ଅନୁଗୁଳ ଇଷ୍ପାତ କାରଖାନାର କ୍ଷମତା ବାର୍ଷିକ ୨୦ ନିୟୁତ ଟନ୍ କୁ ବୃଦ୍ଧି କରାଯିବ : ନବୀନ ଜିନ୍ଦଲ
ଭୁବନେଶ୍ୱର, (ଆଇଏନ୍ଏସ୍): ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଲିମିଟେଡ୍ (ଜେଏସପିଏଲ) ତାର ଅନୁଗୁଳ ସ୍ଥିତ ଇସ୍ପାତ କାରଖାନାର ଇସ୍ପାତ ନିର୍ମାଣ କ୍ଷମତା ୨୦୩୦ ସୁଦ୍ଧା ବାର୍ଷିକ ୨୦ ନିୟୁତ ଟନ୍ କୁ ବୃଦ୍ଧି କରିବ । “ଅନୁଗୁଳର ଇସ୍ପାତ କାରଖାନାକୁ ସଂପୂର୍ଣ୍ଣଭାବେ ସୁଦୃଢ କରିବା ପରେ, ୨୦୨୧ରୁ ଆମେ ଏକ ନୂଆ ଯାତ୍ରା ଆରମ୍ଭ କରିବୁ । ଭାରତ ସରକାରଙ୍କ ଜାତୀୟ ଇସ୍ପାତ ନୀତି ଅନୁଯାୟୀ ୨୦୩୦ରେ ବାର୍ଷିକ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷକୁ ସମର୍ଥନ କରି ୨୦୩୦ ମଧ୍ୟରେ ଅନୁଗୁଳ ଇସ୍ପାତ କାରାଖାନାର କ୍ଷମତା ବାର୍ଷିକ ୨୦ ନିୟୁତ ଟନ୍ କୁ ବୃଦ୍ଧି କରାଯିବ,” ବୋଲି ଜେଏସପିଏଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଆଜି ସଚିବାଳୟରେ ମୂଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟିବା ପରେ କହିଛନ୍ତି । ଜେଏସପିଏଲ ତାର ଏହି କ୍ଷମତା ସଂପ୍ରସାରଣ କାର୍ଯ୍ୟ ନିମନ୍ତେ କୌଣସି ଋଣ କରିବ ନାହିଁ । ପ୍ରଥମେ ଆମେ ଆମର ସମସ୍ତ ଋଣ ପରିଶୋଧ କରିବା ପରେ, ଏହି ସଂପ୍ରସାରଣ କାର୍ଯ୍ୟ ପାଇଁ ନିଜର ନିଜସ୍ୱ ରୋଜଗାର ଓ ଇକ୍ୱିଟି ମାଧ୍ୟମରେ ଅର୍ଥ ଯୋଗାଡ କରିବ । ଆଗାମି ୧୨ ବର୍ଷ ମଧ୍ୟରେ ବାର୍ଷିକ ୨୦ ନିୟୁତ ଟନ୍ କ୍ଷମତା ହାସଲ କରିବା ନିମନ୍ତେ ଜେଏସପିଏଲ ଯୋଜନା କରିସାରିଛି ।
ଶ୍ରୀ ଜିନ୍ଦଲ ଆହୁରି ମଧ୍ୟ ଜଣାଇଥିଲେ ଯେ, ଅନୁଗୁଳ ଠାରେ ପ୍ରତିଷ୍ଠିତ ବ୍ଲାଷ୍ଟ ଫର୍ଣ୍ଣାସ୍ ବର୍ତମାନ ସୁଦୃଢ ହୋଇ ସାରିଛି ଏବଂ ଦୈ÷ନିକ ୯୦୦୦ ଟନ୍ ଉତପ୍ତ ଲୁହା ଉତ୍ପାଦନ କରୁଛି । ଚଳିତ ବର୍ଷ ୩ ନିୟୁତ ଟନ ଇସ୍ପାତ ଉତ୍ପାଦନ ଓ ଆଗାମି ବର୍ଷ ୫.୪ ନିୟୁତ ଟନ ଇସ୍ପାତ ଉତ୍ପାଦନ କରିବା ନିମନ୍ତେ କଂପାନୀ ଆଶାବାଦୀ ।
