ଣୁଙ୍କୁ କହିଲେ, ଆପଣ ସାରା ସଂସାରର ପାଳନ କର୍ତା ସବୁ ବେଳେ ଶୋଇ ବିଳାସରେ ରହିବା ଆପଣଙ୍କୁ ଶୋଭା ପାଏନା । ଏକଥା ଶୁଣି ନାରାୟଣ ଚିନ୍ତାଗ୍ରସ୍ତ ହୋଇ ବୈକୁଣ୍ଠ ଛାଡି ବଦ୍ରୀକା ଆଶ୍ରମରେ ପହଂଚିଲେ । ଜଗତର କଲ୍ୟାଣ ପାଇଁ ସେଠାରେ ତପସ୍ୟା କରିବାକୁ ସ୍ଥିର କଲେ । ଦେଖିଲେ, ସେହି ସ୍ଥାନରେ ଶିବ ପାର୍ବତୀ ବାସ କରୁଛନ୍ତି । ସେତେ ବେଳକୁ ଶିବ ପାର୍ବତୀ ସ୍ନାନ କରିବାକୁ ତତ୍ପ କୁଣ୍ଡକୁ ଯାଉଥାନ୍ତି । ବିଷ୍ଣୁ ମାୟାରେ ସାନପିଲାଟିଏ ହୋଇ କାନ୍ଦିବାକୁ ଲାଗିଲେ । ନିର୍ଜନ ସ୍ଥାନରେ ସୁନ୍ଦର ଶିଶୁଟିଏ ଦେଖି ହର ଓ ପାର୍ବତୀ ଆଶ୍ଚର୍ଯ୍ୟ ହେଲେ । ପାର୍ବତୀ ମାତୃ ସ୍ନେହରେ ଶିଶୁକୁ ନିଜ କୋଳକୁ ନେଇଗଲେ । ଶିବଙ୍କର ମନା ନମାନି ତାକୁ ନେଇ ଖୁଆଇ ପିଆଇ ନିଜ ଶୟନ କକ୍ଷରେ ଶୁଆଇ ଦେଲେ ଓ ସ୍ନାନ ନିମିତ ଯାତ୍ରା କଲେ । ସ୍ନାନ ସାରି ଶିବ ପାର୍ବତୀ ଆସି ଦେଖିଲେ, ତାଙ୍କର କକ୍ଷଟି ଭିତରୁ ବନ୍ଦ ଅଛି । ଯେତେ ଚେଷ୍ଟା କଲେ ମଧ୍ୟ ତାହା ଖୋଲିଲା ନାହିଁ । ଯୋଗ ବଳରେ ଶିବ ଜାଣିଲେ ଯେ, ଏହା ନାରାୟଣଙ୍କ ମାୟା, ତାଙ୍କୁ ଏହି ସ୍ଥାନ ଛାଡିବାକୁ ପଡିବ । ପାର୍ବତୀଙ୍କୁ ଚାହିଁ ହସି କହିଲେ, ସେ ବାଳକ ସାମାନ୍ୟ ବାଳକ ନୁହେଁ । ଏବେ ଏଠାରୁ ଆମେ ଚାଲିଯିବା । ଉଭୟ ସେଠାରୁ ଯାଇ ଦଶ ମାଇଲ ଦୂର କେଦାରନାଥ ଠାରେ ଆଶ୍ରୟ ନେଲେ । ତାଙ୍କର ଚିହ୍ନ ସ୍ୱରୂପ ବଦ୍ରୀନାଥରେ ଆଦୀ କେଦାରନାଥ ମୂର୍ତି ପୂଜା ପାଉଛନ୍ତି ।
ଏଣେ ଜଗତର କଲ୍ୟାଣ ପାଇଁ ନାରାୟଣ ଘୋର ତପସ୍ୟାରେ ନିମଗ୍ନ ହେଲେ । ବୈକୁଣ୍ଠରେ ଲକ୍ଷ୍ମି ତାଙ୍କୁ ନପାଇ ଖୋଜି ଖୋଜି ସେଠାରେ ପହଂଚିଲେ । ଦେଖିଲେ ଖରା ବର୍ଷାରେ ନାରାୟଣ ପଦାରେ ତପସ୍ୟା କରୁଛନ୍ତି । ତେଣୁ ଲକ୍ଷ୍ମି ବଦରୀ ଗଛଟିଏ ହୋଇ ବିଷ୍ଣୁଙ୍କୁ ଛାୟା ପ୍ରଦାନ କଲେ । କ୍ରମେ ଏହି ସ୍ଥାନର ମହିମା ବଢିବାକୁ ଲାଗିଲା । ଦେବର୍ଷି ନାରଦ ଓ ସପ୍ତର୍ଷୀ ମାନେ ଏକାନ୍ତରେ ନାରାୟଣଙ୍କୁ ଆରାଧନା କରିବାକୁ ଲାଗିଲେ । ଧର୍ମଙ୍କର ଦୁଇ ପୂତ୍ର ନର ଓ ନାରାୟଣ ଏଠାରେ ଘୋର ତପସ୍ୟା କରି ଦେବତ୍ୱ ଲାଭ କଲେ । ଅପ୍ସରା ମାନଙ୍କ ଗର୍ବ ଭାଙ୍ଗିବାକୁ ନାରାୟଣ ନିଜ ଜଘଂରୁ ରୂପସି ଉର୍ବଶିଙ୍କୁ ସୃଷ୍ଟି କଲେ । ଏହି କ୍ଷେତ୍ରରେ ଘଂଟାକର୍ଣ ନାମକ ଜଣେ ରାକ୍ଷଷ ମୁକ୍ତି ପାଇ ଦ୍ୱାର ରକ୍ଷୀ ରୂପେ ପୁଜା ପାଇ ଆସୁଛନ୍ତି ।
କଥିତ ଅଛି ବୈାଦ୍ଧ ମାନଙ୍କର ପ୍ରାର୍ଦୁଭାବ ସମୟରେ ଏଠାକାର ପୂଜକ ମାନେ ନାରାୟଣଙ୍କ ମୁର୍ତିକୁ ତପ୍ତ କୁଣ୍ଡରେ ପକାଇ ଦେଲେ । ବହୁ ବର୍ଷ ପରେ ଅଷ୍ଟମ ଶତାଦ୍ଦିରେ ଆଚାର୍ଯ୍ୟ ଶଙ୍କର ଶିଷ୍ୟ ମାନଙ୍କ ଗହଣରେ ଏଠାକୁ ଆସି ନିଜର ଯୋଗ ବଳରେ ତପ୍ତକୁଣ୍ଡରେ ବୁଡି ଶାଳଗ୍ରାମ ଶିଳା ନିର୍ମିତ ମୂର୍ତିକୁ ଉଦ୍ଧାର କଲେ ଓ ସଂସ୍କାର କରି ପୁନଃ ପ୍ରତିଷ୍ଠା କଲେ । ବିଗ୍ରହ ପ୍ରତିଷ୍ଠା ପରେ କେରଳର ନମୁଦ୍ରୀପଦୀ ବ୍ରାହ୍ମଣଙ୍କୁ ସେବା କାର୍ଯ୍ୟ ପାଇଁ ନିଜୁକ୍ତି ଦେଲେ ଓ ସେହି ପ୍ରଥା ଏ ପର୍ଯ୍ୟନ୍ତ ଚାଲୁଅଛି । ବର୍ତର୍ମାନର ମନ୍ଦିର ଗଡୱାଲ ରାଜାଙ୍କ ଦ୍ୱାରା ଶୋଡଷ ଶତାଦ୍ଦିରେ ନିର୍ମିତ ହୋଇଛି ଓ ରାଣି ଅହଲ୍ୟା ବାଇଙ୍କ ଦ୍ୱାରା ମନ୍ଦିରର ଶିର୍ଷ ସ୍ୱର୍ଣ୍ଣା ଛାଦିତ କରାଯାଇଛି । ମନ୍ଦିରରେ ବଦ୍ରୀ ନାରାୟଣ ନାନା ପ୍ରକାର ରତ୍ନରେ ଭୂଷିତ ହୋଇ ଜାଜ୍ୱଲ୍ୟମାନ ଦେଖା ଯାଉଛନ୍ତି । ଦୁଇ ହାତରେ ଶଙ୍ଖ ଓ ପଦ୍ମ ଧରି ଛନ୍ତି ଆଉ ଦୁଇ ହାତ ଯାନୁ ଉପରେ ରହିଅଛି । ବିଗ୍ରହ ମସ୍ତକ ଉପରେ ସ୍ୱର୍ଣ୍ଣ ଓ ମାଣିକ୍ୟ ଖଚିତ ଚନ୍ଦ୍ର ତାପ ଶୋଭା ପାଉଛି । ଗର୍ଭ ଗୃହରେ ଗଣେଷ ଗରୁଡ ଶ୍ରୀଦେବୀ, ଭୂଦେବୀ ଲକ୍ଷ୍ମି, ଗଙ୍ଗା, ନାରଦ, ଗରୁଡ ଓ ନର ନାରାୟଣ ମୁର୍ତି ପୂଜା ପାଉଛନ୍ତି । ନର ଓ ନାରାୟଣ ନାମକ ଦୁଇଟି ପାହାଡ ପାଖା ପାଖି ରହି ଅଛି । ନାରାୟଣ ପାହାଡ ଉପରେ ମନ୍ଦିର ରହିଛି । ନର ପାହାଡ ଉପରେ ଭକ୍ତ ମାନଙ୍କ ପାଇଁ ଧର୍ମଶାଳା ଓ ହୋଟେଲ ମାନ ରିହିଛି । ଉଭୟ ପାହାଡ ମଧ୍ୟରେ ପୂଣ୍ୟତୋୟା ଅଳକନନ୍ଦା ନଈ ବହି ଯାଉଛି । ପଛରେ ରହିଛି ସୁଉଚ୍ଚ ନିଳକଣ୍ଠ ପର୍ବତ । ଏହି ପର୍ବତର ଉପତ୍ୟକାରେ ବ୍ରହ୍ମ କମଳ ଫୁଲ ଫୁଟେ । ତାହାର ସୁବାସ ଚାରିଆଡେ ଚହଟି ଯାଏ । ଏହି ପାହାଡ ଦେଇ ମହା ଭାରତ ଯୁଦ୍ଧ ଶେଷରେ ପାଣ୍ଡବ ପାଂଚ ଭାଇ ସ୍ୱର୍ଗା ରୋହଣ କରିଥିଲେ । ତାହାର ସ୍ମୃତି ମଧ୍ୟ ରହିଛି । ଶେଷକୁ ଏକୁଟିଆ ଯୁଧିଷ୍ଟିର ଓ ତାଙ୍କ ସହ ଥିବା କୁକୁର ସ୍ୱର୍ଗକୁ ଯାଇଥିଲେ । ଏବେ ମଧ୍ୟ ଭ୍ରମଣକାରି ମାନେ ସେହି ପଥରେ ଗଲା ବେଳେ କେଉଁଠୁ କୁକୁରଟିଏ ଆସି ତାଙ୍କ ସାଥିରେ ଚାଲେ ।
ଭାରତ ତିବତ ସିମାନ୍ତରେ ଥିବା ମାନା ଗ୍ରାମ ଏଠାରୁ ୭ କିମି ଦୂର । ବଦ୍ରୀନାଥର ଦେବ ସ୍ଥାନ ଏପ୍ରୀଲ ମାସ ଠାରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ୬ ମାସ ଖୋଲା ରହେ । ନଭେମ୍ବର ମାସରୁ ବରଫ ପଡେ । ଦେବ ପ୍ରତିମା ଓ ସେବକ ମାନେ ଏଠାରୁ ଚାଳିଶ କିମି ଦୂର ଯୋଷି ମଠକୁ ଚାଲିଯାଆନ୍ତି । ସ୍ଥାନଟି ଜନ ଶୂନ୍ୟ ହୋଇପଡେ । ବିଶ୍ୱାସ କରାଯାଏ ଦେବର୍ଷି ନାରଦ ପୂଜାର ଦାଇତ୍ୱ ଏହି ୬ ମାସ ନିଅନ୍ତି ।
ବଦ୍ରୀନାଥ ପଛରେ ରହିଛି ଚିର ବରଫାଛନ୍ନ ଗିରି ଶୃଙ୍ଗ । ସକାଳୁ ସକାଳୁ ସେଗୁଡିକ ଉପରେ ସୂର୍ଯ୍ୟ କରିଣ ପ୍ରତିଫଳିତ ହୋଇ ସୂନା ଓ ରୂପାର ପାହାଡର ଦ୍ରୁଶ୍ୟ ସୃଷ୍ଟିକରେ । ସେଭଳି ଦୃଶ୍ୟ ନ ଦେଖିଲେ ବର୍ଣ୍ଣନା କରି ହେବନାହିଁ । ବଦ୍ରୀନାଥ ପାଇଁ ଦେବ ଭୂମିର ଦ୍ୱାର ହରଦ୍ୱାର ଠାରୁ ଯାତ୍ରା ଆରମ୍ଭ କରିବାକୁ ହୁଏ । ଅଳକା ନନ୍ଦା ନଦୀ କଡେ କଡେ ଅତି ଦୁର୍ଗମ ଓ ଘାଟି ରାସ୍ଥା ଦେଇ ୩୩୦ କି.