କେନ୍ଦ୍ରାପଡାରେ ବଢୁଛି ବେଆଇନ୍ ମଦ କାରବାର
କେନ୍ଦ୍ରାପଡ଼ା, (ଓଏନ୍ଏସ୍): ପୂର୍ବ ଅପେକ୍ଷା ବେଆଇନ୍ ମଦ କାରବାର କେନ୍ଦ୍ରାପଡାରେ ବଢିବାରେ ଲାଗିଛି । ଚିଳିତ ପୂଜାବଜାରରେ ସହରରେ କିଛି ଚୋରା ମଦ ବ୍ୟବସାୟୀମାନେ ବିପୁଳ ପାରମାଣରେ ଦେଶୀ ଓ ବିଦେଶୀ ଚୋରା ଏବଂ ନକଲି ମଦ ଗଚ୍ଛିତ ରଖିଥିବା ସହ ଚଢା ଦରରେ ବିକ୍ରି କରୁଥିଲେ । ସେମାନେ ଜିଲ୍ଲାର କୋଣ ଅନୁକୋଣରେ ଖୁବ୍ ଚତୁରତାର ସହ ଏହି କାରବାର ଚଳାଉଥିବାର ଜଣାଯାଏ । ସହରର ବିଭିନ୍ନ ଅଂଚଳ ଯଥା- ତିନିମୁହାଣୀ, ମହିପାଳ, ନୂଆ ବସ୍ଷ୍ଟାଣ୍ଡ୍, କାକଟ ଲକ୍, ବଡହାଟ, ବଳଗଣ୍ଡି, ସାନ୍ତସାହି, ସାନମଙ୍ଗଳା ଓ ଇଚ୍ଛାପୁର ଭଳି ବିଭିନ୍ନ ସ୍ଥାନରେ ଏକାଧିକ ଲୋକେ ଚୋରାରେ ବିଦେଶୀ ତଥା ଦେଶୀ ମଦ କାରବାର କରୁଥିବାର ନଜରକୁ ଆସିଥିଲା, ହେଲେ ଅବକାରୀ ବିଭିଗ ସବୁ ଜାଣି ଅଜଣା । ସୂଚନାଯୋଗ୍ୟ- ଟାଉନ୍ ଥାନାର ମାତ୍ର ୨୦୦ ଏବଂ ୫୦୦ ମିଟରରେ ଏହି କଳାଧନ୍ଦା ଦୀର୍ଘଦିନ ଧରି ଚାଲିଆସୁଛି, ଯାହାକି ଖୁବ୍ ଆଶ୍ଚର୍ଯ୍ୟ ପରି ମନେ ହୁଏ । ସେହିପରି ସଦର ଥାନା ନିକଟରେ ମଧ୍ୟ ସମାନ ଭଳି କାର୍ଯ୍ୟ ଚାଲୁରହିଛି । ତେବେ ଥାନା ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ନଥିବା ଭଳି ମନେହୁଏ ନା’ ସବୁ ଜାଣିଶୁଣି ନିଜ ସ୍ୱାର୍ଥ ପାଇଁ କିମ୍ବା ଉପରସ୍ଥ ଅଧିକାରୀଙ୍କ ଚାପରେ ଚୁପ ରହୁଛନ୍ତି । ଯାହାକି ବୁଦ୍ଧିଜୀବୀଙ୍କ ମନରେ ପ୍ରଶ୍ନଉଠେ । ଅବଶ୍ୟ ପୂର୍ବରୁ ଏ ସମ୍ପର୍କରେ ଖବର ପାଇ ଅବକାରୀ ବିଭାଗ ତଥା ପୋଲିସ୍ ପ୍ରଶାସନ ଅନେକ ଥର ଚଢାଉ କରି ଉକ୍ତ ମଦ ବେପାରୀଙ୍କୁ ଗିରଫ କରିଥିଲେହେଁ, ସେମାନେ ଜାମିନ୍ରେ ଆସି ପୂନର୍ବାର ଏହି ଧନ୍ଦାରେ ଲିପ୍ତ ରହୁଛନ୍ତି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବା ଆବଶ୍ୟକ ହୋଇ ପଡିଛି ।