ବିଜୁବାବୁ ବି ଅସଲ ହିରୋ!

ସୁବାସ ଷଡଙ୍ଗୀ
ତିନି ଦଶନ୍ଧିରୁ ଅଧିକ ସମୟ ଧରି ଆମେ ୩୧ ଅକ୍ଟୋବରକୁ ବଳିଦାନ ଦିବସ ଭାବେ ପାଳନ କରୁଛୁ । ଏଇ ଦିନ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଦୁଇ ସୁରକ୍ଷାକର୍ମୀ ଗୁଳିକରି ହତ୍ୟା କରିଥିଲେ । ୧୯୪୮ ମସିହା ଜାନୁୟାରି ୩୦ ତାରିଖ ମଧ୍ୟ ଆମ ପାଇଁ ଏକ କଳାଦିନ । ଏଇ ଦିନ ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗଡସେ ପ୍ରାର୍ଥନା ସଭାରେ ଗୁଳି କରି ହତ୍ୟା କରିଥିଲା, ୧୯୪୮ ଏବଂ ୧୯୮୪ ମସହା ଆମ ପାଇଁ କଳାବର୍ଷ ।
ଅଥଚ ଆଜିକୁ ୧୪୩ ବର୍ଷ ପୂର୍ବେ ୩୧ ଅକ୍ଟୋବରରେ ଏଭଳି ଜଣେ ଦେଶଭକ୍ତ ଯିଏ ଅଖଣ୍ଡ ଭାରତର ସ୍ୱପ୍ନ ଦେଖିଥିଲେ, ତାଙ୍କର ଜନ୍ମଦିନ । ସେ ତାଙ୍କର ତ୍ୟାଗ, ତୀତିକ୍ଷା ଏବଂ କଠିନ ହୁଦୟଜନିତ ନିଷ୍ପତି ନେଇ ଭାରତରେ ଐକ୍ୟ ପ୍ରତିଷ୍ଠା କରିଥିଲେ । ସେ ହେଲେ ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ । କିନ୍ତୁ ଦୁଃଖର କଥା ହେଉଛି, ପଟେଲ ଆଜି ଭାରତର ଯୁବ ମାନସରୁ ବିସ୍ମୃତ ପ୍ରାୟ ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଟେଲଙ୍କର ସ୍ମୃତିଚାରଣ କରିବା ସହିତ ତାଙ୍କର ତ୍ୟାଗ ନିଷ୍ଠାକୁ ଅବିସ୍ମରଣୀୟ କରି ରଖିବା ପାଇଁ, ଗୁଜରାଟର ରାଜପିପନାଠାରେ ବିଶ୍ୱର ବୃହତମ ଅର୍ଥାତ ୧୮୨ମିଟର ଉଚତାର ଏକ ପୂର୍ଣ୍ଣାୟବୟବ ମୂର୍ତିି ସ୍ଥାପନ କରିଛନ୍ତି । ଯାହାଫଳରେ ଭାରତର ଲୌହ ମାନବଙ୍କୁ କଂଗ୍ରେସରୁ ମୁକ୍ତ କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କର ଏହା ଏକ ରାଜନୈତିକ ଚାଲ ହୋଇପାରେ । ସେ ପଟେଲଙ୍କ ମୂର୍ତି ସ୍ଥାପନ କରି ଗୁଜରାଟି ଭାବାବେଗକୁ ଉଜ୍ଜୀବିତ କରି ରଖିବାକୁ ଚାହାନ୍ତି । ମାତ୍ର ଏଥିପାଇଁ ଅଢେଇ ହଜାର କୋଟି ଟଙ୍କା ଖର୍ଚ କରିବାର କୌଣସି ଆବଶ୍ୟକତା ନଥିଲା ।