ଏହା ସହିତ ୫୦୦ କୋଟି ଟଙ୍କା ନିବେଶ କରି ଜେଏସପିଏଲ ଅନୁଗୁଳରେ ଏକ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା କରିବା ସହିତ, ୯୫୦ କୋଟି ଟଙ୍କା ନିବେଶ କରି ବଡବିଲ ଠାରୁ ଅନୁଗୁଳ ପର୍ଯ୍ୟନ୍ତ ଏକ ସ୍ଲରି ପାଇପ୍ ଲାଇନ୍ ନିର୍ମାଣ କରିବ ।
କଂଚାମାଲ ବିଷୟରେ ଆଲୋଚନା କରି ଶ୍ରୀ ଜିନ୍ଦଲ କହିଲେ ଯେ, କଂଚାମାଲ ଏବେ ବି ଏକ ସମସ୍ୟା । ଭାରତରେ ବିଶ୍ୱର ୫ମ ବୃହତମ କୋଇଲା ଗଛିତ ଥିଲେ ମଧ୍ୟ ଦେଶରେ କୋଇଲା ବିଶ୍ୱର ସବୁଠୁ ବ୍ୟୟସାପେକ୍ଷ । ଶିଳ୍ପାନୁଷ୍ଠାନଙ୍କୁ ଉଚିତ ମୂଲ୍ୟରେ କୋଇଲା ପହଂଚାଇବାକୁ କୋଲ୍ ଇଣ୍ଡିଆ ନିଶ୍ଚିତ କରିବା ଆବଶ୍ୟକ ।
ସେ ଅହୁରି ମଧ୍ୟ କହିଥିଲେ ଯେ, ଗତ ଏକ ବର୍ଷମଧ୍ୟରେ ଲୁହାପଥର ଦର ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି । ଲୁହାପଥର ଯୋଗାଣ ବୃଦ୍ଧି କରିବା ନିମନ୍ତେ ସରକାର ବନ୍ଦ ଥିବା ଖଣିଗୁଡିକୁ ଚାଲୁ କରିବା ନିମନ୍ତେ ପଦକ୍ଷେପ ନେବା ସଂଗେ ସଂଗେ ଉଚିତ ମୂଲ୍ୟରେ ଇସ୍ପାତ କଂପାନୀ ମାନଙ୍କୁ ଲୁହାପଥର ଯୋଗାଣ ବ୍ୟବସ୍ଥା କରିବା ଆବଶ୍ୟକ । ଏହା ଦ୍ୱାରା ରାଜ୍ୟରେ ଥିବା ଇସ୍ପାତ ଶିଳ୍ପର ବିକାଶ ହେବ ।
ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମରେ ରାଜ୍ୟରେ ପୁଞ୍ଜି ନିବେଶ ବୃଦ୍ଧି ନିମନ୍ତେ ସରକାରଙ୍କ ପ୍ରଚେଷ୍ଠାକୁ ପ୍ରଶଂସା କରି ଶ୍ରୀ ଜିନ୍ଦଲ କହିଲେ ଯେ, ଓଡିଶାରେ ପ୍ରଚୁର ସଂଭାବନା ରହିଛି । ରାଜ୍ୟରେ ଏକ ବିଶାଳ ଯୁବଶକ୍ତି ଅଛନ୍ତି । ରାଜ୍ୟରେ ପୁଞ୍ଜି ନିବେଶ ସରକାରଙ୍କ ପ୍ରଚେଷ୍ଠାକୁ ଆମେ ସମର୍ଥନ କରୁଛୁ ।
ଆଜି ଶ୍ରୀ ଜିନ୍ଦଲ ଇସ୍ପାତ ଓ ଖଣି ପ୍ରମୂଖ ସଚିବ ଶ୍ରୀ ଆର.କେ. ଶର୍ମା ଏବଂ ଶିଳ୍ପ ପ୍ରମୂଖ ସଚିବ ଶ୍ରୀ ସଂଜିବ ଚୋପ୍ରାଙ୍କୁ ମଧ୍ୟ ଭେଟିଥିଲେ ।