ସଚିବାଳୟରେ ଦରମା କମ, କାମ ବେଶୀ!

ଭୁବନେଶ୍ୱର, (ଆଇଏନ୍ଏସ୍): ରାଜ୍ୟ ପ୍ରଶାସନରେ ଅଧିକ ଦାଇତ୍ୱ ବହନ କରୁଥିବା ଅଧିକାରୀମାନଙ୍କୁ କମ ଦରମା ମିଳୁଛି ଏବଂ କମ ଦରମା ପାଉଥିବା ଅଧିକାରୀମାନଙ୍କୁ ଅଧିକ ଦାଇତ୍ୱ ଦିଆଯାଉଛି । ଏହା ନବୀନବାବୁଙ୍କ ଶାସନ ଅମଳରେ ଖୋଦ ସଚିବାଳୟରେ ଘଟୁଛି । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ସାଧାରଣ ପ୍ରଶାସନ ବିଭାଗ ରାଜ୍ୟ ସଚିବାଳୟରେ ବିଭିନ୍ନ ବିଭାଗର କାର୍ଯ୍ୟଭାର ଆକଳନ କରି ଓଡିଶା ପ୍ରଶାସନିକ ସେବା କ୍ୟାଡର ପୁନର୍ବିନ୍ୟାସ କରିଛନ୍ତି । ଅର୍ଥ ବିଭାଗ ମଧ୍ୟ ବିଭିନ୍ନ ନୀତି ନିୟମକୁ ଜଳାଞ୍ଜଳି ଦେଇ ଆର୍ଥିକ ସହମତି ଦେଲେ । ଫଳରେ ଓଡିଶା ପ୍ରଶାସନିକ ସେବା ସ୍ୱତନ୍ତ୍ର ସଚିବ ପାହ୍ୟାରେ ୨୫ଟି ଓ ଅତିରିକ୍ତ ଶାସନ ସଚିବ ପାହ୍ୟାରେ ମୋଟ ୧୨୫ଟି ପଦବୀ ମଞ୍ଜୁୂର ହେଲା । ଏହା କ୍ୟାବିନେଟର ସ୍ୱୀକୃତି ଲାଭ କଲାପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ସେପ୍ଟେମ୍ବର ୨୫ ତାରିଖ ୨୦୧୭ ମସିହାରେ ଏକ ସଂକଳ୍ପ ଆକାରରେ ଗେଜେଟରେ ପ୍ରକାଶିତ ହେଲା । ତେଣୁ ରାଜ୍ୟ ସରକାରଙ୍କ ଅଧିନରେ ଓ.ଏ.ଏସ. କ୍ୟାଡରରେ ମୋଟ ଅତିରିକ୍ତ ସଚିବ ଓ ସ୍ୱତନ୍ତ୍ର ସଚିବ ପାହ୍ୟାରେ ମୋଟ ୧୫୦ଟି ପଦବୀ ରହିଛି ।
ପ୍ରଥମତଃ ଜଣେ ସ୍ୱତନ୍ତ୍ର ସଚିବ କିମ୍ବା ଅତିରିକ୍ତ ସଚିବଙ୍କ ମାସିକ ଦରମା ଏକଲକ୍ଷ ପଚାଶ ହଜାର ଟଙ୍କା । ଅବସର ନେଲେ ସେମାନେ ୭୫ ହଜାର ଟଙ୍କାର ପେନସନ ପାଇବା ପାଇଁ ହକଦାର । ଚାକିରିରେ ଥିବା ସମୟରେ ସେମାନଙ୍କୁ ଦରମା ବ୍ୟତୀତ ସରକାରି ଗାଡି, ପିଅନ, ଶୀତତାପ ନିୟନ୍ତ୍ରିତ ଅଫିସ ରୁମ, ଟେଲିଫୋନ, ପ୍ରାଇଭେଟ ସେକ୍ରେଟାରି ଓ ରିହାତି ମୂଲ୍ୟରେ ସରକାରୀ ବାସଗୃହ ମିଳେ । ଏ ସମସ୍ତ ସୁବିଧା ହିସାବକୁ ନେଲେ ଜଣେ ଅଧିକାରୀଙ୍କ ପ୍ରତି ସରକାର ମାସିକ ପ୍ରାୟ ୫ ଲକ୍ଷ ଟଙ୍କାର ଆର୍ଥିକ ବୋଝ ବହନ କରନ୍ତି ।
ଦ୍ୱିତୀୟ କଥା ହେଲା ସଚିବାଳୟ ସେବା ସଂହିତା ଅନୁସାରେ ଜଣେ ଅଣ୍ଡର ସେକ୍ରେଟାରି ଅତି କମରେ ତିନୋଟି ଶାଖାର କାର୍ଯ୍ୟ ତଦାରଖ କରିବେ । ସେଇପରି ଜଣେ ଉପଶାସନ ସଚିବ ବା ଯୁଗ୍ମ ଶାସନ ସଚିବ ଅତି କମରେ ଛଅଟି ଶାଖାର ଦାଇତ୍ୱ ତଦାରଖ କରିବେ । ଜଣେ ଅତିରିକ୍ତ ଶାସନ ସଚିବ ଅତି କମରେ ୧୨ ଟି ଶାଖାର ଦାଇତ୍ୱ ତଦାରଖ କରିବେ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ବର୍ତମାନ ସଚିବାଳୟରେ ଅବସ୍ଥାପିତ ଅତିରିକ୍ତ ଶାସନ ସଚିବଙ୍କ ସଂଖ୍ୟା ସେଇ ବିଭାଗର ଅଣ୍ଡର