୫୯ ମିନିଟରେ ଲୋନ: ତୁଛା ନିର୍ବାଚନୀ ଚାଲ!
ସୁବାସ ଷଡଙ୍ଗୀ
ମାତ୍ର ୫୯ ମିନିଟ । ସେଇ ସମୟ ମଧ୍ୟରେ ଆପଣଙ୍କର ଲୋନ ମଂଜୁର ହୋଇଯିବ । ବିଶେଷକରି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଲାଗି ୧୦ ଲକ୍ଷରୁ ଏକକୋଟି ଟଙ୍କା ପର୍ଯ୍ୟନ୍ତ ଲୋନ ମିଳିବ ।
କଥାଟି ଅବିଶ୍ୱାସ ହେଲେ ମଧ୍ୟ ସତ । ଲୋକସଭା ନିର୍ବାଚନ ପୂର୍ବରୁ କ୍ଷୁଦ୍ର ଓ ମଧ୍ୟମ ବର୍ଗର ଶିଳ୍ପ ଲାଗି ଦୀପାବଳୀର ଉପହାର ହିସାବରେ ମୋଦି ସରକାର ଏହି ପ୍ରକଳ୍ପ ଘୋଷଣା କରିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ୫୯ ମିନିଟ ମଧ୍ୟରେ ଯେଉଁ ଲୋନ ମଞୁର ହେବ, ତାହା ଯେ ପରିଶୋଧ ହେବ, ତାହା କିଏ କହିବ?
ଏବେ ଜାତୀୟ କରଣ ବ୍ୟାଙ୍କ ଗୁଡିକର ଅନାଦାୟ ଲୋନ ବଢି ଚାଲିଥିବାରୁ ରିଜର୍ଭ ବ୍ୟାଙ୍କ ବିଭିନ୍ନ ବ୍ୟାଙ୍କର କାର୍ଯ୍ୟକଳାପ ଉପରେ ନଜର ରଖିଛି । ଏପରି ଅବସ୍ଥାରେ ଏହା ବ୍ୟାଙ୍କର ଅନାଦାୟ ଲୋନର ସୀମା ବଢାଇବ ନାହିଁ ତ?
ଜାତୀୟକରଣ ବ୍ୟାଙ୍କଗୁଡିକ ପକ୍ଷରୁ ଲୋନର ଆବେଦନ ପତ୍ର ଗ୍ରହଣ, ପ୍ରାଥମିକ ଯାଂଚ ଓ ନୀତିଗତ ଭାବେ ଲୋନ ମଞୁରିର ସିଦ୍ଧାନ୍ତ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପିଏସବି ଲୋନସ ଇନ ୫୯ ମିନିଟ ଡଟକମ ନାମରେ ଏକ ୱେବସାଇଟ ଖୋଳାଯାଇଚି । ସେଇ ସାଇଟ ଚଳାଇବାର ଦାଇତ୍ୱ ଦିଆଯାଇଛି, ‘କ୍ୟାପିଟାୱାର୍ଲଡ’ ନାମକ ଏକ ସଂସ୍ଥାକୁ । ଅଭିଯୋଗ ହେଉଛି, ଗୁଜରାଟର ବିଜେପିର ଘନିଷ୍ଠ ଜଣେ ବ୍ୟବସାୟିକୁ ଏହି ସଂସ୍ଥା ଚଳାଇବାର ଦାଇତ୍ୱ ଦିଆଯାଇଛି । ଛୋଟ ସଂସ୍ଥାକୁ କିପରି ଏତେବଡ ଦାଇତ୍ୱ ଦିଆଗଲା, ତାହାକୁ ନେଇ ସମାଲୋଚନା ହେଉଛି । ଲୋନ ପାଇଁ ଆବେଦନ କରିବା ସମୟରେ ସାଇଟରେ ବ୍ୟବସାୟୀ ଜଣକ ନିଜର ପ୍ୟାନ ନମ୍ବର, ଜିଏସଟି ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ଏପରିକି ଆୟକର ସମ୍ପର୍କୀୟ ତଥ୍ୟ ଅପଲୋଡ କରିବାକୁ କୁହାଯାଇଛି । ସନେ୍ଦହ ହେଉଛି, ଏଇସବୁ ତଥ୍ୟ ଗୋପନ ଓ ସୁରକ୍ଷିତ ରହିବ ତ!
ଫେସବୁକ, ଟୁଇଟରରେ ଚାଟାର୍ଡ ଏକାଉଟାଂଟ ଏମିତିକି ବେପାରୀମାନେ ଏ ନେଇ ପ୍ରଶ୍ନ ଉଠାଇଛନ୍ତି । ସଫେଇ ଦେଇଚି, କ୍ଷୁଦ୍ର ଶିଳ୍ପ ଉନ୍ନୟନ ବ୍ୟାଙ୍କ । କୁହାଯାଉଛି, ସବୁକିଛି ଦେଖିସାରିବା ପରେ ଲୋନ ଦିଆଯିବ । ସେଇ ସଂସ୍ଥାକୁ ଟେଣ୍ଡର ମାଧ୍ୟମରେ ଦିଆଯାଇଚି କାମ ।
ମାତ୍ର ୫୯ ମିନିଟରେ ଦିଆ ଯାଉଥିବା ଲୋନ ସୁଝିହେବତ! ତାର ନିଶ୍ଚୟତା କଣ? ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ପୂର୍ବରୁ ସତର୍କ କରିଥିଲେ, ଆଖିବୁଜି ଛୋଟ ବା ମଧ୍ୟମ ଶିଳ୍ପ ସଂସ୍ଥାକୁ ଲୋନ ଦେଲେ ପୁଣି ଥରେ ଅନାଦାୟି ଲୋନ ସଂଖ୍ୟା ବଢିବ । ସଂସଦୀୟ କମିଟିକୁ ପଠାଇଥିବା ତାଙ୍କ ନୋଟରେ ଯୁକ୍ତିଥିଲା, ‘ଅନାଦାୟ ଲୋନ ନେଇ ଆମକୁ ଅଧିକ ସତର୍କ ହେବାକୁ ପଡିବ’ ।
କିପରି ଭାବେ ଲୋନ ମଞୁର ହେଉଛି?
