ବିପର୍ଯ୍ୟୟ ଓ ରିଲିଫ ବ୍ୟବସ୍ଥା
ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ନିକଟରେ ଘୂର୍ଣି ବାତ୍ୟା ତିତିଲି ଓଡ଼ିଶାା ଓ ଆନ୍ଧ୍ର ଉପରେ ପ୍ରବାହିତ ହୋଇ ଅନେକ କ୍ଷୟ କ୍ଷତି କରି ଯାଇଛି । ଏହି ଘୂର୍ଣ୍ଣି ବାତ୍ୟା ଯୋଗୁଁ ଆନ୍ଧ୍ରର ଶ୍ରୀକାକୁଲମ, ବିଜୟନଗରମ୍ ଓ ଓଡ଼ିଶାର ରାୟଗଡା,ଗଜପତି, ଗୁଣୁପୁର ଓ ଗଞ୍ଜାମ ଅଂଚଳରେ ବ୍ୟାପକ କ୍ଷୟ କ୍ଷତି ହୋଇଛି । ଯଦିଓ ପବନର ବେଗ ଓଡ଼ିଶାରେ ବେଶି ନଥିଲା, ମାତ୍ର ବାତ୍ୟା ସହିତ ବ୍ରବଳ ବର୍ଷା ବିଭିନ୍ନ ଅଂଚଳରେ ବିପର୍ଯ୍ୟୟ ସୃଷ୍ଟି କରିଯାଇଛି । ଛୋଟ ବଡ ନଦୀ ମାନଙ୍କରେ ପ୍ରବଳ ବନ୍ୟା ଆସି ରାସ୍ତା ଘାଟ ସବୁ ବୁଡାଇ ଦେଲା । ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଆସ୍କା ଭଳି ସହରରେ ସାତ ରୁ ଆଠ ଫୁଟ ପାଣି ପ୍ରବାହିତ ହୋଇଛି । ଅନେକ ମାଟି ଘର ଭାଙ୍ଗି ଯାଇଛି ଓ ଲୋକମାନେ ମୃତାହତ ହୋଇଛନ୍ତି । ଗଜପତିର ଏକ ଦୁର୍ଗମ ଅଂଚଳରେ ପାହାଡ ଧସି ପନ୍ଦର ଜଣ ଲୋକଙ୍କର ମୃତୁ୍ୟ ଘଟିଛି । ହଜାର ହଜାର ଲୋକ ଜଳ ବନ୍ଦି ହୋଇ ଭୋକ ଉପାସରେ କାଳ କାଟିଛନ୍ତି । ବିନ୍ଦୁ୍ୟତ୍ ଖୁଂଟମାନ ଉପୁଡି ସବୁଆଡ ଅନ୍ଧକାରରେ ଭରି ଯାଇଛି ।
ଅତୀତରେ ଘଟି ଯାଇଥିବା ବାତ୍ୟା ଫାଇଲିନ୍ ଓ ହୁଡହୁଡ ବେଳେ ଉଦ୍ଧାର କାର୍ଯ୍ୟରେ ସରକାର ପ୍ରଶଂସନିୟ ପଦକ୍ଷେପ ନେଇଥିଲେ ଓ ଜିରୋ ମୋଟାଲିଟ ଲକ୍ଷରେ ସଫଳ ହୋଇ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହେବାର ଗୈାରବ ଲାଭ କରିଥିଲେ । ମାତ୍ର ଏଥରକ ସବୁ ଯେମିତି ମୂଳରୁ ବିଗିଡି ଗଲା । ସରକାର ଡାଳେ ଡାଳେ ଗଲାବେଳେ ପ୍ରକୃତି ପତ୍ରେ ପତ୍ରେ ଗଲା । ଉପକୁଳ ଅଂଚଳରେ ଜଗିଲା ବେଳକୁ ବାତ୍ୟା ଅଭ୍ୟନ୍ତର ଅଂଚଳରେ ଧ୍ୱଂସ ଲିଳା ସୃଷ୍ଟିକଲା । ସେସବୁ ଅଂଚଳର ବାସ୍ତବ ଖବର କର୍ତୁପକ୍ଷଙ୍କ ନିକଟଟରେ ପହଂଚିବା ସକାଶେ ଗୋଟିଏ କିମ୍ବା ଦୁଇ ଦିନ ଲାଗିଗଲା । ଭୁବନେଶ୍ୱରରୁ ଆଦେଶ ଆସି ରିଲିଫ ଆୟୋଜନ ହେଲା ବେଳକୁ ଆହୁରି ଦୁଇ ଦିନ ଚାଲିଗଲା ଓ ଲୋକ ମାନେ ଏହି ଚାରି ଦିନ ବିଛିନ୍ନ ହୋଇ ଖାଦ୍ୟ ଓ ପାଣି ବିନା କଷ୍ଟରେ କାଳ କାଟିଲେ ।
ଘଟଣା ଘଟିବା ଓ ରିଲିଫ ପହଂଚିବା ମଧରେ ୧୨ ଘ.ରୁ ଅଧିକ ହେଲେ ତାହା ଲୋକ ମାନଙ୍କର ଦୁର୍ଦଶାର କାରଣ ହୋଇଥାଏ । ଆମ ରାଜ୍ୟରେ ଅଫିସର ମାନେ ରାଜଧାନିରୁ ନିଦେ୍ର୍ଦଶ ପାଇଁ ଅପେକ୍ଷା କରନ୍ତି । ନେତା ଓ ମନ୍ତ୍ରୀ ମାନେ କେବଳ ଭାଷଣ ଦେବା ଛଡା କୈାଣସି ବାସ୍ତବ କାର୍ଯ୍ୟ କରନ୍ତି ନାହିଁ । ଏଥରକ ସେମାନଙ୍କର ଦେଖା ମଧ୍ୟ ନାହିଁ ।
ଗଜପତିର ରିଲିଫ ପାଇଁ ଭୁବନେଶ୍ୱରରେ ପ୍ୟାକେଟ ବନ୍ଧା ହେଉଛି । ଏହା ଏକ ହାସ୍ୟାସ୍ପଦ ଘଟଣା । ସେହିଭଳି ହେଲିକ୍ୟାପ୍ଟରରେ ବାତ୍ୟାଂଚଳ ପରିଦର୍ଶନ ଲୋକଙ୍କର କୈାଣସି କାମରେ ଆସେ ନାହିଁ । ପିଇବା ପାଇଁ ପାଣି, କେତୋଟି କ୍ୟାଣ୍ଡେଲ, ଦିଆସିଲି, ସୁଖା କିମ୍ବା ରନ୍ଧା ଖାଦ୍ୟ ୧୨ ଘ. ମଧ୍ୟରେ ପହଂଚିଲେ ଦୁର୍ଗତ ମାନଙ୍କର କଷ୍ଟ ଲାଘବ ହୋଇଥାଏ । ଏହା କେବଳ ଆଂଚଳିକ ସ୍ଥରରେ ରିଲିଫ ଆୟୋଜନ ଦ୍ୱାରା ସମ୍ଭବ ହୋଇପାରିବ । ବର୍ତମାନ ଆମ ରାଜ୍ୟରେ ତ୍ରୀସ୍ତରିୟ ପଂଚାୟତ ବ୍ୟବସ୍ତା ଚାଲିଛି । ତିନି ହଜାରରୁ ପାଂଚ ହଜାର ଜନ ସଂଖ୍ୟା ବିଷିଷ୍ଟ ଏକ ପଂଚାୟତକୁ ବାର୍ଷିକ ପଚାଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଅନୁଦାନ ଆସୁଛି । ଗାଁ ଗହଳିରେ ମଧ୍ୟାହ୍ନ ଭୋଜନ ଓ ବିପିଏଲ କାର୍ଡ ପାଇଁ ପ୍ରଚୁର ଚାଉଳ ମଧ୍ୟ ମହଯୁଦ ରହୁଛି । ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟ ମନ୍ତ୍ରୀ ପଂଚାୟତକୁ କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି । ଜଣେ ଜଣେ ବିଧାୟକ ହାତ ପାଣ୍ଠି ପାଇଁ ବାର୍ଷିକ ପଚାଶ ଲକ୍ଷ ଟଙ୍କା ପାଉଛନ୍ତି । ସାଂସଦ ମାନଙ୍କର ଅନୁଦାନ ବାର୍ଷିକ ଦୁଇ କୋଟି ଟଙ୍କା । ଏସବୁ ଟଙ୍କା କିଭଳି ଖର୍ଚ୍ଚ ହେଉଛି? କୁହାଯାଏ, ତୁମର ବିପଦ ବେଳେ ତମ ଆଗରେ ଯିଏ ଥିବ ସେ ହିଁ ସବୁଠାରୁ ଦରକାରି ବ୍ୟକ୍ତି । ତେଣୁ ଗ୍ରାମାଂଚଳର ପଂଚୟତର ସଭ୍ୟ, କର୍ମି, ଗ୍ରାମାଂଚଳର ସରକାରୀ କର୍ମଚାରି ପ୍ରଥମେ ବିପନ୍ନ ଲୋକଙ୍କ ପାଖକୁ ଯାଇପାରିବେ । ଆଂଚଳିକ ସ୍ଥରରେ ଯୋଗାଡ ହୋଇ ରିଲିଫ ୧୨ ଘ. ମଧ୍ୟରେ ଲୋକଙ୍କ ପାଖରେ ପହଂଚି ପାରିବ । ଏଥିପାଇଁ ପଂଚାୟତ ଓ ଜନ ପ୍ରତିନିଧି ମାନେ ନିଜ ପାଣ୍ଠିରୁ ସହାୟତା ଯୋଗାଇ ଦେବା ଉଚିତ୍ । ପରେ ସରକାର ଚାହିଁଲେ, ତାହା ଭରଣା କରି ପାରିବେ ।
ଏତେ ଅନୁଦାନ ଆସି ମଧ୍ୟ ଗାଁର ଟୁ୍ୟବଲ ଖରାପ ହୋଇପଡୁଛି । ସ୍କୁଲ କାନ୍ଥ ପଡି ଯାଉଛି । ଗଛ ମୂଳେ ଅଙ୍ଗନୱାଡି ଚାଲିଛି । ବାତ୍ୟା ବେଳେ ସାମାନ୍ୟ ପିଇବା ପାଣି, କ୍ୟାଣ୍ଡେଲ ଓ ଦିଆସିଲି ପାଇଁ ଦୁର୍ଗତ ମାନଙ୍କୁ ଦୁଇ ତିନି ଦିନ ଜଗିବାକୁ ପଡୁଛି ।
ସବୁବେଳେ ରାଜଧାନି ଉପରେ ଆଦେଶ ପାଇଁ ନିର୍ଭର କରିବାର ବେଳ ଚାଲି ଯାଇଛି । ଆଗକୁ ହୁଏତ ବିପର୍ଯ୍ୟୟର ଧାରା ବଦଳି ଯିବ । ଆହୁରି ପାଣି ଆସିବ । ମାସ ମାସ ଧରି ଲୋକ ବିଛିନ୍ନ ହୋଇଯିବେ । ଏହାକୁ ସାମ୍ନା କରିବାକୁ ହେଲେ ପ୍ରତ୍ୟେକ ପରିବାର ପ୍ରତ୍ୟେକ ଗ୍ରାମ ଓ ପ୍ରତି ପଂଚାୟତରେ ବିପର୍ଯ୍ୟୟ ସାମ୍ନା ପାଇଁ ପ୍ରସ୍ତୁତ ଆବଶ୍ୟକ । ଏହା ନକରି ଭୁବନେଶ୍ୱର ଓ ଆକାଶକୁ ଚାହିଁ ରହିଲେ ବିଳମ୍ବ ହେବ ହିଁ ହେବ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