କଳାହାଣ୍ଡିରେ ମରୁଡି ଜନିତ ଆତ୍ମହତ୍ୟା ବଢିବାରେ ଲାଗିିଛି!
କଳାହାଣ୍ଡି, (ଆଇଏନ୍ଏସ୍): ଚଳିତ ଖରିଫ ଋତୁରେ ଅନିୟମିତ ବର୍ଷା ବା କମ ବର୍ଷା ଯୋଗୁଁ ଜିଲ୍ଲାର ଅଧିକାଂଶ ଅଂଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଖବର ମିଳିଛି । ବର୍ଷା ଅଭାବ ସାଙ୍ଗକୁ ରୋଗ ପୋକ ଅଧିକ ମାତ୍ରାରେ ବଢିଯାଇଥିବା ହେତୁ କଳାହାଣ୍ଡିଆ ଚାଷୀର ମେରୁଦଣ୍ଡ ସଂପୂର୍ଣ୍ଣ ଦୋହଲିଯାଇଛି । ଧର୍ମଗଡ ଉପଖଣ୍ଡର ଅଧିକାଂଶ ଅଂଚଳ ଇନ୍ଦ୍ରାବତୀ ଜଳସେଚନ ଯୋଜନାର କେନାଲ ପାଣି ଉପରେ ନିର୍ଭରଶୀଳ ଥିଲେହେଁ ଅନେକ ଅଂଚଳକୁ ଠିକ ଭାବେ ପାଣି ପହଂଚି ପାରିନନଥିବା ଅଭିଯୋଗ ହୋଇଛି । ତେବେ କୋକସରା ବ୍ଲକ ଅଂଚଳରେ ଇନ୍ଦ୍ରାବତୀ ଜଳସେଚନ ବ୍ୟବସ୍ଥା ଅଭାବରୁ ସମଗ୍ର ଅଂଚଳରେ ବ୍ୟାପକ ଫସଲ ହାନି ହୋଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ରୋଗପୋକ ଜନିତ କ୍ଷୟ ଏବଂ ଔଷଧ ସିଂଚନ କଲେ ମଧ୍ୟ ସେସବୁ କାମ ଦେଉନଥିôା ଅଭିଯୋଗ ହୋଇଛି । ଏଥିଯୋଗୁ ଫସଲ କ୍ଷତି ପରିମାଣ ବଢିବାରେ ଲାଗିଛି । ଏପରି ସ୍ଥିତିରେ କୋକସରା ବ୍ଲକର ଦୁଇଟି ପରିବାର ଉଜୁଡି ଯାଇଥିବା ବେଳେ ଗତ ୨ ତାରିଖ ଦିନ ଆଉଜଣେ ଚାଷୀ ସୁଦର୍ଶନ ମାଝୀ(୬୫) ପୋଖରୀକୁ ଡେଇଁ ଅତ୍ମହତ୍ୟା କରିଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସ୍ତ୍ରୀ ଡମେନ ମାଝୀ(୬୦) ଗୁରୁତର ହୋଇପଡିଥିବା ଜଣାପଡିଛି । ଏମାନଙ୍କୁ ମିଶାଇ ଜିଲ୍ଲାରେ ଚାଷୀ ମୃତୁ୍ୟ ସଂଖ୍ୟା ଚାରିରେ ପହଂଚିଥିବା ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ,କୋକସରା ବ୍ଲକର କନ୍ଦାବୁଟ୍ରା ଗ୍ରାମପଂଚାୟତର ତୁନଗାଁର ଚାଷୀ ସୁଦର୍ଶନ ଚାଷବାସ କରି ନିଜ ସଂସାରକୁ ପ୍ରତିପୋଷଣ କରିଆସୁଥିଲେ । ବଡପୁଅ ସୁବାସ ଗତ ୧୯୯୭ ରୁ ଗୋଆରେ ଦାଦନ ଖଟୁଥିବା ବେଳେ ଗତ ୨୦୦୦ ମସିହାରେ ବିବାହ କରି ସେଠାରେ ହିଁ ରହି ଯାଇଛି । ସାନପୁଅ ପ୍ରମୋଦ ଗତ ୧୦/୧୨ ବର୍ଷ ହେବ ନିକଟସ୍ଥ ବେହେରେନସିଲ ଗ୍ରାମରେ ଘରଜ୍ୱାଇଁ ଭାବେ ନିଜ ଶ୍ୱଶୂର ଘରେ ରହୁଥିବା ଜଣାପଡିଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ସୁଦର୍ଶନ ନିଜ ପୈତୃକ ଚାରି ଏକର ଜମିକୁ ଚାଷ କରିଥିବା ବେଳେ ବର୍ଷା ଅଭାବ ସାଙ୍ଗକୁ ରୋଗପୋକ ଯୋଗୁଁ ଚାଷ ନଷ୍ଟ ହେତୁ ଚିନ୍ତାରେ ରହୁଥିଲା । ଏପରିକି ନିଜ ଶଳାକୁ ଦୁଃଖ ଜଣାଇବା ସହ ଏବର୍ଷ କିପରି ସ୍ୱାମୀ-ସ୍ତ୍ରୀ ଚଳିବୁ ବୋଲି ମନସ୍ତାପ କରୁଥିବା ପ୍ରକାଶ । ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇ ଗତ ୨ତାରିଖ ଦିନ ସକାଳୁ ନିଜ ଘରପାଖ ଏକ ପରିତ୍ୟକ୍ତ ପୋଖରୀକୁ ଡେଇଁ ପଡି ଅତ୍ମହତ୍ୟା କରିଦେଇଥିଲା । ଡମେନ ଏହା ଦେଖି ସ୍ୱାମୀକୁ ବଂଚାଇବାକୁ ଚେଷ୍ଟା କରି ଗୁରୁତର ହୋଇଯାଇଥିବା ବେଳେ ଘଟଣା ପ୍ରଚାରିତ ହେବାପରେ ପୋଲିସ ଓ ଦମକଳ ବାହିନୀ ଆସି ମୃତ ସୁଦର୍ଶନକୁ ଉଦ୍ଧାର କରିଥିଲେ ।
ସୂଚନା ଯୋଗ୍ୟ ଯେ, ଚାଷ କ୍ଷତି ଜନିତ କାରଣରୁ ଗତ ୨୫ ତାରିଖ ଦିନ ଏହି ବ୍ଲକର ପମାନନ୍ଦ ସାହୁ ନାକମ ଜଣେ ଚାଷୀର ମୃତୁ୍ୟ ହୋଇଥିବା ବେଳେ ୨୬ ତାରିଖ ଦିନ ସୁନାମାଲ ଗ୍ରାମର ଗଣେଶ ସାହୁ ନାମକ ଆଉ ଜଣେ ଚାଷୀଙ୍କ ମୃତୁ୍ୟ ହୋଇଥିଲା । ସରକାରୀ ପଦାଧିକାରୀ ମାନେ ଏସବୁ ମୃତୁ୍ୟକୁ ଚାଷ କ୍ଷତି ଜନିତ ନୁହେଁ ବୋଲି ସଫେଇ ଦେଇ ଦାୟୀତ୍ୱ ସାରି ଦେଉଥିବା ହେତୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଅନ୍ୟ ପକ୍ଷରେ ଅନେକ ଚାଷି ନିଜ ଉଜୁଡା ଫସଲକୁ ନିଆଁ ଲଗାଇ ଦେଉଥିବା ବେଳେ କେଉଁଠି ନିଜ ଜୀବନକୁ ବାଜି ଲଗାଇ ଦେଉଥିବା କୁହାଯାଉଛି । ସମଗ୍ର କଳାହାଣ୍ଡି ଜିଲ୍ଲାରେ ଉକ୍ରଟ ମରୁଡି ପରିସ୍ଥିତି ଦେଖାଯାଇଥିବା ବେଳେ କୃଷି ବିଭାଗ କେବଳ ନିଦାବିଷ୍ଣୁ ସାଜିଥିବା ହେତୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଇତି ମଧ୍ୟରେ ସରକାର କଳାହାଣ୍ଡିକୁ ମରୁଡି ଘୋଷଣା କରିଥିବା ବେଳେ ତାହା କେତେ ଦୂର ଚାଷୀ ମାନଙ୍କୁ ସୁହାଇବ ତାହା ଚାଷୀ ମାନେ ଅନିଶ୍ଚିତ ଥିବା ପ୍ରକାଶ ।