ସରକାରି ଚାକିରିର ମୋହ ଓ ବେକାରି ସମସ୍ୟା
ସୁବାସ ଷଡଙ୍ଗୀ
ଅନେକ ସମୟରେ ଗୋଟାଏ ସମ୍ବାଦ ଆମକୁ ଆଲୋଚନାର ଖୋରାକ ଯୋଗାଏ । ବିରୋଧୀ ରାଜନୈତିକ ନେତାମାନଙ୍କୁ ସରକାରଙ୍କୁ ସମାଲୋଚନା କରିବାକୁ ସୁଯୋଗ ସୃଷ୍ଟି କରେ । ତାହା ହେଲା, ଦଶଟା କନେଷ୍ଟବଳ ଚାକିରି ପାଇଁ କୋଡିଏ ହଜାର ଦରଖାସ୍ତ । ସେଥିରେ ପୁଣି ଏମ.ଏ ଓ ପିଏଚଡି ବାଲା ଦରଖାସ୍ତ କରୁଛନ୍ତି । ଏମିତିକି ପିଅନ ପଦବୀ ପାଇଁ ଏମ.ଏ ପାସ କରିଥିବା ବେକାର ଶିକ୍ଷିତ ଯୁବକ ଦରଖାସ୍ତ କରୁଛନ୍ତି । ଏଭଳି ସମ୍ବାଦ ଆମ ଭଳି ତଥାକଥିତ ବୁଦ୍ଦିଜିବୀଙ୍କୁ ଆଲୋଚନାର ଖୋରାକ ଯୋଗାଏ । ଆମେ କହୁ ଏ ସରକାରଟା କିଛି କରୁ ନାହିଁ । ଦେଖୁ ନାହାନ୍ତି, ଅଧ୍ୟାପକ ହେବାକୁ ଯୋଗ୍ୟତା ଥିବା ପିଲା କିନ୍ତୁ ସେଇ କଲେଜ ରେ ପିଅନ ହେବାକୁ ଚାହୁଁଛି । ରାଜନୈତିକ ନେତାମାନେ ସରକାରଙ୍କୁ ସମାଲୋଚନା କରିବାକୁ ଯାଇ କହିବେ, ଏ ସରକାରଟା ପୁରା ଅପାରଗ । ବେକାରି ସମସ୍ୟା ଆସି ଉକ୍ରଟ ହେଲାଣି, ହେଲେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ । ଏହା ବିରୋଧରେ ଆନେ୍ଦାଳନ ହେବ ।
ବାପାଙ୍କ ପଇସାରେ ବାଇକ ଚଢି ବୁଲୁଥିବା ଏବଂ କିଛି ଅର୍ଥ ଓ ଟଙ୍କାରେ ରାଜନେତିକ ନେତାଙ୍କ ପାଇଁ ଜିନ୍ଦାବାଦ ପକାଉଥିବା ପିଲା ସରକାରଙ୍କ ବିରୋଧରେ ନାରା ଦେଇ ଆନେ୍ଦାଳନ/ ଧର୍ମଘଟ କରିବେ । ଏମିତି ଅନେକ କଥା ।
ନିକଟରେ ଓଡିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ରାଜ୍ୟ ସଚିବାଳୟରେ ୫୦୦ଟି ଏଏସଓ ପଦବୀ ପାଇଁ ବିଜ୍ଞାପନ ବାହାରିଛି, ଯେଉଁଥିରେ ଏ ପର୍ଯ୍ୟନ୍ତ ଦଶହଜାରରୁ ଅଧିକ ପିଲା ଦରଖାସ୍ତ କରିସାରିଲେଣି । ଶେଷ ଦିବସ ଅନେକଦିନ ବାକୁ । ଏହା ପୂର୍ବରୁ ଓଡିଶା ଷ୍ଟାଫ ସିଲେକସନ କମିଶନ ପକ୍ଷରୁ ବିଭିନ୍ନ ଚାକିରି ପାଇଁ ପ୍ରାୟ ସତୁରି ହଜାର ପିଲା ଦରଖାସ୍ତ କରିଥିବା କୁହାଯାଉଛି । ଅନେକ କହୁଛନ୍ତି ଏହା ହେଉଛି, ବେକାରି ସମସ୍ୟାର ଆଇନା ।