ଇତିହାସକୁ ଏଠାରେ ସ୍ମରଣ କରିବା ଦରକାର । ୧୯୪୬ ମସିହାରେ ଯେତେବେଳେ କଂଗ୍ରେସର ନିର୍ବାଚଚନ ହେଲା ସେତେବେଳେ ୧୫ଟି ରାଜ୍ୟ ମଧ୍ୟରୁ ୧୨ଟି ରାଜ୍ୟର କଂଗ୍ରେସ ସଭାପତିମାନେ ପଟେଲ ସଭାପତି ହୁଅନ୍ତୁ ବୋଲି ପ୍ରସ୍ତାବ ଗ୍ରହଣ କରି ପଠାଇଥିଲେ । ତିନୋଟି ରାଜ୍ୟ କାହାର ନାମ ପ୍ରସ୍ତାବ ଦେଇନଥିଲେ । ମାତ୍ର ଗାନ୍ଧିଜୀ ଚାହୁଁ ନଥିଲେ, ପଟେଲ ସେଥରକ କଂଗ୍ରେସର ସଭାପତି ହୁଅନ୍ତୁ । ଏଣୁ ଗାନ୍ଧିଜୀଙ୍କ ଇଛାକୁ କାର୍ଯ୍ୟକାରି କରିବା ପାଇଁ ପଟେଲ ନିର୍ବାଚନରେ ନେହେରୁଙ୍କୁ ଛାଡି ଦେଇଥିଲେ । ଗାନ୍ଧିଜୀ ଜାଣିଥିଲେ, ଯିଏ କଂଗ୍ରେସର ସଭାପତି ହେବ, ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେବ ।
ସ୍ୱାଧୀନତା ଲାଭ ପରେ ୫୬୫ଟି ରାଜ୍ୟ ଭାରତର ଅନ୍ତର୍ଭୁକ୍ତ ହୋଇ ନଥିଲେ । ସେତେବେଳେ ସେମାନଙ୍କୁ ମିଶାଇବା ପାଇଁ ପଟେଲ ହିଁ ଉଦ୍ୟମ କରିଥିଲେ । ପଟେଲ ବିଭିନ୍ନ ରାଜାମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଭାରତରେ ମିଶାଇଥିଲେ । ଯେଉଁମାନେ ରାଜି ହୋଇ ନଥିଲେ ସେମାନଙ୍କୁ ଧମକ ଦିଆଯାଇଥିଲା । ଏମିତିକି ସେମାନଙ୍କ ବଂଶଧରମାନଙ୍କୁ ପ୍ରିଭି ପର୍ସ ବା ରାଜନ୍ୟ ଭତା ଦେବାକୁ କୁହାଯାଇଥିଲା । ପଟେଲଙ୍କ ସବୁ ପ୍ରକାରର ଉଦ୍ୟମ ସତ୍ୱେ ତିନୋଟି ରାଜ୍ୟ ମିଶିନଥିଲେ । ସେମାନେ ହେଲେ ଗୁଜରାଟର ଜୁନାଗଡ, ହାଇଦ୍ରାବାଦ ଏବଂ ଜାମୁ ଓ କାଶ୍ମୀର । ଜୁନାଗଡ ଉପରେ ଆକ୍ରମଣ ପାଇଁ ପଟେଲ ସେନା ପ୍ରେରଣ କରିଥିଲେ । ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଜୁନାଗଡ ଭାରତରେ ବିଲୟ ହୋଇଥିଲା । ସେଇପରି ହାଇଦ୍ରାବାଦ ମଧ୍ୟ ।
କାଶ୍ମୀର କିନ୍ତୁ କିଛି ନିଷ୍ପତି ନେଇନଥିଲା । ରାଜା ହରି ସିଂ କୌଣସି ନିଷ୍ପତି ନେଇନଥିଲେ । ଏଇ ସମୟରେ ଅର୍ଥାତ ୧୯୪୭ ମସିହା ସେପ୍ଟେମ୍ବର ମାସରେ ପାକିସ୍ଥାନର ସଶସ୍ତ୍ର ପାଖତୁନ ୁପଜାତିର ସେନା ଭାରତ ଆଡକୁ ମାଡି ଆସିଲେ । ପ୍ରଧାନମନ୍ତ୍ରୀ ନେହେରୁ ଓ ମାଉଂଟବେଟେନ ହରି ସିଂଙ୍କ ଚୁକ୍ତି ପର୍ଯ୍ୟନ୍ତ ଅପେକ୍ଷାରେ ରହିଲେ । ରାଜା ହରି ସିଂ ଅକ୍ଟୋବର ତୃତୀୟ ସପ୍ତାହରେ ଭାରତରେ ମିଶିବା ନେଇ ଚୁକ୍ତି କଲେ । ସେତେବେଳକୁ ପାଖତୁନ ସେନା ଶ୍ରୀନଗରଠାରୁ ମାତ୍ର ୪୦ କିଲୋମିଟର ଦୂରରେ । ଉତର-ପଶ୍ଚିମ ଦିଗରେ । ସେଠାକୁ ଦିଳ୍ଲି ବା ଜାମୁରୁ ଆକାଶପଥରେ ଯିବା ମୁସ୍କିଳ । ବନିହାଲ ପାର ହୋଇ ଡାକୋଟା ବିମାନ ଶ୍ରୀ ନଗର ଯାଇ ପାରିବ ନାହିଁ ବୋଲି ସମସ୍ତେ ଧରି ନେଇଥିଲେ ।
