ଭୁବନେଶ୍ୱର, (ଆଇଏନ୍ଏସ୍): ଗତ ଅକ୍ଟୋବର ୧୧ ତାରିଖ ପୂର୍ବାହ୍ନରେ ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଝଡ ତିତଲି ଆନ୍ଧ୍ରପ୍ରଦେଶର ପଲାସା ଠାରେ ସ୍ଥଳଭାଗ ଛୁଇଁ ଓଡିଶାର ଗଜପତି ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାର କେତେକ ଅଂଚଳରେ ମହାପ୍ରଳୟ ସୃଷ୍ଟି କରିଛି । ଏହାର ପ୍ରଭାବରେ ପ୍ରବଳ ବର୍ଷାଯୋଗୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବନ୍ୟାହୋଇ ଧନଜୀବନ ନଷ୍ଟ ହୋଇଛି । ପାଣିପାଗ ବିଭାଗ ବହୁ ପୂର୍ବରୁ ଏ ସମ୍ପର୍କରେ ଓଡିଶା ସରକାରଙ୍କୁ ସୂଚନା ଦେବା ସଙ୍ଗେ ସଙ୍ଗେ ପ୍ରତି ଘଂଟାରେ ଏହାର ଅଗ୍ରଗତି ଜଣାଇଥିଲେ ମଧ୍ୟ ସରକାରୀ କଳ ଏହାକୁ ଅତି ହାଲକା ଭାବେ ନେଇଥିଲେ । ଏହି ସମୟରେ ପବନର ବେଗ ଘଂଟା ପ୍ରତି ୧୬୫କିମିକୁ ଛୁଇଁପାରେ ବୋଲି ଅାଂଚଳିକ ପାଣିପାଗ ବିଭାଗ ଦୂରଦର୍ଶନ ଓ ସମ୍ବାଦପତ୍ରକୁ ଆଗୁଆ ସୂଚନା ଦେଇଥିଲେ ।
ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ୧୧ ତାରିଖ ଦିନ ଏହି ବାତ୍ୟା ଗୋପାଳପୁର ଓ କଳିଙ୍ଗପଟନମ ମଧ୍ୟରେ ଓଡିଶା ପାର ହେବ । ଏହି ସମୟରେ ଘଂଟା ପ୍ରତି ୧୬୫କି.ମି ବେଗରେ ପବନ ବହିବ । ପ୍ରବଳ ବର୍ଷା ମଧ୍ୟ ହେବ । ଯାହାଫଳରେ ବଂଶଧାରା ଓ ରୁଷିକୁଲ୍ୟା ନଦୀରେ ବନ୍ୟା ଆଶଙ୍କା ରହିଛି ।
ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ପାଇ ରେଳବାଇ ବିଭାଗ ପକ୍ଷରୁ କଂଟ୍ରୋଲ ରୁମ ଖୋଲଯାଇ ଜନସାଧାରଣଙ୍କୁ ଆଗୁଆ ସୂଚନା ଦିଆଯାଇଥିଲା । ବିଜୟନଗରମରୁ ଖୋର୍ଦ୍ଦା ମଧ୍ୟରେ କୌଣସି ଟ୍ରେନ ଅଟକିବ ନାହିଁ । ଅନେକ ଟ୍ରେନକୁ ମଧ୍ୟ ବାତିଲ କରିଦିଆଯାଇଥିଲା । ଏପରିକି ପରବର୍ତୀ ନିଦେ୍ର୍ଦଶ ନ ମିଳିବା ପର୍ଯ୍ୟନ୍ତ ଟ୍ରେନ ଚଳାଚଳକୁ ବାତିଲ କରିଦିଆଯାଇଥିଲା । ଅନେକ ଟ୍ରେନର ଗତିପଥ ବଦଳାଇ ଦିଆଯାଇଥିଲା । ବିମାନ ବନ୍ଦର କର୍ତୃପକ୍ଷ ମଧ୍ୟ କୌଣସି ବିମାନ ରାତିରେ ପାର୍କିଙ୍ଗ କରିବ ନାହିଁ ବୋଲି ଘୋଷଣା କରିଥିଲେ । ସବୁ ବନ୍ଦରରେ ଡ଼େଞ୍ଜର ସିଗନାଲ ଦିଆଯାଇଥିଲା । ରାଜ୍ୟର ୭ଟି ଜିଲାକୁ ରେଡ ଓ୍ôାର୍ଣ୍ଣିଂ ଦିଆଯାଇଥିଲା । ଦୂରଦର୍ଶନ ପକ୍ଷରୁ ସାରାରାତି ଉଜାଗର ରହି ବାତ୍ୟାର ଅଗ୍ରଗତି ସମ୍ପର୍କରେ ସୂଚନା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବାତ୍ୟା