ପ୍ରକୃତରେ କଣ ସରକାରି ଚାକିର ପାଇଁ ଅଧିକ ପିଲା ଆବେଦନ କଲେ, ଧରି ନିଆଯିବ ଯେ ରାଜ୍ୟରେ ବେକାରି ସଂଖ୍ୟା ବଢି ଚାଲିଛି? ପ୍ରକୃତ ସତ୍ୟ ତାହା ନୁହେଁ । ସମସ୍ୟା ହେଉଛି, ଶିକ୍ଷିତ ପିଲା ନିଜ ଇଛାମୁତାବକ ଚାକିରି ନପାଇଲେ ବାରମ୍ବାର ଚାକିରି ବଦଳାଇବାକୁ ଚାହେଁ । ଏଠାରେ ଏକ ଉଦାହରଣ ଦିଆଯାଇପାରେ ।
ରାଜ୍ୟ ସଚିବାଳୟରେ ଅନେକଦିନ ପରେ ଅନେକଗୁଡିଏ ଏଏସଓ ପଦବୀ ପୂରଣ ହେଲା । ଓପିଏସସି ସଂସ୍ଥା ମାଧ୍ୟମରେ ଏଇସବୁ ପଦବୀ ପୂରଣ ହେଲା । କିଛିଦିନ ତଳର କଥା । ଜଣେ ଏଏସଓଙ୍କ ପାଖକୁ ଯାଇଥିଲି ଏକ କାମରେ । କଥାବାର୍ତା ହେଉ ହେଉ ଜାଣିବାକୁ ପାଇଲି ସେ ଜଣେ ଇଞ୍ଜିନିୟର । ପୂର୍ବରୁ ଜିନ୍ଦଲ କମ୍ପାନୀରେ କାମ କରୁଥିଲି । ଏହାଶୁଣି ଆଶ୍ଚର୍ଯ୍ୟ ହୋଇ ପଚାରିଲି, ଆପଣ ଜଣେ ଇଞ୍ଜିନିୟର । ବଡ ଚାକିରି କରିଥିଲେ । ସେ ଚାକିରି ଛାଡି ସଚିବାଳୟକୁ ଅପେକ୍ଷାକୃତ ଛୋଟ ଚାକିରି କରିବାକୁ କାହିଁକି ଆସିଲେ? ସେ କଣ କହିଲେ ଜାଣନ୍ତି ।
ସରକାରି ଚାକିରି ହେଉଛି ଗଛ ତଳର ଛାଇ । ଥରେ ପାଇଗଲେ, ଚାକିରିଯିବାର ଭୟ ଆଉ ରହେ ନାହିଁ । ପେନଶନ ମଧ୍ୟ ମିଳିବ । ପ୍ରତିଦିନ ଅଫିସ ଆସିବା ଦରକାର ନାହିଁ । ଏମିତିକି ଯଦିବି ଯିବାକୁ ପଡେ, ତେବେ ନିର୍ଦ୍ଦିଷ୍ଟ କିଛି ସମୟ ନାହିଁ । ଅଫିସ ଯେତେବେଳେ ଗଲେ ଚଳିବ । କାମ ନ କଲେ ମଧ୍ୟ ଚାକିରି ଯିବ ନାହିଁ । ଘରୋଇ କମ୍ପାନୀରେ ତାହା ହୋଇପାରିବ ନାହିଁ । ଆଠ ଘଂଟାମାନେ ଆଠ ଘଂଟା । ଚାକିରି ଯିବାର ଭୟ । କାମ ନ କଲେ ଚାକିରି ଚାଲିଯିବ । ସେ ବାବୁ ଜଣକ ସେଦିନ ମନଖୋଲି ତାଙ୍କ କଥା କହିଥିଲେ । ଖାଲି ସେ ବାବୁ କାହିଁକି, ଜାଣିବାକୁ ପାଇଲି, ଯେଉଁମାନେ ସଚିବାଳୟରେ ଏଏସଓ ଚାକିରି