ଅର୍ଥମନ୍ତ୍ରଣାଳୟର ତଥ୍ୟ ଅନୁଯାୟି, ମାତ୍ର ୫୯ ମିନିଟରେ ଲୋନ ମଞୁରି ନୀତିଗତ ଭାବେ କରାଯାଉଛି ।ଆଉ ୭-୮ ଦିନ ଭିତରେ ଟଙ୍କା ଦିଆଯାଉଛି । ସର୍ତ ଅନୁଯାୟି ଅନ୍ୟାନ୍ୟ କାଗଜପତ୍ର ଦେବାକୁହେବ । ଛଅମାସର ବ୍ୟାଙ୍କ ଷ୍ଟେଟମେଂଟ,ଜିଏସଟି ନମ୍ବର, ସଂସ୍ଥାର ମାଲିକାନା ସଂକ୍ରାନ୍ତୀୟ ତଥ୍ୟ ଏବଂ କେଉଁ ବ୍ୟାଙ୍କ ଲୋନ ଚାହାନ୍ତି, ତାହା ଜଣାଇବାକୁ ହେବ ।
ବ୍ୟାଙ୍କ ଏତେ ଶୀଘ୍ର ଲୋନ ମଞୁର କରୁଛି କିପରି? ମନ୍ତ୍ରଣାଳୟର ଯୁକ୍ତି ହେଲା, ଜାତୀୟକରଣ ବ୍ୟାଙ୍କ ଗୁଡିକ ଏହା ପୂର୍ବରୁ କ୍ଷୁଦ୍ର ଶିଳ୍ପକୁ ଲୋନ ଦେବା ପାଇଁ କିଛି କାମ ଆରମ୍ଭ କରିଥିଲେ । ବ୍ୟବସାୟିମାନେ ସେି ସର୍ତ ପୂରଣ କରିବା ପରେ ଲୋନ ମଞୁର କରାଯାଉଛି । କୌଣସି ବନ୍ଧକ ରଖାଯାଉନି । କାରଣ ପ୍ରକଳ୍ପଟି ‘କ୍ରେଡିଟି ଗ୍ୟାରେଂଟି ଫଣ୍ଡ ଟ୍ରଷ୍ଟ ସହିତ ଯୋଡି ହୋଇଛି । ଏହାର ଅର୍ଥ ହେଲା ସରକାରୀ ଗ୍ୟାରେଂଟି ଦିଆଯାଇଚି ।
ରଘୁରାମ ରାଜନ ସଂସଦୀୟ କମିଟିକୁ ପଠାଇଥିବା ନୋଟରେ କହିଛନ୍ତି, ‘କ୍ଷୁଦ୍ର ଓ ମଧ୍ୟମ ବର୍ଗର ଶିଳ୍ପ ପାଇଁ ସିହିବି ଚାଲୁ କରିଥିବା ଏଇ କ୍ରେଡିଟି ଗ୍ୟାରେଂଟି ଫଣ୍ଡ କ୍ରମେ ସରକାରଙ୍କ ପାଇଁ ଲାଇବିଲିଟି ହେବାରେ ଲାଗିଛି ।’ ଏକଥାକୁ ସରକାର ମଧ୍ୟ ଅସ୍ୱୀକାର କରୁ ନାହାନ୍ତି । ୨୦୦୦ ମସିହାରେ ଆରମ୍ଭ କରାଯାଇଥିବା ପ୍ରକଳ୍ପରେ ଏଯାବତ ୧.୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଲୋନର ଗ୍ୟାରେଂଟି ଦିଆଯାଇ ସାରିଛି । ସମୀକ୍ଷା ଅନୁଯାୟି ଚଳିତ ବର୍ଷ ସିଡିବି ବା ସବିଲ ରେ ୨୦୧୯ ମସିହା ସୁଦ୍ଧା ୧୬ ହଜାର କୋଟି ଟଙ୍କା ଲୋନ ଅନାଦାୟ ତାଲିକାକୁ ଚାଲିଯାଇପାରେ ।
ତାହାହେଲେ ଜାଣିଶୁଣି ସରକାର ନିର୍ବାଚନ ପୂର୍ବରୁ ଟଙ୍କା ବାଂଟିବା ଆରମ୍ଭ କରଦେଉ ନାହାନ୍ତି ତ?
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ-୯୪୩୯୬୫୨୩୨୨