ଓ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସରକାରି କଳକୁ ନିଦେ୍ର୍ଦଶ ଦେଇଥିଲେ । ଏଥିପାଇଁ ପୂର୍ବଦିନ ସନ୍ଧ୍ୟାରେ ଅଚାନକ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟକୁ ପରିଦର୍ଶନ କରି ସତର୍କତାମୂଳକ ପଦକ୍ଷେପର ସମୀକ୍ଷା କରିଥିଲେ । ବିପର୍ଯ୍ୟୟ ପରିସ୍ଥିିତିରେ ଯେମିତି କୌଣସି ଲୋକଙ୍କ ଜୀବନହାନି (ଜିରୋ କାଜୁଆଲିଟି) ନଘଟେ ସେଥିପ୍ରତି ଗୁରୁତ୍ୱଦେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ଏତଦବ୍ୟତୀତ ଚିଫସେକ୍ରେଟାରି ଶ୍ରୀ ପାଢି, ପୋଲିସ ଡି.ଜି ଶ୍ରୀ ଶର୍ମା, ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସେଠୀ, ଜଳସମ୍ପଦ ସଚିବ ଶ୍ରୀ ଜେନା ସମୀକ୍ଷା ବୈଠକରେ ଯୋଗଦେଇ ବାତ୍ୟା ପାଇଁ ସେମାନେ ପ୍ରସ୍ତୁତ ବୋଲି କହିଥିଲେ । ମୁଖ୍ୟ ସଚିବ ମଧ୍ୟ କ୍ୟାବିନେଟ ସଚିବ ଶ୍ରୀ ସିହ୍ନାଙ୍କ ସହିତ ବାତ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତଳୁଆ ଅଂଚଳର ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବା କଥା କୁହାଗଲା । ଓଡିଶା ସରକାର ବାତ୍ୟାକୁ ମୁକାବିଲା କରିବା ପାଇଁ ୧୮ଟି ଏନଡିଆରଏଫ ଦଳକୁ ମୁତୟନ କରିବା ସହ ଓଡ୍ରାଫ ବାହିନି, ଅଗ୍ନିସମ ବାହିନୀ, ପୋଲସ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ପ୍ରସ୍ତୁତ ରହିଥିବା କଥା କୁହାଗଲା । ତେଣୁ ବାତ୍ୟା ଓ ବନ୍ୟା ସମୟରେ ଧନଜୀବନ ହାନିର ଆଶଙ୍କା ନ ଥିଲା । ବାତ୍ୟାଂଚଳର ସମସ୍ତ ସ୍କୁଲକଲେଜକୁ ଆଗୁଆ ଛୁଟି ଘୋଷଣା କରାଯାଇଥିଲା । ଜଳସମ୍ପଦ ବିଭାଗ ସଚିବ ବନ୍ୟାପାଇଁ ପ୍ରସ୍ତୁତ ବୋଲି ସୂଚନା ଦେଇଥିଲେ । ଏତେ ପ୍ରସ୍ତୁତି ସତ୍ୱେ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୫୭ ଜଣ ନୀରିହ ଲୋକ ମରିବା ସହିତ ବହୁ ବ୍ୟକ୍ତି ନିଖୋଜ ଥିବାର ଅଭିଯୋଗ ହେଉଛି । ଏଠାରେ ପ୍ରଶ୍ନ ଉଠେ, ସମ୍ପୃକ୍ତ ଅଂଚଳରେ କ’ଣ ଆଗୁଆ ବାତ୍ୟା/ବନ୍ୟା ସୂଚନା ଦିଆଯାଇନଥିଲା? ରାଜଧାନୀରେ ଅଧିକାରୀମାନେ ଦୂରଦର୍ଶନ ଓ ସମ୍ବାଦପତ୍ରରେ ବିବୃତି ଦେବା ବାତ୍ୟାଂଚଳ ପାଇଁ ଯଥେଷ୍ଟ ଥିଲାକି? ଘୋଷଣା ଓ ଦୁର୍ଗତ ଅଂଚଳରେ କାର୍ଯ୍ୟ ମଧ୍ୟରେ ଫରକ ଦେଖାଦେଲା କାହିଁକି? ସ୍ଥାନାନ୍ତର କଣ ଯଥେଷ୍ଟ ନଥିଲା?