ମି ଅତିକ୍ରମ କରିବାକୁ ପଡେ । ଗଲାବେଳେ ଦେବ ପ୍ରୟାଗ, ରୁଦ୍ର ପୟାଗ, କର୍ଣ୍ଣପ୍ରୟାଗ, ନନ୍ଦପ୍ରୟାଗ ଓ ବିଷ୍ଣୁ ପ୍ରୟାଗ ଭଳି ସ୍ଥାନରେ ଅଳକାନନ୍ଦା ସହିତ ଭାଗିରଥି ମନ୍ଦାକିନି ଧବଳଗଙ୍ଗା ଓ ଜାହ୍ନବି ଭଳି ନଦୀ ମାନ ମିଳିତ ହୋଇଛନ୍ତି । ରୂଦ୍ର ପ୍ରୟାଗ ଠାରୁ କେଦାରନାଥକୁ ଏକ ପଥ ପଡିଅଛି । ଗୋବିନ୍ଦ ଘାଟି ଠାରୁ ଅନ୍ୟ ଏକ ରାସ୍ତା ଶିଖ ମାନଙ୍କର ଉପାସନା ସ୍ଥଳି ହେମକୁଣ୍ଡ ସାହେବକୁ ଲମ୍ବି ଯାଇଛି । ଏଠାରୁ ଅତି ମନୋରମ ଫୁଲର ଉପତ୍ୟକାକୁ ବାଟ ପଡିଛି । ଅନ୍ୟ ଦୁଇଟି ପବିତ୍ର ଧାମ ଗଙ୍ଗୋତ୍ରୀ ଓ ଯମୁନେତ୍ରୀକୁ ମଧ୍ୟ ଯିବାର ରାସ୍ତା ଅଛି । ବାଟରେ ଗଲାବେଳେ ଶ୍ରୀନଗର ଓ ଯୋସି ମଠଭଳି ସ୍ଥାନରେ ବିଶ୍ରାମ ପାଇଁ ବ୍ୟବସ୍ଥା ରହିଛି । ଗୋଟିଏ କଡରେ ଉଚ୍ଚା ପାହାଡ ଆଉ ଗୋଟିଏ କଡରେ ପାତାଳଭେଦି ନଦୀ ଶଯ୍ୟା । ମୁଣ୍ଡ ଉପରେ ପାହାଡ ନଦି ହେଲା ଭଳି ରହିଛି । କେତେବେଳେ ଖସିପଡିବ କହି ହେବ ନାହିଁ । ଦକ୍ଷ ଡ୍ରାଇଭର ମାନେ ଅତି ସାବଧାନତାର ସହିତ ଗାଡି ଚଲେଇ ଥାନ୍ତି । ବର୍ତମାନ ନୂତନ ରାସ୍ତା ନିର୍ମାଣ ଚାଲିଛି । ସେନା ବାହିନୀର ସୀମାନ୍ତ ରାସ୍ତା ସଂସ୍ଥା ଏହି ନିର୍ମାଣ କାର୍ଯ୍ୟ କରୁଛନ୍ତି ।
ଜୀବନକୁ ବାଜି ଲଗାଇ କେଉଁ ଆଦିମ କାଳରୁ ଲକ୍ଷ ଲକ୍ଷ ଧର୍ମପା୍ରଣ ହିନ୍ଦୁ ଅନେକ କଷ୍ଟ ସହି ଏହି ପୂଣ୍ୟ ଭୁମିକୁ ଯାଇ ଦର୍ଶନ କରି ଆସିଛନ୍ତି ଓ ଆମ ଭାରତୀୟ ସଂକୃତିର ମହାନତାକୁ ପ୍ରମାଣ କରିଛନ୍ତି ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