ଏଇ ସମୟରେ ବିଜୁ ପଟନାୟକ ଆଗେଇ ଆସିଥିଲେ । ସେତେବେଳେ ବିଜୁବାବୁ କଳିଙ୍ଗ ଏୟାରଲାଇନ୍ସର ମାଲିକ ଓ ଜଣେ ଦକ୍ଷ ପାଇଲଟ । ନେହେରୁ ତାଙ୍କୁ ଅନୁରୋଧ କଲେ । ପଟେଲ ମଧ୍ୟ । ବିଜୁ ପଟନାୟକ ରାଜି ହେଲେ ।
ଅକ୍ଟୋବର ୨୬ ତାରିଖରେ ଚୁକ୍ତି ହେଲା । ଅକ୍ଟୋବର ୨୭ ତାରିଖରେ ବିଜୁବାବୁ ପ୍ରଥମ ଶିଖ ରେଜିମେଂଟର ସୈନ୍ୟମାନଙ୍କୁ ନେଇ ଶ୍ରୀନଗର ଯାତ୍ରା କଲେ ନିଜ ଡାକୋଟା ବିମାନରେ । ସେତେବେଳେ ଥାଏ, ଡିସି-୩ ଡାକୋଟା ବିମାନ । ବିଜୁବାବୁଙ୍କ ଅଦମ୍ୟ ସାହସ ପାଇଁ ଶିଖ ରେଜିମେଂଟ ପାଖତୁନ ସୈନ୍ୟଙ୍କୁ ଶ୍ରୀନଗରରୁ ୩୦ କିଲୋମିଟର ଦୂରରେ ଅଟକାଇବାକୁ ସମର୍ଥ ହୋଇପାରିଲା । ଏମିତି ଭାବେ କାଶ୍ମୀର ଦୁଇଭାଗ ହୋଇଗଲା ।
କାଶ୍ମୀରର ଭାରତ ମିଶ୍ରଣରେ ନେହେରୁ ଓ ପଟେଲଙ୍କର ଯେତିକି ଭୂମିକା ରହିଛି, ବିଜୁବାବୁଙ୍କର ମଧ୍ୟ ସେତିକି ରହିଛି । କାରଣ ବିଜୁବାବୁଙ୍କ ଶୌର୍ଯ୍ୟର ସ୍ୱୀକୃତି ସ୍ୱରୂପ ୨୭ ଅକ୍ଟୋବରକୁ ସେନାବାହିନୀରେ ଇନଫ୍ୟାନଟ୍ରି ଡେ ପାଳନ କରାଯାଏ । କଥା ହେଉଛି, କଂଗ୍ରେସ ଏସବୁ ଶୌର୍ଯ୍ୟଗାଥାକୁ ଲୁଚାଇ ଦେଇ ନିଜ ଗୁଣଗାନରେ ଲିପ୍ତ ଥିଲା ।
ଯାହାହେଉ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପଟେଲଙ୍କୁ ମନେ ପକାଇଲେ । ଏହା ପଛରେ ରହିଛି, ଇନ୍ଦିରା ଗାନ୍ଧୀଙ୍କ ବଳିଦାନକୁ ଗୌଣ କରିଦେବା । ସେ ପଟେଲଙ୍କ ଜନ୍ମ ଜୟନ୍ତୀ ପାଳନ କଥା କହୁଥିବାରୁ କଂଗ୍ରେସ ମଧ୍ୟ ଏହାର ବିରୋଧ କରିପାରିବ ନାହିଁ । ପଟେଲଙ୍କ ଜୟନ୍ତୀ ଧୁମଧାମରେ ପାଳନ କରାଯାଉ । ମାତ୍ର ବିଜୁବାବୁ? ତାଙ୍କର ନିଷ୍ଠା ଓ ଅଦମ୍ୟ ସାହସର ସ୍ୱୀକୃତି କାହିଁ? ପ୍ରଧାନମନ୍ତ୍ରୀ ମୋଦି ଏ ବିଷୟରେ ନୀରବ କାହିଁକି? ଏହାର ଜବାବ ଓଡିଶାବାସୀ ନରେନ୍ଦ୍ରମୋଦିଙ୍କୁ ମାଗିବା ଦରକାର ।
ବିଜୁବାବୁ କଂଗ୍ରେସରୁ ରାଜନୀତି କରିଥିଲେ ମଧ୍ୟ ପରେ ଦୂରେଇ ଯାଇଥିଲେ । ସାରାଜୀବନ ଅଣକଂଗ୍ରେସ ରାଜନୀତିର ମୁଖ୍ୟ ଥିଲେ । ସେଥିପାଇର୍ ତାଙ୍କୁ ହତାଦର କରାଯାଇ ନାହିଁତ?