ଏ ସମ୍ପର୍କରେ କେତେକ ତଥ୍ୟ ସରକାର ଓ ଜନତାଙ୍କ ଅବଗତି ନିମନ୍ତେ ଦିଆଗଲା । ପ୍ରଥମତଃ ସ୍ୱତନ୍ତ୍ର ରିଲିଫ କମିଶନର ଠିକ ଭାବେ କାର୍ଯ୍ୟ କରିନାହାନ୍ତି । ସେ ରାଜସ୍ୱ ଡିଭିଜିନାଲ କମିଶନର, ଜିଲ୍ଲାପାଳ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଚିଠିରେ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ଅନୁନ୍ନତ ଅଂଚଳରେ କି କି ପଦକ୍ଷେପ ନିଆଯାଇଛି, ତାହା ସମୀକ୍ଷା କରିନାହାନ୍ତି । ପୂର୍ବରୁ କମିଶନର ଥିବା ପ୍ରଦୀପ୍ତ କୁମାର ମହାପାତ୍ର ଅତି ଦକ୍ଷତା ଓ ଚତୁରତାର ସହ ଏହାଠାରୁ ବଡ ଧରଣର ବାତ୍ୟାର ସମୁଖୀନ ହୋଇଥିଲେ ମଧ୍ୟ ସଠିକ ପରିଚାଳନା କରିଥିଲେ । ତିତଲି ବାତ୍ୟା ପରିଚାଳନା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଲାଣି । ତାଙ୍କୁ ପୁଣି ଉଚଶିକ୍ଷା ବିଭାଗର ସଚିବ ଦାଇତ୍ୱ ଦିଆଯାଇଛି । ରାଜ୍ୟରେ ବହୁ ଆଇଏଏସ ଅଫିସର ବସି ବସି ଦରମା ନେଉଥିବା ବେଳେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଅତିରିକ୍ତ ଦାଇତ୍ୱ ଦେବା ସମିଚୀନ ନୁହେଁ ।
ଦ୍ୱିତୀୟରେ ଗଜପତି ଜିଲ୍ଲାପାଳ ଠିକ ଭାବେ କାର୍ଯ୍ୟ କରିନାହାନ୍ତି । ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରଖିବାରେ ସେ ବିଫଳ ହୋଇଛନ୍ତି । ଏଡିଏମ, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ପ୍ରଭୃତି ଅଧିକାରୀମାନେ ସେମାନଙ୍କ ଅଂଚଳର ସମସ୍ୟା ସମ୍ପର୍କରେ ଅବଗତ ନାହାନ୍ତି । କେଉଁ ଅଂଚଳରେ କଣ ଘଟିବ ସେଥିପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରାଯାଉ ନାହିଁ । ରାଜ୍ୟ ସରକାରଙ୍କ ୩୫ଟି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଜିଲ୍ଲାରେ କାର୍ଯ୍ୟରତ । ସେମାନେ କଣ କରୁଛନ୍ତି? ଗାଡି ଓ ଅଫିସକୁ ଚିକ ଚିକ କରିଦେଲେ ବାତ୍ୟା ଓ ବନ୍ୟାର ମୁକାବିଲା କରିହେବ ନାହିଁ । ରାତିରେ କଂଟ୍ରୋଲ ରୁମ ଖୋଲା ରଖିଲେ ସମସ୍ୟା ସମାଧାନ ହୁଏନା । ତୃତୀୟରେ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳ ପ୍ରଶାସନ ଏହି ବିପର୍ଯ୍ୟୟ ପାଇଁ ଦାୟି । ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଶାସନ କାଳରେ ସରକାରୀ କର୍ମଚାରୀଙ୍କ ଦରମା ଓ ପଦୋନ୍ନତି ବହୁ ପରିମାଣରେ ବଢିଯାଇଛି । କିନ୍ତୁ ଦକ୍ଷତା, ସାଧୁତା ଓ କର୍ତବ୍ୟନିଷ୍ଠା ହ୍ରାସ ପାଇଛି । ଓଡିଶା ପ୍ରଶାସନିକ ସେବାକୁ ପ୍ରାରମ୍ଭରେ ପ୍ରଥମଶ୍ରେଣୀ କରାଯାଇ ଅହେତୁକ ଲମ୍ବା କ୍ୟାଡର କରାଯାଇଛି । ରାଜ୍ୟର ଅଧିକାଂଶ ଓଏଏସ ଅଫିସର ରାଜଧାନୀରେ ୧୫ବର୍ଷରୁ ଅଧିକ ଦିନ ଧରି କାମ କରୁଛନ୍ତି । ସେମାନେ କେବିକେ କିମ୍ବା ଅନୁନ୍ନତ ଅଂଚଳ ଦେଖିନାହାନ୍ତି । କେବଳ କାଗଜ କଲମରେ ରିପୋର୍ଟ ପ୍ରସ୍ତୁତ ହେଉଛି । ଢେଂକାନାଳ, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାର ଅଧିକାରୀମାନେ ରାଜଧାନୀରେ ରହି ପ୍ରତ୍ୟେକଦିନ ଯିବା ଆସିବା କରନ୍ତି । ସେମାନଙ୍କ ପିଲାମାନେ ରାଜଧାନୀରେ ପଢୁଛନ୍ତି । ନାଁକୁ ମାତ୍ର ମୁଖ୍ୟଦପ୍ତରରେ ପୋଷ୍ଟିଙ୍ଗ । ସଚିବାଳୟରେ ଆବଶ୍ୟକତାଠାରୁ ଅଧିକ ଅଫିସର ନିଯୁକ୍ତି ଦିଆଯାଇଛି । କାମ ନଥାଇ ପଦବୀ ସୃଷ୍ଟି । ଅଥଚ ଉପାନ୍ତ ଅଂଚଳରେ ୫୦ଭାଗ ପଦବୀ ଖାଲି । ବର୍ଷସାରା ୫୦ଟି ବିଡିଓ ପଦବୀ ଖାଲି । ଗ୍ରାମସେବକ ଓ ଜୁନିୟର ଇଞିନିୟରଙ୍କ ରିପୋର୍ଟ ଉପରେ ବ୍ଲକ ଓ ଜିଲ୍ଲା ପ୍ରଶାସନ ଚାଲୁଛି । ଅଧିକାରୀମାନେ ଲୋକମାନଙ୍କ ସହିତ ସମ୍ପର୍କ ରଖିବାକୁ ନାରାଜ । ତେଣୁ ଅଧିକାରୀମାନଙ୍କୁ ସରକାରଙ୍କ ବ୍ୟତୀତ ଜନସାଧାରଣଙ୍କ ନିକଟରେ ଉତରଦାୟି କରାଯାଉ । ଆଦିବାସୀ ଅଧୁ୍ୟଷିତ ଅଂଚଳରେ କାମ କରିନଥିବା ଅଧିକାରୀଙ୍କୁ ପଦୋନ୍ନତି ଦିଆନଯାଉ । ବହୁ ଜିଲ୍ଲାପାଳ ରାଜଧାନୀରେ ବାସଗୃହ ରଖି ବିଭିନ୍ନ ବୈଠକ, ମିଟିଂ ଦେଖାଇ ରାଜଧାନୀକୁ ଆସୁଛନ୍ତି । ଏପରି ଅଧିକାରୀଙ୍କ ଜିଲ୍ଲାର ଉନ୍ନତି ପାଇର୍ ଆନ୍ତରିକତା ନାହିଁ । ଦଳୀୟ ନେତାଙ୍କୁ ଖୁସ କରି ବା ଲାଂଚ ଦେଇ ପୋଷ୍ଟିଂ ପାଉଛନ୍ତି । ତୃତୀୟ ମହଲାକୁ ସନ୍ତୁଷ୍ଟ କଲେ ସବୁ ଠିକ । ଏତେବେଳକୁ ଦାୟି କିଏ? ତୃତୀୟ ମହଲା ନାଁ ଦଳୀୟ ନେତା? ବିରୋଧୀ ଦଳ ନବୀନ ବାବୁଙ୍କୁ ଦୋଷ ଦେଉଛନ୍ତି । ତାଙ୍କ ଭାବମୂର୍ତିରେ କାଳିମା ଲାଗୁଛି । ଅଫିସରଙ୍କ କଣ ଅଛି? ଏବେଠାରୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରନ୍ତୁ, ନହେଲେ ଲେଡିଗୁଡ କହୁଣିକୁ ବୋହିଯିବ ଯେ! ଓଏନ୍ଏସ୍/ଆଇଏନ୍ଏସ୍ ।