ଅନଭିଜ୍ଞ ଅଧିକାରୀ ମାନଙ୍କ ହାତରେ ପ୍ରଶାସନିକ ଦାୟିତ୍ୱ!

ଭୁବନେଶ୍ୱର, (ଆଇଏନ୍ଏସ୍): ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର ସଚିବାଳୟରେ ବିଭିନ୍ନ ବର୍ଗର ଅଧିକାରୀଙ୍କ ନିଯକ୍ତି ନେଇ ପ୍ରଶାସନିକ ମହଲରେ ଚର୍ଚ୍ଚା ଚାଲିଛି । ସାଧାରଣତଃ ଘରୋଇ ବିଭାଗରେ ଆଇପିଏସ ଅଧିକାରୀ, ଜଙ୍ଗଲ ବିଭାଗରେ ଆଇଏଫଏସ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତରମାନଙ୍କୁ ନିଯୁକ୍ତି ଦେବା କିଛି ନୁଆ କଥା ନୁହେଁ । କିନ୍ତୁ ସର୍ବଭାରତୀୟ ଜଙ୍ଗଲ ସେବା (ଆଇଏଫଏସ)ଅଧିକାରୀ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇ ପ୍ରଶାସନକୁ ସମ୍ଭାଳୁଥିବା ଦେଖାଯାଉଛି । ସୂଚନାଯୋଗ୍ୟ ଯେ, ନବୀନବାବୁଙ୍କ ପୂର୍ବରୁ ଅର୍ଥାତ ୨୦୦୦ ମସିହା ପୁର୍ବରୁ ରାଜ୍ୟ ସଚିବାଳୟରେ ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀ(ଆଇଏଏସ), ଓଡିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ)ମାନେ ସଚିବାଳୟର ପ୍ରଶାସନ ଦାଇତ୍ୱରେ ଥିଲେ । ପ୍ରଶାସନିକ ଜ୍ଞାନ ନଥିବା ଅନ୍ୟାନ୍ୟ ସେବା ଅଧିକାରୀମାନଙ୍କୁ ସଚିବାଳୟରେ ନିଯୁକ୍ତି ମିଳୁନଥିଲା । କେବଳ ପୂର୍ତ ବିଭାଗରେ ଜଣେ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ପୂର୍ତ ବିଭାଗର ଶାସନ ସଚିବ ଦାଇତ୍ୱ ଦିଆଯାଇଥିଲା । ଏହାପରେ ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟରତ ଓ ସେଇ ବିଭାଗର କାର୍ଯ୍ୟ ସମ୍ପର୍କରେ ଅଭିଜ୍ଞ ଅଧିକାରୀମାନଙ୍କୁ ସମ୍ପୃକ୍ତ ବିଭାଗରେ ପରାମର୍ଶ ଦେବା ପାଇଁ ନିଯୁକ୍ତି ଦିଆଗଲା । ଯଥା କୃଷି ବିଭାଗରେ କୃଷି ବିଶେଷଜ୍ଞ, ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତର, ଘରୋଇ ବିଭାଗରେ ପୋଲିସ ଅଧିକାରୀ ଏବଂ ଜଙ୍ଗଲ ବିଭାଗରେ ଜଙ୍ଗଲ ବିଭାଗର ପଦସ୍ଥ ଅଭିଜ୍ଞ ଅଧିକାରୀଙ୍କୁ ନିଯୁକ୍ତି ଦିଆଗଲା । ଜଙ୍ଗଲ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ସୁରେନ୍ଦ୍ର ପ୍ରସାଦ ମହାପାତ୍ରଙ୍କୁ ସ୍ୱତନ୍ତ୍ର କର୍ତବ୍ୟରତ ଅଧିକାରୀ ଭାବେ ନିଯୁକ୍ତି ମିଳିଥିଲା । ସେ ଏବେ ନିଜ ବିଭାଗକୁ ଫେରିଯାଇଛନ୍ତି । ସେଇ କ୍ୟାଡରର ଆଉ ଜଣେ ଅଧିକାରୀ ଶିଶିର କୁମାର ରଥ ନଗର ଉନ୍ନୟନ ବିଭାଗରେ ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିଲେ । ସେ ଏବେ କେନ୍ଦ୍ର ସରକାରଙ୍କ ଅଧୀନକୁ ଡେପୁଟେସନରେ ଯାଇଚନ୍ତି । ସେଇ କ୍ୟାଡରର ଆଉ ଜଣେ ଆଇଏଫଏସ ଅଧିକାରୀ ସୁଶିଲ କୁମାର ପୋପଲି ଇସ୍ପାତ ଓ ଖଣି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ସର୍ବଭାରତୀୟ ଜଙ୍ଗଲ ସେବାର ଅଧିକାରୀ ଆର.