ଏବେ ରାଜ୍ୟରେ ବିଜେଡି ସରକାର । ତାଙ୍କରି ନାମରେ ନାମିତ ଦଳ ଏଠାରେ ୧୮ବର୍ଷ ଧରି ଶାସନ କରୁଛି । ଲୋକପ୍ରିୟ ମଧ୍ୟ । କିନ୍ତୁ ବିଜୁବାବୁଙ୍କ ବୀରତ୍ୱର ଯେପରି ଜୟଗାନ ହେବା କଥା ତାହା ହୋଇପାରି ନାହିଁ ।
ବିଜୁବାବୁଙ୍କ ଶୌର୍ଯ୍ୟଗାଥାକୁ ଓଡିଶାର ଯୁବକମାନଙ୍କ ମଧ୍ୟରେ ଉଜ୍ଜୀବିତ କରି ରଖିବା ପାଇଁ ବିଜୁବାବୁଙ୍କର ଏକ ଦୀର୍ଘତମ ପୂର୍ଣ୍ଣାୟବୟବ ଭୁବନେଶ୍ୱରରେ ପ୍ରତିଷ୍ଠା ହେବା ଦରକାର । ଓଡିଶା ସରକାର ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ଦରକାର । ଯଦି କେନ୍ଦ୍ର ସରକାର ଆର୍ଥିକ ସହଯୋଗ ନଦିଅନ୍ତି, ତେବେ ରାଜ୍ୟ ସରକାର ଏ ବାବଦ ସବୁ ଅର୍ଥ ବହନ କରିବା ଦରକାର ।
ପ୍ରତିକଥାରେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କ ପାଖକୁ ଚିଠି ଲେଖୁଛନ୍ତି । ବିଜୁବାବୁଙ୍କ ମୂର୍ତି ସ୍ଥାପନ ପାଇଁ ଆବଶ୍ୟକୀୟ ଅର୍ଥ ଦେବାକୁ ସେ କେନ୍ଦ୍ର ସରକାରଙ୍କ ଊପରେ ଚାପ ପକାଇବେ କି? ନା କେବଳ ରାଜନୀତି କରିବେ? ଏହାକୁ ରାଜନୀତିରୁ ଦୂରରେ ରଖିବା ଦରକାର ।
ଆମ ସରକାର ଏବଂ ବିଜୁ ଜନତା ଦଳ ଅନେକ ଭଲ କାମ କରୁଛନ୍ତି । ସେଥିପାଇଁ ୧୮ ବର୍ଷ ହେଲା କ୍ଷମତାରେ ରହିଛନ୍ତି । ଓଡିଶାରେ ଆଜି ପର୍ଯ୍ୟନ୍ତ କୌଣସି ଦଳ ଏତେ ଦିନ ଧରି କ୍ଷମତାରେ ରହି ନାହିଁ । ଏଣୁ ବିଜୁବାବୁଙ୍କ ବୀରତ୍ୱର କାହାଣୀକୁ ଅତୁଟ ରଖିବା ପାଇଁ ସରକାର ଉଦ୍ୟମ କରିବା ଦରକାର । ତାହାହିଁ ହେବ ବିଜୁବାବୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଂଜଳି ।
ଏଠାରେ ଆଉ ଗୋଟାଏ କଥା କୁହାଯାଇପାରେ । ଏବେ ବିଜୁ ଯୁବ ବାହିନୀ ଗଠନ କରାଯାଇଛି । ବିଜୁବାବୁଙ୍କ ଅଦମ୍ୟ ସାହସିକତାର କଥା ପ୍ରଚାର କରିବା ପାଇଁ ଏହି ବାହିନୀକୁ ନିୟୋଜିତ କରାଯାଇପାରେ । ବିଜୁବାବୁଙ୍କ ଶୌର୍ଯ୍ୟ ଓ ସାହସିକତା ବାର୍ତା ଏବେ ଓଡିଶାର ଘରେ ଘରେ ପହଂଚାଇ ପାରିଲେ, ଉଭୟେ ବିଜୁ ଜନତା ଦଳ ଏବଂ ସରକାରଙ୍କୁ ଲାଭ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର

Leave a Reply

Your email address will not be published.