ପାଇଛନ୍ତି, ସେମାନଙ୍କ ଭିତରୁ ଅନେକ ତା ପୂର୍ବରୁ ବିଭିନ୍ନ ଘରୋଇ କମ୍ପାନୀ ବା ବ୍ୟାଙ୍କରେ ଚାକିରି କରି ଅଧିକ ଦରମା ପାଉଥିଲେ । କମ ଦରମା ଚାକିରିକୁ ଆଦରି ନେବାର କାରଣ ହେଉଛି, କାମ କମ, ପଦୋନ୍ନତି ବେଶି, ବଦଳି ନାହିଁ ଆଉ ଶେଷରେ ପେନଶନ ।
ଏମିତି ଅନେକ ସୁବିଧା । ଏମିତି ବି ହୋଇପାରେ ଛୋଟକାଟର ସାଇଡ ବେପାର ମଧ୍ୟ କରାଯାଇପାରେ ।
କେବଳ ମୁଁ କାହିଁକି, ଆପଣମାନେ ଖୋଜିଲେ ଏମିତି ଅନେକ ଉଦାହରଣ ପାଇପାରିବେ ।
ମନେ କରାଯାଉ, ସରକାରି ଅଫିସରେ ଶହେଟି ପଦବୀ ପାଇଁ ପଚାଶ ହଜାର ପିଲା ଆବେଦନ କଲେ । ଏମାନଙ୍କୁ ଯଦି କୁହାଯାଏ, ଏମାନଙ୍କୁ ପେନସନ ମିଳିବ ନାହିଁ, ତେବେ କଣ ଏମାନେ ସରକାରି ଚାକିରି ପାଇଁ ଆବେଦନ କରିବେ?ହଁ । ଇତି ମଧ୍ୟରେ ଓଡିଶା ସରକାର ନିଜସ୍ୱ ପେନସନ ଯୋଜନା କାର୍ଯ୍ୟକାରି କରିସାରିଛନ୍ତି । ନିଜ ପେନସନ ନିଜେ ସଂଚୟ କରିବାକୁ ହେବ । ତା ସତ୍ୱେ ସରକାରି ଚାକିରି ପ୍ରତି ଏତେ ଆଗ୍ରହ କାହିଁକି? କାରଣ, ଚାକିରି ସହଜରେ ଯିବ ନାହ । ମନଇଛା ଅଫିସ ଗଲେ ଚଳିବ । ଇଏ ହେଉଛି, ଅସଲ ସ୍ୱରୂପ ଚାକିରିର ।
ସେଥିପାଇଁ କୁହାଯାଇପାରେ ସରକାରୀ ଚାକିରି ପାଇଁ ଆବେଦନ ସଂଖ୍ୟାକୁ ଆଧାର କରି ବେକାର ସଂଖ୍ୟା ନିର୍ଦ୍ଧାରଣ କରାଯାଇପାରିବ ନାହିଁ । ଅଥନୀତି କହେ, ଯେତେଜଣ ଶ୍ରମ ବଦଳରେ ଅର୍ଥ ପାଉଛନ୍ତି, ଆଉ ଯେତେଜଣ କାମ କରୁଛନ୍ତି, ତାର ଫରକଟି ହେଉଛି, ବେକାର । ମାତ୍ର ଏହା ଭୁଲ । ଖାଲି ଓଡିଶା କାହିଁକି ସାରା ଭାରତରେ ସରକାରି ଚାକିରି ପାଇଁ ବିଶେଷ ଆଗ୍ରହ ।
ଅର୍ଥନୀତିରେ କର୍ମସଂସ୍ଥାନ ନେଇ ଅନେକ ଗବେଷଣା ହେଉଛି । ଖାଲି ଭାରତ କାହିଁକି, ସମଗ୍ର ବିଶ୍ୱରେ ସରକାରି ଚାକିରି ପ୍ରତି ଖୁବ ଆଗ୍ରହ । ତାର କାରଣ ହେଉଛି, ଗୋଟାଏ ପଟରେ ଦେଶର ଆୟ ଓ ଶ୍ରୀବୃଦ୍ଧି, ଅନ୍ୟ ପକ୍ଷରେ କ୍ଷମତା ଉପଭୋଗ କରିବା । କେବଳ ସରକାରି ଚାକିରିରେ ଏହା ସମ୍ଭବ । ଏଣୁ ସରକାରି ଚାକିରି ପ୍ରତି ଆଗ୍ରହ ଅଧିକ ।
