ଓଡ଼ିଶାରେ ବୃଦ୍ଧି ପାଉଛି ବିଜେପିର ରାଜନୀତିକ ଶକ୍ତି!
ଶରତ କୁମାର ରାଉତ
ଓଡିଶାରେ ମୁଖ୍ୟତଃ କ୍ରୋମାଇଟ୍, ବକ୍ସାଇଟ୍, ଲୁହାପଥର, ମାଙ୍ଗାନିଜ, କୋଇଲା, ଗ୍ରାଫାଇଟ, ନିକେଲ୍, ଚାଇନାକ୍ଲେ, ଡୋଲାମାଇଟ୍, ଫାୟାରକ୍ଲେ, ମିନେରାଲ ସ୍ୟାଣ୍ଡ୍ସ, ପିରୋଫାଇଲିଟ୍ ଆଦି ଭାରତରେ ଗଚ୍ଛିତ ମୋଟ ଖଣିଜ ସଂପଦର ପ୍ରାୟ ୫୦ ଭାଗ ଗଚ୍ଛିତ ରହିଛି । ବ୍ୟାପକ ପର୍ଯ୍ୟଟନ ଶିଳ୍ପର ସୁଯୋଗ ରହିଥିବା ବେଳେ ପର୍ଯ୍ୟାପ୍ତ ଜଙ୍ଗଲ ସଂପଦ, ମତ୍ସ୍ୟ ସଂପଦ, ଜଳ ସଂପଦ ଓ ଶହେଭାଗ ଉର୍ବର ଚାଷ ଜମି ରହିଛି । ରାଜ୍ୟରେ ବୌଦ୍ଧିକ ସଂପଦ ଓ ପ୍ରତିଭାର ଅଭାବ ନାହିଁ । ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଭାଷା-ସାହିତ୍ୟ ଦେଶ ବିଦେଶରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି । ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ସାରା ବିଶ୍ୱରେ ଖ୍ୟାତ । ଓଡ଼ିଶା ମନ୍ଦିର ମାଳିନି ରାଜ୍ୟ ଭାବେ ସର୍ବ ବିଦିତ । କଠିନ ପରିଶ୍ରମ କରିବାରେ ମଧ୍ୟ ଓଡ଼ିଆ ଅନ୍ୟ ରାଜ୍ୟର ଲୋକଙ୍କ ତୁଳନାରେ କିଛି କମ୍ ନୁହଁନ୍ତି । ରାଜ୍ୟରେ ଥିବା ୪୮୦ କି.ମି. ସୁଦୀର୍ଘ ମନୋରମ ସମୁନ୍ଦ୍ର ଉପକୂଳ ଓ ଏସିଆ ମହାଦେଶର ସର୍ବ ବୃହତ ଲବଣାକ୍ତ ହ୍ରଦ ଚିଲିକା ରାଜ୍ୟର ଗୌରବ ବହନ କରୁଛି । ବିଶ୍ୱ ବିଖ୍ୟାତ ଭିତରକନିକା ଅଭୟାରଣ୍ୟ, ଦୁର୍ଲଭ ଅଲିଭ୍ ରିଡ୍ÿଲେ କଇଁଛ ମାନଙ୍କ ଏନ୍ତୁଡ଼ିଶାଳ, କୂମ୍ଭୀର ପ୍ରଜନନ କେନ୍ଦ୍ର, ବିଶାଳ ସାମୁଦ୍ରିକ ଅଭୟାରଣ୍ୟ, ହେନ୍ତାଳ ବଣ ଆଦି ଓଡ଼ିଶାର ଗର୍ବ ଓ ଗୌରବ । ଓଡ଼ିଶାରେ ସବୁକିଛି ଥିବା ସତ୍ୱେ ଓଡ଼ିଶା ଦରିଦ୍ର ବୋଲି କୁହାଯାଇ ଆସୁଛି । ଏପରିକି ଓଡ଼ିଶା ଭାରତର ସବୁଠୁ ପଛୁଆ ଓ ଅବହେଳିତ ରାଜ୍ୟ । ଓଡ଼ିଶାରେ ଦାରିଦ୍ର୍ୟର ଉତ୍ପାତ ସବୁଠୁ ବେଶୀ । ଅନାହାର, ଅର୍ଦ୍ଧାହାର ଓ ଅଳ୍ପାହାରରେ ବଂଚୁଥିବା ଲୋକଙ୍କ ସଂଖ୍ୟା ବହୁ ଅଧିକ । ଏଠାକାର ଅଧିକାଂଶ ଶିଶୁ ପୃଷ୍ଟିହୀନତାର ଶିକାର ହେଉଛନ୍ତି । ପେଟକୁ ମୁଠାଏ ଦାନା ପାଇଁ ଓଡ଼ିଆର ଆର୍ତ ଚିକ୍ରାର ସାରା ଦେଶରେ ପ୍ରକମ୍ପିତ ହେଉଛି । ଓଡ଼ିଶାର ଅନାହାର ମୃତୁ୍ୟ ଖବର ବିଶ୍ୱବାସୀଙ୍କୁ ସ୍ତବ୍ଧ କରୁଛି । ଓଡ଼ିଶାରେ ଶିଶୁ ଓ ଗର୍ଭବତୀ ମାତୃ ମୃତୁ୍ୟହାର ସର୍ବାଧିକ ଇତ୍ୟାଦି । ନବିନ ବାବୁ ୪ ଥର ମୁଖ୍ୟମନ୍ତ୍ରୀ ଆସନରେ ବସି ଲଗାତାର ୧୮ ବର୍ଷ ଧରି ଓଡ଼ିଶା ଶାସନ କରି ଆସୁଛନ୍ତି । ହେଲେ ଏହି ଲମ୍ବା ସମୟ ମଧ୍ୟରେ ଓଡ଼ିଶାରେ ସେଭଳି କିଛି ବିକାଶ ହୋଇନଥିବା ଦେଖା ଯାଇପାରେ । ବିକାଶ ଠାରୁ ଅଧିକ ଦୁର୍ନୀତି, ବାଟମାରଣା ଓ ଠକେଇ ହୋଇଛି । ସ୍ୱାଧୀନତାର ପ୍ରଥମ ୫୩ ବର୍ଷରେ ଯେତିକି ଖଣିଜ ସଂପଦ ଉତୋଳନ ହୋଇ ନଥିଲା, ନବିନ ବାବୁଙ୍କ ପ୍ରଥମ ୧୦ ବର୍ଷର ଶାସନ ମଧ୍ୟରେ ତାହାର ଅନେକ ଗୁଣର ଖଣିଜ ସଂପଦ ଲୁଟ୍ ହୋଇଗଲା । ୨୦୧୭ରେ ଓଡ଼ିଶାରେ ଖଣି ମହାଦୁର୍ନୀତି ମାମଲାର ବିଚାର କରି ସୁପି୍ରମକୋର୍ଟ ଖଣି ଚୋର ମାନଙ୍କ ଠାରୁ ଜରିମାନା ଆଦାୟ କରିବାକୁ ରାୟରେ ପ୍ରକାଶ କରିଥିଲେ । ଏହିପରି ନବିନ ବାବୁଙ୍କ ଶାସନ ସମୟରେ ଦୁର୍ନୀତିର ଚେର ଖୁବ୍ ଲମ୍ବା । ଖଣି ଚୋରି ରାୟ ଏହାର ଏକ ଜ୍ୱଳନ୍ତ ଉଦାହରଣ ମାତ୍ର ।
ବାସ୍ତବରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବା ରାଜ୍ୟ ନେତୃତ୍ୱର ଅପାରଗତା ଯୋଗୁ ରାଜ୍ୟର ବିକାଶ ହୋଇ ପାରୁନାହିଁ । ନିର୍ବାଚନ ଜିତି କେହିଜଣେ ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି । ହେଲେ ସମସ୍ତେ ଭଲ ଶାସକ ହୋଇ ପ୍ରଜା ମାନଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରି ପାରନ୍ତିନି । ଓଡ଼ିଶାର ଗରିବ ଲୋକମାନଙ୍କର ଜୀବନ ଯନ୍ତ୍ରଣାକୁ ମୁଖ୍ୟମନ୍ତ୍ରୀ ହୁଏତ ବୁଝି ପାରୁନାହାନ୍ତି । ଗରିବ ଲୋକର ଉନ୍ନତି ପାଇଁ କିଛି କରୁନାହାନ୍ତି କି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ଠିକ୍ ଭାବେ ଲୋକଙ୍କ ପାଖରେ ପହଂଚାଉ ନାହାନ୍ତି । ଦିଲ୍ଲୀର ଗୋଟିଏ ପତି୍ରକା ପକ୍ଷରୁ ପୁରସ୍କାର ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଯେଭଳି ତାଙ୍କ କର୍ମୀ ଓ ନେତାମାନେ ସମ୍ବର୍ଦ୍ଧନା ଦେଲେ, ସେଥିରେ ଅନେକ କୋଟି ଟଙ୍କା ଖର୍ଚ୍ଚ ହୋଇଥିବ । ସେହି ଟଙ୍କା ଗରିବ ମଣିଷର ବିକାଶ ପାଇଁ ଖର୍ଚ୍ଚ ହୋଇ ପାରିଥାନ୍ତା । ସତରେ କ’ଣ କୌଣସି ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଲେ, ସେ ରାଜ୍ୟର ବିକାଶ ହୋଇଥାଏ? ଖଣି, ପାଣି, କୋଇଲା ମହାଦୁର୍ନୀତି ଓ ଚିଟଫଣ୍ଡ ଠକେଇ, ଦାନ ମାଝୀ, ନଗଡ଼ା, ମାଲକାନଗିରି ଓ କଟକ ଶିଶୁ ମୃତୁ୍ୟ ଘଟଣା ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରଙ୍କ ଅସ୍ୱଚ୍ଛ ଭାବମୂର୍ତିକୁ ପ୍ରମାଣିତ କରୁନାହିଁ କି? ଓଡ଼ିଶାର ବିକାଶ କେମିତି ଚାଲିଛି, ଏସବୁ ତା’ର ଉଦାହରଣ । ଆଜି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ସାଂଘାତିକ ଅବସ୍ଥା ହିଁ ଅପାରଗ ନେତୃତ୍ୱର କାରଣ । ଚାରି ବର୍ଷ ତଳେ ନରେନ୍ଦ୍ର ମୋଦିଙ୍କ ସରକାର କେନ୍ଦ୍ରୀୟ ଶାସନ ଦାୟିତ୍ୱ ନେବା ପରଠାରୁ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଦୃଷ୍ଟି ଦେଉଥିବା ଦେଖା ଯାଉଛି । ପୂର୍ବର କେନ୍ଦ୍ର ସରକାର ମାନେ ଓଡ଼ିଶାକୁ ସାବତ ପୁଅ ଭଳି ବ୍ୟବହାର କରୁଥିଲେ । ଉପା ସରକାର ତୁଳନାରେ ମୋଦିଙ୍କ ନେତୃତ୍ୱାଧୀନ ଏନଡ଼ିଏ ସରକାର ଅନେକ ଗୁଣ ଅନୁଦାନ ଦେଉଛନ୍ତି ଓଡ଼ିଶାକୁ । କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଓଡ଼ିଶାର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଆସିଛି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଦୀନ ଦୟାଲ୍ ଉପାଧ୍ୟାୟ ଅନ୍ତ୍ୟୋଦୟ ଯୋଜନା, ମନରେଗା ଯୋଜନା, ଶ୍ୟାମା ପ୍ରସାଦ ମୁଖାର୍ଜୀ ମିସନ୍, ଉଜ୍ଜ୍ୱଳ ଯୋଜନା, ଗ୍ରାମାଂଚଳରେ ବିଜୁଳି ସଂଯୋଗ, ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନା ଆଦିରେ ପର୍ଯ୍ୟାପ୍ତ ଅନୁଦାନ ଆସିଛି । ୫୦% ରୁ ଅଧିକ ଗାଁରେ ଶୌଚାଳୟ ନିର୍ମିତ ହୋଇଛି । କୋଇଲା ବଂଟନ କ୍ଷେତ୍ରରେ ନିୟମ ପରିବର୍ତନ ଯୋଗୁ ରାଜ୍ୟକୁ ବହୁ ଅଧିକ ରାଜସ୍ୱ ମିଳିବାର ସୁଯୋଗ ସୃଷ୍ଟି ହୋଇଛି । ବ୍ରହ୍ମପୁରରେ ଆଇଜର ଓ ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ହୋଇଛି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଏମ୍ସିଏଲ୍ ଦ୍ୱାରା ତାଳଚେର ଓ ଏନ୍ଟିପିସି ଦ୍ୱାରା ସୁନ୍ଦରଗଡ଼ରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ହେବ । ସେହିପରି ୫୦% ରୁ ଉଦ୍ଧ୍ୱର୍ ଘରେ ରୋଷେଇ ଗ୍ୟାସ୍ ପହଂଚା ଯାଇଛି ।
ରାଜ୍ୟରୁ ବିଜେପିର ମାତ୍ର ଜଣେ ଲୋକସଭାକୁ ଯାଇଥିଲେ ମଧ୍ୟ ୨ଜଣ ଓଡ଼ିଆ ଜୁଏଲ୍ ଓରାମ୍ ଏବଂ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ପଦ ପାଇଛନ୍ତି । ଏହା ମଧ୍ୟ ଓଡ଼ିଶାରେ ଭାଜପାର ସ୍ଥିତିକୁ ମଜଭୁତ କରିବାରେ ସହାୟକ ହୋଇଛି । ଇତିମଧ୍ୟରେ ମନ୍ତ୍ରୀ ଧର୍ମେନ୍ଦ୍ର ବାବୁଙ୍କ କାର୍ଯ୍ୟ ଶୈଳୀରେ ଘୋର ପରିବର୍ତନ ଦେଖା ଦେଇଛି । ସାଧାରଣ ମଣିଷର ଉନ୍ନତିର ଚାବିକାଠି ସେ ହୁଏତ ପାଇ ଯାଇଛନ୍ତି । କେନ୍ଦ୍ର ମନ୍ତ୍ରୀତ୍ୱ ପରେ ସେ ଯେମିତି ନିଜ ବିଭାଗକୁ ସଜାଡ଼ି ଦ୍ରୂତ ବିକାଶ ପଥରେ ଆଗେଇ ନେଉଛନ୍ତି, ସେପରି ସାଧାରଣ ଲୋକଙ୍କର ବିକାଶର ଫର୍ମୂଲା ସେ ଜାଣି ନେବା ଭଳି ମନେ ହେଉଛି । ଧର୍ମେନ୍ଦ୍ର ବାବୁଙ୍କ ଭଳି ଅନେକ କେନ୍ଦ୍ରୀୟ ମନ୍ତ୍ରୀ ତଥା ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କର ଘନ ଘନ ଓଡ଼ିଶା ଗସ୍ତ ଅନ୍ୟାନ୍ୟ ରାଜନୀତିକ ଦଳ ଗୁଡ଼ିକୁ ଚିନ୍ତାରେ ପକାଇ ଦେଇଛି । ଓଡ଼ିଶାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ସଂପର୍କରେ ବିଜେପି ନେତାଙ୍କ ତୀବ୍ର ବିରୋଧ ବିଜେଡ଼ିର ନିଦ ହଜାଇ ଦେଇଛି । ଓଡ଼ିଶାରେ ବିଜେପି ଧୀରେ ଧୀରେ ଆଗକୁ ମାଡ଼ି ଚାଲିଥିବା ରାଜନୀତିକ ବିଶେଷଜ୍ଞ ମାନେ ସ୍ୱୀକାର କରୁଛନ୍ତି । ୨୦୧୪ ବିଧାନସଭା ନିର୍ବାଚନରେ ବିଜେପିକୁ ୧୮% ଭୋଟ ମିଳିଥିଲା । ପଂଚାୟତ ନିର୍ବାଚନରେ ୩୩% ଭୋଟ୍ ମିଳିଲା । ଜାତୀୟ ରାଜନୀତି କ୍ଷେତ୍ରରେ ମଧ୍ୟ ଧର୍ମେନ୍ଦ୍ର ବାବୁ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ନେଲେଣି । ହୁଏତ ଆଜି ପର୍ଯ୍ୟନ୍ତ ଜାତୀୟ ରାଜନୀତିରେ ପରିଚିତ ଅଳ୍ପ କେତେଜଣ ଓଡ଼ିଆଙ୍କ ଭିତରେ ଧର୍ମେନ୍ଦ୍ର ବାବୁ ଅନ୍ୟତମ । ସେହିପରି ବିଜେପିର କେତେକ ଆଗ ଧାଡ଼ିର ତୁଙ୍ଗ ନେତା ମଧ୍ୟ ନିଜର ପ୍ରଚଣ୍ଡ ରାଜନୀତିକ କରିସ୍ମା ବଳରେ ସାଧାରଣ ଲୋକଙ୍କ ନିକଟତର ହେବାରେ ଲାଗିଛନ୍ତି । ଦଳୀୟ ନେତା ମାନଙ୍କର ନିଷ୍ଠାପର କାର୍ଯ୍ୟ ରାଜ୍ୟରେ ବିଜେପି ସଂଗଠନକୁ ମଜଭୁତ କରାଇବାରେ ସହାୟକ ହୋଇଛି । କେନ୍ଦ୍ରାପଡ଼ା ଭଳି କେତେକ ବିଜେପି ଶୂନ୍ୟ ଜିଲ୍ଲାରେ ଏବେ ବିଜେପିର ସଂଗଠନ ବଢି ବଢି ଚାଲିଛି । ଏହାର କାରଣ ହେଲା, ସ୍ୱାଧୀନତା ପରଠାରୁ କୌଣସି ପ୍ରଧାନମନ୍ତ୍ରୀ ବା ରାଜନୀତିକ ଦଳ ଓଡ଼ିଶାର ନେତାଙ୍କୁ ଆଗକୁ ବଢିବାର ସୁଯୋଗ ଦେଇ ନାହାନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ମୋଦି ବିଜେପି ନେତା ମାନଙ୍କୁ ଆଗକୁ ଯିବାର ସୁଯୋଗ ଦେଉଛନ୍ତି । ଧର୍ମେନ୍ଦ୍ର ବାବୁ ଙ୍କ ସମେତ ରାଜ୍ୟର ଅଧିକାଂଶ ନେତା ସେହି ସୁଯୋଗକୁ ହାତଛଡ଼ା କରି ନାହାନ୍ତି । ୨୦୧୯ ନିର୍ବାଚନରେ ଏହା ବିଜେପି ପାଇଁ ବହୁ ଲାଭ ଦାୟକ ହେବ ବୋଲି ରାଜନୀତିକ ପଣ୍ଡିତ ମାନେ ଭବିଷ୍ୟବାଣୀ କରୁଛନ୍ତି । ହୁଏତ ଆସନ୍ତା ନିର୍ବାଚନରେ ସାରା ଓଡ଼ିଶାକୁ ପଦ୍ମରେ ସଜେଇ ଭାଜପା ଇତିହାସ ରଚିବା ଅସମ୍ଭବ ନୁହେଁ । ଭଲ-ମନ୍ଦ, ଆଗ-ପଛ ବିଚାର ନ କରି ରାଜ୍ୟବାସୀ ନବିନଙ୍କ କାନ୍ଧରେ ବାରମ୍ବାର ଦାୟିତ୍ୱର ନୂଆ ବୋଝ ଲଦିଛନ୍ତି । ଆଉ ନବିନ ବାବୁ ଲୋକଙ୍କୁ ଯେଉଁ ରଙ୍ଗୀନ୍ ସ୍ୱପ୍ନ ଦେଖାଇ ଚାଲିଛନ୍ତି, ତାକୁ ସାକାର କରିବାକୁ ସେ ସେପରି କିଛି ଉଦ୍ୟମ କରୁଥିବା ଦେଖାଯାଉ ନାହିଁ । ବିଜେଡ଼ି ଦ୍ୱାରା ସ୍ୱଚ୍ଛ, ଦୁର୍ନୀତିମୁକ୍ତ, ସମ୍ବେଦନଶୀଳ, ଉତରଦାୟୀ ଓ ଦକ୍ଷ ଶାସନର ଯେଉଁ ପ୍ରତିଶ୍ରୂତି ଦିଆ ଯାଇଛି, ତାହା ଫେଲ୍ ମାରିଛି ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,ଭୁବନେଶ୍ୱର,
ମୋ-୯୩୩୭୩୬୯୪୪୮