ସେକ୍ରେଟାରି ବା ଡେପୁଟି ସେକ୍ରେଟାରିଙ୍କ ସଂଖ୍ୟାଠାରୁ ଅଧିକ । ଫଳରେ ଅତିରିକ୍ତ ବା ସ୍ୱତନ୍ତ୍ର ଶାସନ ସଚିବ ମାତ୍ର ଦୁଇ ତିନୋଟି ଶାଖାର କାର୍ଯ୍ୟ ତଦାରଖ କରୁଛନ୍ତି । ଅଣ୍ଡର ସେକ୍ରେଟାରିମାନେ ୩/୪ ଟି ଶାଖାର ଦାଇତ୍ୱ ସୁପରଭାଇଜ କରୁଛନ୍ତି । ତେଣୁ ଅଣ୍ଡର ସେକ୍ରେଟାରି ବା ଡେପୁଟି ସେକ୍ରେଟାରିମାନେ ସେଇ ବିଭାଗରେ ନିଯୁକ୍ତ ଅତିରିକ୍ତ ସଚିବଙ୍କ ଠାରୁ ଅଧିକ କାର୍ଯ୍ୟ ବହନ କରି କମ ଦରମା ପାଉଛନ୍ତି । ଅଧିକ କାର୍ଯ୍ୟ କରି ଜଣେ ଅଣ୍ଡର ସେକ୍ରେଟାରି ମାସିକ ମାତ୍ର ୫୫ ହଜାର ଟଙ୍କା ଦରମା ପାଉଥିବା ବେଳେ ଅତିରିକ୍ତ ସଚିବମାନେ ଅଣ୍ଡର ସେକ୍ରେଟାରିମାନେ ପାଉଥିବା ଦରମାର ଅଢେଇଗୁଣ ଅଧିକ ଦରମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି । ଅର୍ଥ ବିଭାଗ ରାଜ୍ୟର ଆର୍ଥିକ ସ୍ଥିତି ଖରାପ ଓ ରାଜ୍ୟର ରୁଣଭାର ୭୫ ହଜାର କୋଟି ଥିବା ବେଳେ ଏତେ ଗୁଡିଏ ଅନାବଶ୍ୟକ ପଦବୀ ସୃଷ୍ଟି କାହିଁକି କଲେ, ତାହା ପ୍ରଶ୍ନବାଚୀ ।
ତୃତୀୟରେ ସାଧାରଣ ପ୍ରଶାସନ ବିଭାଗର ୨୫-୦୯-୨୦୧୭ ତାରିଖର ବିଜ୍ଞପ୍ତି ଅନୁଯାୟି ସଚିବାଳୟରେ ଓ.ଏ.ଏସ. କ୍ୟାଡର ପାଇଁ ୧୦ ଟି ସ୍ୱତନ୍ତ୍ର ସଚିବ ଓ ୪୦ ଟି ଅତିରିକ୍ତ ସଚିବ ପଦବୀ ରହିଛି । ଏତଦବ୍ୟତୀତ ସଚିବାଳୟ ସେବା ଅଧିକାରୀଙ୍କ ପାଇଁ ୬ଟି ଅତିରିକ୍ତ ସଚିବ, ଆଇଏଏସ କ୍ୟାଡର ଅଧିକାରୀଙ୍କ ପାଇଁ ୨୦ଟି ଓ ଓଡିଶା ଅର୍ଥସେବା ଅଧିକାରୀଙ୍କ ପାଇଁ ୨୦ଟି ଓ ଅନ୍ୟାନ୍ୟ କ୍ୟାଡରର ମଧ୍ୟ ୧୦ ଜଣ ଅଧିକାରୀ ନିଯୁକ୍ତ । ଏମାନଙ୍କର ମୋଟ ସଂଖ୍ୟା ହେଲା ୧୦୬ । ଏହି ୧୦୬ ଜଣ ଉଚ୍ଚ ବେତନଧାରି ଅଧିକାରୀଙ୍କ ପାଇଁ ସଚିବାଳୟରେ କାର୍ଯ୍ୟ ଅଛି କି? ସେମାନଙ୍କର କାର୍ଯ୍ୟଭାର କଣ ତାହା ଅର୍ଥବିଭାଗ ବା ସରକାର ଆକଳନ କରିଛନ୍ତି କି?
ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ନିଯୁକ୍ତ ଜନୈକ ଓ.ଏ.ଏସ. ଅଧିକାରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଓ.ଏ.ଏସ. କ୍ୟାଡରର ଅହେତୁକ ସମ୍ପ୍ରସାରଣ କରାଯାଇଛି । ଏହି କ୍ୟାଡର ସମ୍ପ୍ରସାରଣ ପରେ ସମ୍ପୃକ୍ତ ଓ.ଏ.ଏସ. ଅଧିକାରୀ ଅତିରିକ୍ତ ସଚିବ ପଦବୀକୁ ପଦୋନ୍ନତି ପାଇଛନ୍ତି ଓ ଅବସର ନେବା ପୂର୍ବରୁ ସ୍ୱତନ୍ତ୍ର ସଚିବ ପଦବୀକୁ ପଦୋନ୍ନତି ପାଇବେ । ସେ ଆସନ୍ତା୨୦୧୯ ଅକ୍ଟୋବର ମାସରେ ଅବସର ନେବେ । ଏ ସମ୍ପର୍କରେ ଅଧିକ ତଥ୍ୟ ପରବର୍ତୀ ସଂସ୍କରଣରେ ପ୍ରକାଶିତ ହେବ । ଆଇଏନ୍ଏସ୍।

Leave a Reply

Your email address will not be published.