ଅର୍ଥନୀତିବିଦମାନେ ଗୋଟାଏ କଥା କୁହନ୍ତି । ସେମାନଙ୍କର ଯୁକ୍ତି ହେଲା, ଗରିବ ଘରର ପିଲା କେବେଳେଲେ ବେକାର ନୁହେଁ । ସେ କିଛି ନା କିଛି କାମ କରେ । ଯିଏ ବେକାର ସେ ସବୁବେଳେ କାମ ଖୋଜେ । କିନ୍ତୁ ଗରିବ ବା ସ୍ୱଳ୍ପ ଆୟକାରି ପରିବାରର ଶିକ୍ଷିତମାନେ ଛୋଟକାଟର ଚାକିରି କରିବା ବା ସରକାରି/ବ୍ୟାଙ୍କ ବା ସେଇଭଳି ବଡ ଚାକିରି ଖୋଜନ୍ତି । ଯେଉଁମାନେ ଅଧିକ ଶିକ୍ଷିତ ବା ସ୍ୱଛଳ ପରିବାରର ସେମାନେ ବିଭିନ୍ନ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି । ଏଣୁ ଅନ୍ୟ ଚାକିରି କରନ୍ତି ନାହିଁ । ଏଣୁ ସେମାନେ ବେକାର । ମନମୁତାବକ ଚାକିରି ନପାଇଲେ ଜଣେ ବେକାର ତାହା ଆମେ କହିପାରିବା ନାହିଁ । ଗରିବ ଶିକ୍ଷିତ ପିଲା, ରୋଜଗାର ନ କଲେ ଖାଇବାକୁ ପାଇବ ନାହିଁ । ଏଣୁ ସେମାନେ ଛୋଟ ଚାକିରି କରିବାକୁ ବାଧ୍ୟ ।
ଶ୍ରମ ବଜାରରେ ଚାକିରି ନେଇ ଛୋଟ କିଛି ନାହିଁ । କାମ କରି ଦରମା ପାଇଲେ ହେଲା । ପାଶ୍ଚାତ୍ୟ ଦେଶରେ ଛୋଟ ଛୋଟ ଚାକିରିକୁ ଘୃଣା କରାଯାଏନା । କିନ୍ତୁ ଆମର ଏଠି ହତାଦର । ଭାରତ ଭଳି ବୃହତ ଦେଶରେ ବିଭିନ୍ନ ମିସ୍ତ୍ରୀମାନଙ୍କର ଘୋର ଅଭାବ । ଆଇଟିଆଇ ଟେକନସିଆନ ନାହିଁନ୍ତି । କିନ୍ତୁ ଯେଉଁମାନେ ଅଛନ୍ତି, ସେମାନେ ଘରକୁ ଘର ଯାଇ ଏ କାମ କରିବେ ନାହିଁ । ସେମାନଙ୍କର ଦରକାର ସରକାରି ଅଫିସରେ ଚାକିରି । ନହେଲେ ଆମେ ବେକାର । ଆଉ ଆଜିକାଲି ଥାର୍ଡ ଡିଭିଜନରେ ପାସ କରିଥିବା ପିଲା ମଧ୍ୟ ଅଧ୍ୟାପକ ହେବାର ସ୍ୱପ୍ନ ଦେଖୁଛି, ନହେଲେ ସରକାର ତା ପାଇଁ କିଛି କରୁ ନାହାନ୍ତି ବୋଲି ନାରା ଦେଉଛି ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ-୯୪୩୯୬୫୨୩୨୨