ରଘୁ ପ୍ରସାଦଙ୍କୁ ସଚିବ ଦାଇତ୍ୱରେ ରଖାଯାଇଛି । ଆଇଏଫଏସ ଅଧିକାରୀ ପ୍ରେମ କୁମାର ଝାଙ୍କୁ ନଗର ଉନ୍ନୟନ ବିଭାଗରେ ସ୍ୱତନ୍ତ୍ର ସଚିବଭାବେ ଅବସ୍ଥାପିତ କରାଯାଇଛି । ଅତୀତରେ ଜଙ୍ଗଲ ସେବାର ଅଧିକାରୀ ଏସ. କେ ଚଢାଙ୍କୁ କୃଷି ବିଭାଗ ଅଧିନସ୍ଥ ଉଦ୍ୟାନ ନିଦେ୍ର୍ଦଶକ ଭାବେ ନିଯୁକ୍ତି ମିଳିଥିଲା । ସର୍ବଭାରତୀୟ ଜଙ୍ଗଲ ସେବାର ଅଧିକାରୀ ମାନଙ୍କୁ ନିଜ ପଦବୀ ଓ ବିଭାଗ ବାହାରେ ସଚିବାଳୟ ପ୍ରଶାସନରେ ନିୟୋଜିତ କରିବାର ରହସ୍ୟ କଣ? ଜଙ୍ଗଲ ଛାଡି ହାତୀ ଓ ବାଘ ସହରାଭିମୁଖି ହେଉଥିବା ବେଳେ ସମ୍ପୃକ୍ତ ବିଭାଗର ଅଧିକାରୀ ସଚିବାଳୟାଭିମୁଖି ହେଉଛନ୍ତି କାହିଁକି? ତେବେ କଣ ଓଡିଶାରେ ଜଙ୍ଗଲ ନାହିଁ ନା ଜଙ୍ଗଲ ବିଭାଗରେ ସେମାନଙ୍କର କାମ ନାହିଁ? କେତେକ ସଚିବାଳୟ ଅଧିକାରୀଙ୍କ ମତ ଯେ, ତୃତୀୟ ମହଲାକୁ ସନ୍ତୁଷ୍ଟ କରିବା ପାଇଁ ସେମାନଙ୍କ ମନୋନୀତ ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନିଯୁକ୍ତି ଦିଆଯାଉଛି ।
ଏତଦବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନବାବୁ ତାଙ୍କର ଚତୁର୍ଥ ଇନିଙ୍ଗସରେ କିଛି ପ୍ରତିରକ୍ଷା ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବା ତାତ୍ପର୍ଯ୍ୟପୂର୍ଣ୍ଣ । ୨୦୧୪ ମସିହାରେ ଅବସରପ୍ରାପ୍ତ ପ୍ରତିରକ୍ଷା ବିଶେଷଜ୍ଞ ତଥା ବ୍ରିଗେଡିୟର ଲକ୍ଷ୍ମି ଚରଣ ପଟନାୟକଙ୍କୁ ଓଡିଶା ଲୋକସେବା ଆୟୋଗର ସଦସ୍ୟଭାବେ ନିଯୁକ୍ତି ମିଳିଥିଲା । ସେ ଏବେ ଆୟୋଗର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ । ସେଇପରି ଅବସରପ୍ରାପ୍ତ ପ୍ରତିରକ୍ଷା ବିଶେଷଜ୍ଞ ତଥା ମେଜର ଜେନେରାଲ ଭବାନୀ ଶଙ୍କର ଦାଶଙ୍କୁ ଓଡିଶା ଷ୍ଟାଫ ସିଲେକସନ କମିଶନର ଅଧ୍ୟକ୍ଷ ଭାବେ ୨୦୧୫ ମସିହାରେ ନିଯୁକ୍ତି ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗରେ ଅତିରିକ୍ତ ଶାସନ ସଚିବ ତଥା ବରିଷ୍ଠ ଆଇଏଏସ ଅଫିସର ପ୍ରଦୀପ ବିଶ୍ୱାଳ ରାଜ୍ୟପାଳଙ୍କ ହେଲିକେପ୍ଟର ବ୍ୟବହାର ନେଇ ବିବାଦ ଘେରକୁ ଆସିବା ପରେ ସେ ଲମ୍ବା ଛୁଟିରେ ଚାଲିଯାଇଥିଲେ । ତାଙ୍କ ସ୍ଥାନରେ ପ୍ରତିରକ୍ଷା ବିଶେଷଜ୍ଞ ହିମାଂଶୁ ଶେଖର ପଣ୍ଡାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବେସାମରିକ ବିମାନ ଚଳାଚଳ ଶାଖା ଦାଇତ୍ୱରେ ଅଛନ୍ତି । ଜଙ୍ଗଲ ସେବା ଅଧିକାରୀଙ୍କ ପରେ ପ୍ରତିରକ୍ଷା ଅଧିକାରୀ ମାନଙ୍କୁ ରାଜ୍ୟ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ନିଯୁକ୍ତିକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ଏମାନଙ୍କର ବିଶେଷ ପ୍ରଶାସନିକ ଦକ୍ଷତା ନଥିବାରୁ ସେମାନେ କି କାମ କରିବେ ତାହା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତୃତୀୟ ମହଲାକୁ ସନ୍ତୁଷ୍ଟ କରି ଅନଭଜ୍ଞ ଅଧିକାରୀମାନେ ପ୍ରଶାସନିକ ଦାଇତ୍ୱ ନେବା ଭବିଷ୍ୟତ ପାଇଁ ଶୁଭଙ୍କର ନୁହେଁ ବୋଲି ରାଜନୈତିକ ଜ୍ୟୋତିଷମାନେ ମତ ଦେଇଛନ୍ତି । ଆଇଏନ୍ଏସ୍।

Leave a Reply

Your email address will not be published.